Unknown

 

 

 

 

 

 

 

 

 

 

ମାୟାବୀ ଓ ମାୟାବିନୀ

ଶ୍ରୀ ବିଜୟକୃଷ୍ଣ ମହାନ୍ତି

 

ଚଞ୍ଚଳଗଡ଼ର ପ୍ରିନ୍ସ ରୁଦ୍ରନାରାୟଣ ତାଙ୍କର ଏକମାତ୍ର ଶିଶୁପୁତ୍ର ସୁରଥର ଜନ୍ମୋତ୍ସବ ପାଳନ କରୁଥିଲେ କଲିକତାର ବିଶିଷ୍ଟ ଅଭିଜାତ ହୋଟେଲ ‘ହେଭେନ୍’ରେ । ସୁରଥକୁ ଆଜିଠାରୁ ପାଞ୍ଚ ପୁରି ଛଅ ଚାଲିବ । କେତେକ ଜରୁରୀ କାର୍ଯ୍ୟ ନେଇ ସେ ସପରିବାର କଲିକତା ଆସି ଫେରିଯାଇ ପାରିନଥିବାରୁ ପୁତ୍ରର ଜନ୍ମୋତ୍ସବ ହୋଟେଲ ‘ହେଭେନ୍’ରେ ପାଳନ କରିବାକୁ ସିଦ୍ଧାନ୍ତ ନେଲେ ।

 

ଦୁଇ ଶତାଧିକ ଭଦ୍ରବ୍ୟକ୍ତି ଏ ଉତ୍ସବରେ ନିମନ୍ତ୍ରିତ ହୋଇ ଯୋଗ ଦେଇଥିଲେ । ଏହି ଅତିଥିବୃନ୍ଦ ସମସ୍ତେ ଥିଲେ ରାଜ ସମ୍ପ୍ରଦାୟର ଅଥବା ଅଭିଜାତ ଶ୍ରେଣୀର ।

 

ବିପୁଳ ଉତ୍ସାହରେ ଓ ମହା ସମାରୋହରେ ଭୋଜିପର୍ବ ଶେଷ ହେବା ପରେ ଅତିଥିବୃନ୍ଦ ପ୍ରିନ୍ସଙ୍କ ଦ୍ୱାରା ଆୟୋଜିତ ଯାଦୁଖେଳ ଦେଖିବା ନିମିତ୍ତ ହୋଟେଲର ପ୍ରଶସ୍ତ ହଲରେ ଯାଇ ସମବେତ ହେଲେ । ନୂତନ ଯାଦୁକର ମିସ୍ ପ୍ରିୟମ୍ବଦା ନିଜର ଆଶ୍ଚର୍ଯ୍ୟକର ଇନ୍ଦ୍ରଜାଲ ପ୍ରଦର୍ଶନ କରିବେ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା । ତାଙ୍କ ସଙ୍ଗେ ସହଯୋଗ କରିବେ ମାଷ୍ଟର ମାଣିକ ଗୁପ୍ତେ ।

 

ଅତିଥିବୃନ୍ଦ ନିଜ ନିଜ ଆସନ ଗ୍ରହଣ କରିବା ଉତ୍ତାରେ ହଲ ଅନ୍ଧକାର ହୋଇଗଲା ଓ ପର ମୁହୂର୍ତ୍ତରେ ପେଣ୍ଡାଲ ଉପରେ ଝୁଲୁଥିବା ସ୍କ୍ରିନ୍ ଦ୍ୱିଧା ଉନ୍ମୁକ୍ତ ହୋଇଗଲା । ଅପୂର୍ବ ବେଶରେ ସୁଶୋଭିତା ମିସ୍ ପ୍ରିୟମ୍ବଦା ଅଳ୍ପକ୍ଷଣ ପରେ ପେଣ୍ଡାଲ ଉପରେ ଆବିର୍ଭୂତା ହେବାକ୍ଷଣି କରତାଳି ଧ୍ୱନିରେ ହଲ ମୁଖରିତ ହୋଇଉଠିଲା । ଅତିଥିଗଣ ତାଙ୍କର ଯାଦୁଖେଳ ଦେଖିବା ପୂର୍ବରୁ ତାଙ୍କର ରୂପଲାବଣ୍ୟର ଇନ୍ଦ୍ରଜାଲରେ ପ୍ରଥମେ ଅଭିଭୂତ ହୋଇପଡ଼ିଲେ ।

 

ରୂପର ଔଜଲ୍ୟରେ ଦର୍ଶକମାନଙ୍କର ଦୃଷ୍ଟି ଝଲସି ଗଲା ।

 

କରତାଳି ଧ୍ୱନି ମଧ୍ୟରେ ମିସ୍ ପ୍ରିୟମ୍ବଦା ଉପସ୍ଥିତ ଅତଥିମାନଙ୍କୁ ଦୁଇହସ୍ତ ଅପୂର୍ବ ଭଙ୍ଗୀରେ ଆନ୍ଦୋଳନ କରି ଅଭିବାଦନ ଜଣାଇଲେ ଓ ପରମୁହୂର୍ତ୍ତରେ କରତାଳି ଧ୍ୱନି ଶାନ୍ତ ହେବା ସଙ୍ଗେ ସଙ୍ଗେ ମଧୁର କଣ୍ଠରେ ସେମାନଙ୍କୁ ଉଦ୍ଦେଶ୍ୟ କରି କହିଲେ, ଆଜି ଆପଣମାନଙ୍କ ସମ୍ମୁଖରେ ନିଜର ଇନ୍ଦ୍ରଜାଲ ପ୍ରଦର୍ଶନ କରୁଥିବା ହେତୁ ନିଜର ସୌଭାଗ୍ୟକୁ ମୁଁ ପ୍ରଶଂସା ନ କରି ରହିପାରୁନାହିଁ ଓ ଏଥିଲାଗି ମହାମାନ୍ୟ ପ୍ରିନ୍ସ ମୋତେ ଅନୁମତି ପ୍ରଦାନ କରିଥିବା ହେତୁ ତାଙ୍କ ନିକଟରେ ମୁଁ ନିଜର କୃତଜ୍ଞତା ଜ୍ଞାପନ କରୁଛି ।

 

ବର୍ତ୍ତମାନ ମୁଁ ଖେଳ ଆରମ୍ଭ କରିବାକୁ ଯାଉଛି । ଆଜି ପ୍ରିନ୍ସଙ୍କର ଏକମାତ୍ର ଶିଶୁପୁତ୍ର ସୁରଥଙ୍କର ଜନ୍ମୋତ୍ସବ । ତେଣୁ ତାଙ୍କୁ କେନ୍ଦ୍ର କରି ମୁଁ ମୋର ପ୍ରଥମ ମ୍ୟାଜିକ୍ ପ୍ରଦର୍ଶନ କରିବି । ମୁଁ ଅପଣମାନଙ୍କୁ ପ୍ରଥମରୁ କହିରଖେ ଏହି ମ୍ୟାଜିକ୍ ଦେଖିବା ନିମିତ୍ତ ଆପଣମାନଙ୍କୁ ଯଥେଷ୍ଟ ସାହସ ଓ ଧୈର୍ଯ୍ୟ ସଞ୍ଚୟ କରିବାକୁ ହେବ, କଠୋର ମନୋବଳ ଏଥିଲାଗି ପ୍ରୟୋଜନ । ନର୍ଭସ ହୋଇଗଲେ ଚଳିବନି । କୌଣସି ନରମ ହୃଦୟର ଅତିଥି କେହି ଯଦି ଏଠାରେ ଉପସ୍ଥିତ ଥା’ନ୍ତି ତେବେ ମୋର ତାଙ୍କୁ ଅନୁରୋଧ ସେ ଯେପରି ଅଯଥା ମୂର୍ଚ୍ଛିତ ହୋଇନପଡ଼ନ୍ତି । ପୁନର୍ବାର କହିରଖେ ଏହା ମ୍ୟାଜିକ୍ ଭୋଜବିଦ୍ୟା ପ୍ରଦର୍ଶନ । ଏକ ମିଥ୍ୟା ବ୍ୟାପାରକୁ ସତ୍ୟରୂପେ ପ୍ରଦର୍ଶନ କରି ମୁହୂର୍ତ୍ତକ ପାଇଁ ଦର୍ଶକମାନଙ୍କ ମନକୁ ଓ ହୃଦୟକୁ ବିଚଳିତ କରିଦେବା । ତା’ପରେ ପୁଣି ସବୁ ସ୍ୱାଭାବିକ, ଅତଏବ ଏଇ ଇନ୍ଦ୍ରଜାଲକୁ ଇନ୍ଦ୍ରଜାଲ ମନେକରି ଆପଣମାନେ ଶାନ୍ତ ଓ ସ୍ଥିର ଚିତ୍ତରେ ମୋର ପରିବେଷିତ ଯାଦୁଖେଳ ସନ୍ଦର୍ଶନ କରନ୍ତୁ ।

 

ଆଜିର ଯାଦୁଖେଳ ପ୍ରଦର୍ଶନ ମୋର ଏଇ ପ୍ରଥମ । ମୋ ବ୍ୟବସାୟର ଏହା ହେଉଛି ଶୁଭାରମ୍ଭ । ନିଜକୁ ପ୍ରଥମେ ବିଜ୍ଞାପିତ କରିବାର ଏପରି ଅପୂର୍ବ ସୁଯୋଗ ମୁଁ କଦାପି ଅନ୍ୟତ୍ର ଲାଭ କରିନଥାନ୍ତି । ତେଣୁ ପ୍ରିନ୍ସ ମୋତେ ନିଜକୁ ପ୍ରକାଶ କରିବା ନିମିତ୍ତ ସୁଯୋଗ ଦେଇଥିବା ହେତୁ ତାଙ୍କ ନିକଟରେ ଅବନତ ଶିରରେ କୃତଜ୍ଞତା ଜ୍ଞାପନ କରୁଛି ।

 

ମାନ୍ୟାସ୍ପଦ ଯାଦୁସମ୍ରାଟ ପି.ସି. ସରକାର ଆଜି ନିଜର ଯାଦୁ ବିଦ୍ୟା ନିମିତ୍ତ କେବଳ ଭାରତରେ ନୁହନ୍ତି ସମଗ୍ର ପୃଥିବୀରେ ଅଦ୍ୱିତୀୟ । ତାଙ୍କର ସବୁଠାରୁ ସର୍ବଶ୍ରେଷ୍ଠ ଖେଳ ହେଲା ଜୀବନ୍ତ ମନୁଷ୍ୟର ଦେହକୁ ଇଲେକ୍‌ଟ୍ରିକ୍ ‘ସ’ ସାହାଯ୍ୟରେ ଚାରିଖଣ୍ଡ କରି କାଟିଦେଇ ପୁନଶ୍ଚ ତାକୁ ଯୋଡ଼ିଦେବା । ମାତ୍ର ଉକ୍ତ କର୍ତ୍ତନ ସମୟରେ ଆଶ୍ଚର୍ଯ୍ୟର ବିଷୟ କୌଣସି ରକ୍ତପାତ ହୁଏ ନାହିଁ । ତେଣୁ ମନୁଷ୍ୟ ଦେହ କର୍ତ୍ତନ ସମ୍ବନ୍ଧରେ ମନରେ ସନ୍ଦେହ ଆସିବା ସ୍ୱାଭାବିକ । ପ୍ରକୃତ ବ୍ୟାପାର ହେଉଛି ଦର୍ଶକମଣ୍ଡଳୀଙ୍କୁ ଯାଦୁକର ମେସମୋରାଇଜ କରିଦେବା ଦ୍ୱାରା ଦର୍ଶକବୃନ୍ଦ ସମ୍ମୋହିତ ହୋଇପଡ଼ନ୍ତି ଓ ମନୁଷ୍ୟ ଦେହ କର୍ତ୍ତନ ଦୃଶ୍ୟ ସତ୍ୟ ବୋଲି ମନେକରିଥା’ନ୍ତି । ଯଦିଓ ବାସ୍ତବରେ ସେ ଭୋଜବାଜୀରେ କୌଣସି ସତ୍ୟତା ନ ଥାଏ, ମାତ୍ର ମୁଁ ଆପଣମାନଙ୍କୁ ଏକ ବାସ୍ତବ ହତ୍ୟାର ଦୃଶ୍ୟ ଦେଖାଇବି । ମୋର ସେ ହତ୍ୟାରେ ରକ୍ତପାତ ହେବ । ଦେହରୁ ମୁଣ୍ଡ ମୁଁ ଆପଣଙ୍କ ସାମ୍ନାରେ ପୃଥକ୍‍ କରି ଦେବି । ପରେ ଅବଶ୍ୟ ମୁଣ୍ଡ ଓ ଶରୀର ଯୋଡ଼ି ହୋଇ ଏକ ହୋଇଯିବ । ମୃତ ବ୍ୟକ୍ତି ପୁନଶ୍ଚ ଜାଗ୍ରତ ହୋଇ ଉଠିବ ।

 

ଅବଶ୍ୟ ସମସ୍ତଟା ଭୋଜବାଜୀ ମାତ୍ର; କିନ୍ତୁ ଦୃଶ୍ୟଟା ଅତି ବାସ୍ତବ କରି ଦେଖାଇବାରେ ହିଁ କୃତିତ୍ୱ ରହିଛି । ସେଥିଲାଗି ଖେଳ ପ୍ରଦର୍ଶନ କରିବା ପୂର୍ବରୁ ଯାଦୁ ସମ୍ରାଟ ପି.ସି. ସରକାର ଓ ମୋର ଖେଳ ପ୍ରଦର୍ଶନ ମଧ୍ୟରେ ପାର୍ଥକ୍ୟଟା ବୁଝାଇ ଦେଲି । ଖେଳ ଆରମ୍ଭ କରିବା ଆଗରୁ ଆଉଥରେ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଅତ୍ୟନ୍ତ ଉତ୍ତେଜନାଭରା ଏ ଯାଦୁଖେଳ ସନ୍ଦର୍ଶନ କରିବାକୁ ଯାଇ ଆପଣମାନେ ଯେପରି ଅଯଥା ବିବ୍ରତ ହୋଇ ନ ପଡ଼ନ୍ତି । ଖେଳଟା ଖେଳ ବୋଲି ହିଁ ଗ୍ରହଣ କରିବେ । ସାମୟିକ ଉତ୍ତେଜନା ସୃଷ୍ଟି ଏ ଖେଳର ହେଲା ବିଶେଷତ୍ତ୍ୱ ।

 

ନିଜର ବକ୍ତବ୍ୟ ଶେଷ କରି ମିସ୍ ପ୍ରିୟମ୍ବଦା ପେଣ୍ଡାଲ ଉପରୁ ଓହ୍ଲାଇ ଆସିଲେ ସାମ୍ନାରେ ସର୍ବପ୍ରଥମ ଧାଡ଼ିରେ ବସିଥିବା ଫ୍ରିନ୍ସ ରୁଦ୍ରନାରାୟଣ ଓ ତାଙ୍କର ଧର୍ମପତ୍ନୀଙ୍କ ନିକଟକୁ । ରାଜା ରାଣୀଙ୍କ ମଝିରେ କୁଶନ ବେଞ୍ଚ ଉପରେ ବସି ରହିଥିଲା ତାଙ୍କର ଏକମାତ୍ର ପୁତ୍ର ସୁରଥ । ମିସ୍ ପ୍ରିୟମ୍ବଦା ରାଜାଙ୍କ ପାଖକୁ ଆସି ରାଜାରାଣୀ ଉଭୟଙ୍କୁ ଉଦ୍ଦେଶ୍ୟ କରି କହିଲେ, ‘‘ପୂର୍ବରୁ କହିଛି ଆଜିର ଖେଳ ମୁଁ ଶ୍ରୀମାନ ସୁରଥଙ୍କୁ ନେଇ ଆରମ୍ଭ କରିବି । ଆପଣ ଅନୁମତି ଦିଅନ୍ତୁ ।’’

 

ରାଜା ରୁଦ୍ରନାରାୟଣଙ୍କ ମୁହଁରେ ଅପୂର୍ବ ହାସ୍ୟ । ମାତ୍ର ରାଣୀଙ୍କ ମୁହଁ ଉପରେ କିପରି ଏକ ପ୍ରଚ୍ଛନ୍ନ ଆତଙ୍କର ଛାୟା । ରୁଦ୍ରନାରାୟଣ ହସି ରାଣୀଙ୍କୁ ବ୍ୟାପାରଟା ବୁଝାଇ ଦେଇ ନିଜେ ସୁରଥକୁ ହାତ ଧରି ଉଠାଇ ଦେଇ ମିସ୍ ପ୍ରିୟମ୍ବଦାଙ୍କୁ କହିଲେ, ‘‘ସୁରଥକୁ କେନ୍ଦ୍ର କରି ଆଜି ଆପଣ ନିଜ ଭୋଜବାଜୀର କୃତିତ୍ୱ ପ୍ରଦର୍ଶନପୂର୍ବକ ଉପସ୍ଥିତ ଅତିଥିମାନଙ୍କୁ ଯେତେବେଳେ ଆନନ୍ଦ ବିତରଣ କରିବାକୁ ଯାଉଛନ୍ତି ସେତେବେଳେ ମୁଁ ଆପଣଙ୍କ ସହ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ପ୍ରସ୍ତୁତ ଅଛି । ଆପଣ ସୁରଥକୁ ସଙ୍ଗରେ ନେଇଯା’ନ୍ତୁ ।

 

ରୁଦ୍ରନାରାୟଣ ସୁରଥକୁ ଇଙ୍ଗିତରେ ନିର୍ଦ୍ଦେଶ ଦେବା ସଙ୍ଗେ ସଙ୍ଗେ ସେ ମିସ୍ ପ୍ରୟମ୍ବଦାଙ୍କ ନିକଟକୁ ଧାଇଁଗଲା । ବାପ୍ ସେ ବେଟା ଜ୍ୟାଦା । ଶରୀରରେ ତା’ର ବୀର ରକ୍ତ ପ୍ରବାହିତ ହେଉଛି । ସାଧାରଣ ଶିଶୁ ପରି ସେ ଭୀରୁ ହେବାକୁ ଯିବ କାହିଁକି ?

 

ମିସ୍ ପ୍ରିୟମ୍ବଦା ସୁରଥକୁ ନେଇ ପେଣ୍ଡାଲ ଉପରକୁ ଗଲେ ।

 

ଅତିଥିମାନଙ୍କର ଦୃଷ୍ଟି ଅପଲକ । ତଟସ୍ଥ ହୋଇ ସେମାନେ ଅନାଇ ରହିଛନ୍ତି । ମିସ୍ ପ୍ରିୟମ୍ବଦା ଯାହା କହିଗଲେ ବର୍ତ୍ତମାନ ସେ ତା’ କାର୍ଯ୍ୟରେ ପରିଣତ କରି ଭୋଜବାଜୀ ପ୍ରଦର୍ଶନ କରିବେ । ଶିଶୁପୁତ୍ର ସୁରଥକୁ ନେଇ ସେ ଏକ ଭୟଙ୍କର ନିଷ୍ଠୁର କାର୍ଯ୍ୟ କରିବାକୁ ଯାଉଛନ୍ତି । ଉତ୍କଣ୍ଠା ଓ ଉଦ୍ବେଗରେ ପ୍ରତ୍ୟେକ ଦର୍ଶକର ଛାତି ସ୍ପନ୍ଦିତ ହେଉଛି ।

 

ମିସ୍ ପ୍ରିୟମ୍ବଦା ପ୍ରଥମେ ସୁରଥର ନାକ ପାଖେ ଏକ ରୁମାଲ ଧୀରେ ଧୀରେ ହଲାଇଲେ । ସମ୍ଭବତଃ ତାହା କ୍ଲୋରଫର୍ମ ଭିଜା ରୁମାଲ ଥିଲା । ତା’ପରେ ଦେଖାଗଲା ସୁରଥ ଧୀରେ ଧୀରେ ଚେତନା ହରାଇ ପକାଉଛି । ଏକ ସମୟରେ ସେ ସମ୍ପୂର୍ଣ୍ଣ ଅଚେତନ ହୋଇପଡ଼ିବା ସଙ୍ଗେ ସଙ୍ଗେ ଢଳି ପଡ଼ିବାରୁ ମିସ୍ ପ୍ରିୟମ୍ବଦା ତାକୁ ଧରି ନେଲେ ଓ ପରମୁହୂର୍ତ୍ତରେ ମାଷ୍ଟର ଗୁପ୍ତେ ଓ ମିସ୍ ପ୍ରିୟମ୍ବଦା ତାକୁ ତୋଳି ନେଇ ଷ୍ଟିଲ ଟେବୁଲ ଉପରେ ଶୁଆଇ ଦେଲେ ।

 

ବର୍ତ୍ତମାନ ସମସ୍ତ ଦର୍ଶକ ସେଇ ଭୟଙ୍କର ମୁହୂର୍ତ୍ତକୁ ଉତ୍କଣ୍ଠିତ ଚିତ୍ତରେ ଅପେକ୍ଷା କରିବାକୁ ଲାଗିଲେ, ଯାହା ସମ୍ପୂର୍ଣ୍ଣ ମିଥ୍ୟା ଅଥଚ ସତ୍ୟ ବୋଲି ପ୍ରତିଭାତ ହେବ ।

 

ମିଥ୍ୟାସାପର ଭୟ ଦେଖାଇଲେ ବି ସତ୍ୟ ସର୍ପଦର୍ଶନ ଜନିତ ଆତଙ୍କ ମନରେ ଉଦ୍ରେକ ହୋଇଥାଏ ।

 

ମଣିଷର ଏ ମନ ଏକ ବିଚିତ୍ର ପଦାର୍ଥ । ସେ ସତ୍ୟାସତ୍ୟ ବୁଝି ମଧ୍ୟ ଭ୍ରମରେ ବିଚଳିତ ହୁଏ ।

 

ମିସ୍ ପ୍ରୟମ୍ବଦା ଯେତେବେଳେ ଅନ୍ୟ ଏକ ଟେବୁଲ ଉପରେ ଥୁଆ ହୋଇଥିବା ଅର୍ଦ୍ଧହସ୍ତ ପରିମିତ ଏକ ଛୁରି ଉଠାଇ ଆଣିଲେ; ବିଦ୍ୟୁତ୍ ଅଲୋକରେ ତାହା ଚକ୍ ଚକ୍ କରି ଉଠିଲା-

 

ଅତିଥିମାନେ ଚମକି ଉଠିଥିଲେ ।

 

ମିସ୍ ପ୍ରିୟମ୍ବଦା ସେଇ ଛୁରାଟି ଦର୍ଶକମାନଙ୍କୁ ଦେଖାଇ ପୁନଶ୍ଚ କହିଲେ, ‘‘ବର୍ତ୍ତମାନ ସେଇ ଭୟଙ୍କର ମୁହୂର୍ତ୍ତ ଆଗତପ୍ରାୟ, ମୁଁ ଆପଣମାନଙ୍କୁ ପୁନଶ୍ଚ ସତର୍କ କରି ଦେଉଛି–ଯଥେଷ୍ଟ ଧୈର୍ଯ୍ୟ ସହ ମୋର ଏ ଉତ୍ତେଜନାଭରା ଇନ୍ଦ୍ରଜାଲ ଆପଣମାନେ ଲକ୍ଷ୍ୟ କରନ୍ତୁ । ଭୀତ ବା ତ୍ରସ୍ତ ନ ହେବା ଲାଗି ପୁନର୍ବାର ଅନୁରୋଧ ଜଣାଉଛି ।’’

 

ଛୁରା ସୁରଥ ଶରୀରରେ ସ୍ପର୍ଶ କରିବା ପୂର୍ବରୁ ମିସ୍ ପ୍ରିୟମ୍ବଦା ଆଉଥରେ ସେଇ କ୍ଲୋରଫର୍ମ ସିକ୍ତ ରୁମାଲଟି ଚାପି ଧରିଲେ ସୁରଥର ନାସିକା ନିକଟରେ ।

 

କ୍ଲୋରଫର୍ମର ଅଧିକ ଗନ୍ଧ ନିଶ୍ଵାସରେ ପ୍ରବେଶ କରି ସୁରଥକୁ ସମ୍ପୂର୍ଣ୍ଣ ଅଚେତନ ରଖୁ ଦୀର୍ଘ ସମୟ ଲାଗି ସମ୍ଭବତଃ ଏହା ହିଁ ମିସ୍ ପ୍ରିୟମ୍ବଦାଙ୍କର ଅଭିପ୍ରାୟ ଥିଲା ।

 

ମୁହୂର୍ତ୍ତ କେତେକ ଉତ୍ତାରେ ମିସ୍ ପ୍ରୟମ୍ବଦା ରୁମାଲ୍‍ଟିକୁ ଫୋପାଡ଼ି ଦେଇ ବଡ଼ ହିଂସ୍ର ଭାବରେ ଅତ୍ୟନ୍ତ ନିର୍ମମ ହୋଇଉଠି ଶିଶୁ ସୁରଥର ଗଳା ନିକଟରେ ଛୁରାଟା ସଜୋରେ ଚଳାଇଦେଲେ ଓ ପରକ୍ଷଣରେ କରତରେ କାଟିଲାଭଳି ଛୁରାଟାକୁ ତା’ର ଗଳା ପାଖେ ଦ୍ରୁତ ସଞ୍ଚାଳନ କରି ମୁଣ୍ଡଟିକୁ ଶରୀରରୁ ବିଚ୍ଛିନ୍ନ କରିଦେଲେ ।

 

ମାଷ୍ଟର ଗୁପ୍ତେ ଏ ନୃଶଂସ କାର୍ଯ୍ୟରେ ସାହାଯ୍ୟ କରୁଥିଲେ ମିସ୍ ପ୍ରିୟମ୍ବଦାଙ୍କୁ ।

 

ସେମାନେ ଏ ନିର୍ମମହତ୍ୟା କାର୍ଯ୍ୟ କରିବାର ମୁହୂର୍ତ୍ତ କେତେକ ପୂର୍ବରୁ ରବରର ହାତମୁଣା ପିନ୍ଧି ନେଇଥିଲେ ଓ ରବରର ଆବରଣରେ ନିଜର ପରିଧାନ ସତର୍କିତଭାବେ ସେମାନେ ଆବୃତ କରି ଦେଇଥିଲେ । ଫଳରେ ସୁରଥର ମୁଣ୍ଡଟିକୁ ଶରୀରରୁ ଦ୍ଵିଧା କରିବା ସମୟରେ ପିଚ୍‌କାରୀ ମାରିଲା ପରି ଯେଉଁ ରକ୍ତ ଛିଟ୍‍କି ଆସିଲା ରବରର ଦେହାବରଣ ଥିବା ହେତୁ ପରିଧାନର ତା’ କୌଣସି କ୍ଷତି କଲା ନାହିଁ । ରବରର ହାତମୁଣା ଥିବାରୁ ରକ୍ତସ୍ରାବ ଓ ଛିଟାରେ ହାତ ମଧ୍ୟ ରକ୍ତାକ୍ତ ହେଲା ନାହିଁ ।

 

ଏ ନିର୍ମମ ଦୃଶ୍ୟ ଅଧିକାଂଶ ଅତିଥି ସହ୍ୟ କରିବାର ଅବସ୍ଥାରେ ନ ଥିଲେ । ଅନେକ ଭୟରେ ଆଖି ମୁଦି ଦେଇଥିଲେ । କେତେଜଣ ଆତଙ୍କରେ ମୃଦୁ ଚିତ୍କାର କରି ଉଠିଲେ । ଏ ନିର୍ମମ ହତ୍ୟାଦୃଶ୍ୟ କିନ୍ତୁ ଆଦୌ ସହ୍ୟ କରିପାରଲେ ନାହିଁ ମହାରାଣୀ । ନିଜର ଏକମାତ୍ର ଶିଶୁପୁତ୍ରର ଏ ନୃଶଂସ ହତ୍ୟା ସେ ମା’ ହୋଇ ବରଦାସ୍ତ କରିଥା’ନ୍ତେ କିପରି ? ସେ ନିଜ ମନକୁ ଏ ଦୃଶ୍ୟ ମିଥ୍ୟା ବୋଲି ଯେତେ ବୁଝାଇଲେ ବି ମନ କ’ଣ ସହଜରେ ବୁଝେ । ରାଜା ରୁଦ୍ରନାରାୟଣ ନିଜେ ବାପା ଯେତେବେଳେ, ପୁରୁଷଭାବେ ଯେତେ କଠୋର ହେଲେ ବି ଦାନ୍ତରେ ଦାନ୍ତ ଚିପି ଏ ଅସହ୍ୟ ନିର୍ମମ ଦୃଶ୍ୟ ବରଦାସ୍ତ କରୁଥିଲେ ଓ ମନ ଭିତରେ ପ୍ରଚଣ୍ଡ ପ୍ରଳୟର ତାଣ୍ଡବ ନୃତ୍ୟ ଚାଲିଥିଲେ ମଧ୍ୟ ଯେପରି ତାଙ୍କର କିଛି ହୋଇନାହିଁ ସେଇପରି ଅଭିନୟ କରି ରାଣୀଙ୍କୁ ଦୃଶ୍ୟର ଅଳୀକତା ସମ୍ବନ୍ଧରେ ବାରମ୍ବାର ପ୍ରବୋଧ ଦେଉଥିଲେ । ରାଣୀମା କିନ୍ତୁ ଦୁଇ ହାତରେ ମୁହଁ ଚାପି ଧରି ଯେପରି ଥର ଥର ହୋଇ ଥରୁଥିଲେ ଲକ୍ଷ୍ୟ କଲେ ମନେହେବ ସେ ହୁଏତ ଅଳ୍ପକ୍ଷଣ ମଧ୍ୟରେ ସଂଜ୍ଞାଶୂନ୍ୟ ହୋଇପଡ଼ିବେ ।

 

କିନ୍ତୁ ଯା’ ହେଉ ସେ ନିର୍ମମ ମୁହୂର୍ତ୍ତ ଅତିତ୍ରାନ୍ତ ହେବାପରେ ଉପସ୍ଥିତ ଦର୍ଶକବୃନ୍ଦ ସମ୍ବିତ ଫେରି ପାଇ ହଠାତ୍ ଯେଉଁ ହୃତ୍‍କମ୍ପକାରୀ ଦୃଶ୍ୟ ଅବଲୋକନ କଲେ ତାହା ସେମାନଙ୍କର ସକଳ ଧୈର୍ଯ୍ୟ ଓ ସମସ୍ତ ଚେତନାକୁ ପୁନର୍ବାର ଦୋହଲାଇ ଦେଲା ।

 

ସମସ୍ତ ହଲ୍‍ଟି ହାହାକାରରେ ମୁଖରିତ ହୋଇଉଠିଲା ।

 

ସୁରଥର କଟାମୁଣ୍ଡଟି ଗୋଟିଏ ବୃହତ୍ ପ୍ଲେଟରେ ସଯତ୍ନେ ଟେବୁଲ ଉପରେ ରଖା ଯାଇଥିଲା ।

 

ରକ୍ତାକ୍ତ ଅବସ୍ଥାରେ ହସ ହସ ମୁହଁରେ ମିସ୍ ପ୍ରିୟମ୍ବଦା ପୁନର୍ବାର ପେଣ୍ଡାଲ ଉପରେ ଆଗେଇ ଆସି ବିନୀତ କଣ୍ଠରେ କହିଲେ, ‘‘ମୁଁ ଯାହା ଭାବିଥିଲି ଠିକ୍ ତାହାହିଁ ଘଟିଗଲା । ଆପଣମାନଙ୍କୁ ମ୍ୟାଜିକ୍ ଯେ ମ୍ୟାଜିକ୍ ଏ ସମ୍ବନ୍ଧରେ ପୂର୍ବରୁ ଯେତେ ବୁଝାଇ କହିଥିଲେ ବି ଆପଣମାନେ ଧୈର୍ଯ୍ୟ ଧରିପାରି ନାହାନ୍ତି । ବିଶେଷତଃ ମହାରଣୀ ଯେ କି ଏତେବେଳ ଧରି ଦୁଇ କରତଳରେ ନିଜର ମୁଖ ଆବୃତ କରି ସମ୍ଭବତଃ କାନ୍ଦୁଛନ୍ତି, ତାଙ୍କୁ ମୋର ଅନୁରୋଧ ସେ ବର୍ତ୍ତମାନ ମୁଖ ଉତ୍ତୋଳନ କରନ୍ତୁ । ଏହା କ’ଣ କେବେ ସତ୍ୟ ଯେ ମୁଁ ତାଙ୍କର ପୁତ୍ରକୁ ତାଙ୍କ ସମ୍ମୁଖରେ ନିର୍ମମଭାବେ ହତ୍ୟା କରିଛି, ଯଦି ପ୍ରକୃତରେ ହତ୍ୟା କରିଥାଏ, ତେବେ ଆଇନ୍ କ’ଣ ମୋତେ ମାଫ୍ କରିବ । ଏହା କେବଳ ଦୃଶ୍ୟର ଇନ୍ଦ୍ରଜାଲ । ପ୍ରକୃତରେ ଆପଣମାନେ ପ୍ରତ୍ୟେକେ ମୋ’ଦ୍ୱାରା ହିପ୍ନୋଟାଇଜଡ୍ ହୋଇଥିବାରୁ ମୋର ଇଚ୍ଛା ଆପଣମାନଙ୍କର ଇଚ୍ଛା ଉପରେ ପ୍ରଭାବ ବସ୍ତାର କରିଛି । ମୁଁ ଆପଣମାନଙ୍କର ଦୃଷ୍ଟି ଶକ୍ତିକୁ ଏପରି ଭାବରେ ଆଚ୍ଛନ୍ନ କରି ଦେଉଛି ଯେ ହସ ହସ ମୁହଁରେ ମୋ ନିକଟରେ ଠିଆ ହୋଇଥିବା ସୁରଥକୁ ଆପଣମାନେ କେହି ଦେଖିପାରୁ ନାହାନ୍ତି । ତା’ ଦେଖିପାରୁଥିଲେ ମୋର ଏ ଯାଦୁବିଦ୍ୟାର କୌଣସି ମୂଲ୍ୟ ରହିନଥା’ନ୍ତା ।’’

 

ରାଜାଙ୍କର ପ୍ରବୋଧ ଓ ମିସ୍ ପ୍ରିୟମ୍ବଦାଙ୍କର ସାନ୍ତ୍ୱନା ବାଣୀ ଶୁଣି ମହାରାଣୀ ଶିର ଉତ୍ତୋଳନ କରି ଦୃଷ୍ଟି ପ୍ରସାରିତ କଲେ ସତ ମାତ୍ର ଯେତେ ବୁଝାଇ କହିଲେ ବି ଆଖି ସାମ୍ନାର ସେ ଭୟଙ୍କରତାକୁ ଅର୍ଥାତ୍‍ ବୃହଦ୍ କାଚ ପ୍ଲେଟରେ ସୁରଥର କଟାମୁଣ୍ଡ ଥୁଆ ହୋଇଥିବାର ହୃଦୟବିଦାରକ ଦୃଶ୍ୟକୁ ସେ ମିଥ୍ୟା ବୋଲି ଭାବିବେ କିପରି ? ।

 

ରାଣୀ ମଧ୍ୟ ଚେଷ୍ଟାକରି ନିଜ ମନକୁ ବୁଝାଉଛନ୍ତି ଏହା କେବଳ ମ୍ୟାଜିକ୍ ଭୋଜବିଦ୍ୟା, ସତ୍ୟ ନୁହେଁ, ତଥାପି ସେ ଅଧୈର୍ଯ୍ୟ ହୋଇପଡ଼ୁଛନ୍ତି ।

 

ମିସ୍ ପ୍ରିୟମ୍ବଦା ପୁନର୍ବାର ଅତିଥିମାନଙ୍କୁ ଉଦ୍ଦେଶ୍ୟ କରି କହିଲେ, ‘‘ଯଥେଷ୍ଟ ଧୈର୍ଯ୍ୟ ସମ୍ବଳ କରି ଆପଣମାନେ ମୋତେ ମୋର ଏହି ଅତ୍ୟନ୍ତ ଉତ୍ତେଜନାକାରୀ ଇନ୍ଦ୍ରଜାଲ ଦେଖାଇବାକୁ ଅନୁମତି ପ୍ରଦାନ କରିଥିବା ହେତୁ ମୁଁ ଆପଣମାନଙ୍କ ନିକଟରେ ଚିରକୃତଜ୍ଞ, ବର୍ତ୍ତମାନ ମୁଁ ମୋର ଯାଦୁ ଖେଳର ଦ୍ଵିତୀୟ ଭାଗ ପ୍ରଦର୍ଶନ କରିବାକୁ ଯାଉଛି । ଏହି ଯାଦୁରେ ପ୍ରଥମ ଭାଗଟି ଯେପର ଅଶ୍ରୁମୟ ତା’ର ଦ୍ୱିତୀୟ ଭାଗ ତତୋଽଧିକ ମଧୁମୟ । ଦୃଶ୍ୟଟି ଅଧିକ ପ୍ରାଣସ୍ପର୍ଶୀ ଓ ମନୋମୁଗ୍ଧକର । ଆପଣମାନେ ବର୍ତ୍ତମାନ ଦେଖିବାକୁ ପାଇବେ ପ୍ଲେଟ୍ ଉପରୁ କଟା ମୁଣ୍ଡଟି ଆପେ ଆପେ ଉଠିଯାଇ ସୁରଥର ଶରୀରରେ ଯୋଡ଼ି ହୋଇଯିବ ଓ ସେ ହସି ହସି ପୁନର୍ବାର ଆପଣମାନଙ୍କ ଗହଣକୁ ଚାଲିଯିବ ।’’

 

ମିସ୍ ପ୍ରିୟମ୍ବଦା ନିଜର ବକ୍ତବ୍ୟ ଶେଷ କରିବା ସଙ୍ଗେ ସଙ୍ଗେ ଘନ ଘନ କରତାଳି ଧ୍ୱନିରେ ହଲ ମୁଖରିତ ହୋଇ ଉଠିଲା ଓ ପ୍ରତ୍ୟେକ ଦର୍ଶକ ଉତ୍‌ଫୁଲ ନେତ୍ରରେ ମିସ୍ ପ୍ରିୟମ୍ବଦାଙ୍କର ପରବର୍ତ୍ତୀ ମିଳନାତ୍ମକ ଅପୂର୍ବ ଇନ୍ଦ୍ରଜାଲ ଦେଖିବା ଉଦ୍ଦେଶ୍ୟରେ ଦୃଷ୍ଟି ତୋଳି ଉତ୍କଣ୍ଠିତ ନେତ୍ରରେ ଚାହିଁ ରହିଲେ ।

 

ରାଣୀ ମଧ୍ୟ ଦୃଷ୍ଟି ଉତ୍ତୋଳନ କଲେ । ତାଙ୍କ ଓଠରେ ହସ ଫୁଟିଲା । ଆହା, ସେ ମଧୁମୟ ମୁହୂର୍ତ୍ତ କେତେବେଳେ ଉପସ୍ଥିତ ହେବ ଯେତେବେଳେ ସୁରଥ ହସି ହସି ପେଣ୍ଡାଲ ଉପରୁ ତଳକୁ ଓହ୍ଲାଇ ଆସିବ ଓ ସେ ତାକୁ ପ୍ରାଣର ଆବେଗରେ ନିଜର ବୁକୁ ଉପରେ ଦୁଇବାହୁ ବେଷ୍ଟନୀ ମଧ୍ୟରେ ଜଡ଼ାଇ ଧରିବେ ।

 

ମିସ୍ ପ୍ରିୟମ୍ବଦା ପୁନଶ୍ଚ ଅତିଥିମାନଙ୍କୁ ଉଦ୍ଦେଶ୍ୟ କରି କହିଲେ, ‘‘ଅଳ୍ପ କେତେକ ମୁହୂର୍ତ୍ତଲାଗି ମୁଁ ଓ ମାଷ୍ଟର ଗୁପ୍ତେ ଉଭୟେ ଆପଣମାନଙ୍କର ଦୃଷ୍ଟି ଅନ୍ତରାଳରୁ ଚାଲି ଯାଉଛୁ ।’’ ଏ ପ୍ରସ୍ଥାନର କାରଣ ହେଲା ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବାକୁ ‘‘ହେ ପ୍ରଭୋ, ସୁରଥକୁ ପୁନର୍ବାର ଜୀବନ୍ୟାସ ଦିଅ, ସେ ଜାଗି ଉଠୁ ।’’ ଆପଣମାନେ ମଧ୍ୟ ମନେ ମନେ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ ସୁରଥ ପୁନର୍ବାର ଜାଗ୍ରତ ହୋଇଉଠୁ ।’’ ନିଜର ବକ୍ତବ୍ୟ ଶେଷ କଲା ପରେ ମଥା ଅଳ୍ପ ନତ କରି ଦର୍ଶକମାନଙ୍କୁ ଅଭିବାଦନ ଜଣାଇ ମିସ୍ ପ୍ରିୟମ୍ବଦା ମାଷ୍ଟର ଗୁପ୍ତେଙ୍କର ହସ୍ତ ଧାରଣ କରି ପେଣ୍ଡାଲ ଉପରୁ ନିଷ୍କ୍ରାନ୍ତ ହୋଇଗଲେ ।

 

ମିସ୍ ପ୍ରିୟମ୍ବଦାଙ୍କର ଏ ହଠାତ୍ ପ୍ରସ୍ଥାନରେ ମହାରାଣୀଙ୍କୁ ଆତଙ୍କିତ ନୟନରେ ବିଚଳିତ ହୋଇ ପଡ଼ିବାର ଲକ୍ଷ୍ୟ କରି ରାଜା ରୁଦ୍ରନାରାୟଣ ହସି ଦେଇ କହିଲେ, ‘‘ଏଥିରେ ବ୍ୟସ୍ତ ହେବାର କାରଣ ନାହିଁ । ତୁମେ ଅଯଥା ବିବ୍ରତ ମଧ୍ୟ ହୁଅ ନାହିଁ । ନିଜର ଯାଦୁଖେଳ ଅସମାପ୍ତ ରଖି ଦର୍ଶକମାନଙ୍କୁ ଉଦ୍‍ବିଗ୍ନ କରି ତୋଳିବା ଉଦ୍ଦେଶ୍ୟରେ ଯାଦୁକରମାନେ ଏହିପରି ନିଜର ଖେଳ ଅସମାପ୍ତ ରଖିଥା’ନ୍ତି । ଲକ୍ଷ୍ୟ କରି ବର୍ତ୍ତମାନ ଦେଖିବାର କଥା ସୁରଥର ପୁର୍ନଜାଗରଣ କିପରି ସମ୍ଭବ ହେବ । ବାସ୍ତବିକ୍ ମିସ୍ ପ୍ରିୟମ୍ବଦା ଇଜ୍ ସିମ୍ପ୍ଲି ଓ୍ୱାଣ୍ଡରଫୁଲ ।’’

 

ଡିଟେକଟିଭ୍ ଅରିନ୍ଦମ ରାତି ଏଗାରଟାରେ ହୋଟେଲ ‘ହେଭେନ୍’ରୁ ପୋଲିସ୍‍ ସୁପରିନଟେଡେଣ୍ଟ ମି. ଘୋଷାଲଙ୍କ ନିକଟରୁ ଆକସ୍ମିକ ଫୋନ୍ ପାଇ ହତବାକ୍‍ ହୋଇଗଲେ ।

 

ଅରିନ୍ଦମ ନିଜ ପ୍ରକୋଷ୍ଠରେ ବସି ଏକ ରହସ୍ୟମୂଳକ ହତ୍ୟା କେଶ୍ ବିଶ୍ଳେଷଣରେ ଚିନ୍ତାମଗ୍ନ ଥିଲେ ।

 

ମି. ଘୋଷାଲଙ୍କର କଣ୍ଠସ୍ୱରରେ ଚାଞ୍ଚଲ୍ୟର ଲକ୍ଷଣ ସୁସ୍ପଷ୍ଟ, ‘‘ଆପଣ ଅବିଳମ୍ବେ ହୋଟେଲ ହେଭେନ୍‍କୁ ଚାଲି ଆସନ୍ତୁ । ମୁଁ ଉତ୍କଣ୍ଠିତ ଚିତ୍ତରେ ଆପଣଙ୍କର ଅପେକ୍ଷା କରୁଛି । ଏକ ଚମକପ୍ରଦ ହତ୍ୟା ଆଜି ଘଟି ଯାଇଛି ହୋଟେଲ ହେଭେନରେ । ଚଞ୍ଚଳଗଡ଼ର ମହାରାଜା ରୁଦ୍ରନାରାୟଣର ଏକମାତ୍ର ଶିଶୁ ପୁତ୍ରକୁ ନିର୍ମମଭାବେ ହତ୍ୟା କରାହୋଇଛି ଓ ହତ୍ୟାର ପ୍ରକ୍ରିୟା ମଧ୍ୟ ଅଭିନବ । ଆପଣ ଶୀଘ୍ର ଆସନ୍ତୁ ।’’

 

ସହକାରୀ ଅଜିତ୍ ଏଇ କେତେକ ମୁହୂର୍ତ୍ତ ପୂର୍ବେ ଘରକୁ ଚାଲି ଯାଇଛି । ତେଣୁ ନିଜର ପରିଧାନ ବଦଳାଇ ନେଇ ଅରିନ୍ଦମ ହୋଟେଲ ‘ହେଭେନ୍‍’ ଉଦ୍ଦେଶ୍ୟରେ ଯାତ୍ରା କଲେ ।

 

ଏସ.ପି. ଘୋଷାଲ ଭୀଷଣ ବିବ୍ରତ ଅବସ୍ଥାରେ ତାଙ୍କୁ ଅପେକ୍ଷା କରୁଥିଲେ । ଅରିନ୍ଦମଙ୍କୁ ଦେଖି ଦେଇ କିଛିଟା ଆଶ୍ୱସ୍ତ ହେଲେ ।

 

ହୋଟେଲ ମ୍ୟାନେଜରଙ୍କ କକ୍ଷର ଟେବୁଲର ଉଭୟ ପାର୍ଶ୍ଵରେ ସେମାନେ ସାମ୍‍ନା ସାମନି ବସିଲେ ।

 

ଉକ୍ତ କକ୍ଷ ମଧ୍ୟରେ ସେମାନଙ୍କ ବ୍ୟତୀତ ଅନ୍ୟକେହି ଆଉ ଉପସ୍ଥିତ ନ ଥିଲେ ।

 

ସେମାନଙ୍କର ଅଲୋଚନା ଓ ପରାମର୍ଶ ଥିଲା ଏକାନ୍ତ ଗୋପନୀୟ ।

 

ମି. ଘୋଷାଲ ଏକନିଶ୍ୱାସରେ ହତ୍ୟାର ସମସ୍ତ ବିବରଣୀ ବିଶଦଭାବେ ବ୍ୟକ୍ତ କଲା ପରେ ମୁହୂର୍ତ୍ତେ ମାତ୍ର ନୀରବ ରହି ପୁନର୍ବାର କହିଲେ, ‘‘ଇନ୍ଦ୍ରଜାଲ ପ୍ରଦର୍ଶନର ପ୍ରହସନ ସୃଷ୍ଟି କରି ଯାଦୁକରର ଛଦ୍ମବେଶରେ ଏକ ଶିଶୁକୁ ନିର୍ମମଭାବେ ହତ୍ୟା କରିବାରେ ଯେ ଜଣକର କି ସ୍ୱାର୍ଥ ଜଡ଼ିତ ଥାଇପାରେ ମୁଁ ଠିକ୍ ବୁଝିପାରୁନାହିଁ ଓ ସେ ହତ୍ୟାକାରିଣୀ ଜଣକ ଯେ କିଏ ତା’ ମଧ୍ୟ ମୋର ଆଉ ଜାଣିବାକୁ ବାକି ନାହିଁ । ପୋଲିସ୍‍କୁ ଚ୍ୟାଲେଞ୍ଜ ଦେବାଭଳି ନିଜର ପରିଚୟ ସେ ନିଜେ ବ୍ୟକ୍ତ କରିଯାଇଛି । ନିର୍ମମ ହତ୍ୟାକାଣ୍ଡର ସମାପ୍ତି ପରେ ଆତ୍ମଗୋପନ କଲା ପୂର୍ବରୁ ଖଣ୍ଡିଏ କାଗଜରେ ସେ ନିଜର ନାମୋଲ୍ଲେଖ କରିଯାଇଛି ଓ ଉକ୍ତ କାଗଜଟି ସୁରଥର କଟାମୁଣ୍ଡ ରଖାଯାଇଥିବା କାଚପ୍ଲେଟ ନିକଟରେ ହିଁ ସଯତ୍ନେ ରଖା ହୋଇଥିଲା ।’’

 

‘‘ଦେଖି କାଗଜ ଖଣ୍ଡି ଦିଅନ୍ତୁ ତ’’ ବସ୍ମୟରେ ସ୍ତମ୍ଭୀଭୂତ ଅରିନ୍ଦମ ଦ୍ରୁତ ନିଜର ଡାହାଣ ହାତ ପ୍ରସାରିତ କରିଦେଲେ ।

 

‘‘କାଗଜଖଣ୍ଡି ଆପଣଙ୍କୁ ଦେଖାଇବା ଉଦ୍ଦେଶ୍ୟରେ ହିଁ ମୁଁ ଆପଣଙ୍କୁ ଏଠାକୁ ଡାକି ଆଣିଛି ଯେହେତୁ ହତ୍ୟାକାରିଣୀ ସହ ଆପଣଙ୍କର ପରିଚୟ ଅତି ନିବିଡ଼ ଓ ଘନିଷ୍ଠ । ଆପଣଙ୍କର ପ୍ରତିଦ୍ୱନ୍ଦିନୀ ସେ । କାଗଜରେ ସେ ନିଜର ନାମୋଲ୍ଲେଖ କରି ଯେପରି ସଦମ୍ଭେ ଘୋଷଣା କରୁଛି, ସୁବର୍ଣ୍ଣଗଡ଼ର ରାଜକୁମାରୀର ପୁନର୍ବାର ହିଂସ୍ର ଆବିର୍ଭାବ ଘଟିଛି, ପୋଲିସ୍‍ ଏବେ ତା’ର ମୁକାବିଲା କରୁ ।’’ ମି. ଘୋଷାଲଙ୍କ ଓଠରେ ଚାପା ହସ ।

 

‘‘ସୁବର୍ଣ୍ଣଗଡ଼ର ରାଜକୁମାରୀ ଅର୍ଥାତ୍ ବରୁଣା କଥା ଆପଣ କହୁଛନ୍ତି ?’’ ଅରିନ୍ଦମ ଭୀଷଣ ଉତ୍ତେଜନାରେ ଦୀପ୍ତ ହୋଇ ଉଠିଛନ୍ତି । ତାଙ୍କର ଲାଲ ମୁଖମଣ୍ଡଳ ଓ ବିସ୍ମୟବିସ୍ଫାରିତ ନୟନଯୁଗଳରେ ବିବ୍ରତ ଓ ବାତ୍ୟାଆନ୍ଦୋଳିତ ମନର ଛାପ ସୁସ୍ପଷ୍ଟ ।

 

ମି. ଘୋଷାଲ ହାତରେ ଧରିଥିବା ନୀଳ କାଗଜଖଣ୍ଡି ଅରିନ୍ଦମଙ୍କ ହାତକୁ ବଢ଼ାଇ ଦେଉ ଦେଉ କହିଲେ, ‘‘ହଁ ବରୁଣା ସମ୍ବନ୍ଧରେ ମୁଁ କହୁଛି । ସୁବର୍ଣ୍ଣଗଡ଼ରୁ ଆପଣମାନଙ୍କ ଆଖିରେ ଧୂଳି ଦେଇ ଅନ୍ତର୍ଦ୍ଧାନ ହୋଇଯିବାର ଛ’ମାସ ପରେ ପୁନର୍ବାର ତା’ର ଆବିର୍ଭାବ ଘଟିଛି । ଆବିର୍ଭାବ ଘଟିଛି ଏହି କଲିକତା ନଗରୀର ବୁକୁ ଉପରେ । ଅଥଚ ଆଜିଯାଏ ତାକୁ ଖୋଜି ବାହାର କରିବାର ସକଳ ପ୍ରଚେଷ୍ଟା ବିଫଳତାରେ ପର୍ଯ୍ୟବସିତ ହୋଇଛି । କାଗଜରେ ସେ ବେଶୀ କିଛି ଲେଖି ନାହିଁ । ନିଜର ପରିଚୟ ଦେବାକୁ ଯାଇ କେବଳ ଲେଖିଛି, ‘‘ମୁଁ ବରୁଣା ।’’ ଅର୍ଥାତ୍‍ ପୋଲିସ୍‍ ସନ୍ତ୍ରାସକାରିଣୀ ବରୁଣା ମୁଁ ପୁନର୍ବାର ଆସିଗଲି, ମୋର ମୁକାବିଲା ଲାଗି ପୋଲିସ୍‍ ବାହିନୀ ଏବେ ପ୍ରସ୍ତୁତ ହୁଅ ।’’

 

ଅରିନ୍ଦମ କାଗଜଖଣ୍ଡି ଉପରେ ଦ୍ରୁତ ଦୃଷ୍ଟି ବୁଲାଇ ନେଲେ । ‘ମୁଁ ବରୁଣା’ ଏତିକି ବ୍ୟତୀତ ଅଧିକ କିଛି ଉଲ୍ଲେଖ ନାହିଁ ।

 

ମି. ଘୋଷାଲ କହିଲେ, ‘‘ବିଚିତ୍ର ହତ୍ୟାକାଣ୍ଡର ସମ୍ବାଦ ପାଇ ମୁଁ ନଜେ ହୋଟେଲ ହେଭେନ୍‍କୁ ଛୁଟି ଆସିଲି । ମହାରଜା ରୁଦ୍ରନାରାୟଣ ଓ ମହାରଣୀ ଚନ୍ଦ୍ରାବତୀ ପୁତ୍ର ଶୋକରେ ଯେ କିପରି ବିହ୍ୱଳ ହୋଇପଡ଼ିଛନ୍ତି ସେମାନଙ୍କୁ ଥରେ ନ ଦେଖିଲେ ସେମାନଙ୍କର ଉତ୍କଟ ମର୍ମାନ୍ତିକ ଯନ୍ତ୍ରଣାର ଗଭୀରତା ଆଦୌ ଉପଲବ୍ଧି କରିହେବ ନାହିଁ । ରାଜା ବିକଳ ହୋଇ କ୍ରନ୍ଦନ କରୁଥାନ୍ତି, ମହାରାଣୀ ଇତିମଧ୍ୟରେ ଦୁଇଥର ମୂର୍ଚ୍ଛା ଯାଇସାରିଲେଣି । ରାଜା ଓ ରାଣୀ ଉଭୟେ ବିକଳ ହୋଇ କେବଳ କହୁଛନ୍ତି ମୃତ ପୁତ୍ରକୁ ଥରେ ଆମ୍ଭମାନଙ୍କୁ ଦେଖିବାକୁ ଦିଅ । ମାତ୍ର ମୃତ ପୁତ୍ରକୁ କ’ଣ ସେମାନେ ଦେଖିବେ । ଶରୀର ଓ ମସ୍ତକ ପରସ୍ପରଠାରୁ ସେ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇରହିଛନ୍ତି । ଆପଣ ଆସନ୍ତୁ ମୋ ସହିତ, ହୋଟେଲର ଯେଉଁ ହଲରେ ଏ ଶୋଚନୀୟ ନାଟକ ଅଭିନୀତ ହୋଇଥିଲା, ବର୍ତ୍ତମାନ ବାହାରୁ ସେ ହଲ ଦରଜା ବନ୍ଦ କରି ଦିଆହୋଇଛି । ବାହାରର କୌଣସି ବ୍ୟକ୍ତିକୁ ସେଠାରେ ଆଉ ପ୍ରବେଶର ଅନୁମତି ଦିଆଯାଉନାହିଁ । ମୁଁ କେବଳ ସେ ଘର ଭିତରକୁ ଯାଇଥିଲି । ଓଃ କି କରୁଣ ସେ ଦୃଶ୍ୟ ! ବିଚାରା ଅବୋଧ ଶିଶୁ, ସେ ତ କେବେ କିଛି ଅନ୍ୟାୟ କରିନାହିଁ । ତା’ ଭାଗ୍ୟରେ ପୁଣି ଏ ଅନ୍ଧକାର ଲେଖାଥିଲା ।

 

ମି. ଘୋଷାଲଙ୍କ ନିର୍ଦ୍ଦେଶ ଅନୁଯାୟୀ ଦ୍ୱାର ତାଲାମୁକ୍ତ ହେବା ପରେ ଡିଟେକ୍ଟିଭ୍‍ ଅରିନ୍ଦମଙ୍କୁ ନେଇ ସେ ହଲ ମଧ୍ୟରେ ପ୍ରବେଶ କଲେ ଓ କ୍ରମେ ପେଣ୍ଡାଲ ନିକଟକୁ ଅଗ୍ରସର ହେଲେ । ପେଣ୍ଡାଲ ଯେତେ ନିକଟବର୍ତ୍ତୀ ହେଉଛି ସୁରଥର ମର୍ମାନ୍ତିକ ଦୃଶ୍ୟ ଆଖି ସାମ୍ନାରେ କ୍ରମେ ସେତିକି ସ୍ପଷ୍ଟ ହୋଇଉଠୁଛି । ଅରିନ୍ଦମଙ୍କର ଦୃଷ୍ଟି ସମ୍ପୂର୍ଣ୍ଣ ନିଷ୍ପଲକ ଯନ୍ତ୍ରଚାଳିତବତ୍ ସେ ଯେପରି କେବଳ ଅଗ୍ରସର ହେଉଛନ୍ତି ।

 

ମି. ଘୋଷାଲଙ୍କୁ ଅନୁସରଣ କରି ପେଣ୍ଡାଲ ଉପରକୁ ଉଠିବାକୁ ଉଦ୍ୟତ ହୋଇ ଅରିନ୍ଦମ ଅସ୍ପଷ୍ଟ ଚିତ୍କାର କରି ଉଠିଲେ ଓ ସଙ୍ଗେ ସଙ୍ଗେ ଦୁଇ କରତଳରେ ନିଜ ମୁଖ ଆବୃତ କରି ସ୍ତବ୍ଧ ହୋଇ ଠିଆ ହୋଇଗଲେ ।

 

ଦୃଶ୍ୟର ବିଭତ୍ସତାରେ ସେ ସ୍ଥାଣୁ ପାଲଟି ଯାଇଛନ୍ତି । ଏତେ କରୁଣ ଓ ଏତେ ହୃଦୟବିଦୀର୍ଣ୍ଣକାରୀ ଦୃଶ୍ୟ ଦେଖିବାର ସେ କଳ୍ପନା ପର୍ଯ୍ୟନ୍ତ କରିନଥିଲେ ।

 

ମଣିଷ ପୁଣି ଏତେଦୂର ନିଷ୍ଠୁର ହୋଇପାରେ !

 

ପେଣ୍ଡାଲ ଉପରକୁ ଉଠି ସୁରଥର ବିଚ୍ଛିନ୍ନ ଦେହ ଓ ଶରୀର ନିକଟରେ ପହଞ୍ଚିଲାବେଳକୁ ଅରିନ୍ଦମ ଏକ ପ୍ରକାର ନିଜତ୍ୱ ହରାଇ ପକାଇଥିଲେ ଓ ତାଙ୍କର ଦୁଇ ଚକ୍ଷୁ ଅଶ୍ରୁରେ ବାଷ୍ପାଚ୍ଛନ୍ନ ହୋଇଉଠିଥିଲା ।

 

ମି. ଘୋଷାଲ ଅରନ୍ଦମଙ୍କୁ ଚାହିଁ କହିଲେ, ଆମ୍ଭେମାନେ ପୋଲିସ୍‍ ବିଭାଗରେ କାମ କଲେ ବି ଆମେ ମଣିଷ । ହୃଦୟକୁ ତ ଆଉ ଜଳାଞ୍ଜଳି ଦେଇନୁ । ପ୍ରଥମେ ଯେତେବେଳେ ଏ କରୁଣ ଦୃଶ୍ୟ ଦେଖିଲି ଆତଙ୍କରେ ମୁଁ ଠିକ୍ ଆପଣଙ୍କ ଭଳି ଶିହରି ଉଠିଥିଲି ଓ ଅଧୈର୍ଯ୍ୟ ହୋଇ କୌଣସି ପ୍ରକାରେ ଅଶ୍ରୁ ସମ୍ବରଣ କରିପାରିନଥିଲି । ଆହା, ହତଭାଗ୍ୟ ସୁରଥ ବିଚାରା...

 

ସୁରଥର ଶୋଚନୀୟ ମୃତଦେହ ଅଧିକ କ୍ଷଣ ଦେଖିପାରିବା ଭଳି ଧୈର୍ଯ୍ୟ ଅରିନ୍ଦମଙ୍କର ଆଉ ନ ଥିଲା, ସେ ଦୃଷ୍ଟି ଫେରାଇ ନେଇ ମି. ଘୋଷାଲଙ୍କୁ ଚାହିଁ ବାଷ୍ପାଚ୍ଛନ୍ନ କଣ୍ଠରେ ପ୍ରଶ୍ନ କଲେ, ‘‘ଆଶାକରେ ପ୍ରାଥମିକ ଅନୁସନ୍ଧାନ ଓ ଲାସ୍ ପରୀକ୍ଷା କାର୍ଯ୍ୟ ସମ୍ଭବତଃ ଆପଣ ଶେଷ କରିନେଇଥିବେ ।’’

 

ମି. ଘୋଷାଲ ମୁଣ୍ଡ ହଲାଇ କହିଲେ, ‘‘ଶେଷ କରିନେଇଛି । ମାତ୍ର ମୁଁ ଲାସ୍‍ ଅନାବୃତ ରଖି ଆପଣଙ୍କ ଉପସ୍ଥିତ ଅପେକ୍ଷା କରୁଥିଲି । ମୁଁ ଅନୁସନ୍ଧାନ ଓ ପରୀକ୍ଷା କରି ହତ୍ୟାକାରିଣୀ ସମ୍ବନ୍ଧରେ ଅଧିକ କୌଣସି ତଥ୍ୟ କିନ୍ତୁ ସଂଗ୍ରହ କରିପାରିନାହିଁ, ଆପଣ ପରୀକ୍ଷା କରି ଦେଖିପାରନ୍ତି-।’’

 

ଡିଟେକ୍ଟିଭ୍‍ ଅରିନ୍ଦମ ଅନିସନ୍ଧିତ୍ସୁ ମନ ନେଇ ନିଜର ପରୀକ୍ଷା କାର୍ଯ୍ୟ ଆରମ୍ଭ କରିଦେଲେ । ଲାସ୍ ବ୍ୟତୀତ ପେଣ୍ଡାଲ ଉପରେ ମ୍ୟାଜିକ୍ ପ୍ରଦର୍ଶନ କରିବା ନିମିତ୍ତ ଛୋଟ ବଡ଼ ପଦାର୍ଥ ଯାହା ଥିଲା ସବୁ ସେ ଗୋଟି ଗୋଟି କରି ପରୀକ୍ଷା କରି ଦେଖିବାକୁ ଲାଗିଲେ । ମାତ୍ର ଅନୁସନ୍ଧାନ ଓ ପରୀକ୍ଷାରେ ବିଫଳ ହୋଇ ପରିଶେଷରେ ସେ କହିଲେ, ‘‘ବରୁଣାର ଅସଲ ଉଦ୍ଦେଶ୍ୟ ଥିଲା ସୁରଥକୁ ହତ୍ୟା କରିବା । ମ୍ୟାଜିକ୍ ପ୍ରଦର୍ଶନ ନାମରେ ପେଣ୍ଡାଲ ଉପରେ ଆଉ ଯେତେ ପଦାର୍ଥ ସଯତ୍ନେ ରଖାଯାଇଛି ସେ ସବୁ ମୂଲ୍ୟହୀନ । କେବଳ ଦର୍ଶକମାନଙ୍କୁ ‘ସୋ’ ଦେବାକୁ ଏପରି ବ୍ୟବସ୍ଥା ମାତ୍ର କରାଯାଇଥିଲା । ଆଚ୍ଛା ବରୁଣା କ’ଣ ଏହି ହୋଟେଲରେ ଅବସ୍ଥାନ କରୁଥିଲା ?’’

‘‘ନା’’, ମି. ଘୋଷାଲ ହତାଶ୍‍ କଣ୍ଠରେ କହିଲେ, ‘‘ମୁଁ ଏଠାକୁ ଆସିବା ସଙ୍ଗେ ସଙ୍ଗେ ସେ ସମ୍ବନ୍ଧରେ ଅନୁସନ୍ଧାନ କରିଛି । ପ୍ରିନ୍ସ ରୁଦ୍ରନାରାୟଣ ହୋଟେଲର ତ୍ରିତଳରେ ଚାରୋଟି ରୁମ୍ ନେଇ ପ୍ରାୟ ମାସାଧିକ ହେଲା ଅବସ୍ଥାନ କରୁଛନ୍ତି । ପ୍ରାୟ ପନ୍ଦରଦିନ ହେବ ମିସ୍ ପ୍ରିୟମ୍ବଦା ପ୍ରତ୍ୟହ ଆସି ପ୍ରିନ୍ସଙ୍କ ସଙ୍ଗେ ସାକ୍ଷାତ୍‍ କରୁଥିଲା । ଏପରିକ ତାଙ୍କ ସଙ୍ଗେ କାରରେ ବସି ବୁଲିବାକୁ ଯାଉଥିଲା । ବଡ଼ ଆଶ୍ଚର୍ଯ୍ୟର ବ୍ୟାପାର ସେ ସମୟରେ ମହାରାଣୀ ଚନ୍ଦ୍ରାବତୀ କିନ୍ତୁ ସଙ୍ଗରେ ଯାଉନଥିଲେ । ପ୍ରିନ୍ସ ମିସ୍ ପ୍ରିୟମ୍ବଦାକୁ ଏପରି ସଙ୍ଗରେ ଏକାକୀ ନେଇ ବୁଲିଯିବାରେ ହୋଟେଲ ମଧ୍ୟରେ ବେଶ୍ କୌତୂହଳ ସୃଷ୍ଟି ହୋଇଥିଲା । ଫୁସ୍‌ଫାସ୍ ଟୁପ୍‍ଟାପରେ ନାନାଦି ମନ୍ତବ୍ୟ ମଧ୍ୟ ଶ୍ରୁତିଗୋଚର ହୋଇଥିଲା । ମାତ୍ର ତା’ର ପରିଣତି ଯେ ଏପରି ଶୋଚନୀୟ ହେବ ତା’ କ’ଣ କେହି କେବେ କଳ୍ପନା କରିଥିଲା ।’’

ଅରିନ୍ଦମ ମୁହୂର୍ତ୍ତ କେତେକ ଚିନ୍ତିତ ରହିବାପରେ ମି. ଘୋଷାଲଙ୍କୁ ପଚାରିଲେ, ‘‘ପ୍ରିନ୍ସଙ୍କ ସହ ଆପଣଙ୍କର କ’ଣ ଆଉ କୌଣସି ଆଳାପ ହୋଇନାହିଁ ?’’

‘‘ନା’’, ମି. ଘୋଷାଲ ଏକ ଦୀର୍ଘଶ୍ଵାସ ତ୍ୟାଗକରି କହିଲେ, ‘‘ଆଳାପ କରିବାର ଉଦ୍ଦେଶ୍ୟ ନେଇ ଅବଶ୍ୟ ଯାଇଥିଲି ପ୍ରିନ୍ସଙ୍କ ପାଖକୁ ମାତ୍ର ତାଙ୍କ ମନର ଯେଉଁ ଶୋଚନୀୟ ଅବସ୍ଥା ଲକ୍ଷ୍ୟ କଲି ବାଧ୍ୟ ହୋଇ ଫେରିଆସିଲି; କିନ୍ତୁ ପ୍ରିନ୍ସଙ୍କ ସଙ୍ଗେ ଆଳାପ କରିବା ବର୍ତ୍ତମାନ ଜରୁରୀ ହୋଇପଡ଼ିଛି । କାରଣ ବରୁଣା ସମ୍ବନ୍ଧରେ ଅନେକ ରହସ୍ୟ ତାଙ୍କ ନିକଟରୁ ଜଣାପଡ଼ିବ । ଅବଶ୍ୟ ସେ ଯଦି ଗୋପନ କରିବାକୁ କିଛି ଚେଷ୍ଟା ନ କରନ୍ତି ।’’

ଅରିନ୍ଦମ ମି. ଘୋଷାଲଙ୍କ ବକ୍ତବ୍ୟ ଉପରେ ଏକ ସୁଚିନ୍ତିତ ମନ୍ତବ୍ୟ ଦେଇ କହିଲେ, ‘‘ମୋର କିନ୍ତୁ ମନେହୁଏ ପ୍ରିନ୍ସ କଦାପି କିଛିହେଲେ ଗୋପନ କରିବେ ନାହିଁ । କାରଣ ପୂର୍ବରୁ ମିସ୍ ପ୍ରିୟମ୍ବଦା ସହିତ ତାଙ୍କର ହୁଏତ କୌଣସି ଦୁର୍ବଳ ସମ୍ବନ୍ଧ ସ୍ଥାପିତ ହୋଇପାରିଥାଏ; ମାତ୍ର ପ୍ରିନ୍ସଙ୍କର ସେଇ ଦୌର୍ବଲ୍ୟକୁ ଭିତ୍ତିକରି ମିସ୍ ପ୍ରିୟମ୍ବଦା ଯେତେବେଳେ ତାଙ୍କର ଏତେବଡ଼ ଏକ ସର୍ବନାଶ କରିଦେଇଗଲା, ସେତେବେଳେ ସେ ହତ୍ୟାକାରିଣୀ ସମ୍ବନ୍ଧରେ ଉଦାର ହେବେ ମୁଁ କାହିଁକି ତା’ ବିଶ୍ୱାସ କରିପାରୁନାହିଁ ।’’

ଅରିନ୍ଦମଙ୍କର ବକ୍ତବ୍ୟ ଉପରେ ମି. ଘୋଷାଲ କୌଣସି ମନ୍ତବ୍ୟ ଦେବାକୁ ଉଦ୍ୟତ ହେଉଥିଲେ ଠିକ୍ ଏହି ସମୟରେ ହୋଟେଲର ମ୍ୟାନେଜର ମି.ଯୋଶେଫ ସେମାନଙ୍କର ନିକଟରେ ଆସି ଉପସ୍ଥିତ ହେଲେ । ମି. ଘୋଷାଲଙ୍କର ବିସ୍ମୟଭରା ପ୍ରଶ୍ନବାଚକ ଦୃଷ୍ଟି ଉପରେ ନିଜର ଦୃଷ୍ଟି ଅବିଚଳିତ ରଖି ମି.ଯୋଶେଫ ଶାନ୍ତ କଣ୍ଠରେ କହିଲେ, ‘‘ପ୍ରିନ୍ସ ଆପଣଙ୍କୁ ସ୍ମରଣ କରୁଛନ୍ତି, ଆପଣ ଦୟାକରି ଉପରକୁ ଯା’ନ୍ତୁ, ସେ ଆପଣଙ୍କ ଅପେକ୍ଷାରେ ଅଛନ୍ତି ।’’

ପ୍ରିନ୍ସଙ୍କର ମି. ଘୋଷାଲଙ୍କୁ ଏପରିଭାବେ ହଠାତ୍ ସ୍ମରଣ କରିବା ନିଶ୍ଚିତଭାବେ ଏକ ଶୁଭଲକ୍ଷଣ । ମି. ଘୋଷାଲ ଆଉ କାଳବିଳମ୍ବ ନ କରି ଅରିନ୍ଦମଙ୍କ ସହ ହଲ୍‍ରୁ ଦ୍ରୁତ ନିଷ୍କ୍ରାନ୍ତ ହୋଇଗଲେ ।

ଫ୍ରିନ୍ସ ରୁଦ୍ରନାରାୟଣ ପ୍ରକୃତରେ ଅପେକ୍ଷା କରୁଥିଲେ । ଅରିନ୍ଦମଙ୍କୁ ମି. ଘୋଷାଲଙ୍କ ସହିତ କକ୍ଷ ମଧ୍ୟରେ ପ୍ରବେଶ କରିବାର ଲକ୍ଷ୍ୟକରି ତାଙ୍କର କପାଳ କୁଞ୍ଚିତ ହୋଇଗଲା । ମି. ଘୋଷାଲ ତା’ ଲକ୍ଷ୍ୟକରି ପ୍ରିନ୍ସଙ୍କ ମନଭିତରର ପ୍ରତିକ୍ରିୟା ବୁଝିପାରି କହିଲେ, ‘‘ଡିଟେକ୍ଟିଭ୍ ଅରିନ୍ଦମ ମିତ୍ରଙ୍କ ନାମ ସହିତ ହୁଏତ ଆପଣଙ୍କର ପରିଚୟ ଥିବ । ତାଙ୍କର ସାହାଯ୍ୟ ମୋର ଏକାନ୍ତ ପ୍ରୟୋଜନ ମନେହେବାରୁ ଫୋନରେ ଅନୁରୋଧ ଜଣାଇ ତାଙ୍କୁ ଡାକି ଆଣିଛି ।’’

 

ଅରିନ୍ଦମଙ୍କର ପରିଚୟ ପାଇବାମାତ୍ରେ ପ୍ରିନ୍ସଙ୍କର ସନ୍ଦିଗ୍ଧ ଦୃଷ୍ଟି ପ୍ରସନ୍ନ ହୋଇଗଲା ଓ ସେ ସଙ୍ଗେ ସଙ୍ଗେ ହାତ ତୋଳି ନମସ୍କାର କରନ୍ତେ ଅରିନ୍ଦମ ପ୍ରତିନମସ୍କାର ଜଣାଇ କହିଲେ, ‘‘ଆଜି ଏ ଦୁର୍ଦ୍ଦିନରେ ଭଗବାନ ଆପଣଙ୍କର ସହାୟ ହୁଅନ୍ତୁ । ଆପଣଙ୍କୁ ଯଥେଷ୍ଟ ଧୈର୍ଯ୍ୟ ଦିଅନ୍ତୁ । ଏହାହିଁ ତାଙ୍କ ନିକଟରେ ଆମ୍ଭମାନଙ୍କର ଏକାନ୍ତ ପ୍ରାର୍ଥନା ।’’

 

ଅରିନ୍ଦମଙ୍କର ଏ ସାନ୍ତ୍ୱନାବାଣୀରେ ଫ୍ରିନ୍ସ ରୁଦ୍ରନାରାୟଣଙ୍କର ଆଖି ଛଳ ଛଳ ହୋଇଗଲା । ସେ ବାଷ୍ପାଚ୍ଛନ୍ନ କଣ୍ଠରେ କହିଲେ, ‘‘ଭଗବାନ ମୋ’ପରି ଦୁଶ୍ଚରିତ୍ରକୁ ଧୈର୍ଯ୍ୟ କ’ଣ ଦେବେ, ଚରମ ଶାସ୍ତି ପ୍ରଦାନ କରିଛନ୍ତି । ନିଜର ଅପରାଧ, ଯେଉଁମାନେ ନିଜେ ବୁଝିନପାରନ୍ତି ଭଗବାନ ସେମାନଙ୍କୁ ଚରମ ଆଘାତ ଦେଇ ସେ ଅପରାଧ ବିଶଦଭାବେ ବୁଝାଇ ଦେଇଥା’ନ୍ତି । ସେଇ ଚରମ ଆଘାତ ପାଇ ମୋର ଅନ୍ଧ ଦୃଷ୍ଟି କିଛିଟା ଆଲୋକ ଦେଖିଛି । ସେହି ଆଲୋକରେ ମୁଁ ମୋର ନାରକୀୟ ରୂପଟା ସ୍ପଷ୍ଟ ଲକ୍ଷ୍ୟ କରିପାରିଛି ।’’

 

ପ୍ରିନ୍ସଙ୍କର ଅସଲ ବକ୍ତବ୍ୟର ମୁଖବନ୍ଧରେ ତୀବ୍ର ରହସ୍ୟର ସୂଚନା । ମି. ଘୋଷାଲ ଓ ଡିଟେକ୍ଟିଭ୍ ଅରିନ୍ଦମ ଉତ୍କର୍ଣ୍ଣ ହୋଇ ଉତ୍କଣ୍ଠାର ସହ ଅପେକ୍ଷା କରିବାକୁ ଲାଗିଲେ ଚମକପ୍ରଦ କାହାଣୀ ଶୁଣିବାର ଭୀଷଣ ପ୍ରଲୋଭନରେ ।

 

ପ୍ରିନ୍ସ ନିଜର ଆବେଗକୁ ସଂଯତ କରି ନେଇ ପ୍ରକୃତିସ୍ଥ ହୋଇ କହିଲେ, ‘‘ଘୋଡ଼ାଦୌଡ଼ ମୈଦାନରେ ମୋର ପ୍ରଥମ ପରିଚୟ ମିସ୍ ପ୍ରିୟମ୍ବଦାଙ୍କ ସହିତ । ଦୁଇ ଦୁଇଥର ଦୁଇଟି ଭିନ୍ନ ଭିନ୍ନ ଘୋଡ଼ାରେ ବାଜି ରଖି ପରାଜିତ ହେବା ଫଳରେ ମୁଁ ଭୀଷଣଭାବେ ଭାଙ୍ଗି ପଡ଼ିଥାଏ । ପ୍ରଚୁର ଟଙ୍କା ହରାଇବା ଫଳରେ ସେଦିନର ଶେଷ ଖେଳରେ ନିର୍ଦ୍ଦିଷ୍ଟ, କେଉଁ ଘୋଡ଼ା ଉପରେ ବାଜି ଲଗାଇବି ତା’ ଚିନ୍ତା କରି ସ୍ଥିର କରିନପାରି ଅତ୍ୟନ୍ତ ବିବ୍ରତ ହୋଇପଡ଼ିଥାଏ । ରାଣୀ ଚନ୍ଦ୍ରାବତୀ ମୋର ଏ ନିଶାର କିନ୍ତୁ ଅଦୌ ପକ୍ଷପାତୀ ନ ଥିଲେ । ପୁନର୍ବାର ପରାଜୟ ଆଶଙ୍କାରେ ଶେଷ ଖେଳରେ ବାଜି ଆଉ ନ ଲଗାଇ ସେ ସ୍ଥାନ ଛାଡ଼ି ଚାଲିଯିବା ଲାଗି ମୋତେ ବାରମ୍ବାର ଅନୁରୋଧ କରିବାକୁ ଲାଗିଲେ । ମାତ୍ର ଦୁଇ ଦୁଇଥର ବାଜିରେ ପରାଜିତ ହେବା ଫଳରେ କାପୁରୁଷ ଭଳି ପଳାୟନ କରିବାର ସିଦ୍ଧାନ୍ତ ମୁଁ କୌଣସି ପ୍ରକାରେ ଗ୍ରହଣ କରିପାରିଲିନାହିଁ; ମାତ୍ର କେଉଁ ଘୋଡ଼ା ଉପରେ ନିର୍ଭର କଲେ ମୁଁ ଭାଗ୍ୟଲକ୍ଷ୍ମୀଙ୍କୁ ପୁନର୍ବାର କରଗତ କରିପାରିବି ତାହା ସ୍ଥିର କଲା ଭଳି ମାନସିକ ଦୃଢ଼ତା ମୋର ଆଉ ଏତେଟିକେ ବି ନ ଥିଲା । ପରିଶେଷରେ ଅନ୍ଧାର ଘରକୁ ଟେକା ମାରିଲା ଭଳି ଯେ କୌଣସି ଏକ ଘୋଡ଼ା ଉପରେ ବାଜି ଲଗାଇବାକୁ ଯେତେବେଳେ ଉଦ୍ୟତ ହେଉଛି ଠିକ୍ ସେଇ ସମୟରେ ମୋ ପାର୍ଶ୍ଵରେ ଏକ ଅନିନ୍ଦ୍ୟସୁନ୍ଦରୀ ରମଣୀର ଆକସ୍ମିକ ଆବିର୍ଭାବ ମୋତେ ଚମକିତ କରିଦେଲା ।

 

‘‘ଆପଣ ଖୁବ୍ ବିବ୍ରତ ହୋଇପଡ଼ିଛନ୍ତି, ନୁହେଁ ?’’ କଣ୍ଠରେ ତା’ର ସହାନୁଭୂତିର ସ୍ନିଗ୍‌ଧ ପ୍ରଶ୍ନ । ମୁଁ ଚମକିପଡ଼ି ଅନାଇ ଦେଇ ଗଭୀରଭାବେ ନିରୀକ୍ଷଣ କରି ତାକୁ ଚିହ୍ନିବାକୁ ଚେଷ୍ଟାକଲି । ଆଖି ଦୁଇଟିରେ ତା’ର କଳାରଙ୍ଗର ଗଗଲସର ଆବରଣ । ନା, ପରିଚୟର ପରିସର ମଧ୍ୟରେ କେହି ନୁହେଁ ସେ । ସେ ସମ୍ପୂର୍ଣ୍ଣ ଅପରିଚିତା ଜଣେ ।

 

ମାତ୍ର ମୋ ମନ ଝଡ଼ର ସୂଚନା ସେ କପରି ପାଇଲା ?

 

ସେ ଯେପରି ମୋ ମନର ପ୍ରତିକ୍ରିୟା ସବୁ ପଢ଼ିପାରୁଛି, ହସି ଦେଇ ପୁନଶ୍ଚ କହିଲା, ଆପଣଙ୍କ ନିକଟରୁ ଖୁବ୍ ଦୂରରେ ମୁଁ ବସି ନ ଥିଲି । ଦୁଇ ଦୁଇଥର ପରାଜୟର ଗ୍ଳାନି ଆପଣଙ୍କୁ କିପର ବିଷଣ୍ଣ ଓ ହତବାକ୍ କରି ଦେଇଛି ମୁଁ ତା’ ଲକ୍ଷ୍ୟ କରିଛି । ମାତ୍ର ଏଥରର ବାଜି ନେଇ ଆପଣ ଭୀଷଣ ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି ନୁହେଁ । ବ୍ୟସ୍ତ ହେବେ ନାହିଁ । ମୁଁ କହି ଦେଉଛି ନିର୍ଦ୍ଦିଷ୍ଟ ଘୋଡ଼ା ଉପରେ ବାଜି ଲଗାନ୍ତୁ ଜିତିବେ ନିଶ୍ଚୟ ।’’

 

କେଜାଣି କାହିଁକି ତା’ର କଥାର ଇନ୍ଦ୍ରଜାଲରେ ମୁଁ ସମ୍ପୂର୍ଣ୍ଣ ସମ୍ମୋହିତ ହୋଇପଡ଼ିଥିଲି । ବିନା ଦ୍ଵିଧାରେ ବାଜି ଲଗାଇ ଦେଲି ଚାରିନମ୍ବର ଘୋଡ଼ା ଉପରେ ତା’ର ପରାମର୍ଶ ଅନୁଯାୟୀ ସେ ମୋର ପାର୍ଶ୍ଵରେ ବସି ରହିଲା ଠିକ୍ ଭାଗ୍ୟଲକ୍ଷ୍ମୀ ଭଳି । ଘୋଡ଼ାଦୌଡ଼ ହେଲା । ଉତ୍ତେଜନାରେ ଦର୍ଶକମାନଙ୍କର ପ୍ରଚଣ୍ଡ ଚିତ୍କାରରେ ସମସ୍ତ ପ୍ରାନ୍ତର ପ୍ରକମ୍ପିତ ହୋଇଉଠୁଛି । ସେତେବେଳକୁ ଭୀଷଣ ଉତ୍ତେଜନା ଓ ଉଦବେଗରେ ଏକପ୍ରକାର ବାହ୍ୟଜ୍ଞାନଶୂନ୍ୟ ହୋଇପଡ଼ିଛି ମୁଁ । ମାତ୍ର ଆଶ୍ଚର୍ଯ୍ୟ ସେ ସୁନ୍ଦରୀ ରମଣୀ ନିର୍ବିକାର ଚିତ୍ତରେ ଘୋଡ଼ାଦୌଡ଼ ପ୍ରତିଯୋଗିତା ଲକ୍ଷ୍ୟ କରୁଛି । ମୁହଁ ଉପରେ ତା’ର ଉତ୍ତେଜନାର ଏତେଟିକେ ବି ଲକ୍ଷଣ ନାହିଁ ।

 

ଘୋଡ଼ାଦୌଡ଼ ପ୍ରତିଯୋଗିତା ଶେଷ ହେବା ସଙ୍ଗେ ସଙ୍ଗେ ମୁଁ ଆନନ୍ଦରେ ଚିତ୍କାର କରି ଉଠି ରମଣୀର ଦୁଇହାତ ଭୀଷଣ ଆବେଗରେ ଚାପି ଧରିଥିଲି ।

 

ମୋର ଯେ ବିଜୟ ହୋଇଛି ।

 

ତରୁଣୀ ସହ ସେଇ ଘୋଡ଼ାଦୌଡ଼ ମୈଦାନରୁ ମୋର ପ୍ରଥମ ପରିଚୟର ସୂତ୍ରପାତ ।

 

ମିସ୍ ପ୍ରିୟମ୍ବଦା ସେ । ଜଣେ ନାରୀ ଯାଦୁକର । ବ୍ୟବସାୟ କ୍ଷେତ୍ରରେ ପ୍ରଥମ ହୋଇ ପ୍ରବେଶ କରିବାକୁ ମନସ୍ଥ କରିଛନ୍ତି ସେ । ଏପର୍ଯ୍ୟନ୍ତ ସର୍ବସାଧାରଣରେ ନିଜର ଯାଦୁବିଦ୍ୟା ସେ ପ୍ରଦର୍ଶନ କରିନାହାନ୍ତି । ଶୁଭଦିନ ଦେଖି ବ୍ୟବସାୟରେ ଶୁଭଦେବାକୁ ସେ ମନସ୍ଥ କରିଛନ୍ତି ।

 

ମିସ୍ ପ୍ରିୟମ୍ବଦା ମୋ ନିକଟରେ ଆଉ ସାମାନ୍ୟ ନାରୀ ଯାଦୁକର ମନେହେଲେ ନାହିଁ । ସତ କହିବାକୁ ଗଲେ ମୁଁ ତାଙ୍କ ଦ୍ୱାରା ଭୀଷଣଭାବେ ମୋହଗ୍ରସ୍ତ ହୋଇପଡ଼ିଥିଲି । କ୍ରମେ ତାଙ୍କ ପାଇଁ ମୁଁ ଏକପ୍ରକାର ପାଗଳ ହୋଇ ଉଠିଲି । ତେଣୁ ତାଙ୍କ ସହିତ ଏକତ୍ର ବୁଲିଯିବା, ହୋଟେଲରେ ଏକ ଆହାର କରିବା, ଘଣ୍ଟା ଘଣ୍ଟା ଧରି ଯେ କୌଣସି ପାର୍କରେ ତାଙ୍କ ସହିତ ବାକ୍ୟାଳାପରେ ନିମଗ୍ନ ରହିବାର ମୁଁ ପ୍ରଚୁର ଆନନ୍ଦ ଲାଭ କରୁଥିଲି ।

 

ଯେଉଁ ମିସ୍‌ ପ୍ରିୟମ୍ବଦାଙ୍କର ସାମୟିକ ସାନ୍ନିଧ୍ୟ ଏତେ ଆନନ୍ଦପ୍ରଦ ତାଙ୍କ ସହିତ ଚିରସ୍ଥାୟୀ ସମ୍ପର୍କ ସ୍ଥାପନର ଯଦି ପ୍ରୟାସ କରାଯାଏ ତେବେ ତାହା ଏକ ସ୍ୱାଗତଯୋଗ୍ୟ ପ୍ରସ୍ତାବ ହେବ ନାହିଁ କାହିଁକି ?

 

ରାଣୀ ଚନ୍ଦ୍ରାବତୀ ମିସ୍ ପ୍ରିୟମ୍ବଦାଙ୍କ ସହ ମୋର ଏ ଘନିଷ୍ଠତାକୁ କ୍ରମେ ସନ୍ଦେହ ଚକ୍ଷୁରେ ଦେଖିବାକୁ ଆରମ୍ଭ କଲେ । ମଝିରେ ମଝିରେ ମୋତେ ସତର୍କ କରିଦେବାକୁ ଲାଗିଲେ; ମାତ୍ର ତାଙ୍କର ସତର୍କବାଣୀ ଶୁଣିବା ଭଳି ମୋର ମାନସିକ ଅବସ୍ଥା ଆଉ ନ ଥିଲା । ଅଥଚ ମିସ୍ ପ୍ରିୟମ୍ବଦାଙ୍କ ନିକଟରେ ତାଙ୍କୁ ଚିରଦିନ ଲାଗି ଆପଣାର କରି ପାଇବାର ପ୍ରସ୍ତାବ ମଧ୍ୟ ଉପସ୍ଥାପନ କରିବାର ସାହସ ମୋର ହେଉନାହିଁ । କାରଣ ଏତେ ହସ ଖୁସି ଭିତରେ ମୋର ମନେହେଲା ସେ କିପର ଭୀଷଣ ଚାପା ଓ ସହଜଲଭ୍ୟା ନୁହନ୍ତି ।

 

ସୁରଥକୁ ଭୀଷଣ ଭଲ ପାଉଥିଲେ ମିସ୍ ପ୍ରିୟମ୍ବଦା । ଯେତେବେଳେ ସେ ହୋଟେଲରେ ମୋ ପାଖରେ ରହୁଥିଲେ ସୁରଥକୁ ସେ ଅତ୍ୟନ୍ତ ଆଦର ଯତ୍ନ କରୁଥିଲେ ।

 

ସୁରଥର ଜନ୍ମ ଦିବସରେ ନିଜର ଯାଦୁବିଦ୍ୟା ପ୍ରଦର୍ଶନ କରିବାର ପ୍ରସ୍ତାବ ମିସ୍ ପ୍ରିୟମ୍ବଦା ଯେତେବେଳେ ମୋ ନିକଟରେ ଉତ୍‍ଥାପନ କଲେ, ମୁଁ ପରମ ଆନନ୍ଦରେ ଅତ୍ୟନ୍ତ ଆଗ୍ରହ ସହ ସେଥିରେ ରାଜି ହୋଇଗଲି । ତାଙ୍କ ପ୍ରତି ମୁଁ ମନେ ମନେ ଏପରି ଅନୁରକ୍ତ ହୋଇଥିଲି ଯେ ସେ ରାଜ୍ୟ ମାଗିଥିଲେ ବି ମୁଁ ଅକାତରରେ ତାହା ତାଙ୍କୁ ଦାନ କରିଦେଇ ପାରିଥା’ନ୍ତି । ମାତ୍ର ଅନ୍ଧ ମୁଁ, ସେତେବେଳେ କ’ଣ ସ୍ଵପ୍ନରେ ସୁଦ୍ଧା ବିଶ୍ଵାସ କରିପାରିଥିଲି ଯେ ମୋର ସକଳ ପ୍ରତ୍ୟୟ ଭୀଷଣଭାବେ ପ୍ରତାରିତ ହେବାକୁ ଯାଉଛି ।’’ ପ୍ରିନ୍ସ ରୁମାଲରେ ଆଖି ପୋଛିଲେ ।

 

ଅରିନ୍ଦମ ପ୍ରିନ୍ସ ରୁଦ୍ରନାରାୟଣଙ୍କର ବ୍ୟଥା ଉପଲବ୍ଧି କରି କହିଲେ, ‘‘ଆପଣଙ୍କ ବ୍ୟଥାରେ ଆମ୍ଭେମାନେ ପ୍ରକୃତରେ ସମଦୁଃଖୀ । ମହାରଣୀଙ୍କୁ ମଧ୍ୟ ଦୟାକରି ଆମ୍ଭମାନଙ୍କର ସମବେଦନା ଜଣାଇ ଦେବେ । ମାତ୍ର ବର୍ତ୍ତମାନ ପରିସ୍ଥିତ ଯାହା ଯେ କୌଣସି ବିବେକୀ ଲୋକ, ଆପଣମାନଙ୍କର ଶୋକରେ କେବଳ ସମବେଦନା ଜ୍ଞାପନ କରି ଚୁପ୍ ହୋଇ ରହିନପାରେ । ଆତତାୟିନୀକୁ ଗ୍ରେପ୍ତାର କରିବା ନିମିତ୍ତ ସମସ୍ତ ପ୍ରକାର କୌଶଳ ଅବଲମ୍ବନ କରିବା ଏକାନ୍ତ ପ୍ରୟୋଜନ । ଆଚ୍ଛା, ମିସ୍ ପ୍ରିୟମ୍ବଦା ଆପଣଙ୍କ ସଙ୍ଗେ ଏତେ ଘନିଷ୍ଠ ହୋଇ ମିଶିବା ପରେ ଓ ଆପଣ ତାକୁ ମନେ ମନେ ଆପଣାର କରିନେବାର ଦୃଢ଼ଇଚ୍ଛା ପୋଷଣ କରିବା ଉତ୍ତାରେ କେବେ ଦିନେ ତା’ର ପରିଚୟ ପାଇବାକୁ ଚେଷ୍ଟା କରିଛନ୍ତି ? ତା’ର ଘର କେଉଁଠାରେ ସେ ସମ୍ବନ୍ଧରେ କେବେ ତାଙ୍କୁ ପଚାରି ବୁଝିଛନ୍ତି ?’’

 

‘‘ମୁଁ ମିସ୍ ପ୍ରିୟମ୍ବଦାଙ୍କୁ ବହୁବାର ପ୍ରଶ୍ନ କରି ତାଙ୍କ ପରିଚୟ ପାଇବାକୁ ଚେଷ୍ଟାକରିଛି । ମାତ୍ର କେଜାଣି କାହିଁକି ପ୍ରତିଥର ସେ ମୋର ପ୍ରଶ୍ନକୁ ଏଡ଼ାଇ ଯାଇଛନ୍ତି । କେତେଥର ତାଙ୍କୁ କହିଛି ଚାଲ ତୁମ ଘରଆଡ଼େ ଟିକେ ବୁଲି ଆସିବା; ମାତ୍ର ସେ ସମ୍ବନ୍ଧରେ କେବେ କୌଣସିଦିନ ଉତ୍ସାହ ପ୍ରଦର୍ଶନ କରିନାହାନ୍ତି ।’’ ଫ୍ରିନ୍ସ ମୁହୂର୍ତ୍ତେ ନୀରବ ରହି ପୁନଶ୍ଚ କହିଲେ, ‘‘ମୋର ଅନୁରୋଧ ପ୍ରତି କୌଣସି ସମ୍ମାନ ସେ ପ୍ରଦର୍ଶନ ନ କରିବାରୁ ମୋ ମନରେ ମଧ୍ୟ ସନ୍ଦେହ ଉଦ୍ରେକ ହୋଇଥିଲା; ମାତ୍ର ଆସକ୍ତ ପ୍ରାଣୀ ବିପଦର ସମ୍ଭାବନା ଜାଣି ମଧ୍ୟ ବିପଦର ଅନ୍ଧକାର ଗର୍ଭରେ ଅଳସ ପ୍ରାୟ ବସି ରହିଥାଏ । ଅଜି ମୋର ଠିକ୍ ସେଇ ଦଶାହିଁ ଉପସ୍ଥିତ ହୋଇଛି ।’’

 

‘‘ସୁବର୍ଣ୍ଣଗଡ଼ ଷ୍ଟେଟର ରାଜକୁମାରୀ ବରୁଣା ମିସ୍ ପ୍ରିୟମ୍ବଦାର ଆବରଣ ତଳେ ଯେତେବେଳେ ଆତ୍ମଗୋପନ କରିଛି ସେତେବେଳେ ଆପଣଙ୍କ ଅନୁରୋଧ ରକ୍ଷାକରି କଲିକତାସ୍ଥ ନିଜର କେଉଁ ବାସଭବନକୁ ସେ ଆଉ ଆପଣଙ୍କୁ ନେଇଯାଇଥା’ନ୍ତା’’ ମି. ଘୋଷାଲଙ୍କ ଭାଷାରେ ଶ୍ଳେଷର ପ୍ରଚ୍ଛନ୍ନ ସ୍ପର୍ଶ ।

 

‘‘ମାନେ ?’’ ଫ୍ରିନ୍ସ ରୁଦ୍ରନାରାୟଣ ଯେପରି ଆକାଶରୁ ଖସି ପଡ଼ିଲେ ।

 

ମି. ଘୋଷାଲ ପ୍ରିନ୍ସଙ୍କର ବିସ୍ମୟକୁ ଦ୍ୱିଗୁଣିତ କରିଦେଇ କହିଲେ, ‘‘ସୁରଥର କଟାମୁଣ୍ଡ ଯେଉଁ ପ୍ଲେଟରେ ରଖାଯାଇଥିଲା, ସେଇ ପ୍ଲେଟତଳେ ଆତତାୟିନୀ ନିଜେ ନାମୋଲ୍ଲେଖ କରି ଖଣ୍ଡିଏ କାଗଜ ରଖି ଯାଇଥିଲା । ସେଥିରେ ଲେଖାଥିଲା ‘ମୁଁ ବରୁଣା’-। ସେ କାଗଜରେ କିନ୍ତୁ ମିସ୍ ପ୍ରିୟମ୍ବଦାଙ୍କର ନାମର ଉଲ୍ଲେଖ ନ ଥିଲା ।

 

‘‘ମୁଁ ସେ କାଗଜ ଖଣ୍ଡି ତ ଦେଖିଛି ।’’ ପ୍ରିନ୍ସ ବିସ୍ମୟଭରା କଣ୍ଠରେ ଉତ୍ତର ଦେଲେ ।

 

‘‘ମାତ୍ର ସେ ଆତତାୟିନୀ ବରୁଣାଟି କିଏ ତା’ ସମ୍ବନ୍ଧରେ କିଛି ଜାଣିଛନ୍ତି ?’’ ‘‘ମି. ଘୋଷାଲ ପ୍ରିନ୍ସ ରୁଦ୍ରନାରାୟଣଙ୍କୁ ପ୍ରଶ୍ନ କରି ବସିଲେ ।’’

 

ହତଭମ୍ବ ପ୍ରିନ୍ସ ଉତ୍ତରରେ କେବଳ ଶିର ସଞ୍ଚାଳନ କରି ନାସ୍ତି ଜଣାଇଲେ । ଦୃଷ୍ଟି ତାଙ୍କର ନିଷ୍ପଲକ ।

 

‘‘ସେଥିଲାଗି ତ ମୁଁ କହୁଥିଲି, ମିସ୍ ପ୍ରିୟମ୍ବଦାର ଆବରଣ ତଳେ ଆତ୍ମଗୋପନ କରିଛି ରାଜକୁମାରୀ ବରୁଣା । ସୁବର୍ଣ୍ଣଗଡ଼ ଷ୍ଟେଟର ରାଜକୁମାରୀ ବରୁଣାର ଅଶ୍ୱଦୌଡ଼ ପ୍ରତିଯୋଗିତା ଓ ତା’ର ନରହତ୍ୟା କାହାଣୀ ସମ୍ବନ୍ଧରେ କ’ଣ ଆପଣ କିଛି ଜାଣନ୍ତି ନାହଁ ?’’ ମି. ଘୋଷାଲ ବିସ୍ମିତ ହୋଇ ପ୍ରଶ୍ନ କଲେ ।

 

‘‘ମୋତେ କ୍ଷମା କରିବେ’’ ପ୍ରିନ୍ସ ବିନୀତଭାବେ ନିଜର ଅଜ୍ଞତା ପ୍ରକାଶ କରି କହିଲେ, ‘‘ସତରେ ସେ ସମ୍ବନ୍ଧରେ ବିଶେଷ ମୁଁ କିଛି ଜାଣିନାହିଁ । କେବଳ କିଛିଦିନ ତଳେ ଏପରି ଏକ ସମ୍ବାଦ କୌଣସି ଏକ ସମ୍ବାଦପତ୍ରରେ ପଢ଼ିଥିଲା ଭଳି ଅସ୍ପଷ୍ଟ ମନେପଡ଼ୁଛି ।’’

 

‘‘ତେବେ ଘଟଣାଟି ଶୁଣନ୍ତୁ, ନଚେତ୍ ମିସ୍ ପ୍ରିୟମ୍ବଦା ସମ୍ବନ୍ଧରେ ଆପଣ କୌଣସି ଧାରଣା କରିପାରିବେ ନାହିଁ ।’’

 

ମି. ଘୋଷାଲ ସଂକ୍ଷେପରେ ବରୁଣାର ଅଶ୍ଵ ପ୍ରତିଯୋଗିତାର କାହାଣୀ ଧୀରେ ଧୀରେ ଶୁଣାଇବାକୁ ଲାଗିଲେ । କାହାଣୀ ଯେତେବେଳେ ସମାପ୍ତ ହେଲା ସେତେବେଳେ ଲକ୍ଷ୍ୟ କରାଗଲା ପ୍ରିନ୍ସ ହତଭମ୍ବ ହୋଇ ମି. ଘୋଷାଲଙ୍କୁ ବିସ୍ମୟ ବିସ୍ଫାରିତ ଅପଲକ ଦୃଷ୍ଟିରେ ସ୍ଥାଣୁ ସମ ଅନାଇ ରହିଛନ୍ତି ।

 

ମି. ଘୋଷାଲ ନିଜର ବକ୍ତବ୍ୟ ଶେଷ କରିବାକୁ ଯାଇ କହିଲେ, ‘‘ବର୍ତ୍ତମାନ ଆପଣ ନିଶ୍ଚୟ ବୁଝିପାରୁଥିବେ ମିସ୍ ପ୍ରିୟମ୍ବଦା ହେଉଛି ସୁବର୍ଣ୍ଣଗଡ଼ର ରାଜକୁମାରୀ ବରୁଣା ଓ ମାଷ୍ଟର ଗୁପ୍ତେ ହେଉଛନ୍ତି ମନ୍ତ୍ରୀପୁତ୍ର ବିନୋଦ କୁମାର । ଆଜକୁ ଛ’ମାସ ତଳେ ପୋଲିସ୍ ଆଖିରେ ଧୂଳିଦେଇ କକ୍ଷ ମଧ୍ୟରେ ବନ୍ଦୀ ଥିଲେ ବି ଗୁପ୍ତଦ୍ୱାର ବାଟେ ପଳାୟନ କରିଥିଲେ । ସୁବର୍ଣ୍ଣଗଡ଼ର ରାଜା, ମନ୍ତ୍ରୀ ଏବଂ ତାଙ୍କର ପାର୍ଷଦଗଣ ଯେଉଁମାନେ, ରାଜକୁମାରୀ ବରୁଣାକୁ ନରହତ୍ୟା କାର୍ଯ୍ୟରେ ଅକୁଣ୍ଠ ସାହାଯ୍ୟ କରୁଥିଲେ ସେମାନେ ସମସ୍ତେ ଗ୍ରେପ୍ତାର ହୋଇଛନ୍ତି ସତ ମାତ୍ର ଏ ନୃଶଂସ ହତ୍ୟାଭିନୟର ଯେଉଁମାନେ ମୁଖ୍ୟ ନାୟିକା ଓ ନାୟକ ସେମାନେ ଗ୍ରେପ୍ତାର ନ ହେଲା ପର୍ଯ୍ୟନ୍ତ ଏ ଅଦ୍ଭୁତ ନରହତ୍ୟା କେସ୍‍ର କୌଣସି ବିଚାର ହୋଇପାରୁନାହିଁ ।’’

 

ମୁହୂର୍ତ୍ତେ ନୀରବ ରହି ମି. ଘୋଷାଲ ଅରିନ୍ଦମଙ୍କୁ ଇଙ୍ଗିତ କରି ପ୍ରିନ୍ସଙ୍କୁ ଉଦ୍ଦେଶ୍ୟ କରି କହିଲେ, ‘‘ମି.ମିତ୍ରଙ୍କୁ ସୁବର୍ଣ୍ଣଗଡ଼ର କୁହେଳିକାଚ୍ଛନ୍ନ କେସ୍‍ର ଦାୟିତ୍ୱ ଦିଆଯାଇଥିଲା । ତାଙ୍କର ଆପ୍ରାଣ ପ୍ରଚେଷ୍ଟା ଫଳରେ ରାଜକୁମାରୀ ବରୁଣା ଓ ମନ୍ତ୍ରୀକୁମାର ବିନୋଦ ଉଭୟେ ଗ୍ରେପ୍ତାର ହୋଇଗଲେ ସତ ମାତ୍ର ସେମାନଙ୍କର ସୌଭାଗ୍ୟ ସେମାନଙ୍କୁ ଆତ୍ମରକ୍ଷା କରି ପଳାୟନ କରିବାରେ ସାହାଯ୍ୟ କଲା । ସେଇ ଦିନରୁ ଅଜିଯାଏ ମି.ମିତ୍ରଙ୍କ ସମେତ ସମସ୍ତ ପୋଲିସ୍‍ବାହିନୀ ନୃଶଂସ ନାୟିକା ଓ ନାୟକ ଦ୍ୱୟଙ୍କୁ ଖୋଜି ବାହାର କରିବା ନିମିତ୍ତ ସେମାନଙ୍କର ସର୍ବପ୍ରକାର ପ୍ରଚେଷ୍ଟା ଅବ୍ୟାହତ ରଖିଛନ୍ତି । ମାତ୍ର ଅଶ୍ଚର୍ଯ୍ୟର କଥା ସେମାନଙ୍କୁ ଖୋଜି ବାହାର କରିବା ପୂର୍ବରୁ ସେମାନେ ରଙ୍ଗମଞ୍ଚ ଉପରେ ସ୍ୱତଃପ୍ରବୃତ୍ତ ହୋଇ ଆବିର୍ଭୂତ ହୋଇଛନ୍ତି ।

 

ପ୍ରିନ୍ସ ସବୁ ଶୁଣି ସ୍ଥାଣୁ ପାଲଟି ଯାଇଥିଲେ ଓ ତାଙ୍କର ସମସ୍ତ ଚୈତନ୍ୟ ଯେପରି କଛିକ୍ଷଣ ଲାଗି ସ୍ତବ୍ଧ ହୋଇଯାଇଥିଲା । କିୟତ୍‍କ୍ଷଣ ଉତ୍ତାରେ ନିଜକୁ ସମ୍ବରଣ କରିନେଇ ବ୍ୟଥାଭରା ବାଷ୍ପାଛନ୍ନ କଣ୍ଠରେ ସେ ମି. ଘୋଷାଲଙ୍କୁ ପ୍ରଶ୍ନ, କଲେ, ‘‘ବରୁଣା ଏତେ ଅଭିନୟ ମାଧ୍ୟମରେ ସୁରଥକୁ ହତ୍ୟା କରି କି ଲାଭ ବା ପାଇଲା । ଏକ ନିରୀହ ନିରପରାଧ ଅବୋଧ ଶିଶୁକୁ ହତ୍ୟା କରିବା ଫଳରେ ତା’ର କି ସ୍ୱାର୍ଥ ବା ସାଧିତ ହେଲା ।’’

 

ମି. ଘୋଷାଲଙ୍କ ପରିବର୍ତ୍ତେ ଅରିନ୍ଦମ କିନ୍ତୁ ଉତ୍ସାହିତ ହୋଇଉଠି ସେ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଲେ, ‘‘ପ୍ରତିଯୋଗିତାର ବାହାନାରେ ଶହେ ତେର ଜଣ ପ୍ରତିଯୋଗୀଙ୍କୁ ହତ୍ୟାପୂର୍ବକ ସେମାନଙ୍କର ମୁଣ୍ଡକୁ ସ୍କନ୍ଧଚ୍ୟୁତ କରି କାଚଜାରରେ ସଜାଇ ରଖିବାରେ ସେ ଯେଉଁ ପୈଶାଚିକ ଆନନ୍ଦ ଲାଭ କରିଥିଲା ସୁରଥକୁ ହତ୍ୟା କରି କାଚ ପ୍ଲେଟରେ ତା’ର ମୁଣ୍ଡଟି ସଯତ୍ନେ ସ୍ଥାପନ କରିବାରେ ସେ ସେଇ ଉତ୍କଟ ଆସୁରିକ ଆନନ୍ଦହିଁ ଲାଭ କରିଛି । ବରୁଣା ଏକ ଭୟଙ୍କର ନାରୀ । ମନୁଷ୍ୟକୁ ହତ୍ୟା କରିବାରେ ହିଁ ତା’ର ଆନନ୍ଦ ଓ ତା’ର ସେ ଆନନ୍ଦ ଆହୁରି ଉତ୍କଟ ହୁଏ ଯେତେବେଳେ ସେ ହତଭାଗ୍ୟର ମୁଣ୍ଡଟିକୁ ଶରୀରରୁ ସ୍ୱତନ୍ତ୍ର କରିଦିଏ । ବରୁଣାର ଏ ପୈଶାଚିକ ପ୍ରବୃତ୍ତି ଧୀରେ ଧୀରେ ବୃଦ୍ଧିପ୍ରାପ୍ତ ହେବ ସିନା, କଦାପି ହ୍ରାସ ପାଇବ ନାହିଁ । ତେଣୁ ତାକୁ ଓ ବିନୋଦକୁ ଯଦି ଅବିଳମ୍ବେ ଗ୍ରେପ୍ତାର ନ କରାଯାଏ ତେବେ ମୋର ଆଶଙ୍କା ହୁଏ, ସେମାନେ କ୍ରମଶଃ ଅଧିକ ହତ୍ୟା ବ୍ୟାପାରରେ ହୁଏତ ଜଡ଼ିତ ହୋଇ ପଡ଼ିବେ । ଜଘନ୍ୟ ହିଂସ୍ର ପ୍ରକୃତି ସେମାନଙ୍କର କଦାପି ନିସ୍ତରଙ୍ଗ ରହିନପାରେ ।’’

 

ରାତ୍ରିର ଶେଷ ପ୍ରହରରେ ଅରିନ୍ଦମ ହୋଟେଲ ‘ହେଭେନ୍’ରୁ ପ୍ରତ୍ୟାବର୍ତ୍ତନ ସମୟରେ ମନେ ମନେ ସ୍ଥିର କଲେ କାଲି ଶଶାଙ୍କ ସହିତ ସେ ଯାଇ ନିଶ୍ଚୟ ସାକ୍ଷାତ୍‍ କରିବେ । ସୁବର୍ଣ୍ଣଗଡ଼ରୁ ଫେରିବା ପରେ ଶଶାଙ୍କ ସହିତ ତାଙ୍କର ଆଉ ଦେଖା ହୋଇନାହିଁ । ମାତ୍ର ବର୍ତ୍ତମାନ ପରିବର୍ତ୍ତିତ ପରିସ୍ଥିତିରେ ତାହା ସହିତ ପୁନର୍ବାର ସାକ୍ଷାତ୍‍ କିନ୍ତୁ ଅପରିହାର୍ଯ୍ୟ ମନେହୁଏ ।

 

ଅରିନ୍ଦମ ପରବର୍ତ୍ତୀ ଦିନ ଶଶାଙ୍କ ସଙ୍ଗେ ସାକ୍ଷାତ୍‍ କରିବାକୁ ମନସ୍ଥ କରିଥିଲେ ବି ମହାରାଜା ରୁଦ୍ରନାରାୟଣ ଶିଶୁପୁତ୍ର ସୁରଥର ହତ୍ୟା ସଂକ୍ରାନ୍ତରେ ହୋଟେଲ ‘ହେଭେନ୍’ରେ ଓ ପୋଲିସ୍‍ ଷ୍ଟେସନରେ ବିଶେଷ କାର୍ଯ୍ୟବ୍ୟସ୍ତ ରହିବା ହେତୁ ତା’ ନିକଟକୁ ଆଉ ଯାଇ ପାରିନଥିଲେ-। ରାତ୍ରି ଦଶଟା ପରେ ଘରକୁ ଲେଉଟି ଆହାର ପର୍ବ ଶେଷ କରି ଶଯ୍ୟାକୁ ଯିବା ନିମିତ୍ତ ଉଦ୍ୟତ ହେଉଛନ୍ତି, ଭୃତ୍ୟ ଆସି ଖଣ୍ଡିଏ କାଗଜ ସ୍ଲିପ୍ ତାଙ୍କ ହାତକୁ ବଢ଼ାଇ ଦେଲା ।

 

ଏତେ ରାତିରେ ପୁଣି କିଏ ତାଙ୍କ ସହିତ ସାକ୍ଷାତ୍‍ କରିବାକୁ ଆସିଛି । ହାଡ଼ଭଙ୍ଗା ଖାଟେଣୀ ପରେ ବି ବିଶ୍ରାମ କ’ଣ ତାଙ୍କ ଭାଗ୍ୟରେ ଲେଖା ନାହିଁ; ବିରକ୍ତ ମନରେ ସ୍ଲିପ୍ ଉପରେ ଦୃଷ୍ଟି ବୁଲାଇ ନେଇ ସେ କିନ୍ତୁ ଚମକି ଉଠିଲେ । ତାଙ୍କର ମୁଖମଣ୍ଡଳ ହଠାତ୍ ଉଜ୍ଜ୍ୱଳ ହେଇଉଠିଲା ।

 

ଶଶାଙ୍କ ତାଙ୍କ ସହ ସାକ୍ଷାତ୍‍ କରିବାକୁ ଆସିଛି ।

 

ଶଶାଙ୍କ ସହିତ ସେ ତ ଆଜି ସାକ୍ଷାତ୍‍ କରିବାକୁ ସିଦ୍ଧାନ୍ତ କରିଥିଲେ । ମାତ୍ର ସମୟ ଅଭାବରୁ ତା’ କୌଣସି ପ୍ରକାରେ ତ ଆଜି ସମ୍ଭବ ହୋଇପାରିଲାନାହିଁ । ମାତ୍ର ସୁଦୀର୍ଘ ଛ’ମାସ ପରେ ଏତେ ରାତିରେ ଶଶାଙ୍କର ହଠାତ୍ ତାଙ୍କ ସହିତ ସାକ୍ଷାତ୍‍ କରିବାର ଏମିତ କ’ଣ ପୁଣି ପ୍ରୟୋଜନ ପଡ଼ିଲା ।

 

ଅରିନ୍ଦମଙ୍କର ମନ ନାନାଦି ସଂଶୟରେ ଆନ୍ଦୋଳିତ ହୋଇଉଠିଲା, ତେବେ ଶଶାଙ୍କ ପୁନର୍ବାର କୌଣସି ନୂତନ ବିପଦର ସମ୍ମୁଖୀନ ହେଲା ନା କ’ଣ ।

 

ଅରିନ୍ଦମ ଶଶାଙ୍କକୁ ଅବିଳମ୍ବେ ଉପରକୁ ପଠାଇ ଦେବା ନିମିତ୍ତ ଭୃତ୍ୟକୁ ଆଦେଶ ଦେଲେ ।

 

ତାଙ୍କର ପ୍ରତୀକ୍ଷାର ଉଦବେଗରେ ପୂର୍ଣ୍ଣଚ୍ଛେଦ ଟାଣି ଶଶାଙ୍କ ଯେତେବେଳେ ଦରଜା ଦେଇ କକ୍ଷ ମଧ୍ୟରେ ପ୍ରବେଶ କଲା ଅରିନ୍ଦମ ହଠାତ୍ ତା’ର ମ୍ଳାନ ମୁଖମଣ୍ଡଳ ଦେଖିଦେଇ ଅନାଗତ ଆଶଙ୍କାରେ ଶିହରି ଉଠିଲେ ।

 

ଶଶାଙ୍କ ମୁହଁ ଉପରେ ଜବରଦସ୍ତ ହସ ଫୁଟାଇ ନମସ୍କାର କରିବା ସଙ୍ଗେ ସଙ୍ଗେ ପ୍ରତିନମସ୍କାର ଜଣାଇ ଅରିନ୍ଦମ ତାକୁ ଦ୍ୱାର ନିକଟରୁ ଏକ ପ୍ରକାର ପାଛୋଟି ଆଣିଲେ, ‘‘ଆରେ, ଶଶାଙ୍କ ଯେ, ଆଉ ଖବର କ’ଣ ? ଦୀର୍ଘ ଛ’ ମାସ ହେଲା ତୁମର ଆଦୌ ସାକ୍ଷାତ୍ ନାହିଁ ଯେ, ଆସ ଆସ ।’’

 

ସେମାନେ ଦୁଇଖଣ୍ଡି ଚେୟାରରେ ସାମ୍‌ନା ସାମ୍‍ନି ବସିବା ପରେ ଶଶାଙ୍କ କହିଲା, ‘‘ନାନାଦି କାର୍ଯ୍ୟରେ ବ୍ୟସ୍ତ ରହି ଆପଣଙ୍କ ପାଖକୁ ଆସିବାର ଇଚ୍ଛା ଥିଲେ ମଧ୍ୟ ମୁଁ ଆସି ପାରିନାହିଁ-। ମାତ୍ର ଆଜି ମୋର ନଜର ପ୍ରୟୋଜନ ମୋତେ ଆପଣଙ୍କ ନିକଟକୁ ଟାଣି ଆଣିଛି ।’’

 

‘‘ବ୍ୟାପାର କ’ଣ ଖୋଲି କୁହ ତ ଦେଖି । ମୁଁ ତ ଆଜି ବିଶେଷ ପ୍ରୟୋଜନରେ ତୁମ ନିକଟକୁ ଯିବା ନିମିତ୍ତ ସ୍ଥିର କରିଥିଲି ।’’ ଅରିନ୍ଦମଙ୍କ କଣ୍ଠରେ ସାମାନ୍ୟ ଉତ୍ତେଜନାର ଆଭାଷ, ‘‘କେବଳ ସମୟ ନ ହେବାରୁ ଯାଇପାରିଲି ନାହିଁ, ଅଥଚ ତୁମ ସଙ୍ଗେ ମୋର ସାକ୍ଷାତ୍‍ ଅତ୍ୟନ୍ତ ଜରୁରୀ ଥିଲା ।’’

 

‘‘ଆପଣଙ୍କର ମୋ ସହିତ ସାକ୍ଷାତ୍‍ କେତେଦୂର ଜରୁରୀ ଥିଲା ମୁଁ ଠିକ୍ ତା’ ଜାଣେନା, ମାତ୍ର ମୋର ଆପଣଙ୍କ ନିକଟିକୁ ଆସିବା ସମ୍ପୂର୍ଣ୍ଣ ଅପରିହାର୍ଯ୍ୟ ହୋଇପଡ଼ିଛି କାରଣ ମୋର ମନେହେଉଛି ସୁବର୍ଣ୍ଣଗଡ଼ରୁ ଆପଣମାନଙ୍କର ଆର୍ଶୀବାଦରୁ ଜୀବନ ନେଇ ଫେରିବା ପରେ ଓ ଛ’ଟି ମାସ ସମ୍ପୂର୍ଣ୍ଣ ନିରାପଦ ଓ ନିର୍ଦ୍ୱନ୍ଦ୍ୱରେ ଅତିବାହିତ କରିବା ଉତ୍ତାରେ ପୁନର୍ବାର ମୁଁ ସମ୍ଭବତଃ ସଂକଟର ସମ୍ମୁଖୀନ ହୋଇଛି ।’’ ଶଶାଙ୍କର କଣ୍ଠରେ ଆତଙ୍କର ସ୍ପର୍ଶ । ନୟନ ଦୁଇଟି ବେଶ ଭୟାର୍ତ୍ତ ମନେହେଉଛି ।

 

‘‘ତୁମେ ପୁଣି ସଂକଟର ସମ୍ମୁଖୀନ ହୋଇଛ, ମାନେ ? ତୁମେ ଠିକ୍ କ’ଣ କହିବାକୁ ଚାହୁଁଛ ଖୋଲି କୁହ ତ ।’’ ଅରିନ୍ଦମ ବିସ୍ମୟରେ ସମ୍ପୂର୍ଣ୍ଣ ସ୍ତବ୍ଧ ହୋଇଯାଇଛନ୍ତି । ‌

 

‘‘ଆପଣଙ୍କୁ ସେଇ ଅନାଗତ ବିପଦ ସମ୍ଭାବନାର କଥା ଜଣାଇବାକୁ ତ ଧାଇଁ ଆସିଛି । ବରୁଣା ଓ ବିନୋଦ ପୋଲିସ୍‍ ବ୍ୟୁହ ମଧ୍ୟରୁ ଯେଉଁଦିନ ଖସି ପଳାୟନ କଲେ, ମୁଁ କାହିଁକ ସେଇ ଦିନରୁ ଆଶଙ୍କା କରୁଥିଲି ଦିନେ ନା ଦିନେ ସେମାନଙ୍କର ହିଂସ୍ର ପୁନରାବିର୍ଭାବ ଘଟିବ । ସମୟକ୍ରମେ ମୁଁ ହୁଏତ ସବୁ ଭୁଲି ଯାଇଥିଲି । ମାତ୍ର ଆଜି ଜାଣିପାରିଲି ଯେ ମୋର ଆଶଙ୍କା ସତ୍ୟରେ ପରିଣତ ହୋଇଛି ।

 

ଅରିନ୍ଦମଙ୍କ ଦୁଇ ନୟନ ବିସ୍ମୟରେ ବିସ୍ଫାରିତ ହୋଇଯାଇଥିଲା । ସେ ବିବ୍ରତ କଣ୍ଠରେ ପ୍ରଶ୍ନ କରି ଉଠିଲେ ‘‘ତୁମେ କ’ଣ ସେ ଦୁହିଁଙ୍କୁ ପୁନର୍ବାର ଦେଖିବାକୁ ପାଇଛ ?’’

 

‘‘ହଁ ପାଇଛି ଓ ସେ ବ୍ୟାପାର ବିବୃତ କରିବା ପାଇଁ ଆପଣଙ୍କ ପାଖକୁ ପ୍ରାଣ ଆତଙ୍କରେ ଛୁଟି ଆସିଛି । ମୋର ତ ମନେହୁଏ ଅବିଳମ୍ବେ ଏହାର କୌଣସି ପ୍ରତିକାର କରାନଗଲେ ମୁଁ ହୁଏତ ପ୍ରତିହିଂସାର ପ୍ରଳୟରେ ଏ ପୃଥିବୀରୁ ନିଶ୍ଚିହ୍ନ ହୋଇଯାଇପାରେ ।’’ ଶଶାଙ୍କର ଭୟାର୍ତ୍ତ କଣ୍ଠ ସୁସ୍ପଷ୍ଟ-

 

ଶଶାଙ୍କ ମୁହୂର୍ତ୍ତେ ନୀରବ ରହି ପୁନର୍ବାର କହିଲା, ‘‘ଆଜି ସନ୍ଧ୍ୟା ଛ’ଟା ସମୟରେ ଖଣ୍ଡିଏ କାର୍‍ ଆସି ଆମ ଦୋକାନ ସାମ୍‍ନାରେ ରହିଲା ଓ ମଟର ପଛ ଦରଜା ଉନ୍ମୁକ୍ତ କରି ଜଣେ ପଞ୍ଜାବୀ ଭଦ୍ରଲୋକ ଦୋକାନ ମଧ୍ୟରେ ପ୍ରବେଶ କଲେ । ସେ ମୋ ନିକଟକୁ ଆସି ଦୁଇଟି ରାଇଫ୍ଲ କିଣିବାର ଇଚ୍ଛା ପ୍ରକାଶ କରି ଦୋକାନରେ ମହଜୁଦ୍‍ ଥିବା ବିଭିନ୍ନ କିସମର ବନ୍ଧୁକ ତାଙ୍କୁ ଦେଖାଇବା ନିମିତ୍ତ ମୋତେ ଅନୁରୋଧ କଲେ । ମୁଁ ତାଙ୍କର ଅନୁରୋଧ ରକ୍ଷାକରି ସମସ୍ତ ଦୋକାନ ବୁଲାଇ ବିଭିନ୍ନ ପ୍ରକାରର ବନ୍ଧୁକ ତାଙ୍କୁ ଦେଖାଇବାକୁ ଲାଗିଲି । ସେ ପ୍ରତିଟି ବନ୍ଧୁକ ନେଇ ପରୀକ୍ଷା କରି ଦେଖୁଥା’ନ୍ତି ଓ ନିଜର ମତାମତ ବ୍ୟକ୍ତ କରୁଥା’ନ୍ତି । ତାଙ୍କର ମତାମତ ଶୁଣି ମୋର କାହିଁକି ମନେହେଲା ସେ ଜଣେ ରାଇଫ୍ଲ ସ୍ପେଶାଲିଷ୍ଟ ଓ ଜଣେ କୁଶଳୀ ବନ୍ଧୁକ ଚାଳକ । ତାଙ୍କ ସମ୍ବନ୍ଧରେ ମୁଁ ଉଚ୍ଚମତ ପୋଷଣ କରିବା ସଙ୍ଗେ ସଙ୍ଗେ ମନତଳେ ମୋର ତାଙ୍କ ପ୍ରତି ସମ୍ମାନ ଯଥେଷ୍ଟ ବଢ଼ିଗଲା ଓ ମୁଁ ଦ୍ୱିଗୁଣ ଉତ୍ସାହରେ ବିଭିନ୍ନ ଭେରାଇଟିର ବନ୍ଧୁକମାନ ତାଙ୍କୁ ଦେଖାଇବାକୁ ଲାଗିଲି ।

 

ମୁଁ ବନ୍ଧୁକ ଦେଖାଇବାରେ ଓ ସେ ବନ୍ଧୁକ ଦେଖିବାରେ ଉଭୟେ ଯେତେବେଳେ ଏକପ୍ରକାର ତନ୍ମୟ ଥିଲୁ ଅକସ୍ମାତ ମୋର ଦୃଷ୍ଟି ଭଦ୍ରଲୋକଙ୍କର ବାମପଟ କପାଳ ଉପରେ ଥିବା କଟା ଦାଗ ଉପରେ ସ୍ଥିର ହୋଇଗଲା । କାରଣ ସେଇ କଟାଦାଗ ମୋ ନିମିତ୍ତ ଏବେ ପରିଚିତ ଥିଲା ସେ ପଞ୍ଜାବୀ ଛଦ୍ମବେଶ ଅନ୍ତରାଳରେ ଆତ୍ମଗୋପନ କରିଥିବା ସତ୍ତ୍ୱେ ଉକ୍ତ ଦାଗଧାରୀ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ହଠାତ୍ ମୁଁ ଚିହ୍ନି ନେଇ ପାରିଥିଲି ।

 

ପ୍ରଥମେ ତ ମୁଁ ମୋର ଦୃଷ୍ଟିକୁ କୌଣସି ପ୍ରକାରେ ବିଶ୍ୱାସ କରିପାରିନଥିଲି । ମାତ୍ର ବାରମ୍ବାର ନିରୀକ୍ଷଣ କରି ଦେଖିବା ପରେ ମୋ ମନରେ ଆଉ ସଂଶୟ ରହିଲା ନାହିଁ ଓ ନିଃସଂଶୟ ହେବା ସଙ୍ଗେ ସଙ୍ଗେ ଆତଙ୍କରେ ମୁଁ ଶିହରି ଉଠିଲି ।

 

ବିନୋଦ ଏକା ନା ବରୁଣା ବି ମଟରରେ ତା’ ସହିତ ଆସିଛି । ଦୃଷ୍ଟି ମୋର ମଟର ଭିତରକୁ ଆପେ ଆପେ ଆକର୍ଷିତ ହୋଇଗଲା ଓ ମୁଁ ନିରୀକ୍ଷଣ କରି ଦେଖିଲି ମଟରର ପଛ ସିଟରେ ସାଲୁଆର ଓ ଜମ୍ପର ପରିହିତା ଜଣେ ଭଦ୍ରମହିଳା ବସି ରହିଛନ୍ତି ଆଖି ଉପରେ ତାଙ୍କର କଳା ରଙ୍ଗର ଗଗଲ୍‍ସ ।

 

ଏତେ ଦୂରରୁ ମଟର ଭିତରେ ବସିଥିବା ଭଦ୍ରମହିଳାଙ୍କୁ ଚିହ୍ନିପାରିବା ଆଦୌ ସହଜସାଧ୍ୟ ନୁହେଁ, ସେଥିରେ ପୁଣି ଆଖି ଉପରେ ତାଙ୍କର ଗଗଲ୍‍ସ ଅଛି, ଯାଞ୍ଚ କରିବା ଉଦ୍ଦେଶ୍ୟରେ ହଠାତ୍‍ ମୁଁ ଯଦି ଦୋକାନ ଛାଡ଼ି ମଟର ପାଖକୁ ଚାଲିଯାଏ, ତେବେ ତାହା ଆଦୌ ବୁଦ୍ଧିମାନର କାର୍ଯ୍ୟ ହେବନାହିଁ । ତେବେ ଉପରେ କ’ଣ ?

 

ଚିନ୍ତାର ଦ୍ୱନ୍ଦ୍ୱରେ ମୁଁ ଯେତେବେଳେ ଏହିପରି ଆନ୍ଦୋଳିତ ହେଉଛି ମୋର ଚାଞ୍ଚଲ୍ୟ ଛଦ୍ମବେଶଧାରୀ ବିନୋଦର ହଠାତ୍ ଦୃଷ୍ଟି ପଥାରୂଢ଼ ହେଲା ନା କ’ଣ, ସେ ହଠାତ୍‍ ଫେରିପଡ଼ି ଦ୍ରୁତପଦରେ ମଟର ପାଖକୁ ଚାଲିଗଲା । ସଙ୍ଗେ ସଙ୍ଗେ ଭଦ୍ରମହିଳା ମଟରର ପଛ ଦରଜା ଖୋଲି ଦେଲେ । ବିନୋଦ ତଡ଼ିତ୍‍ ବେଗରେ ମଟର ଭିତରେ ପ୍ରବେଶ କଲା କ୍ଷଣି ବିଦ୍ୟୁତ୍‍ ଗତିରେ ଅଗ୍ରସର ହୋଇ କାର୍‍ଟି ଅନ୍ତର୍ଦ୍ଧାନ ହୋଇଗଲା ।

 

ଏ ଘଟଣା ପରେ ବିନୋଦ ଓ ବରୁଣାର କଲିକତା ନଗରୀର ବୁକୁ ଉପରେ ଆବିର୍ଭାବ ଘଟିବା ସମ୍ପର୍କରେ କ’ଣ ଆଉ କୌଣସି ସଂଶୟ ରହିପାରେ । ମୁଁ ତେଣୁ ଆପଣଙ୍କ ପାଖକୁ ଛୁଟି ଆସିଛି । ଆହତ ବ୍ୟାଘ୍ର ଅଧିକ ପ୍ରତିହିଂସା ପରାୟଣ ଓ ହିଂସ୍ର ହୋଇଥାଏ । ବିନୋଦ ଓ ବରୁଣା ସେଇ ଦୃଷ୍ଟିରୁ କେତେଦୂର ରକ୍ତାକ୍ତ ହୋଇ ଉଠିବେ କିଏ ଜାଣେ ।’’

 

ଏକ ନିଶ୍ୱାସରେ ନିଜର ବକ୍ତବ୍ୟ ଶେଷକରି ଶଶାଙ୍କ କରୁଣ ଦୃଷ୍ଟିରେ ଅରିନ୍ଦମଙ୍କ ମୁହଁକୁ ଚାହିଁ ରହିଲା । ତା’ର ସେ କରୁଣ ଦୃଷ୍ଟି ମନେହେଲା ଯେପରି ଅରିନ୍ଦମଙ୍କ ବାହୁଛାୟା ତଳେ ନିରାପଦ ଆଶ୍ରୟ ଭିକ୍ଷା କରୁଛି ।

 

ଅରିନ୍ଦମ ସବୁଶୁଣି ସ୍ତବ୍ଧ ହୋଇଯାଇଥିଲେ । ତେଣୁ ମୁହୂର୍ତ୍ତ କେତେକ ଚିନ୍ତାମଗ୍ନ ରହିଲା ପରେ ଶଶାଙ୍କକୁ ଉଦ୍ଦେଶ୍ୟ କରି କହିଲେ, ‘‘ତୁମର ଦୃଷ୍ଟି ବଡ଼ ତୀକ୍ଷ୍ଣ, ତେଣୁ ତୁମେ ଯାହା ଦେଖିଛ ଠିକ୍‍ ଦେଖିଛ, ପଞ୍ଜାବୀ ଛଦ୍ମବେଶର ଅନ୍ତରାଳରେ ତୁମେ ଯେଉଁ ପିଶାଚଟିକୁ ଆବିଷ୍କାର କରିଛ, ସେ ବିନୋଦ ଛଡ଼ା ଅନ୍ୟ କେହି ନୁହେଁ ଓ ମଟର ଭିତରେ ସାଲୁଆର ଓ ଜମ୍ପର ପରିହିତା ଯେଉଁ ରମଣୀଟି ବସି ରହିଥିଲା ସେ ନିଶ୍ଚିତଭାବେ ସୁବର୍ଣ୍ଣଗଡ଼ର ରାଜକୁମାରୀ ପାପିୟସୀ ବରୁଣା । ମୋର ମନେହୁଏ ସେମାନେ କଲିକତା ନଗରୀରେ ପଦାର୍ପଣ କଲା ଉତ୍ତାରେ ଗତ ରାତ୍ରିରେ ପ୍ରିନ୍ସ ରୁଦ୍ରନାରାୟଣଙ୍କର ଶିଶୁପୁତ୍ରକୁ ହୋଟେଲ ହେଭେନରେ ହତ୍ୟାକରି ପଳାୟନ କଲାପରେ ପରବର୍ତ୍ତୀ ପୈଶାଚିକ ହତ୍ୟା ସମ୍ପର୍କରେ ସେମାନେ ନିଜକୁ ହୁଏତ ପ୍ରସ୍ତୁତ କରୁଛନ୍ତି । ସମ୍ଭବତଃ ପରବର୍ତ୍ତୀ ଶିକାରଭାବେ ତୁମେହିଁ ସେମାନଙ୍କର ଦୃଷ୍ଟିରେ ଉଜ୍ଜ୍ୱଳ ହୋଇ ରହିଛ ।’’

 

‘‘ମାନେ, ମାନେ,’’ ଶଶାଙ୍କ ପ୍ରବଳ ଉତ୍ତେଜନାରେ କୌଣସି କଥା କହିପାରୁନି, ମୁଁ ଆପଣଙ୍କ କଥାରୁ ଠିକ୍‍ କିଛି ବୁଝିପାରୁନାହଁ । ବିନୋଦ ଓ ବରୁଣା ପ୍ରିନ୍ସ ରୁଦ୍ରନାରାୟଣଙ୍କର ଶିଶୁପୁତ୍ରକୁ ଗତ ରାତ୍ରିରେ ହୋଟେଲ ହେଭେନରେ ହତ୍ୟା କରିଛନ୍ତି ଏ କଥାର ତାତ୍ପର୍ଯ୍ୟ କ’ଣ ? ମୋତେ ନିଃସଂଶୟ କରିବା ନିମିତ୍ତ ଦୟାକରି ସମସ୍ତ ବ୍ୟାପାରଟା ଖୋଲି କୁହନ୍ତୁ ।’’

 

ଏକ ପ୍ରକାର ଉନ୍ମାଦ ଶଶାଙ୍କକୁ ଶାନ୍ତ କରିବା ଉଦ୍ଦେଶ୍ୟରେ ଅରିନ୍ଦମ ଗତ ରାତ୍ରିରେ ହୋଟେଲ ହେଭେନରେ ଘଟି ଯାଇଥିବା ସମସ୍ତ ମର୍ମନ୍ତୁଦ ଘଟଣା ଧୀରେ ଧୀରେ ବ୍ୟକ୍ତ କରିବାକୁ ଲାଗିଲେ । ଅରିନ୍ଦମ କହୁଛନ୍ତି ଓ ସ୍ଥାଣୁସମ ସ୍ତବ୍ଧ ହୋଇ ବସିରହି ଶଶାଙ୍କ ନୀରବରେ ସବୁ ଶୁଣି ଯାଉଛି ଓ ତା’ର ମନେହେଉଛି ସେ ଯେପରି ଏକ କପୋଳକଳ୍ପିତ କାହାଣୀ କେବଳ ଶୁଣୁଛି । ବାସ୍ତବରେ କ’ଣ କେହି କେବେ ଅଭିନୟ ମାଧ୍ୟମରେ ଏପରି ଜଘନ୍ୟଭାବେ ନିଜର ହିଂସ୍ର ମନୋବୃତ୍ତି ଚରିତାର୍ଥ କରିପାରେ । ବିନା କାରଣରେ, କେବଳ ରକ୍ତ ଦେଖିବା ଆନନ୍ଦ ନିମିତ୍ତ ନିରପରାଧ ଶିଶୁକୁ ମଧ୍ୟ ଦ୍ୱିଧାହୀନ ଭାବରେ ହତ୍ୟା କରାଯାଇପାରେ ।

 

ଅରିନ୍ଦମ ନିଜର ବକ୍ତବ୍ୟ ଶେଷକରି କହିଲେ, ‘‘ହୋଟେଲ ହେଭେନ୍‍ରୁ ଭାରଗ୍ରସ୍ତ ଚିତ୍ତରେ କାଲି ରାତିରେ ପ୍ରତ୍ୟାବର୍ତ୍ତନ କରୁଥିବା ସମୟରେ ହଠାତ୍‍ କେଜାଣି କାହିଁକି ତୁମେ ମୋର ସ୍ମରଣରେ ହଠାତ୍‍ ଆବିର୍ଭୂତ ହେଲ । ବରୁଣା ଓ ବିନୋଦର ଯେତେବେଳେ କଲିକତା ନଗରୀର ବୁକୁ ଉପରେ ଆବିର୍ଭାବ ଘଟିଲାଣି ଓ ଏକ ଜଘନ୍ୟ ହତ୍ୟାକାଣ୍ଡରେ ସେମାନେ ଯେତେବେଳେ ଥରେ ନିଜକୁ ବିଜ୍ଞାପିତ କରିସାରିଲେଣି, ସେତେବେଳେ ସେମାନଙ୍କର ପରବର୍ତ୍ତୀ କାର୍ଯ୍ୟକଳାପ ସମ୍ବନ୍ଧରେ ଆତଙ୍କିତ ହେବାର ଯଥେଷ୍ଟ କାରଣ ଅଛି । ଏହି ଚିନ୍ତା ମୋ ମନକୁ ସ୍ପର୍ଶ କରିବା ସଙ୍ଗେ ସଙ୍ଗେ ମୁଁ ତୁମ ସମ୍ବନ୍ଧରେ ହଠାତ୍‍ ଚିନ୍ତାକୁଳ ହୋଇପଡ଼ିଲି । ଜଘନ୍ୟ ପ୍ରତିହିଂସା-ପରାୟଣ ଦାନବ ଦାନବୀ ଦୁହେଁ ଯେ ତୁମକୁ ସହଜରେ ମୁକ୍ତି ଦେବେ ମୁଁ କାହିଁକି ତା’ କଳ୍ପନା କରିପାରିଲିନାହିଁ । ବର୍ତ୍ତମାନ ତୁମ ନିକଟରୁ ସବୁ ଶୁଣିଲା ପରେ ମୋର ଆଉ ବୁଝିବାକୁ ବାକି ନାହିଁ ଯେ ସେମାନେ ତୁମର ପଶ୍ଚାଦାନୁସରଣ କଲେଣି । ତେଣୁ ତୁମକୁ ଏଣିକି ସବୁବେଳେ ଯଥେଷ୍ଟ ସାବଧାନତାର ସହ ଚଳିବାକୁ ହେବ ଓ ତୁମକୁ ରକ୍ଷା କରିବା ନିମିତ୍ତ ପୋଲିସ୍‍ବାହିନୀ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ନିଶ୍ଚିତଭାବେ ଗ୍ରହଣ କରାଯିବ । ବରୁଣା ନିଜ ନାମର ବିଜ୍ଞାପନ ଦେଇ ପୋଲିସ୍‍ବାହିନୀକୁ ଏକ ପ୍ରକାର ଚ୍ୟାଲେଞ୍ଜ ଦେଇଛି ଓ ସେ ଚ୍ୟାଲେଞ୍ଜର ଅଲବତ୍‍ ସମ୍ମୁଖୀନ ହେବାକୁ ହେବ । ନିଜର ନୃଶଂସ ଇଚ୍ଛା ଚରିଚାର୍ଥ କରିବା ନିମିତ୍ତ ସମାଜର ସୁସ୍ଥ ବାୟୁମଣ୍ଡଳକୁ ଦୂଷିତ କରିବାକୁ କେବେହେଲେ କାହାରିକୁ ପ୍ରଶ୍ରୟ ଦିଆଯାଇନପାରେ ।’’

 

ଅରିନ୍ଦମ ନିଜର ଭାବାବେଗ ପ୍ରକାଶ କରିବାକୁ ଯାଇ ବେଶ୍‍ ଉତ୍ତେଜିତ ହୋଇ ଉଠିଥିଲେ ।

 

ଶଶାଙ୍କ ମୁହୂର୍ତ୍ତକେତେକ ଚିନ୍ତିତ ରହିବା ପରେ କହିଲା, ‘‘ବରୁଣା ଓ ବିନୋଦ ଖବର ଆପଣଙ୍କୁ ଜଣାଇବା ସଙ୍ଗେ ସଙ୍ଗେ ଅନ୍ୟ ଏକ ସମ୍ବାଦ ମଧ୍ୟ ଆପଣଙ୍କୁ ଜଣାଇ ଦେବା ସମୀଚୀନ ମନେକରୁଛି ।’’

 

ଅରିନ୍ଦମ ପ୍ରଶ୍ନବାଚକ ଦୃଷ୍ଟି ତୋଳି ନିର୍ନିମେଷ ନୟନରେ ଶାସଙ୍କକୁ ଅନାଇଲେ । ତାଙ୍କ ଦୃଷ୍ଟିରେ ବିସ୍ମୟ ଖୁନ୍ଦି ହୋଇଯାଇଛି ।

 

‘‘ସମ୍ବାଦଟା ହେଉଛି ମୋର ବିବାହ ସମ୍ପର୍କରେ । ଆଡଭୋକେଟ୍‍ ସୁଶାନ୍ତ ରାୟଙ୍କର ଏକମାତ୍ର କନ୍ୟା ସୁତପା ସହିତ ମୋର ବାହାଘର ସ୍ଥିର ହୋଇଯାଇଛି । ଆସନ୍ତା ମାସ ୨୩ ତାରିଖରେ ଅର୍ଥାତ୍‍ ଆଜକୁ ଛବିଶଦିନ ପରେ ଉକ୍ତ ବିବାହ ଅନୁଷ୍ଠିତ ହେବ ଓ ବିବାହ ପ୍ରେମଜନିତ-। ଅର୍ଥାତ୍‍ ସୁତପା ଓ ମୁଁ ପରସ୍ପରକୁ ଭଲପାଇ ବିବାହ କରୁଛୁ ଓ ଏ ବିବାହରେ ଆମ ଉଭୟ ପରିବାରର ପୂର୍ଣ୍ଣ ସମର୍ଥନ ମଧ୍ୟ ରହିଛି ।’’ ଶଶାଙ୍କ କଣ୍ଠରେ ବିଷଣ୍ଣତାର ସ୍ପର୍ଶ । ନିଜ ସମ୍ବନ୍ଧରେ ଏତେ ବଡ଼ ଏକ ଶୁଭ ସମ୍ବାଦ ପରିବେଷଣ କରିବାକୁ ଯାଇ କିନ୍ତୁ ମନେହୁଏ ସେ ବେଶ୍‍ ବିଷାଦଗ୍ରସ୍ତ ହୋଇପଡ଼ିଛି ।’’

 

‘‘ଏ ତ ବଡ଼ ଆନନ୍ଦର କଥା ।’’ ଅରିନ୍ଦମ ଉତ୍ସାହିତ ହୋଇ କହି ଉଠିଲେ, ‘‘ଭଗବାନ ତୁମ ଦୁହିଙ୍କର ମିଳନକୁ ମଧୁମୟ କରନ୍ତୁ, ଏହାହିଁ ମୋର ଭଗବାନଙ୍କ ନିକଟରେ ପ୍ରାର୍ଥନା ।’’

 

‘‘ମାତ୍ର ମୋର ଠିକ୍‍ ସେହି ମିଳନ ସମ୍ବନ୍ଧରେ ହିଁ ସନ୍ଦେହ ଉପୁଜିଛି । ସେ ସନ୍ଦେହର ସ୍ଥିତି କିନ୍ତୁ ଏତେଦିନ ଯାଏ ନ ଥିଲା । ମାତ୍ର ଆଜି ପର ପର ଦୁଇଟି ଦୁର୍ଘଟଣା ଘଟିଯିବା ପରେ ମୁଁ କାହିଁକି ସୁତପାକୁ ବିବାହ କରିବା ସମ୍ବନ୍ଧରେ ବିଶେଷ ସନ୍ଦିହାନ ହୋଇ ଉଠିଛି ଓ ଏ ବିବାହ ସମ୍ପର୍କରେ ମୋର ମନରେ କାହିଁକି ଭୀଷଣ ଆଶଙ୍କାର ଉଦ୍ରେକ ହେଉଛି ।’’

 

ଅରିନ୍ଦମ ସ୍ତବ୍ଧ ଦୃଷ୍ଟି ମେଲି ଅନାଇ ରହିଛନ୍ତି ଶଶାଙ୍କକୁ । ରହସ୍ୟ ଯେପରି ସମୟକ୍ରମେ ଗଭୀରରୁ ଗଭୀରତର ହେଉଛି । ଶଶାଙ୍କ ପୁନର୍ବାର କ’ଣ କହିବାକୁ ଚାହୁଁଛି ?

 

ଶଶାଙ୍କ ମୁହୂର୍ତ୍ତେ ମୌନ ରହି କହିଲା, ‘‘ବିନୋଦର ପଞ୍ଜାବୀ ଛଦ୍ମବେଶରେ ଆମ ଦୋକାନରେ ଆକସ୍ମିକ ଆବିର୍ଭାବ ଓ ପରେ ପୁନର୍ବାର ସଚକିତ ହୋଇ ଉଠି ମଟରରେ ଅପେକ୍ଷା କରୁଥିବା ରହସ୍ୟମୟ ନାରୀ ସଙ୍ଗେ ପଳାୟନ ବ୍ୟାପାରରେ ମୁଁ ବେଶ୍‍ ବିଚଳିତ ହୋଇପଡ଼ିଥିଲି । ସତ କହିବାକୁ ଗଲେ ସମ୍ପୂର୍ଣ୍ଣ କିଂକର୍ତ୍ତବ୍ୟବିମୂଢ଼ ହୋଇଯାଇଥିଲି । ଏହି ଘଟଣାର ପ୍ରାୟ ଦେଢ଼ଘଣ୍ଟା ପରେ ହଠାତ୍ ସୁତପା ନିକଟରୁ ଫୋନ୍‍ ପାଇଲି । କଣ୍ଠରେ ତା’ର ଅସମ୍ଭବ ଆତଙ୍କ । ସେ ଅବିଳମ୍ବେ ମୋର ଉପସ୍ଥିତି ପ୍ରୟୋଜନ କରୁଛି । ମୁଁ ତାକୁ ଆଉ କିଛି ପଚାରିବା ପୂର୍ବରୁ ସେ ଫୋନ୍‍ ଛାଡ଼ି ଦେଇଥିଲା । ମୋର ଆଉ ଜାଣିବାକୁ ବାକି ରହିଲା ନାହିଁ ଯେ ସୁତପା ନିଶ୍ଚୟ କୌଣସି ଅନିଶ୍ଚିତ ବିପଦର ହଠାତ୍‍ ସମ୍ମୁଖୀନ ହୋଇଛି । ନଚେତ୍‍ ସେ ଏପରି ବିବ୍ରତ ହୋଇ ମୋତେ କଦାପି ଫୋନ୍‍ କରିନଥା’ନ୍ତା ।

 

ମୁଁ ଦୋକାନ ବନ୍ଦ କରିଦେଇ ଅନତିବିଳମ୍ବେ ତା’ ନିକଟରେ ଯାଇ ଉପସ୍ଥିତ ହେଲି । ସେ ତା’ର ପ୍ରକୋଷ୍ଠରେ ସ୍ତବ୍ଧ ଓ ହତଭମ୍ବ ହୋଇ ବସି ରହିଥିଲା । ମୁହଁ ଉପରେ ତା’ର ଅସମ୍ଭବ ଆତଙ୍କର ଛାୟା ।

 

ମୋତେ ଦେଖି ଦେଇ ସେ ଯେପରି ଯଥେଷ୍ଟ ଭରସା ପାଇଗଲା । ପଲଙ୍କ ଉପରେ ନିଶ୍ଚୁପ ହୋଇ ବସିଥିଲା ସେ । ହଠାତ୍‍ ଧାଇଁଆସି ମୋ ହାତ ଧରି ପକାଇ ବିବ୍ରତ କଣ୍ଠରେ କହି ଉଠିଲା, ‘‘ ଆମେ ଦୁହେଁ ସମ୍ଭବତଃ ଭୟଙ୍କର ବିପଦର ସମ୍ମୁଖୀନ ହୋଇଛେ । ଆମର ମିଳନ ବିରୁଦ୍ଧରେ ଭୀଷଣ ଷଡ଼ଯନ୍ତ୍ରର ସୂତ୍ରପାତ ହୋଇଛି ।’’

 

ସୁତପାର ଇଙ୍ଗିତପୂର୍ଣ୍ଣ ବକ୍ତବ୍ୟ ମୁଁ ଠିକ୍‍ ବୁଝିନପାରି ନିଃସହାୟ ନିଷପଲକ ଦୃଷ୍ଟିରେ ତାକୁ ଅନାଇ ରହିବାରୁ ସେ ମୋ ମନର ପ୍ରତିକ୍ରିୟା ଉପଲବ୍ଧି କରିପାରି କହିଲା, ‘‘ପ୍ରାୟ ପଇଁଚାଳିଶ ମିନିଟ୍‍ ପୂର୍ବେ ଫୋନରେ ଏକ ଅପରିଚିତା ନାରୀ କଣ୍ଠର ଧମକ ମୁଁ ପାଇଛି । ଆମ ଦୁହିଁଙ୍କର ବିବାହ କଦାପି ସମ୍ଭବ ହୋଇପାରେନା ବୋଲି ସେ ମୋତେ ସତର୍କ କରି ଦେଇ କହିଲା, ‘‘ମୋର ପରିଚୟ ପାଇବାକୁ ଆଦୌ ଚେଷ୍ଟା କରନାହିଁ । ପ୍ରଣୟ କ୍ଷେତ୍ରରେ ପ୍ରତିଦ୍ୱନ୍ଦିନୀ ସମ୍ପର୍କରେ କୌତୂହଳ ଜାଗ୍ରତ ହେବା ଯେ କୌଣସି ନାରୀପକ୍ଷେ ସ୍ୱାଭାବିକ । ମାତ୍ର ମୁଁ ତୁମର କୌତୂହଳ ଚରିତାର୍ଥ କରିବାକୁ ପ୍ରସ୍ତୁତ ନୁହେଁ । ଏତିକି ମନେରଖ ତୁମର ଭାବୀ ସ୍ୱାମୀଙ୍କ ସହ ମୋର ସମ୍ପର୍କର ଘନିଷ୍ଠତା ଅନେକ ଦିନର । ଏ ପ୍ରେମକ୍ଷେତ୍ରରେ ତୁମେ ନବାଗତ ମାତ୍ର । ତେଣୁ ମୋତେ ପଥ ଛାଡ଼ି ଦେଇ ଅପସରି ଯିବା ତୁମଲାଗି କଲ୍ୟାଣକର ହେବ । ମୋର ଉପଦେଶକୁ ଅବଜ୍ଞା କରି ଯଦି ମୋର ପ୍ରତିଦ୍ୱନ୍ଦିନୀ ସାଜିବାକୁ ଇଚ୍ଛା କର ତେବେ କହି ରଖୁଛି, ତୁମେ ଭୟଙ୍କର ବିପଦର ସମ୍ମୁଖୀନ ହେବ ଓ ତୁମର ଭାବୀ ସ୍ୱାମୀ ମଧ୍ୟ ଏ ବିପଦର ଭୟଙ୍କରତାରୁ ଆତ୍ମାରକ୍ଷା କରିପାରିବେ ନାହିଁ । ତୁମକୁ ଦୁଇଦିନ ସମୟ ଦେଲି ଏ ସମ୍ବନ୍ଧରେ ଚିନ୍ତା କରିବାକୁ । ମୁଁ ଆଶାକରେ ତୁମେ ମୋ ପ୍ରସ୍ତାବରେ ସମ୍ମତି ଜଣାଇବ ।’’ ସୁତପା ନିଜର ବକ୍ତବ୍ୟ ଶେଷ କରିବା ସଙ୍ଗେ ସଙ୍ଗେ ମୋତେ ଦୁଇ ବାହୁରେ ଜଡ଼ାଇ ଧରି ଭୋ ଭୋ ହୋଇ କାନ୍ଦି ଉଠିଲା ଓ ଏ କ୍ରନ୍ଦନ ଯେ ଏକ ନିଃସହାୟା ନାରୀର କରୁଣ ଅଭିବ୍ୟକ୍ତି ତା’ ମୋର ଆଉ ବୁଝିବାକୁ ବାକି ରହିଲା ନାହିଁ । ତାକୁ ପ୍ରବୋଧ ଦେଇ ସାନ୍ତ୍ୱନାରେ ତାକୁ ଶାନ୍ତ କରି ଆପଣଙ୍କ ପାଖକୁ ଛୁଟି ଆସିଛି । ବର୍ତ୍ତମାନ କ୍ଷେତ୍ରରେ ମୋର କର୍ତ୍ତବ୍ୟ କ’ଣ, ଆପଣ ଦୟାକରି ମୋତେ ବୁଝାଇ ଦିଅନ୍ତୁ ।’’

ଅରିନ୍ଦମ ଏକାଗ୍ର ଚିତ୍ତରେ ସବୁ ଶୁଣିସାରି ଦୃଢ଼ କଣ୍ଠରେ କହିଲେ, ‘‘ବିପଦରେ ଅଧୈର୍ଯ୍ୟ ହେବା ପୁରୁଷର ଲକ୍ଷଣ ନୁହେଁ । ବିପଦରେ ଭାଙ୍ଗି ପଡ଼ିଲେ ବିପଦ ଅଧିକ ରୁଦ୍ର ହୋଇ ଆକ୍ରମଣ କରିଥାଏ । ପାପିୟସୀ ବରୁଣାର ଧମକ ଏକ ଉନ୍ମାଦିନୀର ପ୍ରଳାପ ଛଡ଼ା ଆଉ କ’ଣ ହୋଇପାରେ-। ସେ ପୁଣି ଆପଣଙ୍କୁ କେଉଁଦିନ ହୃଦୟ ଦେଇ ପ୍ରେମ କରିବସିଲା । ଏ ସବୁ ଖାଲି ଚାଲ । ଆପଣ ବିବାହ କରି ସୁଖୀ ହେବେ ସେ ତା’ ସହ୍ୟ କରିପାରୁନାହିଁ । କୌଣସି ଏକ ଆଳ ଦେଖାଇ ସେ ଆପଣଙ୍କ ସର୍ବନାଶ କରିବାକୁ ଚାହେଁ । ଆଚ୍ଛା ଦେଖାଯାଉ, ତା’ର ଅହଙ୍କାର ଓ ଭଗବାନଙ୍କର ଆଶୀର୍ବାଦ, ଜୟୀ କିଏ ହେଉଛି ! ଯୁଗେ ଯୁଗେ ଦର୍ପୀର ଦର୍ପ ଚୂର୍ଣ୍ଣ ହୋଇଛି । ଭଗବାନ କାହାରି ଗର୍ବ କେବେ ସହ୍ୟ କରିପାରନ୍ତିନାହିଁ ।’’

ଅଜିତ୍‍ କଲିକତା ବାହାରକୁ ଯାଇଥିଲା । ତା’ଆରଦିନ ସନ୍ଧ୍ୟା ପରେ ଫେରି ଅରିନ୍ଦମଙ୍କ ନିକଟରୁ ସବୁ ଶୁଣି ବିସ୍ମୟରେ ସ୍ତବ୍ଧ ହୋଇଗଲା, ‘‘କମ୍‍ ସାହସ ତ ନୁହେଁ ସେ କାଳସର୍ପିଣୀର ! ନିଜକୁ ବିଜ୍ଞାପିତ କରି ଆତଙ୍କ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ଗଭର୍ଣ୍ଣମେଣ୍ଟଙ୍କୁ ଏକ ପ୍ରକାର ଚ୍ୟାଲେଞ୍ଜ ଦେଉଛି ।’’

ଅରିନ୍ଦମ ଅଳ୍ପ ହସି କହିଲେ, ‘‘ଦିସ୍ ଇଜ୍ ଦି ନେଚର ଅଫ୍ ଦ୍ୟାଟ୍‍ ଲେଡି । ବରୁଣାର ସେଇଟା ହିଁ ହେଲା ପ୍ରକୃତି । ତା’ର ନାରୀଦେହ ତଳେ ପିଶାଚୀ ଆତ୍ମଗୋପନ କରିଛି; ଫଳରେ ବିଭିନ୍ନ ପ୍ରକାର ହତ୍ୟା କରିବାରେ ସେ ପ୍ରଚୁର ଆନନ୍ଦ ଆହରଣ କରୁଛି । ସେ କେବଳ ହତ୍ୟା ଚାହେଁ । କୌଣସି କାରଣ ନ ଥାଇ କୌଣସି ସ୍ୱାର୍ଥ ନ ଥାଇ ନିଜର ମଜା ନିମିତ୍ତ ସେ ମନଇଛା ଯାହାକୁ ହେଲେ ହତ୍ୟା କରିପାରେ । ଦେଖିଲନି ପ୍ରିନ୍ସ ରୁଦ୍ରନାରାୟଣଙ୍କର ଶିଶୁପୁତ୍ର ସୁରଥକୁ ହତ୍ୟା କରିବାର କିଛି କାରଣ ଥିଲା ? ସେ ଯା ହେଉ ବର୍ତ୍ତମାନ କ୍ଷେତ୍ରରେ ମୋର କାହିଁକି ମନେହୁଏ ନିର୍ଦ୍ଦିଷ୍ଟ କୌଣସି ଜଘନ୍ୟ ମତଲବରେ ସେ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଶଶାଙ୍କକୁ ବିବାହ ନ କରିବା ଲାଗି ଫୋନ୍‍ ଉପରେ ଯେ ସୁତପାକୁ ଧମକ ଦେଇଛି ସେ ବରୁଣା ବ୍ୟତୀତ ଅନ୍ୟକେହି ଆଉ ହୋଇନପାରେ । ଶଶାକଙ୍କର ସର୍ବନାଶ କରିବା ନିମିତ୍ତ ସେମାନେ ଯେ ବଦ୍ଧପରିକର ବିନୋଦର ପଞ୍ଜାବୀ ଛଦ୍ମବେଶ ଅନ୍ତରାଳରେ ବନ୍ଧୁକ ଦୋକାନରେ ପ୍ରବେଶ ତା’ର ସ୍ପଷ୍ଟ ସୂଚନା ଦିଏ । ଶଶାଙ୍କର ବିବାହ ଆଉ ବେଶୀ ଦିନ ନାହିଁ । ମୋର ଯେତେଦୂର ବିଶ୍ୱାସ ଏ ବିବାହ ପୂର୍ବରୁ ବରୁଣା ଓ ବିନୋଦକୁ ଗ୍ରେପ୍ତାର କରାନଯାଇ ପାରିଲେ ବଡ଼ ଧରଣର କିଛି ଗୋଟାଏ ସର୍ବନାଶ ନିଶ୍ଚୟ ଘଟିଯିବ ।’’

ଅଜିତ୍‍ ମୁହୂର୍ତ୍ତେ ମୌନ ରହି ହତାଶ୍‍ କଣ୍ଠରେ କହିଲା, ‘‘ତେବେ ଉପାୟ ।’’

 

‘‘ଉପାୟ ହେଉଛି ବରୁଣା ଓ ବିନୋଦକୁ ଯେ କୌଣସି ପ୍ରକାରେ ଖୋଜି ବାହାର କରିବାକୁ ପଡ଼ିବ । ଏହା ନିଶ୍ଚିତ କଥା ଯେ ଶଶାଙ୍କର ବିବାହ ପୂର୍ବରୁ ବିନୋଦ ଓ ବରୁଣା କଲିକତା ଛାଡ଼ି ଅନ୍ୟତ୍ର ଯାଉନାହାନ୍ତି । କାରଣ ସେମାନେ ନିଜର ଜିଦ୍ ଚରିତାର୍ଥ କରିବାକୁ ଚାହାନ୍ତି, ଅର୍ଥାତ୍‍ ସୁତପା ସହ ଶଶାଙ୍କର ବିବାହ ସେମାନେ କଦାପି କରାଇ ଦେବେ ନାହିଁ । ଅତଏବ ସେ ଦୁହିଁଙ୍କୁ ଅବିଳମ୍ବେ ଗ୍ରେପ୍ତାର କରିବାକୁ ପଡ଼ିବ । ମାତ୍ର ବର୍ତ୍ତମାନ ପ୍ରଶ୍ନ ହେଉଛି କେଉଁ କେଉଁ ସ୍ଥାନରେ ସେମାନଙ୍କର ଆତ୍ମଗୋପନ କରି ରହିଥିବାର ସମ୍ଭାବନା ରହିଛି । ମୋର ଯେତେଦୂର ମନେହୁଏ ଅଭିଜାତ ହୋଟେଲ ବ୍ୟତୀତ ସେମାନେ ନିଶ୍ଚୟ ଅନ୍ୟକୌଣସି ସ୍ଥାନରେ ସେମାନଙ୍କର ଆସ୍ଥାନ ଜମାଇ ନ ଥିବେ । ତେଣୁ ମୁଁ ଭାବୁଛି କଲିକତାସ୍ଥ, ସମସ୍ତ ଅଭିଜାତ ହୋଟେଲରେ ଯଦି ଗୋପନ ଅନୁସନ୍ଧାନ କରାଯାଏ ତେବେ ସେମାନଙ୍କର ସ୍ଥିତି ସମ୍ବନ୍ଧରେ ଆମ୍ଭେମାନେ ଅବିଳମ୍ବେ ଅବହିତ ହୋଇଯାଇ ପାରିବା । ଇତିମଧ୍ୟରେ ମୁଁ ମୋର ଚିନ୍ତା କାର୍ଯ୍ୟକାରୀ କରିବାକୁ ଯାଇ କେତେଜଣ ଗୁପ୍ତଚର ଅନୁସନ୍ଧାନ ବ୍ୟାପାରରେ ନିଯୁକ୍ତ କରିଦେଇ ସାରିଲିଣି । କିନ୍ତୁ ତୁମକୁ ମୁଁ ଏ ଦାୟିତ୍ୱ ସମ୍ପୂର୍ଣ୍ଣଭାବେ ଅର୍ପଣ କରୁଛି । ପ୍ରତ୍ୟେକ ଗୁପ୍ତଚରକୁ ମୋର ନିର୍ଦ୍ଦେଶ ଅଛି ତାଙ୍କର ଅନୁସନ୍ଧାନର ଫଳାଫଳ ପ୍ରତ୍ୟହ ଆସି ତୁମକୁ ଜଣାଇବେ ଓ ତୁମକୁ ମୋର ଅନୁରୋଧ ଗୁପ୍ତଚରମାନଙ୍କର ରିପୋର୍ଟ ପ୍ରତି ଅପେକ୍ଷା ନ ରଖି ତୁମେ ତୁମ ପଥରେ ଅଗ୍ରସର ହୋଇଯାଅ । କିଏ ଜାଣେ ବିବିଧ ଅନୁସନ୍ଧାନ ମଧ୍ୟରୁ କେଉଁ ଗୋଟିକ ଫଳପ୍ରଦ ହେଉଛି ।’’

 

ଅରିନ୍ଦମ ନିଜର କଥା ଶେଷରେ ରିଷ୍ଟଓ୍ୱାଚ ଉପରେ ଦୃଷ୍ଟି ବୁଲାଇ ଆଣି ଅଜିତ୍‍କୁ ଉଦ୍ଦେଶ୍ୟ କରି କହିଲେ, ‘‘ରାତି ଦଶଟା ହେଲା । ତୁମେ ବର୍ତ୍ତମାନ ଆସ । କାଲି ସକାଳେ କିନ୍ତୁ ମୋ ସହିତ ଆସି ନିଶ୍ଚୟ ଦେଖାକର । ଆଜି ରାତିରେ ଗୁପ୍ତଚରମାନଙ୍କର ରିପୋର୍ଟ ଉପରେ ଆମ୍ଭମାନଙ୍କୁ ଗଭୀରଭାବେ ବିଚାର କରିବାକୁ ହେବ ।’’

 

ଅଜିତ୍‍ ବିଦାୟ ନେବାକୁ ଉଦ୍ୟତ ହେଉଛି ଠିକ୍‍ ଏହି ସମୟରେ ପୋଲିସ୍‍ ସୁପରିନଟେଣ୍ଡେଣ୍ଟ ମି. ଘୋଷାଲ ଜଣେ ପ୍ରୌଢ଼ ଭଦ୍ରଲୋକଙ୍କୁ ସଙ୍ଗରେ ନେଇ ଦ୍ରୁତ ପଦରେ କକ୍ଷ ମଧ୍ୟରେ ପ୍ରବେଶ କଲେ ।

 

‘‘ଆପଣ ।’’ ସସମ୍ଭ୍ରମେ ଅରିନ୍ଦମ ଚେୟାର ଛାଡ଼ି ଉଠି ଠିଆ ହୋଇପଡ଼ି ମି. ଘୋଷାଲଙ୍କୁ ନମସ୍କାର କଲେ । ଅଜିତ୍ ମଧ୍ୟ ନମସ୍କାର କରିବା ସଙ୍ଗେ ସଙ୍ଗେ ଚେୟାର ଛାଡ଼ି ଉଠି ଠିଆ ହୋଇପଡ଼ିଲେ ।

 

ମି. ଘୋଷାଲଙ୍କ ମୁହଁ ଉପରେ ଗଭୀର ଚିନ୍ତାର ଛାୟା ଓ ତାଙ୍କ ସହିତ ଆସିଥିବା ଭଦ୍ରଲୋକଙ୍କ ମୁହଁ ଉପରର ଭାବ ଲକ୍ଷ୍ୟକଲେ ମନେହୁଏ, ସେ ଯେପରି ଅତ୍ୟନ୍ତ ବିବ୍ରତ ହୋଇପଡ଼ିଛନ୍ତି । ଦୁଇଟି ନୟନରେ ତାଙ୍କର ଗଭୀର ଆତଙ୍କ ଓ ବ୍ୟଥାର ପ୍ରଲେପ ।

 

ମି. ଘୋଷାଲ ପ୍ରୌଢ଼ ଭଦ୍ରଲୋକଙ୍କୁ ବସିବାକୁ ଅନୁରୋଧ ଜଣାଇ ଅରିନ୍ଦମ ଓ ଅଜିତ୍‍କୁ ବସିବାକୁ ନିର୍ଦ୍ଦେଶ ଦେଲେ । ସଙ୍ଗେ ସଙ୍ଗେ ନିଜେ ଖଣ୍ଡେ ଚେୟାର ଭିଡ଼ିନେଇ ବସିପଡ଼ି ଅରିନ୍ଦମଙ୍କୁ ଉଦ୍ଦେଶ୍ୟ କରି କହି ଉଠିଲେ, ‘‘ଆପଣଙ୍କୁ ଫୋନରେ ଡାକି କଥା କହିବା ଅପେକ୍ଷା ନିଜେ ଆସି ଆପଣଙ୍କୁ ସାକ୍ଷାତ୍‍ କରିବା ସମୀଚୀନ ମନେକରି ସୁକାନ୍ତବାବୁଙ୍କୁ ସଙ୍ଗରେ ନେଇ ଚାଲିଆସିଛି ।’’

 

ସୁକାନ୍ତବାବୁଙ୍କ ନାମ ଶୁଣି ଅରିନ୍ଦମ ଚମକି ପଡ଼ିଲେ । ଶଶାଙ୍କ ସହିତ ଅରିନ୍ଦମଙ୍କର ଯେଉଁ ବାକ୍ୟାଳାପ ହୋଇଥିଲା ତା’ର ସମସ୍ତ ବିବରଣୀ ସେ ମି. ଘୋଷାଲଙ୍କୁ ପୂର୍ବରୁ ଜଣାଇଥିଲେ-। ସେଇ ପ୍ରସଙ୍ଗକୁ ଉପଲକ୍ଷ କରି ମି. ଘୋଷାଲ କହିଲେ, ‘‘ପ୍ରଥମେ ଶଶାଙ୍କବାବୁଙ୍କ ଦୋକାନରେ ଛଦ୍ମବେଶୀ ଶତ୍ରୁର ଆବିର୍ଭାବ ଘଟିଲା । ପରେ ପରେ ସୁତପାକୁ ଫୋନ୍‍ ଉପରେ ଶଶାଙ୍କବାବୁଙ୍କୁ ବିବାହ ନ କରିବା ଲାଗି ଧମକ ଦିଆଗଲା । ସୁକାନ୍ତବାବୁ ଯେତେବେଳେ ସୁତପାର ପିତା, ପୁଣି ଶଶାଙ୍କର ଭାବୀ ଶ୍ୱଶୁର ଶତ୍ରୁ ତାଙ୍କୁ ନିଜ ଚିନ୍ତା ମଧ୍ୟରୁ ବାଦ୍‍ ଦେଇଥା’ନ୍ତା ବା କିପରି ?’’

 

ଅରିନ୍ଦମଙ୍କର ବିସ୍ମୟବିସ୍ଫାରିତ ଦୃଷ୍ଟି ଉପରେ ନିଜର ଦୃଷ୍ଟି ଅବିଚଳିତ ରଖି ମି. ଘୋଷାଲ କହିଲେ, ‘‘ଶତ୍ରୁର ଧମକରେ ବିଚଳିତ ହୋଇ ସୁକାନ୍ତବାବୁ ଯେତେବେଳେ ଆସି ମୋର ଶରଣାପନ୍ନ ହେଲେ ସେତେବେଳେ ମୁଁ ତାଙ୍କୁ ଆପଣଙ୍କ ନିକଟକୁ ନେଇ ଆସିବା ଉଚିତ ମନେକଲି-। ଆପଣ ତାଙ୍କର ବକ୍ତବ୍ୟ ଶୁଣିବା ପରେ ବିହିତ ବ୍ୟବସ୍ଥା କରିପାରିବେ ବୋଲି ଆଶା କରେ ।’’ ମି. ଘୋଷାଲ ସୁକାନ୍ତବାବୁଙ୍କୁ ଆଖି ଇଙ୍ଗିତରେ ତାଙ୍କର ବକ୍ତବ୍ୟ ପ୍ରକାଶ କରିବାକୁ ଇସାରା ଦେଲେ ।

 

ସୁକାନ୍ତବାବୁ ନିଜକୁ ପ୍ରକୃତିସ୍ଥ କରିନେଇ ବାଷ୍ପାଚ୍ଛନ୍ନ କରୁଣ କଣ୍ଠରେ କହିଲେ, ‘‘ସୁତପା ଯେଉଁଦିନ ଜଡ଼ିତ, ସଙ୍କୁଚିତ କଣ୍ଠରେ ଆସି ମୋ ନିକଟରେ ପ୍ରକାଶ କଲା ଯେ ସେ ଶଶାଙ୍କକୁ ଜୀବନସାଥୀ ରୂପେ ବାଛି ନେଇଛି ଓ ସେ ତାକୁ ବିବାହ କରିବାକୁ ଚାହେଁ, ମୁଁ ସଙ୍ଗେ ସଙ୍ଗେ ତା’ ପ୍ରସ୍ତାବରେ ସାନନ୍ଦ ସମ୍ମତି ଜଣାଇ ଥିଲି । କାରଣ ସୁତପାର ଚିନ୍ତାର ସ୍ୱାଧୀନତା ଉପରେ ହସ୍ତକ୍ଷେପ କରିବାର ମୁଁ ସମ୍ପୂର୍ଣ୍ଣ ବିରୋଧୀ ଥିଲି । ସେ ନିଜର ବଳିଷ୍ଠ ଚିନ୍ତାଦ୍ୱାରା ପରିଚାଳିତ ହୋଇ ସୁଖୀ ହେଉ ଏହାହିଁ ମୋର ଏକାନ୍ତ କାମନା ଥିଲା । ଏ ବିବାହ ପ୍ରସ୍ତାବ ଶଶାଙ୍କର ପିତା ନରେଶବାବୁଙ୍କ ନିକଟରେ ଯେତେବେଳେ ଉପସ୍ଥାପନ କଲି ଆହ୍ଲାଦରେ ସେ ମୋତେ ଏକପ୍ରକାର କୁଣ୍ଢାଇ ପକାଇ କହିଲେ, ‘‘ଇତିମଧ୍ୟରେ ଶଶାଙ୍କ ନିଜର ମନ ସ୍ଥିର କରି ନିଜର ରୁଚି ଅନୁଯାୟୀ ଯେ ଜୀବନସଙ୍ଗିନୀ ବାଛିନେଇ ପାରିଛି ଏହାଠାରୁ ବଳି ଅଧିକ ଆନନ୍ଦପ୍ରଦ ସମ୍ବାଦ ମୋ ଲାଗି ଅନ୍ୟ ଆଉ କ’ଣ ଅଛି ? ସୁବର୍ଣ୍ଣଗଡ଼ ରାଜକୁମାରୀ ନିକଟରେ ପ୍ରତାରିତ ହୋଇ କୌଣସି ପ୍ରକାରେ ଜୀବନରକ୍ଷା କରି ପଳାଇ ଆସିବା ପରେ ଏକପ୍ରକାର ଅର୍ଦ୍ଧୋନ୍ମାଦ ଅବସ୍ଥାରେ ଦିନାତିପାତ କରୁଥିଲା ।

 

କିଛିଦିନ ଉତ୍ତାରେ ସେ ପ୍ରକୃତିସ୍ଥ ହୋଇ ସ୍ୱାଭାବିକଭାବେ ସଂସାରର ସବୁ କାର୍ଯ୍ୟ ନିର୍ଭୁଲଭାବେ କରିବାକୁ ଲାଗିଲା ସତ, ମାତ୍ର ଦୁଶ୍ଚିନ୍ତାରୁ ସେ ପୂର୍ଣ୍ଣମାତ୍ରାରେ ମୁକ୍ତି ପାଇଥିବା ପରି କାହିଁକି ମନେହେଲା ନାହିଁ । କିନ୍ତୁ ସେ ଯାହାହେଉ ଅତୀତଟାକୁ ଏବେ ସେ ସମ୍ପୂର୍ଣ୍ଣ ବିସ୍ମୃତ ହୋଇ ନିଜର ବଳିଷ୍ଠ ଚିନ୍ତାର ନିର୍ଦ୍ଦେଶରେ ବିକ୍ଷିପ୍ତ ମନକୁ ଶୃଙ୍ଖଳିତ କରିନେଇ ସଂସାର ରଚିବାର ନୂତନ ପ୍ରେରଣାରେ ସୁତପାକୁ ସେ ସହଧର୍ମିଣୀରୂପେ ମନୋନୀତ କରି ନେଇଛି ଏ ସମ୍ବାଦ ଶ୍ରବଣରେ ଆନନ୍ଦରେ ମୋର ଆଜି ନୃତ୍ୟ କରିବାକୁ ଇଚ୍ଛା ହେଉଛି ।’’

 

ନରେଶବାବୁଙ୍କ ଆନନ୍ଦ ସହ ମୋର ଆନନ୍ଦ ସାମିଲ ହୋଇଯିବା ପରେ ଆମ୍ଭେମାନେ ଏ ବିବାହ କିପରି ଶୀଘ୍ର ଅନୁଷ୍ଠିତ ହେବ ସେଥିଲାଗି ତତ୍ପର ହୋଇଉଠି ବିବାହ ଦିନ ପର୍ଯ୍ୟନ୍ତ ସ୍ଥିର କରିଦେଲୁ । ଶୁଭସ୍ୟ ଶୀଘ୍ରଂ । ମାତ୍ର ଆମ୍ଭମାନଙ୍କର ଏତେ ତତ୍ପରତା ଅନ୍ତରାଳରେ ବିଧିର ଉପହାସ ଯେ ପ୍ରଚ୍ଛନ୍ନ ରହିଛି ତା’ କ’ଣ ଆମେ ସ୍ୱପ୍ନରେ ସୁଦ୍ଧା ଭାବି ପାରିଥିଲୁ ।

 

ସୁତପାକୁ ଫୋନରେ ଧମକ ଦିଆଯାଇଥିବା ସମ୍ବାଦ ଶୁଣି କ୍ରୋଧରେ ମୁଁ ଉନ୍ମତ୍ତ ହୋଇ ଉଠିଥିଲି । ମୋ ମା’ର ବିଷଣ୍ଣ ମୁଖମଣ୍ଡଳ ଲକ୍ଷ୍ୟକରି ତାକୁ ସାନ୍ତ୍ୱନା ଦେଇ କହିଲି, ‘‘ମା ତୁ ଆଦୌ ବ୍ୟସ୍ତ ହନା । କାହାର ମିଥ୍ୟା ଧମକ ଚମକରେ ତୋ’ର ଏ ବିବାହ କଦାପି ବନ୍ଦ ହୋଇନପାରେ ।’’ ନରେଶବାବୁଙ୍କ ସହ ଏ ସମ୍ବନ୍ଧରେ ମୁଁ ପରାମର୍ଶ କରିଥିଲି । ଶଶାଙ୍କକୁ ମଧ୍ୟ ବୁଝାଇ ଅଧୈର୍ଯ୍ୟ ନ ହେବାକୁ ପରାମର୍ଶ ଦେଇଥିଲି । ମାତ୍ର ଆଜି ସନ୍ଧ୍ୟା ସାଢ଼େସାତଟା ସମୟରେ ମୁଁ ଯେଉଁ ଭୟଙ୍କରତାର ସମ୍ମୁଖୀନ ହେଲି ସେଥିରେ ମୋର ସକଳ ଧୈର୍ଯ୍ୟ ଓ ସାହସ ଦୋହଲି ଯାଇଛି ଓ ଶଶାଙ୍କ ସଙ୍ଗେ ସୁତପାର ବିବାହ ବର୍ତ୍ତମାନ କ୍ଷେତ୍ରରେ କେତେଦୂର କରଣୀୟ ସେ ସମ୍ବନ୍ଧରେ ମୁଁ ବେଶ୍‍ ଦ୍ୱିଧାଗ୍ରସ୍ତ ହୋଇଉଠିଛି । ସନ୍ଧ୍ୟା ପରେ ମୁଁ ଡ୍ରଇଂ ରୁମରେ ବସି ଖଣ୍ଡେ ବହି ପଢ଼ୁଥିଲି, ଅକସ୍ମାତ୍‍ ଜଣେ ପଞ୍ଜାବୀ ଭଦ୍ରଲୋକ ପ୍ରକୋଷ୍ଠ ମଧ୍ୟକୁ ପଶିଆସି ମୋତେ ନମସ୍କାର କଲେ । ମୁଁ ତାଙ୍କୁ ପ୍ରଶ୍ନବାଚକ ଦୃଷ୍ଟିରେ ଚାହିଁ ରହିବାରୁ ସେ ସସମ୍ଭ୍ରମେ କହିଲେ, ‘‘ବାହାରେ କାର୍‍ ମଧ୍ୟରେ ଜଣେ ଭଦ୍ରମହିଳା ଅପେକ୍ଷା କରୁଛନ୍ତି । ବିଶେଷ ପ୍ରୟୋଜନ ହେତୁ ସେ ନିଜେ ଆସି ନ ପାରି ଆପଣଙ୍କୁ ଡାକୁଛନ୍ତି । ଦୟାକରି ଟିକିଏ ଆସିବେ କି ?’’ ପଞ୍ଜାବୀ ଭଦ୍ରଲୋକର ଅନୁରୋଧ ଏପରି ସୌଜନ୍ୟପୂର୍ଣ୍ଣ ଥିଲା ଯେ ହଠାତ୍‍ କୌଣସି ଦ୍ୱିଧା ବା ସଂଶୟ ମୋ ମନକୁ ସ୍ପର୍ଶ କରିନଥିଲା । ମୁଁ ସଙ୍ଗେ ସଙ୍ଗେ ତାଙ୍କ ସହିତ କାର୍‍ ନିକଟରେ ଯାଇ ଉପସ୍ଥିତ ହେଲି । ମାତ୍ର ପଲକ ମଧ୍ୟରେ ଯାହା ଘଟିଗଲା ସେଥିଲାଗି ମୁଁ ତ ଆଦୌ ପ୍ରସ୍ତୁତ ନ ଥିଲି । ମଟର ଭିତରକୁ ମୁଁ ଉଙ୍କି ମାରିବାକୁ ଉଦ୍ୟତ ହେଉଛି, ହଠାତ୍‍ ପଛ ଦରଜାଟା ଖୋଲିଗଲା ଓ କାର୍‍ର ପଛ ସିଟ୍‍ରୁ ମୋତେ କେହି ଯେପରି ଓଟାରି ଭିତରକୁ ନେଇଗଲା । ପରମୁହୂର୍ତ୍ତରେ ମଟର ଦରଜା ସଶବ୍ଦେ ବନ୍ଦ ହୋଇଯିବା ସଙ୍ଗେ ସଙ୍ଗେ ଦ୍ରୁତବେଗରେ ତା’ ଛୁଟିବାକୁ ଆରମ୍ଭ କଲା ।

 

ମୁଁ ଏ ଆକସ୍ମିକ ଆକ୍ରମଣରେ ଏପରି ହଡ଼ବଡ଼େଇ ଯାଇଥିଲି ଯେ ପଲକ ମଧ୍ୟରେ ଏସବୁ କ’ଣ ଘଟିଗଲା ତାହା ଚିନ୍ତା ପର୍ଯ୍ୟନ୍ତ କରିପାରିଲିନାହିଁ । ଚିତ୍କାର କରିବାକୁ ଚେଷ୍ଟା କରିଥିଲି, ମାତ୍ର ମୋ ଛାତି ପାଖେ ରିଭଲ୍‍ଭର୍‍ ନଳୀର ସ୍ପର୍ଶ ଅନୁଭବ କରି ସ୍ଥାଣୁ ସମ ରହିଗଲି । କାନ ପାଖେ ନାରୀ କଣ୍ଠର ଧମକ, ‘‘ଚିତ୍କାର କରିବାକୁ ଚେଷ୍ଟା କଲେ ପରିଣତି କ’ଣ ହେବ ବୁଝିପାରୁଛନ୍ତି-। ସୁନା ପିଲାଟି ପରି ଚୁପ୍‍ ହୋଇ ରୁହନ୍ତୁ ।’’

 

ଜୀବନ ଭୟରେ ମୁଁ ସତରେ ଚୁପ୍‍ ହୋଇଗଲି ।

 

‘‘ଭୟ କରିବେ ନାହିଁ କି ଜୀବନ ହାନି ଆଶଙ୍କାରେ ଅଯଥା ଆତଙ୍କିତ ହେବେ ନାହିଁ ।’’ ନାରୀ କଣ୍ଠର ଭାଷାରେ ସାନ୍ତ୍ୱନାର ସ୍ପର୍ଶ, ‘‘ଆପଣଙ୍କର କନ୍ୟା ସୁତପାକୁ ମୁଁ ଫୋନରେ ସତର୍କ କରିଦେଇଥିଲି, ଶଶାଙ୍କବାବୁଙ୍କୁ ସେ କଦାପି ବିବାହ ନ କରୁ । କାରଣ ମୁଁ ଜଣେ ତା’ର ପ୍ରତିଦ୍ୱନ୍ଦିନୀ ରହିଛି ।’’

 

ମଟର ଅସ୍ପଷ୍ଟ ଅନ୍ଧାର ଭିତରେ ସାଲୁଆର ଓ ଜମ୍ପର ପରିହିତା ନାରୀଟିକୁ ମୁଁ ଚିହ୍ନିବାକୁ ଚେଷ୍ଟା କରୁଥିଲି । ମାତ୍ର ଆଖିରେ ତା’ର କଳା ଗଗଲ୍‍ସ ଥିବାରୁ ତାକୁ ଚିହ୍ନିପାରିବା ମୋ ପକ୍ଷେ ଆଦୌ ସମ୍ଭବ ହୋଇନଥିଲା । ସେ ମୋର ପ୍ରଚେଷ୍ଟା ଲକ୍ଷ୍ୟକରି କହିଲା, ‘‘ମୁଁ ତ ନିଜକୁ ଗୋପନ କରୁନାହିଁ । ନିଜର ପରିଚୟ ଦେବାରେ ମୁଁ ଆଦୌ ପଶ୍ଚାତ୍‍ପଦ ନୁହେଁ । ନିଜର ପରିଚୟ ଦେଇ ମୁଁ ଆପଣଙ୍କ ମୁହଁରୁ ମୋ ପ୍ରଶ୍ନର ସଠିକ୍‍ ଜବାବ୍‍ ଚାହେଁ ।’’

 

ଇତିମଧ୍ୟରେ ମଟର ରାଜପଥ ଛାଡ଼ି ଏକ ଶୂନ୍ୟ ପ୍ରାନ୍ତର ଦେଇ ସମ୍ଭବତଃ ଗତି କରୁଥିଲା । କାରଣ ଚତୁର୍ଦ୍ଦିଗରେ ନିବିଡ଼ ଅନ୍ଧକାର ବ୍ୟତୀତ ଅନ୍ୟକିଛି ଦେଖା ଯାଉନଥିଲା । ମଟରଟି ଆଉ କିଛିକ୍ଷଣ ଗତି କଲାପରେ ବନ୍ଦ ହୋଇଗଲା ।

 

‘‘ମୁଁ ଆପଣଙ୍କୁ ଏକ ନିର୍ଜନ ପ୍ରାନ୍ତର ମଧ୍ୟକୁ ନେଇ ଆସିଛି, କାରଣ ଏଠାରେ ମୋର ଆପଣଙ୍କ ସହିତ ଆଳାପର ସୁବିଧା ହେବ ନାହିଁ ଓ ମୁଁ ମଧ୍ୟ ମୋ ମନକଥା ଆପଣଙ୍କୁ ବୁଝାଇ କହିପାରିବି । ନାରୀ କଣ୍ଠରେ ତା’ ମନ ଭାଷାର ସ୍ପଷ୍ଟ ଅଭିବ୍ୟକ୍ତି ।’’

 

ମଟର ରହିବା ସଙ୍ଗେ ସଙ୍ଗେ ପଞ୍ଜାବୀ ଡ୍ରାଇଭରକୁ ଉଦ୍ଦେଶ୍ୟ କରି ବରୁଣା କହିଲା, ‘‘ବିନୋଦ, ତୁମେ ବାହାରେ ଯାଇ ଟିକିଏ ଅପେକ୍ଷା କର, ପରେ ମୁଁ ପୁଣି ତୁମକୁ ଡାକିବି ।’’

 

ବିନୋଦ ନାରୀର ନିର୍ଦ୍ଦେଶ ଅବିଳମ୍ବେ ପାଳନ କଲା ।

 

ବିନୋଦର ପ୍ରସ୍ଥାନ ପରେ ନାରୀ ମୋତେ ଉଦ୍ଦେଶ୍ୟ କରି କହିଲା, ‘‘ଆପଣ ସ୍ୱଚ୍ଛନ୍ଦଭାବେ ଉଠି ବସନ୍ତୁ । ମୁଁ ମୋର ବକ୍ତବ୍ୟ ପ୍ରକାଶ କରୁଛି ।’’

 

ମୁଁ ସତରେ ପ୍ରାଣ ଆତଙ୍କରେ ଏକ ଅଶ୍ୱସ୍ତିକର ଅବସ୍ଥାରେ ବସି ରହିଥିଲି । ବର୍ତ୍ତମାନ ନାରୀର ନିର୍ଦ୍ଦେଶରେ ମୁଁ ମଟରର ପଛ ସିଟରେ ଗୋଟାଏ ପାଖକୁ ଆଉଜି ସୁବିଧାରେ ବସିଲି ।

 

ନାରୀ ରିଭଲ୍‍ଭର୍‍ ମୋ ଛାତି ପାଖରୁ ଉଠାଇ ନେଇ ସାବଲୀଳ କଣ୍ଠରେ କହିଲା, ‘‘ମୁଁ ହେଉଛି ସୁବର୍ଣ୍ଣଗଡ଼ର ରାଜକନ୍ୟା ବରୁଣା । ଶଶାଙ୍କବାବୁ ଯେତେବେଳେ ଆପଣଙ୍କର ଭାବୀ ଜାମାତା ହେବାକୁ ଯାଉଛନ୍ତି, ସେତେବେଳେ ଆପଣ ମୋ ସମ୍ବନ୍ଧରେ ଅନେକ କିଛି ଜାଣିଥିବେ । ସୁବର୍ଣ୍ଣଗଡ଼ରେ ଯେଉଁ ଘୋଡ଼ାଦୌଡ଼ ପ୍ରତିଯୋଗିତା ହୋଇଥିଲା, ସେଥିରେ ସେ ମୋତେ ପରାଜିତ କରି ବିଜୟୀ ହୋଇଥିଲେ । ତାଙ୍କ ବ୍ୟତୀତ ଆଜିଯାଏ କେହି ଜଣେ ହେଲେ ପ୍ରତିଯୋଗିତାରେ ମୋର ସମକକ୍ଷ ହୋଇପାରିନଥିଲେ ।’’

 

ରାଜକୁମାରୀ ବରୁଣା କି କୌଶଳ ଅବଲମ୍ବନ କରି ଅଶ୍ୱଦୌଡ଼ ପ୍ରତିଯୋଗିତାରେ ବିଜୟ ଲାଭ କରି ପାରୁଥିଲା ସେ ରହସ୍ୟ ମୁଁ ଅବଗତ ଥିଲି, ତେଣୁ ବରୁଣା ବକ୍ତବ୍ୟର ପ୍ରତିବାଦ ନ କରି ରହିପାରିଲି ନାହିଁ । ଆପଣ ତ ପ୍ରତାରଣା କରି ବିଜୟର ସମ୍ମାନ ଲାଭ କରୁଥିଲେ । କୌଶଳ ଧରାପଡ଼ିଯିବାରୁ ଆପଣଙ୍କୁ ପରାଜୟ ସ୍ୱୀକାର କରିବାକୁ ପଡ଼ିଲା ।

 

‘‘ମାନୁଛି, ବରୁଣା କଠୋର କଣ୍ଠରେ କହିଲା, ‘‘ବିଧିର ନିର୍ଦ୍ଦେଶ ଅନୁଯାୟୀ ମୁଁ ଯା ନିକଟରେ ପରାଜିତ ହେଲି ସେ ଧର୍ମତଃ ମୋର ସ୍ୱାମୀ । ତେଣୁ ଶଶାଙ୍କବାବୁଙ୍କ ଉପରେ ମୋ ବ୍ୟତୀତ ଅନ୍ୟକାହାରି ଅଧିକାର ଆସି ନ ପାରେ ।’’

 

ଛଳନାମୟୀ ବରୁଣାର ବିଚିତ୍ର ଯୁକ୍ତି ମୁଁ ମାନି ନେବାକୁ ଆଦୌ ପ୍ରସ୍ତୁତ ନ ଥିଲି । ତେଣୁ ତୀବ୍ର ପ୍ରତିବାଦ କରି କହିଲି, ‘‘ସେଥିଲାଗି ତ ତାକୁ ହତ୍ୟା କରିବାର ସିଦ୍ଧାନ୍ତ ନେଇଥିଲି । ଈଶ୍ୱର ହୁଏତ ରକ୍ଷା କରିନଥିଲେ ସେ ଆପଣଙ୍କ ହାତରେ ଶେଷ ନିଃଶ୍ୱାସ ତ୍ୟାଗ କରିଥା’ନ୍ତା ।’’

 

‘‘ଆପଣଙ୍କ କଥା ସହିତ ମୁଁ ଏକମତ ହେଉଛି । ମୁଁ ବାସ୍ତବିକ୍‍ ସେତେବେଳେ କ୍ରୋଧାନ୍ଧ ହୋଇ ନିଜ ପରାଜୟ ଅପମାନର ପ୍ରତିଶୋଧ ନେବା ନିମିତ୍ତ ଶଶାଙ୍କବାବୁଙ୍କୁ ଅନ୍ୟ ପ୍ରତିଯୋଗୀମାନଙ୍କ ପରି ହତ୍ୟା କରିବାକୁ ଦୃଢ଼ପ୍ରତିଜ୍ଞ ହୋଇଥିଲି । ମାତ୍ର ବର୍ତ୍ତମାନ ମୁଁ ମୋର ସିନ୍ଧାନ୍ତ ବଦଳାଇଛି । ମୁଁ ଯେତେ କୋଠର ହେଲେ ବି ମୋ ମନତଳେ ଯେ ନାରୀସୁଲଭ ଦୁର୍ବଳତା ଭରି ରହିଛି ତାହା କୌଣସି ପ୍ରକାରେ ତ ଅସ୍ୱୀକାର କରାଯାଇନପାରେ । ମୋ ହୃଦୟ ତଳେ ଯେଉଁ ତୁମୂଳ ପରିବର୍ତ୍ତନ ଘଟିଛି ତା’ରି ପ୍ରତିକ୍ରିୟା ମୋତେ ଆଜି ଶଶାଙ୍କବାବୁଙ୍କୁ ଆପଣାର କରି ପାଇବା ନିମିତ୍ତ ଉଦ୍‍ବୁଦ୍ଧ କରିଛି । ମୁଁ ଆଜି ସତରେ ଶଶାଙ୍କବାବୁଙ୍କୁ ନିଜର କରି ପାଇବାକୁ ଚାହେଁ ।’’

 

‘‘ଅର୍ଥାତ୍‍ ଆପଣ ଶଶାଙ୍କବାବୁଙ୍କର ଧର୍ମପତ୍ନୀ ହେବାକୁ ଇଚ୍ଛା କରନ୍ତି ।’’ ମୋ ଓଠରେ ବିଦ୍ରୂପ ଆପେ ଆପେ ଉଚ୍ଚାରିତ ହୋଇପଡ଼ିଲା ।

 

‘‘ଆପଣ ମୋତେ ଉପହାସ କରୁଛନ୍ତି ?’’ ବରୁଣା କଣ୍ଠରେ କ୍ରୋଧ ଭରି ଯାଇଛି । ମୋତେ ଉପହାସ ନ କରି ବିଶ୍ୱାସ କରିବାକୁ ଚେଷ୍ଟା କରନ୍ତୁ ।

 

ପ୍ରିନ୍ସ ରୁଦ୍ରନାରାୟଣଙ୍କ ଶିଶୁ ପୁତ୍ରର ହତ୍ୟାର କାରୁଣ୍ୟ ମୋ ମନତଳେ ଉଦବେଳିତ ହେଉଥିଲା । ତେଣୁ ମୁଁ ନିଜକୁ ସମ୍ବରଣ କରିନପାରି କହି ଉଠିଲି, ‘‘ଆପଣଙ୍କ ଭିତରର ଦାନବୀ ସମ୍ପୂର୍ଣ୍ଣ ଅପରିବର୍ତ୍ତିତ ରହିଛି, ପ୍ରେମର ସ୍ପର୍ଶରେ ହୃଦୟ ଆପଣଙ୍କର ପ୍ରକୃତରେ ପରିବର୍ତ୍ତିତ ହୋଇଥିଲେ ଆପଣ ପ୍ରିନ୍ସ ରୁଦ୍ରନାରାୟଣଙ୍କର ଏତେବଡ଼ ସର୍ବନାଶ କଦାପି କରିନଥା’ନ୍ତେ । ଆଜି ଶଶାଙ୍କକୁ ଆପଣ ନିଜର କରି ପାଇବାକୁ ଯେଉଁ ଚେଷ୍ଟା କରୁଛନ୍ତି, ସେ ଚେଷ୍ଟାର ଅନ୍ତରାଳରେ କିଏ ଜାଣେ କି ଭୟଙ୍କର ଷଡ଼ଯନ୍ତ୍ର ନ ଛପି ରହିଛି ।’’

 

‘‘ଖବରଦାର୍‍, ଚୁପ୍‍ କରନ୍ତୁ ଆପଣ’’ ବରୁଣା କ୍ରୋଧରେ ଚିତ୍କାର କରି ଉଠିବା ସଙ୍ଗେ ସଙ୍ଗେ ରିଭଲ୍‍ଭର୍‍ ନଳୀ ମୋର ଛାତି ସ୍ପର୍ଶ କଲା, ‘‘ମୋ ବିରୁଦ୍ଧରେ କଥା କହିବାର ଏତେ ଦୁଃସାହସ ଆପଣଙ୍କର ହେଲା କିପରି ? ଜାଣନ୍ତି ଏହି ମୁହୂର୍ତ୍ତରେ ମୁଁ ଆପଣଙ୍କର କି ସର୍ବନାଶ କରିପାରେ ।’’

 

ମୁଁ ନିଜର ନିଶ୍ଚିତ ମୃତ୍ୟୁ ସମ୍ପର୍କରେ ନିଜ ମନକୁ ଯଥେଷ୍ଟ ଦୃଢ଼ କରିନେଇଥିଲି, ତେଣୁ ଅବିଚଳିତ କଣ୍ଠରେ କହିଲି, ‘‘ଏହି ତ ଆପଣଙ୍କର ସ୍ୱରୂପ । ଆକାଶରେ କେତେବେଳେ ମେଘ ତ ପୁଣି କେତେବେଳେ ଖରା । ସେ ଆକାଶକୁ କିପରି ବା ବିଶ୍ୱାସ କରାଯିବ । ଆଚ୍ଛା ଶଶାଙ୍କକୁ ଆପଣ ସତରେ ବିବାହ କରିବାକୁ ଚାହାଁନ୍ତି ?’’

 

ହଁ, ବରୁଣା ଦୃଢ଼ କଣ୍ଠରେ କହିଲା, ‘‘ସେ ବିବାହ ମୋର ଏକାନ୍ତ ପ୍ରୟୋଜନ ।’’

 

ମୁଁ ମୋ ଅନ୍ତରର ଅନେକ ଉଦବେଳନ କୌଣସି ପ୍ରକାରେ ସମ୍ବରଣ କରିପାରିଲି ନାହିଁ, ବିଦ୍ରୂପ କଣ୍ଠରେ ତେଣୁ କହି ଉଠିଲି, ‘‘ନରହତ୍ୟା ଅପରାଧରେ ଆଜି ଆପଣ ଅଭିଯୁକ୍ତା । ଆପଣ ଆଜି ପଳାତକା । ଆତ୍ମଗୋପନ କରି ଘୂରିବୁଲୁଛନ୍ତି ଓ ପୋଲିସ୍‍ ଆପଣଙ୍କୁ ଗ୍ରେପ୍ତାର କରିବା ନିମିତ୍ତ ଚତୁର୍ଦ୍ଦିଗରେ ତା’ର ଜାଲ ବିଛାଇ ଛକି ରହିଛି, ଏପରି ଏକ ଅସ୍ୱସ୍ତିକର ଓ ବିଚିତ୍ର ପରିସ୍ଥିତିରେ ଆପଣ ଶାଶାଙ୍କକୁ ବିବାହ କରିବେ କିପରି ?’’

 

‘‘ସେ ଦାୟିତ୍ଵ ମୋର’’ ବରୁଣା କଠୋର କଣ୍ଠରେ କହିଉଠିଲା, ‘‘ଆପଣଙ୍କୁ ମୁଁ ଯେତିକି କରିବାକୁ କହୁଛି ଆପଣ କେବଳ ସେତିକି କରନ୍ତୁ । ସୁତପା ସହିତ ଶଶାକଙ୍କର ବିବାହ ଆପଣ ଅବିଳମ୍ବେ ବନ୍ଦ କରନ୍ତୁ । ମୁଁ ଆପଣଙ୍କ ନିକଟରୁ ଏଇ ପ୍ରତିଶ୍ରୁତି କେବଳ ପ୍ରୟୋଜନ କରେ ।’’

 

ବରୁଣାର ଅନ୍ୟାୟ ନିର୍ଦ୍ଦେଶକୁ ସମ୍ମାନ ଦେବା ଭଳି ମୋର ମାନସିକ ଅବସ୍ଥା ନ ଥିଲା । ତେଣୁ ଅବିଚଳିତ କଣ୍ଠରେ କହିଲି, ‘‘ସୁତପା ଓ ଶଶାଙ୍କର ବିବାହ ସମ୍ବନ୍ଧରେ ମୋର କିଛି କହିବାର ନାହିଁ; କାରଣ ସେମାନଙ୍କ ବିବାହ ସେମାନେ ହିଁ ସ୍ଥିର କରିଛନ୍ତି । ତେଣୁ ଏ ବିବାହ ମୁଁ କୌଣସି ପ୍ରକାରେ ବନ୍ଦ କରିନପାରେ ।’’

 

‘‘ତେବେ ଏହାର ଅବଶ୍ୟମ୍ଭାବୀ ପରିଣତି ଆପଣମାନଙ୍କୁ ନିଶ୍ଚୟ ଭୋଗ କରିବାକୁ ପଡ଼ିବ ଓ ସେ ପରିଣତି ଏପରି ଭୟଙ୍କର ହେବ ଯେ, ଆପଣ କଦାପି ତାହା ବରଦାସ୍ତ କରିପାରିବେ ନାହିଁ ।

 

ଏକ ପ୍ରଚଣ୍ଡ ପ୍ରଳୟରେ ସୁତପା ଓ ଶଶାଙ୍କ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଯିବେ । ତେଣୁ ମୋର ଅନୁରୋଧ ଆପଣ ଅଯଥା ଭାବାବେଗର ବଶବର୍ତ୍ତୀ ନ ହୋଇ ପ୍ରକୃତ ପରିସ୍ଥିତି ବିବେଚନା କରି ଦେଖନ୍ତୁ । ସୁତପାକୁ ଯାଇ ବୁଝାଇ କୁହନ୍ତୁ, ଶଶାଙ୍କବାବୁଙ୍କୁ ମଧ୍ୟ ବର୍ତ୍ତମାନ ପରିସ୍ଥିତି ସମ୍ବନ୍ଧରେ ଯଥେଷ୍ଟ ସାବଧାନ କରିଦିଅନ୍ତୁ ।’’ ବରୁଣାର କଣ୍ଠରେ ବଜ୍ର ଯେପରି ଗର୍ଜନ କରୁଛି ।

 

ଏତେବେଳ ଯାଏ ମୁଁ ଯଥେଷ୍ଟ ଦୃଢ଼ତାର ସହ ବରୁଣା ସହ କଥା କରୁଥିଲି । ମାତ୍ର କେଜାଣି କାହିଁକି ବରୁଣାର ଏହି ଶେଷ ଧମକରେ ମୁଁ ହଠାତ୍‍ ମ୍ଳାନ ହୋଇଗଲି ଓ ମୋର କଣ୍ଠଦେଇ କୌଣସି ପ୍ରତିବାଦ ଆଉ ସ୍ଫୁରିଲା ନାହିଁ ।

 

ବରୁଣା ସମ୍ଭବତଃ ଠିକ୍‍ ବୁଝିପାରିଥିଲା ତା’ର ଏଇ ଶେଷ ଡୋଜ୍‍ ଓଷଦ ବେଶ୍‍ କାମ ଦେଇଛି । ସେ ତେଣୁ ମୋ ଦୁର୍ବଳତା ସମ୍ବନ୍ଧରେ ଦୃଢ଼ ନିଶ୍ଚୟ ହୋଇଯିବା ସଙ୍ଗେ ସଙ୍ଗେ ମୋତେ ମୁଲାୟମ ଭାଷାରେ ବୁଝାଇ କହିଲା, ‘‘ଚିନ୍ତାକରି ଦେଖିବାକୁ ହାତରେ ବର୍ତ୍ତମାନ ଯଥେଷ୍ଟ ସମୟ ରହିଛି । କନ୍ୟା ସୁତପାର ଭବିଷ୍ୟତ ମଙ୍ଗଳ ନିମିତ୍ତ ଆପଣ ଉଚିତ ପନ୍ଥା ଗ୍ରହଣ କରିବେ ବୋଲି ମୋର ଆଶା । ମନେରଖନ୍ତୁ ମୋ ଅନୁରୋଧ ପ୍ରତି ଅସମ୍ମାନ ପ୍ରଦର୍ଶନ କରିବାର ଚେଷ୍ଟା କରାଗଲେ ପରିଣତି ଭୟଙ୍କର ହେବ, କିନ୍ତୁ ।’’

 

ସୁକାନ୍ତବାବୁ ନିଜର ବକ୍ତବ୍ୟ ଶେଷକରି ମୁହୂର୍ତ୍ତେ ନୀରବ ରହିବା ଉତ୍ତାରେ ପରିସ୍ଥିତି ସମ୍ବନ୍ଧରେ ନିଜର ମନ୍ତବ୍ୟ ଦେବାକୁ ଯାଇ ଅତ୍ୟନ୍ତ ନିଃସହାୟ କଣ୍ଠରେ କହିଲେ, ‘‘ଏ ପରିସ୍ଥିତିରେ ମୁଁ କ’ଣ କରିବି ଠିକ୍‍ ବୁଝିପାରୁନାହିଁ । ପୁର୍ବରୁ ମୁଁ ମୋ ମନକୁ ଯଥେଷ୍ଟ ଦୃଢ଼ ରଖିଥିଲି ଓ ସୁତପାକୁ ଧୈର୍ଯ୍ୟ ଧରିବାକୁ ସାହସ ଦେଇଥିଲି । ମାତ୍ର ବରୁଣାର ଧମକ ପାଇବା ପରେ ମୁଁ କାହିଁକି ଯଥେଷ୍ଟ ଭାଙ୍ଗି ପଡ଼ିଛି । ସୁତପାକୁ ସମସ୍ତ ବିଷୟ ଖୋଲି କହିବାରୁ ସେ ଅବିଚଳିତ କଣ୍ଠରେ ମୋତେ ଉତ୍ତର ଦେଲା, ‘‘ବାବା, ଆପଣ ପରା ମୋତେ ନିଜ ଆଦର୍ଶରେ ସ୍ଥିର ରହିବାକୁ ଉପଦେଶ ଦେଉଥିଲେ, ଆଜି ପୁଣି ଏପରି ଦୁର୍ବଳ ହୋଇପଡ଼ୁଛନ୍ତି କାହିଁକି ? ଏତିକି ମନେରଖନ୍ତୁ ଏ ବିବାହ ନିଶ୍ଚୟ ହେବ । କାହାରି ଧମକରେ ଏ ବିବାହ କଦାପି ବନ୍ଦ ହୋଇପାରେନା । ଯଦି କେହି ମୋର କ୍ଷତି କରିବାକୁ ଚାହୁଁଥାଏ, ମୁଁ ତା’ର ମୁକାବିଲା କରିବାକୁ ପ୍ରସ୍ତୁତ ଅଛି । ଆପଣ ନିଶ୍ଚିନ୍ତ ରୁହନ୍ତୁ ।’’ ସୁତପାର ଏ ଧୈର୍ଯ୍ୟ ବାଣୀ ଶୁଣିବା ପରେ ମୁଁ ନିଜ ମଧ୍ୟରେ ଅବଶ୍ୟ ଯଥେଷ୍ଟ ଶକ୍ତି ସଞ୍ଚୟ କରିବାକୁ ଚେଷ୍ଟା କରୁଛି । ମାତ୍ର ମନ କାହିଁକି ନାନାଦି ଆଶଙ୍କା ଓ ଭୟରେ ଭୟଙ୍କର ଦୁର୍ବଳ ହୋଇପଡ଼ୁଛି ।’’

 

ଅରିନ୍ଦମ ସୁକାନ୍ତବାବୁଙ୍କ ବକ୍ତବ୍ୟ ଶୁଣିଲା ପରେ ବେଶ୍‍ ଚିନ୍ତିତ ହୋଇପଡ଼ିଥିବା ପରି ମନେହେଲା । ସେ କିଛିକ୍ଷଣ ମୌନରହି ସୁକାନ୍ତବାବୁଙ୍କୁ ଚାହିଁ ଦୃଢ଼ କଣ୍ଠରେ କହିଲେ, ‘‘ଅନ୍ୟାୟର ଧମକରେ ନ୍ୟାୟ ଯଦି ଆତ୍ମଗୋପନ କରେ ତେବେ ତଦ୍ୱାରା ଈଶ୍ୱରଙ୍କର ବିରୁଦ୍ଧାଚରଣ କରାଗଲା ବୋଲି ମନେକରିବାକୁ ହେବ । ବରୁଣାର ଧମକରେ ଯଦି ଆପଣ ଶଶାଙ୍କ ସହିତ ସୁତପାର ବିବାହ ବନ୍ଦ କରିଦିଅନ୍ତି, ତେବେ ଆପଣ ପ୍ରାଣର ଆତଙ୍କରେ ଅନ୍ୟାୟକୁ ସମର୍ଥନ କରିଗଲେ ବୋଲି ନିନ୍ଦିତ ହେବେ । ସୁତପା ନିଜର ଚିନ୍ତାରେ ଯେ ଅବିଚଳିତ ରହିଛି ଏହା ନିଶ୍ଚୟ ଏକ ଶୁଭ ଲକ୍ଷଣ । ମୁଁ ଆପଣଙ୍କୁ କଥା ଦେଉଛି ନିରାପତ୍ତାର ଦୃଢ଼ ବ୍ୟୁହ ମଧ୍ୟରେ ଏ ମଙ୍ଗଳ ବିବାହ କାର୍ଯ୍ୟ ନିଶ୍ଚୟ ଅନୁଷ୍ଠିତ ହେବ । ପୃଥିବୀର କେହି ଏହାର ପ୍ରତିରୋଧ କରିପାରିବେ ନାହିଁ ।’’

 

ତା’ ଆରଦିନ ସକାଳ ନ’ଟାପରେ ଅଜିତ୍ ଗୁପ୍ତଚର କାନ୍ତିଲାଲ ପାଖରୁ ଯେଉଁ ରିପୋର୍ଟ ପାଇଲା ତା’ ବେଶ୍‍ ଚମକପ୍ରଦ । ଦୁଇଦିନ ଧରି ଯେଉଁ କାରରେ ବିନୋଦ ଓ ବରୁଣା ସେମାନଙ୍କର ଦୁଃସାହସିକ କାର୍ଯ୍ୟ ନିରଙ୍କୁଶଭାବେ, କରିଯାଇଛନ୍ତି ତା’ ଏକ ଅପହୃତ ଯାନ । ଶେଠ ଶଙ୍କରଲାଲଙ୍କର ଅଷ୍ଟିନ୍ କାର୍‍ ସେ ଖଣ୍ଡି । କାଲି ରାତି ଏଗାରଟାରେ କାର୍‍ ଖଣ୍ଡିକର ସନ୍ଧାନ ମିଳିଲା ହୋଟେଲ ‘ସୁଜତା’ ସାମ୍‍ନାରେ ।

 

କାନ୍ତିଲାଲର କଥା ଶୁଣି ଅଜିତ୍‍ ବେଶ୍‍ ଉତ୍ତେଜିତ ହୋଇ ଉଠିଥିଲା ।, ‘‘ଆଚ୍ଛା ସମସ୍ତ ବ୍ୟାପାରଟା ମୋତେ ଖୋଲି କୁହନ୍ତୁ ତ ।’’

 

କାନ୍ତିଲାଲ ନିଜର ବକ୍ତବ୍ୟ ପ୍ରକାଶ କରିବାକୁ ଯାଇ କହିଲା, ଅଭିଜାତ ହୋଟେଲ ‘ସୁଜାତା’ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବା ନିମିତ୍ତ ମୋତେ ନିର୍ଦ୍ଦେଶ ଥିଲା । ମୁଁ ପ୍ରଥମେ ହୋଟେଲ ମ୍ୟାନେଜରଙ୍କ ପାଖକୁ ଯାଇ ସେମାନଙ୍କ ବୋର୍ଡ଼ରମାନଙ୍କ ସମ୍ବନ୍ଧରେ ଅନୁସନ୍ଧାନ କରିବାକୁ ଉଦ୍ୟତ ହୋଇ ହଠାତ୍‍ ଜାଣିବାକୁ ପାଇଲି ଠିକ୍‍ ମୋରି ବର୍ଣ୍ଣନାର ଜଣେ ପଞ୍ଜାବୀ ଭଦ୍ରଲୋକ ଓ ତାଙ୍କର ପତ୍ନୀ ଆଜକୁ ସାତଦିନ ହେବ ହୋଟେଲ୍‍ର ଦ୍ୱିତଳସ୍ଥ ପାଞ୍ଚନମ୍ବର ରୁମରେ ଆସି ଅଛନ୍ତି । ଯେଉଁ ଅଷ୍ଟିନ୍ କାର୍‍ ଖଣ୍ଡି ହୋଟେଲ ସାମ୍‍ନାରେ ରଖାଯାଇଥିଲା ଦୁଇଦିନ ହେବ ତା’ ସେମାନେ ବ୍ୟବହାର କରୁଥିଲେ । ମାତ୍ର ବଡ଼ ଆଶ୍ଚର୍ଯ୍ୟର ବ୍ୟାପାର ସେ କାର୍‍ର ଅସଲ ନମ୍ବର ପ୍ଲେଟ କିନ୍ତୁ ବଦଳ ହୋଇଯାଇଥିଲା, ଫଳରେ ଅପହୃତ କାର୍‍ ବୋଲି ସନ୍ଦେହ କରିବାର କୌଣସି ଉପାୟ ନ ଥିଲା ।

 

ସବୁଠାରୁ ଆଶ୍ଚର୍ଯ୍ୟର ବ୍ୟାପାର କାର୍ ଖଣ୍ଡିକ ହୋଟେଲ ସାମ୍‍ନାରେ ରହିଥିବାର ଦେଖାଗଲା ସତ ମାତ୍ର ଆସାମୀ ଦୁହିଁଙ୍କର କିନ୍ତୁ କୌଣସି ପତ୍ତାନାହିଁ । ହୋଟେଲ ମ୍ୟାନେଜର କୁହନ୍ତି ସେ ପଞ୍ଜାବୀ ଭଦ୍ରଲୋକ ଓ ଭଦ୍ରମହିଳାଙ୍କୁ କାଲି ରାତିରେ ଆଉ ଫେରିବାର ଲକ୍ଷ୍ୟକରି ନାହାନ୍ତି ।’’

 

କାନ୍ତିଲାଲ ବିବ୍ରତ କଣ୍ଠରେ କହି ଉଠିଲା, ‘‘ଦୁଇଦିନ ଧରି ଏତେ ଅନୁସନ୍ଧାନ କରି ସତର୍କିତଭାବେ ଜଗି ରହିବା ସତ୍ତ୍ଵେ ସେମାନେ ଫାଙ୍କିଦେଇ ପଳାୟନ କରିଛନ୍ତି । ମୋର ମନେହୁଏ ସେମାନେ ସମ୍ଭବତଃ ଆମ୍ଭମାନଙ୍କର କୌଶଳ ସମ୍ବନ୍ଧରେ ସମସ୍ତ କିଛି ଜାଣିପାରିବା ଫଳରେ ଆତ୍ମରକ୍ଷା କରିବାକୁ ସମର୍ଥ ହୋଇଛନ୍ତି ।’’

 

ଅଜିତ୍‍ର ଉତ୍ତେଜନା ଯେପରି ସୀମାଲଂଘନ କରିଥିଲା । ସେ ବିବ୍ରତ କଣ୍ଠରେ ପ୍ରଶ୍ନ କରି ଉଠିଲା, ‘‘ତୁମେ ହୋଟେଲ୍‍ର ସେ ପାଞ୍ଚନମ୍ବର ରୁମ୍‍କୁ ଲକ୍‍ଅପ କରି ଆସିଛ ତ ।’’

 

‘‘ହଁ ସାର୍ । କକ୍ଷ ଶୂନ୍ୟ ପଡ଼ିଛି । ମୁଁ ଅବଶ୍ୟ ପ୍ରକୋଷ୍ଠ ଭିତରଟା ଥରେ ଅନୁସନ୍ଧାନ କରି ଦେଖିଥିଲି । ମାତ୍ର ମୋର ଅନୁସନ୍ଧାନ ବୃଥା ଯାଇଛି ।’’ କାନ୍ତିଲାଲ କଣ୍ଠରେ ହତାଶାର ସ୍ପର୍ଶ ।

 

କାନ୍ତିଲାଲର ମୁହଁ ଉପରେ ଅତ୍ୟନ୍ତ ବିବ୍ରତ ଭାବ ଲକ୍ଷ୍ୟକରି ଅଜିତ୍‍ର ଯେପରି ମନେହେଲା, କାନ୍ତିଲାଲ କିଛି କହିବାକୁ ଚେଷ୍ଟା କରୁଛି ଅଥଚ କହିପାରୁନାହିଁ । କହିବାକୁ ଯାଇ ଭୀଷଣ ସଙ୍କୋଚ ଅନୁଭବ କରୁଛି ସତ, ମାତ୍ର ମନୋଭାବ ବ୍ୟକ୍ତ କରି ନ ଦେଲେ ତା’ର ଯେପରି ଅନ୍ୟଉପାୟ ନାହିଁ ।

 

ତା’ ମନର ତୀବ୍ର ପ୍ରତିକ୍ରିୟା ଉପଲବ୍ଧି କରିପାରି ଅଜିତ୍‍ ଯେତେବେଳେ ଉଦ୍‍ବିଗ୍ନ ହୋଇଉଠି ତାକୁ ପ୍ରଶ୍ନ କଲା, କାନ୍ତିଲାଲର ମୁହଁ ସମ୍ପୂର୍ଣ୍ଣ ବିବର୍ଣ୍ଣ ହୋଇଗଲା, ମାତ୍ର ପରେ ନିଜକୁ ସମ୍ବରଣ କରିନେଇ କହିଲା, ‘‘ମୋର କାହିଁକି କେବଳ ମନେହେଉଛି ମୋତେ ସାହାଯ୍ୟ କରିବାକୁ ଯାଇ ଏକ ନିରୀହ ତରୁଣର ଚରମ ସର୍ବନାଶ ହୋଇଯାଇଛି ।’’

 

‘‘ଠିକ୍‍ ତୁମେ କ’ଣ କହିବାକୁ ଚାହୁଁଛ କୁହ ତ’’ ଅଜିତ୍‍ ମନର ଉଦବେଗ ସୀମା ଲଂଘନ କରିଛି ।

 

କାନ୍ତିଲାଲ ବାଷ୍ପାଚ୍ଛନ୍ନ କଣ୍ଠରେ କହିଲା, ‘‘ଛଦ୍ମବେଶୀ ବିନୋଦ ଓ ଛଦ୍ମବେଶିନୀ ବରୁଣା ସମ୍ବନ୍ଧରେ ମୋତେ ଗୋପନରେ ସମ୍ବାଦ ସରବରାହ କରିବାର ଗୁରୁଦାୟିତ୍ଵ ନେଇଥିଲା ହୋଟେଲର ଅତ୍ୟନ୍ତ ବୁଦ୍ଧିମାନ ବୟ ଉଜ୍ଜ୍ୱଳ । ସତ କହିବାକୁ ଗଲେ ମୁଁ ତା’ର ଅପୂର୍ବ କର୍ମତତ୍ପରତା ଲକ୍ଷ୍ୟକରି ତାକୁ ଏ ଅତ୍ୟନ୍ତ ବିପଦପୂର୍ଣ୍ଣ କାର୍ଯ୍ୟରେ ନିଯୁକ୍ତ କରିଥିଲି । ଅବଶ୍ୟ ସେ ସ୍ୱତଃପ୍ରବୃତ୍ତ ହୋଇ ଏ ଗୁରୁତର ଦାୟିତ୍ୱ ବହନ କରିଥିଲା । ମାତ୍ର କାଲି ସନ୍ଧ୍ୟା ସମୟରୁ ତା’ର ଆଉ କୌଣସି ପତ୍ତାନାହିଁ । ବିନୋଦ ଓ ବରୁଣା ହୋଟେଲ୍‍ରୁ ଅନ୍ତର୍ଦ୍ଧାନ ହୋଇଯିବା ପରେ ପରେ ତା’ର ମଧ୍ୟ ଆଉ କୌଣସି ସନ୍ଧାନ ମିଳୁନାହିଁ ।’’

 

ଅଜିତ୍ ପ୍ରତି ମୁହୂର୍ତ୍ତରେ କାନ୍ତିଲାଲ ମୁହଁରୁ ଯେପରି ଉତ୍ତେଜନାଭରା ନୂଆ ନୂଆ କଥାମାନ ଶୁଣୁଛି ।

 

‘‘ତେବେ ତୁମ ମନରେ ତା’ ସମ୍ବନ୍ଧରେ କି ଆଶଙ୍କା ଆସିଛି କାନ୍ତିଲାଲ ?’’ ଅଜିତ୍‍ର କଣ୍ଠ ଉଦବେଗରେ ଭାରାକ୍ରାନ୍ତ ହୋଇ ଉଠିଛି ।

 

‘‘ମନରେ ମୋର ଯେଉଁ ଆଶଙ୍କା ଉପୁଜୁଛି ମୁଁ ତା’ ଭାଷାରେ ବ୍ୟକ୍ତ କରିପାରୁନାହିଁ । ସତ କହିବାକୁ ଗଲେ ମୁଁ ଅତ୍ୟନ୍ତ ବିବ୍ରତ ହୋଇପଡ଼ିଛି ।’’ କାନ୍ତିଲାଲ କଣ୍ଠ ବାଷ୍ପାଚ୍ଛନ୍ନ ହୋଇଉଠିଛି-

 

‘‘ତୁମେ ହୋଟେଲ ସୁଜାତାର ପାଞ୍ଚନମ୍ବର ପ୍ରକୋଷ୍ଠ ଲକ୍‍ଅପ କରିବା ପୂର୍ବରୁ କକ୍ଷ ଭିତରଟା ଖୁବ୍‍ ଭଲକରି ଖାନ୍‍ତଲାସ କରି ଦେଖିଲ କି ? ସ୍ନାନାଗାର, ଶୌଚାଗାର, ଏ ସମସ୍ତ ସ୍ଥାନ ତୁମ ଅନୁସନ୍ଧାନରୁ ବାଦ୍‍ ଯାଇନି ତ ।’’ ଅଜିତ୍‍ର ଉତ୍ତେଜନା ଯେପରି ଚରମରେ ଉପନୀତ ହୋଇଛି ।

 

ଅଜିତ୍‍ର ପ୍ରଶ୍ନରେ କାନ୍ତିଲାଲ ବିବ୍ରତ ହୋଇପଡ଼ି ବ୍ୟଥିତ କଣ୍ଠରେ କହିଲା, ‘‘ନା ସାର, ମୋର ଅନୁସନ୍ଧାନ ଅସମ୍ପୂର୍ଣ୍ଣ ରହିଯାଇଚି । କେବଳ ପାଞ୍ଚନମ୍ବର କକ୍ଷ ଭିତରଟା ଛଡ଼ା.... ।’’

 

‘‘ମୋର ମନେହୁଏ ସମ୍ଭବତଃ ତୁମର ଅନୁସନ୍ଧାନର ଅସମ୍ପୂର୍ଣ୍ଣତା ତୁମକୁ ଅନେକ ରହସ୍ୟ ସମ୍ବନ୍ଧରେ ଅବଗତ ହେବାରୁ ବଞ୍ଚିତ କରିଛି । ମୁଁ ଅବଶ୍ୟ ବୁଝିପାରୁଛି ତୁମର ମାନସିକ ଅସ୍ଥିରତା ଓ ଚିତ୍ତ ଦୌର୍ବଲ୍ୟ ଏଥିଲାଗି ଦାୟୀ । ବିନୋଦ ଓ ବରୁଣାର ଅନ୍ତର୍ଦ୍ଧାନ ସହିତ ଉଜ୍ଜଳର ନିଖୋଜ ହେବାର ଗୂଢ଼ ସମ୍ପର୍କ ହୁଏତ ଥାଇପାରେ । ଥାଇପାରେ ବୋଲି ମୋର କାହିଁକି ଦୃଢ଼ ବିଶ୍ୱାସ ହେଉଛି । ଅଧିକ ବିଳମ୍ବ ଆଉ ନିଷ୍ପ୍ରୟୋଜନ । ଅବିଳମ୍ବେ ହୋଟେଲ ସୁଜାତାକୁ ବର୍ତ୍ତମାନ ଯିବାକୁ ହେବ । ହୋଟେଲରେ ପାଞ୍ଚନମ୍ବର ପ୍ରକୋଷ୍ଠ ହୁଏତ ଏକ ରହସ୍ୟମୟ କକ୍ଷରୂପେ ପ୍ରତିଭାତ ହୋଇପାରେ ।’’

 

ଅଜିତ୍ କାନ୍ତିଲାଲକୁ ନେଇ ହୋଟେଲ ସୁଜାତାରେ ପହଞ୍ଚି ଲକ୍ଷ୍ୟକଲା ସେଠାରେ ଅବସ୍ଥା ବେଶ୍‍ ସରଗରମ ହୋଇ ଉଠିଛି । ଉଜ୍ଜ୍ୱଳର ଅନ୍ତର୍ଦ୍ଧାନ ନେଇ ସମଗ୍ର ହୋଟେଲରେ କିପରି ଏକ ଆତଙ୍କର ଛାୟା ପରିବ୍ୟାପ୍ତ ହୋଇରହିଛି ।

 

ଅଜିତ୍ ହୋଟେଲ ମ୍ୟାନେଜରଙ୍କ ନିକଟକୁ ଅନୁସନ୍ଧାନ ନେଇ ବୁଝିଲା, ଉଜ୍ଜ୍ୱଳ ସନ୍ଧ୍ୟାର ଠିକ୍‍ ପୂର୍ବରୁ ଚାରିନମ୍ବର ରୁମରେ ରହୁଥିବା ଭଦ୍ରଲୋକଙ୍କୁ ଚାହା ଦେବାକୁ ଯାଇଥିଲା । ଠିକ୍‍ ତା’ପରେ ଉଜ୍ଜ୍ୱଳର କୌଣସି ପତ୍ତାନାହିଁ । ଚାରିନମ୍ବର ରୁମ୍‍ର ଭଦ୍ରଲୋକଙ୍କୁ ପଚାରିବାରୁ ସେ ଜଣାଇଲେ ଯେ ଉଜ୍ଜ୍ୱଳ ଚାହା ଦେଇ ସଙ୍ଗେ ସଙ୍ଗେ ଚାଲିଯାଇଛି । ସେ ଚାହା ଦେଇ ଚାଲି ଆସିଛି ଯଦି ତେବେ ଗଲା କୁଆଡ଼େ । ଉଜ୍ଜ୍ୱଳର ଅବଶ୍ୟ ଏକ ବଦଭ୍ୟାସ ଅଛି, କାହାରିକୁ କିଛି ନ କହି ମଝିରେ ମଝିରେ ଦିନେ ଦୁଇଦିନ ପାଇଁ ହୋଟେଲ ଛାଡ଼ି ହଠାତ୍‍ କେଉଁ ଆଡ଼େ ଅନ୍ତର୍ଦ୍ଧାନ ହୋଇଯିବା । ସେଥିଲାଗି ସେ କିଛି କମ୍‍ ଧମକ ଖାଇନି । ଚାକିରି ଚାଲିଯିବାର ଭୟ ତାକୁ ପ୍ରଦର୍ଶନ କରାହୋଇଛି, ମାତ୍ର ତା’ ସତ୍ତ୍ୱେ ସେ ନିଜର ଏକ କୁଅଭ୍ୟାସ ତ୍ୟାଗ କରିପାରୁନି । କାଲିଠାରୁ ତା’ର ହଠାତ୍‍ ଅନ୍ତର୍ଦ୍ଧାନ ସମ୍ବନ୍ଧରେ କେହି ହୁଏତ ବିଶେଷ ଚିନ୍ତିତ ନ ଥିଲେ; ମାତ୍ର କାନ୍ତିଲାଲବାବୁ ସମସ୍ତଙ୍କୁ ବିଶେଷ ଚିନ୍ତିତ କରି ତୋଳିଛନ୍ତି ।’’

 

‘‘ଆପଣମାନଙ୍କୁ ତାଙ୍କର ଚିନ୍ତିତ କରି ତୋଳିବା ଖୁବ୍‍ ସ୍ୱାଭାବିକ’’ ଅଜିତ୍‍ ଦୃଢ଼ କଣ୍ଠରେ କହିଲା, ‘‘ସମସ୍ତ ବ୍ୟାପାର ଆପଣମାନେ ଜାଣିନାହାନ୍ତି ବୋଲି ଉଜ୍ଜ୍ୱଳର ଅନ୍ତର୍ଦ୍ଧାନ ସମ୍ବନ୍ଧରେ ନିଶ୍ଚିନ୍ତ ଅଛନ୍ତି । ହୁଏତ ଭାବୁଛନ୍ତି ସବୁଥରଭଳି ଏଥର ସେ ହୋଟେଲ ଛାଡ଼ି କାହାକୁ କିଛି ନ କହି ଚାଲିଯାଇଛି, ପୁଣି ଫେରି ଆସିବ; ମାତ୍ର ମୋର ସନ୍ଦେହ ହେଉଛି ସେ ହୁଏତ ଆଉ ଫେରିନପାରେ-। ଆଉ ଏଇ ଫେରିନପାରିବାର ରହସ୍ୟ ଉଦ୍‍ଘାଟନ ନିମିତ୍ତ ମୁଁ ଆପଣଙ୍କର ଏ ହୋଟେଲ୍‍କୁ ଆସିଛି, ଏତିକି ମନେରଖିବେ ଯେଉଁ ପଞ୍ଜାବୀ ଭଦ୍ରଲୋକ ଓ ଭଦ୍ରମହିଳା ଆପଣମାନଙ୍କ ହୋଟେଲ୍‍ର ପାଞ୍ଚନମ୍ବର ରୁମରେ ଅବସ୍ଥାନ କରୁଥିଲେ ସେ ଉଭୟେ ଖୁଣୀ ଆସାମୀ । ସେମାନେ ଠିକ୍‍ ଚିହ୍ନା ପଡ଼ି ଗ୍ରେପ୍ତାର ହେବା ପୂର୍ବରୁ ପଳାୟନ କରି ଆତ୍ମଗୋପନ କରିଛନ୍ତି ।’’

 

ହୋଟେଲ ମ୍ୟାନେଜରଙ୍କ ଆଖିରେ ଅଜସ୍ର କୌତୂହଳଭରା ପ୍ରଶ୍ନ ଲକ୍ଷ୍ୟକରି ଅଜିତ୍‍ କହିଲା, ‘‘ସେମାନଙ୍କର ପୂର୍ଣ୍ଣ ପରିଚୟ ଜାଣି ଆପଣମାନଙ୍କର ଲାଭ ନାହିଁ ଯେହେତୁ ସେମାନେ ପଳାୟନ କରିଛନ୍ତି । ସେମାନଙ୍କର ପରିଚୟ ଯେପରି ଗୋପନ ରହିଛି ବର୍ତ୍ତମାନ ପାଇଁ ସେହିପରି ଗୋପନ ରହୁ । ଉଜ୍ଜ୍ୱଳ ସେମାନଙ୍କୁ ଚିହ୍ନିପାରିଥିଲା ଓ ତେଣୁ ମୋର ଆଶଙ୍କା ହେଉଛି ସେମାନେ ଉଜ୍ଜ୍ୱଳର ସମ୍ଭବତଃ ଚରମ ସର୍ବନାଶ କରିଯାଇଛନ୍ତି ।’’

 

‘‘ଚରମ ସର୍ବନାଶ ମାନେ ଆପଣ କ’ଣ କହିବାକୁ ଯାଉଛନ୍ତି ?’’ ମ୍ୟାନେଜରଙ୍କ ଆଖି ଆତଙ୍କରେ ବିସ୍ଫାରିତ ହୋଇଯାଇଛି ।

 

‘‘ସେ ଆଶଙ୍କା ମୋର ଅନୁମାନରେ ହିଁ ରହିଛି । ତେଣୁ ମୋର ଅନୁମାନର ସତ୍ୟାସତ୍ୟ ପରୀକ୍ଷା କରିବା ନିମିତ୍ତ ମୁଁ ପାଞ୍ଚନମ୍ବର ପ୍ରକୋଷ୍ଠଟି ପୁନର୍ବାର ଖାନ୍‍ତଲାସ କରିବାକୁ ଚାହେଁ । କାନ୍ତିଲାଲବାବୁ ଆଂଶିକ ଖାନ୍‍ତଲାସ କରିଛନ୍ତି ମାତ୍ର ।’’ ଅଜିତ୍‍ର କଣ୍ଠ ଉତ୍ତେଜନାରେ ଥରୁଛି ।

 

ଅଜିତ୍ କାନ୍ତିଲାଲ ଏବଂ ମ୍ୟାନେଜର ଏକତ୍ର ଦ୍ୱିତଳସ୍ଥ ପାଞ୍ଚନମ୍ବର କକ୍ଷ ନିକଟରେ ପହଞ୍ଚିବା ପରେ କାନ୍ତିଲାଲ ଦରଜା ନିଜେ ତାଲାମୁକ୍ତ କରି ଦ୍ୱାର ଉନ୍ମୁକ୍ତ କଲା ।

 

ଉକ୍ତ କକ୍ଷ ବାସ୍ତବିକ୍‍ ଶୂନ୍ୟ ଥିଲା । ଅର୍ଥାତ୍‍ ବରୁଣା ଓ ବିନୋଦ ଉକ୍ତ କକ୍ଷରେ ସେମାନଙ୍କ ସମ୍ବନ୍ଧରେ କିଛି ଜାଣିପାରିବା ଭଳି କୌଣସି ତଥ୍ୟ ଛାଡ଼ି ଯାଇନଥିଲେ । ମ୍ୟାନେଜର କହିଲେ, ‘‘ସେମାନେ ଏ ହୋଟେଲରେ ଆସି ରହିବା ସମୟରେ ଦୁଇଜଣ ଦୁଇଟି କ୍ଷୁଦ୍ର ଚମଡ଼ା ଆଟାଚି ସଙ୍ଗରେ ଆଣିଥିଲେ । ଆଜି ସନ୍ଧ୍ୟା ପରେ ଯିବା ସମୟରେ ମୁଁ ଲକ୍ଷ୍ୟ କରିଛି ଆଟାଚି ଦୁଇଟି ସେମାନେ ସଙ୍ଗରେ ନେଇ ଯାଇଥିଲେ । ସେମାନେ ଯେ ପୁନର୍ବାର ଫେରି ଆସିବେ ନାହିଁ ମୁଁ ସେ କଥା ସ୍ୱପ୍ନରେ ସୁଦ୍ଧା ଭାବି ପାରିନାହିଁ । ପୁନର୍ବାର ସେମାନେ କେତେବେଳେ ମଟରଟି ହୋଟେଲ ସାମ୍‍ନାରେ ଆଣି ରଖି ଦେଇଯାଇଛନ୍ତି ତା’ ମଧ୍ୟ ମୁଁ ଜାଣେ ନାହିଁ ।’’

 

କାନ୍ତିଲାଲ ମ୍ୟାନେଜରଙ୍କ ବକ୍ତବ୍ୟ ଶେଷରେ ଅଜିତ୍‍କୁ ଉଦ୍ଦେଶ୍ୟ କରି କହି ଉଠିଲା, ‘‘ମୁଁ ମଧ୍ୟ ଠିକ୍‍ ଜାଣିପାରିନାହିଁ କେତେବେଳେ ମଟରଟି ହୋଟେଲ ସାମ୍‍ନାକୁ ଫେରି ଆସିଛି । ରାତି ଏଗାରଟା ପରେ କାର୍‍ଟିକୁ ହୋଟେଲ ସାମ୍‍ନାରେ ଆବିଷ୍କାର କରିବା ପରେ ମୁଁ ତ ମନେକଲି ଆସାମୀ ଦୁହେଁ ହୋଟେଲ୍‍କୁ ପୁନର୍ବାର ଫେରି ଆସିଛନ୍ତି । ମାତ୍ର ଆଜି ସକାଳେ ମ୍ୟାନେଜରଙ୍କ ସହ ସାକ୍ଷାତ୍‍ କଲାପରେ ମୁଁ ମୋର ଭ୍ରମ ବୁଝିପାରିଲି ଓ ଉଜ୍ଜ୍ୱଳର କାଲି ସନ୍ଧ୍ୟାରୁ ହଠାତ୍‍ ଅନ୍ତର୍ଦ୍ଧାନର ଖବର ସେ ମୋତେ ଦେବା ପରେ ମୁଁ ଅତ୍ୟନ୍ତ ବିବ୍ରତ ହୋଇପଡ଼ି ସମସ୍ତ ବ୍ୟାପାର ଆପଣଙ୍କୁ ଜଣାଇବା ଉଚିତ ମନେକଲି ।’’

 

ଅଧିକ କଥା କହି କିମ୍ବା ଅଧିକ କଥା ଶୁଣି ସମୟ ନଷ୍ଟ କରିବା ଭଳି ମାନସିକ ଅବସ୍ଥା ଅଜିତ୍‍ର ଆଉ ନ ଥିଲା । ସେ କକ୍ଷର ଚତୁର୍ଦ୍ଦିଗରେ ଆଉଥରେ ଆଖି ବୁଲାଇ ନେବାପରେ ଦ୍ରୁତ ଆଗେଇ ଯାଇ ବାଥ୍‍ରୁମ୍ ଦରଜା ହଠାତ୍‍ ଖୋଲି ଦେଲା । ମାତ୍ର ବାଥ୍‍ରୁମ୍‍ ସମ୍ପୂର୍ଣ୍ଣ ଶୂନ୍ୟ ରହିଥିଲା-

 

ଆଶଙ୍କାରେ ଛାତି ତା’ର ସ୍ପନ୍ଦିତ ହେଉଛି । ତା’ର କଳ୍ପନାରେ ଯେଉଁ ଆତଙ୍କ ଉଜ୍ଜ୍ୱଳ ହୋଇ ରହିଛି ତା’ର ବାସ୍ତବରୂପର ହଠାତ୍‍ ସମ୍ମୁଖୀନ ହେବା ଭୟରେ ସେ ପ୍ରତି ମୁହୂର୍ତ୍ତରେ ଯେପରି ସନ୍ତ୍ରସ୍ତ ହୋଇଉଠୁଛି । କୌତୂହଳ, ଉଦବେଗ ଏବଂ ଉତ୍କଣ୍ଠାର ଆଧିକ୍ୟରେ ସେ କ୍ରମଶଃ ଯେପରି ଦୁର୍ବଳ ହୋଇପଡ଼ୁଛି ଅଥଚ ସେ ଦୁର୍ବଳତା ତା’ର କର୍ମଶକ୍ତିକୁ ଅଧିକ ଦୀପ୍ତ କରି ତୋଳୁଛି ।

 

ବାଥ୍‍ରୁମ୍ ସହିତ ସମ୍ପୃକ୍ତ ଶୌଚାଗାର । ଶୌଚାଗର ଦରଜା ବନ୍ଦ ଥିଲା । ଅଜିତ୍‍ ମୁହୂର୍ତ୍ତେ ମାତ୍ର ଠିଆ ହୋଇ କ’ଣ ଯେପରି ଚିନ୍ତା କଲା ଓ ପରମୁହୂର୍ତ୍ତରେ ଶୌଚାଗାର ଦରଜା ହଠାତ୍‍ ମେଲା କରି ଦେଇ ସେ ଆର୍ତ୍ତ ଚିତ୍କାର କରି ଉଠି ପଛକୁ ଘୁଞ୍ଚି ଆସିଲା । ଦୁଇ ଆଖି ତା’ର ଭୟରେ ବିସ୍ଫାରିତ ହୋଇଯାଇଛି । କୌତୂହଳୀ କାନ୍ତିଲାଲ ଓ ମ୍ୟାନେଜର ଉଭୟେ ଅଜିତ୍‍ର ପଶ୍ଚାଦରୁ ଉଙ୍କିମାରି ଶୌଚାଗାର ମଧ୍ୟରୁ ଅନାଇ ଦେଇ ଆର୍ତ୍ତ ଚିତ୍କାର କରିଉଠିଲେ ।

 

ଇସ୍‍ କି ଭୟଙ୍କର ସେ ଦୃଶ୍ୟ ।

 

ଉଜ୍ଜଳର ମୃତଦେହ ଶୌଚାଗାର ମଧ୍ୟରେ ପଡ଼ି ରହିଛି ।

 

ଦେହରେ ତା’ର କୌଣସି କ୍ଷତଚିହ୍ନ ନାହିଁ, ମାତ୍ର ଆଖି ଦୁଇଟି ବିସ୍ଫାରିତ ହୋଇଯାଇଛି ଓ ପାଟିବାଟେ ସମ୍ଭବତଃ ପ୍ରାଣ ବାହାରି ଯାଇଛି ।

 

ଅଜିତ୍‍ ଆଗେଇ ଯାଇ ଲାସ୍‍କୁ ଛୁଇଁ ଦେଇ ଚମକି ପଡ଼ିଛି, ହିମଶୀତଳ ସେ ଦେହର ସ୍ପର୍ଶ, ରକ୍ତହୀନ ଶେଥା ମୁହଁ କି ଭୟଙ୍କର ଦିଶୁଛି ।

 

ଲାସ୍‍ର ବିବର୍ଣ୍ଣ ମୁଖମଣ୍ଡଳ ଦେଖି ଦେଇ ଅଜିତ୍‍ ଠିକ୍‍ ବୁଝିପାରିଲା ଉଜ୍ଜ୍ୱଳ ସଦ୍ୟ ନିହତ ହୋଇନାହିଁ । ଅନ୍ତତଃ ପନ୍ଦର ଷୋଳଘଣ୍ଟା ପୂର୍ବେ ତାଙ୍କୁ ହତ୍ୟା କରାଯାଇଛି ।

 

ଅଜିତ୍‍ ସାମାନ୍ୟ ପ୍ରକୃତିସ୍ଥ ହେବାପରେ କାନ୍ତିଲାଲଙ୍କୁ ଚାହିଁ କହିଲା, ‘‘ମୋର ଅନୁମାନ ସତ୍ୟ ହୋଇଛି । ଏହି ଭୟଙ୍କରତା ଓ ନୃଶଂସତାର କଳ୍ପନା ମୁଁ କରିଥିଲି ।’’ ବରୁଣା ଓ ବିନୋଦ ଯେତେବେଳେ ଜାଣିପାରିଛନ୍ତି ଯେ ଉଜ୍ଜ୍ୱଳ ସେମାନଙ୍କ ବିରୁଦ୍ଧରେ ଗୁପ୍ତଚରଗିରୀ କରୁଛି ସେତେବେଳେ ସେମାନେ ତାକୁ ହତ୍ୟାକରି ଏହି ଶୌଚାଗାର ମଧ୍ୟରେ ତା’ର ଲାସ୍‍କୁ ଲୁଚାଇ ଦେଇ ଏ ହୋଟେଲ ଛାଡ଼ି ପଳାୟନ କରିଛନ୍ତି ।’’ ଅଜିତ୍‍ ମୁହଁରୁ କଥା ଶେଷ ହୋଇଛି କି ନାହିଁ କାନ୍ତିଲାଲ ହଠାତ୍ ନଇଁପଡ଼ି ଉଜ୍ଜ୍ୱଳର ମୃତଦେହସ୍ଥ ଶୁଭ୍ର କାମିଜ୍‍ ପାକେଟରୁ ଖଣ୍ଡେ ନୀଳ ରଙ୍ଗର କାଗଜ ବାହାର କରି ଆଣିଲା । ଆଖି ତା’ର କୌତୂହଳରେ ଦୀପ୍ତ ହୋଇଉଠିଛି, ‘‘ସାର୍ ଏ ଭାଙ୍ଗକରା କାଗଜ ଖଣ୍ଡି କ’ଣ ଦେଖନ୍ତୁ ତ ।’’ ସେ ସଙ୍ଗେ ସଙ୍ଗେ ଉକ୍ତ କାଗଜଟି ଅଜିତ୍‍ ହାତକୁ ବଢ଼ାଇ ଦେଲା ।

 

କୌତୂହଳୀ ଅଜିତ୍‍ ଭୀଷଣ ବିବ୍ରତ ହୋଇପଡ଼ି କାଗଜ ଖଣ୍ଡି କାନ୍ତିଲାଲ ହାତରୁ ଏକ ପ୍ରକାର ଝାମ୍ପି ନେଇ ଦୃଢ଼ ହସ୍ତରେ ତା’ ଖୋଲି ପକାଇ ଚମକି ପଡ଼ିଲା । ସଂକ୍ଷିପ୍ତ ଚିଠି ଖଣ୍ଡିଏ । ଅଜିତ୍‍ କିନ୍ତୁ ସେ ଚିଠିଟି ପଢ଼ୁ ପଢ଼ୁ ସୀମାତୀତ ଉତ୍ତେଜନାରେ ଥରୁଥିଲା । ଚିଠିପଢ଼ା ଶେଷ ହେଲାବେଳକୁ ଅଜିତ୍‍ର ସମସ୍ତ ମୁଖମଣ୍ଡଳ ଘର୍ମାକ୍ତ ହୋଇଉଠିଛି ।

 

ମାତ୍ର ପାଠ ଶେଷରେ ଅଜିତ୍‍ ଏକ ଦୀର୍ଘଶ୍ୱାସ ତ୍ୟାଗକରି ହାତକୁ ପତ୍ରଟି ବଢ଼ାଇଦେଇ କହିଲା, ‘‘ପୁନର୍ବାର ଆମ୍ଭେମାନେ ପରାଜିତ ହୋଇଛେ । ଆସାମୀ ଦ୍ୱୟ ଆମ୍ଭମାନଙ୍କର ସମସ୍ତ କୌଶଳକୁ ବ୍ୟର୍ଥ କରିଦେଇ ପଳାୟନ କରିଛନ୍ତି ।’’

 

କାନ୍ତିଲାଲର ସମସ୍ତ ମୁଖମଣ୍ଡଳ ଅଜିତ୍‍ର ଏ ହତାଶାବାଣୀ ଶ୍ରବଣରେ ଆରକ୍ତ ହୋଇଉଠିଥିଲା । ଅଜିତ୍‍ର ବକ୍ତବ୍ୟ ଶେଷ ହେବା ସଙ୍ଗେ ସଙ୍ଗେ ସେ ପତ୍ରଟି ଦ୍ରୁତ ପାଠ କରିବାକୁ ଲାଗିଲା ।

 

ପ୍ରିୟ ଅରିନ୍ଦମଜୀ,

 

ହୋଟେଲ ସୁଜାତାର ପାଞ୍ଚନମ୍ବର ପ୍ରକୋଷ୍ଠ ସଂଲଗ୍ନ ଶୌଚାଗାର ମଧ୍ୟରୁ ବିଚରା ଉଜ୍ଜ୍ୱଳର ମୃତଦେହ ଆପଣ କି ଆପଣଙ୍କର ସହକାରୀ ଅଜିତ୍‍ବାବୁ ଅଥବା ଆପଣଙ୍କଦ୍ୱାରା ନିଯୁକ୍ତ ଗୁପ୍ତଚର କାନ୍ତିଲାଲ କିଏ ଆବିଷ୍କାର କରିବ ଠିକ୍‍ ଜାଣେନା, ମାତ୍ର ସତରେ ଦୁଃଖ ଲାଗୁଛି ପୋଲିସ୍‍ ତରଫରୁ ପ୍ରଚୁର ଅର୍ଥଲାଭର ସମ୍ଭାବନାରେ ଉଜ୍ଜ୍ୱଳ ଆମ୍ଭମାନଙ୍କର ଛଦ୍ମବେଶ ଅନ୍ତରାଳରୁ ଆମ୍ଭମାନଙ୍କୁ ଆବିଷ୍କାର କରିବା ନିମିତ୍ତ ଯେଉଁ ପ୍ରୟାସ କରିଥିଲା ତା’ର ପରିଣତି ସେ ଭୋଗ କରିଛି । ଆମେ ଯେତେବେଳେ ଜାଣିପାରିଲୁ ଯେ ଉଜ୍ଜ୍ୱଳ ଆମ୍ଭମାନଙ୍କୁ ଧରାଇଦେବା ନିମିତ୍ତ ବଦ୍ଧପରିକର ସେତେବେଳେ ତାକୁ ହତ୍ୟାକରି ହୋଟେଲ୍‍ରୁ ପଳାଇଯାଇ ଆତ୍ମରକ୍ଷା କରିବାର ସିନ୍ଧାନ୍ତ କରିନେଲୁ । ବିଚାରା ଉଜ୍ଜ୍ୱଳ ନିହତ ହେବା ପୂର୍ବରୁ ତା’ର କୃତିତ୍ଵ ସମ୍ବନ୍ଧରେ ସବୁକିଛି ପ୍ରକାଶ କରିଯାଇଛି ଓ ତା’ର ସେ କୃତିତ୍ଵ ଅନ୍ତରାଳରେ ଆପଣମାନଙ୍କର ପ୍ରେରଣା ଥିବା କଥା ସେ ପ୍ରାଣ ଆତଙ୍କରେ ପ୍ରକାଶ କରିଦେଇଛି । ମାତ୍ର ଆହତ ସର୍ପକୁ ମୁମୂର୍ଷୁ ଅବସ୍ଥାରେ କେହି କେବେ ଛାଡ଼ି ଦିଏ କି ? ଗଳାଚିପି ଶ୍ୱାସରୋଧ କରି ଉଜ୍ଜ୍ୱଳକୁ ମୁଁ ହତ୍ୟା କରିଛି । ଆହା ବିଚାରା ନିହତ ହେବା ପୂର୍ବରୁ ପ୍ରାଣଭିକ୍ଷା କରି କେଡ଼େ ସେ ବିକଳ ହେଉନଥିଲା ସତେ । ମାତ୍ର ତା’ର ପ୍ରାଣରକ୍ଷା କରିବାକୁ ଯାଇ ନିଜର ପ୍ରାଣକୁ ପୋଲିସ୍ ହାତରେ ଉତ୍ସର୍ଗ କରି ଦେବାର କ’ଣ କିଛି ଅର୍ଥ ହୁଏ । କାନ୍ତିଲାଲକୁ ହତ୍ୟା କରିବାକୁ ଇଚ୍ଛା ଥିଲେ ମଧ୍ୟ ହତ୍ୟା କଲୁ ନାହିଁ । କାରଣ ଉଜ୍ଜ୍ୱଳ ହତ୍ୟାରେହିଁ ଆମ୍ଭମାନଙ୍କର ପ୍ରୟୋଜନ ମେଣ୍ଟି ଯାଉଛି ।

 

ମୁଁ ଠିକ୍‍ ବୁଝିପାରୁଛି ଆମ୍ଭମାନଙ୍କର ଏ ପଳାୟନ ଆପଣମାନଙ୍କୁ ବ୍ୟର୍ଥତାର ଯନ୍ତ୍ରଣାରେ ଅଧିକ ଉତ୍ତେଜିତ କରି ତୋଳିବ ଓ ଆପଣମାନେ ଆମ୍ଭମାନଙ୍କୁ ଗ୍ରେପ୍ତାର କରିବା ନିମିତ୍ତ ଅଧିକ ଉଗ୍ର ହୋଇ ଉଠିବେ, ଆପଣମାନଙ୍କର ଏହି ଉଗ୍ରତାକୁ ମୁଁ କିନ୍ତୁ ସ୍ୱାଗତ ଜଣାଇବି ।’’

 

–ବରୁଣା

 

କାନ୍ତିଲାଲ ପତ୍ର ପାଠ ଶେଷକଲାବେଳକୁ ସମ୍ପୂର୍ଣ୍ଣ ବିବର୍ଣ୍ଣ ହୋଇଯାଇଥିଲା । ଅଜିତ୍ ତା’ର ବିବର୍ଣ୍ଣ ମୁଖମଣ୍ଡଳକୁ ଚାହିଁ କହିଲା, ‘‘ତୁମକୁ ହତ୍ୟା ନ କରି ବରୁଣା ଯେ ଯଥେଷ୍ଟ ଅନୁକମ୍ପା ପ୍ରଦର୍ଶନ କରିଛି ତା’ର ପତ୍ର ପାଠକଲେ ତାହାହିଁ ଜଣାଯାଏ । ବର୍ତ୍ତମାନ ଆମ୍ଭମାନଙ୍କର ପ୍ରଧାନ କର୍ତ୍ତବ୍ୟ ହେଲା ଏ ପତ୍ର ଯାହାଙ୍କ ଉଦ୍ଦେଶ୍ୟରେ ଲେଖା ତାଙ୍କୁ ଅବିଳମ୍ବେ ସବୁକିଛି ଜଣାଇଦେବା । ସାର୍‍ଙ୍କ ଉପସ୍ଥିତି ବ୍ୟତୀତ ବର୍ତ୍ତମାନ ଅଧିକ କିଛି କରାଯାଇ ନ ପାରେ । ସେ ଆସି ଏଠାରେ ଉପସ୍ଥିତ ହୋଇ ପରିସ୍ଥିତି ଅନୁଧ୍ୟାନ କଲା ଉତ୍ତାରେ ଯାହା ନିର୍ଦ୍ଦେଶ ଦେବେ, ତଦନୁଯାୟୀ ଆମ୍ଭମାନଙ୍କୁ ନିଜର ଭବିଷ୍ୟତ କର୍ତ୍ତବ୍ୟ ସ୍ଥିର କରିବାକୁ ହେବ ।’’

 

ପରାଜୟ ଗ୍ଳାନିରେ ଜର୍ଜ୍ଜରିତ ଅରିନ୍ଦମ ଏକାଗ୍ର ଚିତ୍ତରେ ସେଦିନ ଉଜ୍ଜ୍ୱଳର ମୃତଦେହସ୍ଥ କାମିଜ୍‍ ପାକେଟରୁ ମିଳିଥିବା ତାଙ୍କ ଉଦ୍ଦେଶ୍ୟରେ ଲିଖିତ ପତ୍ରଟି ଏକାଗ୍ର ଚିତ୍ତରେ ପୁନଶ୍ଚ ପାଠ କରୁଥିଲେ ।

 

ସାମ୍‍ନାରେ ତାଙ୍କର ନୀରବ ନିସ୍ତବ୍‍ଧ ହୋଇ ବସି ରହିଥିଲା ଅଜିତ୍ ।

 

ଆଜି ଶଶାଙ୍କର ବିଭାଘର । ସେଇ ସମ୍ପର୍କରେ ଅରିନ୍ଦମ ଅଜିତ୍‍ ସଙ୍ଗେ ଆଲୋଚନା କରୁଥିଲେ । ମାତ୍ର ମୁହୂର୍ତ୍ତ କେତେକ ପୂର୍ବେ ମି. ଘୋଷାଲ ଅରିନ୍ଦମଙ୍କ ସହ ପ୍ରୟୋଜନୀୟ ପରାମର୍ଶ ଶେଷ କରି ବିଦାୟ ନେଇଥିଲେ । ଅଧିକ କିଛି ପରାମର୍ଶ ଓ ଉପଦେଶ ପାଇବା ଉଦ୍ଦେଶ୍ୟରେ ଅଜିତ୍ ଅରିନ୍ଦମକୁ ସତୃଷ୍ଣ ନୟନରେ ଅନାଇ ବସି ରହିଥିଲା ।

 

ଅରିନ୍ଦମ ମି. ଘୋଷାଲଙ୍କୁ ବିଦାୟ ଦେବାପରେ ବରୁଣାର ପତ୍ରଟି ପୁନର୍ବାର ପଢ଼ିବାକୁ ଆରମ୍ଭ କରିଥିଲେ । ପତ୍ର ପାଇବା ଦିନରୁ ଆଜି ପର୍ଯ୍ୟନ୍ତ ସେ କୋଡ଼ିଏ ଥର ତାହା ପାଠ କରି ସାରିଲେଣି ମାତ୍ର ସେ ପତ୍ରର ନୂତନତ୍ୱ ତାଙ୍କ ନିକଟରେ ଏବେ ସୁଦ୍ଧା ଅନିର୍ବାଣ ରହିଛି । ସେ ମନେକରୁଛନ୍ତି ବାରମ୍ବାର ସେ ପତ୍ର ପାଠଦ୍ୱାରା ଅନ୍ତର ତଳେ ଯେପରି ନିତି ନିତି ନୂତନ ଉଦ୍ଦୀପନା ଅନୁଭବ କରୁଛନ୍ତି ଓ ବରୁଣାର ପ୍ରତିଦ୍ୱନ୍ଦ୍ୱିତା କରିବା ନିମିତ୍ତ ଯେପରି ମନ ତଳେ ନୂଆ ଶକ୍ତି ଆହରଣ କରିପାରୁଛନ୍ତି ।

 

ସେ ପତ୍ର ପାଠ ଶେଷକରି ସାମ୍‍ନା ଟେବୁଲ ଉପରେ ପତ୍ରଟି ରଖିବା ସମୟେ ଅଜିତ୍‍କୁ ଚାହିଁ କହିଲେ, ‘‘ବରୁଣା ସହ ପ୍ରତିଦ୍ୱନ୍ଦ୍ୱିତାରେ ଆଜି ଆମେ ପୁଣି ଅବତୀର୍ଣ୍ଣ ହେଉଛେ । ତା’ର ଧମକ ହେଲା ସେ ଶଶାଙ୍କ ସହ ସୁତପାର ବିବାହ କରାଇ ଦେବ ନାହିଁ । ନିଜର ଇଚ୍ଛାକୁ କାର୍ଯ୍ୟକାରୀ କରିବାକୁ ଯାଇ ସେ ହୁଏତ ହିଂସ୍ର ହୋଇପାରେ । ମାତ୍ର ତା’ର ସେ ହିଂସ୍ରତାର ସୀମା କେତେଦୂର ଯିବ ତା’ ଆମ ପକ୍ଷେ ଠିକ୍‍ କଳ୍ପନା କରିବା ଅସମ୍ଭବ । ତଥାପି ଆମ ପକ୍ଷରୁ ସୁତପା ଓ ଶଶାଙ୍କର ଜୀବନ ରକ୍ଷା ପାଇଁ ସବୁପ୍ରକାର ନିରାପତ୍ତାର ବ୍ୟବସ୍ଥା କରାଯାଇଛି ଓ ସେ ନିରାପତ୍ତା ବ୍ୟବସ୍ଥାରେ ଆମ ଦୁହିଁଙ୍କର କର୍ତ୍ତବ୍ୟ ଯଥେଷ୍ଟ ଗୁରୁତ୍ଵପୂର୍ଣ୍ଣ । ମୁଁ ରହିବି ବିବାହ ପ୍ରୋଶେସନରେ ଶଶାଙ୍କ ପାଖେ ଓ ତୁମେ, ମି. ଘୋଷାଲଙ୍କ ସହ ସୁକାନ୍ତବାବୁଙ୍କର ଗୃହର ପ୍ରବେଶଦ୍ୱାର ନିକଟରେ ସତର୍କ ପ୍ରହରୀର କାର୍ଯ୍ୟ କରିବ । ଲକ୍ଷ୍ୟ ରଖିବାକୁ ହେବ ବିନୋଦ କି ବରୁଣା ଯେପରି ଏ ବିବାହ ଉତ୍ସବରେ ସୀମା ପର୍ଯ୍ୟନ୍ତ ସ୍ପର୍ଶ କରିନପାରନ୍ତି । ସୁଦୃଢ଼ ପୋଲିସ୍‍ ବ୍ୟୁହ ଓ ସତର୍କିତ ବହୁ ପ୍ରଖର ଦୃଷ୍ଟିର ପରିସର ଅତିକ୍ରମ କରି ବିନୋଦ ଓ ବରୁଣା ଯଦି ଆବିର୍ଭୂତ ହୋଇ ଆମ୍ଭମାନଙ୍କୁ ପ୍ରତାରିତ କରନ୍ତି ତେବେ ନିଜ ଦୁର୍ଭାଗ୍ୟକୁ ଦୋଷ ଦେବା ଛଡ଼ା ଅନ୍ୟକିଛି ଆଉ କରାଯାଇ ନ ପାରେ । ଦେଖିଲ ତ ମି. ଘୋଷାଲ କିପରି ଦୃଢ଼ ଶପଥ କରିଗଲେ । ବିନୋଦ ଓ ବରୁଣା ନିକଟରେ ସେ ଯଦି ଆସି ପରାଜିତ ହୁଅନ୍ତି, ତେବେ ସେ ନିଜ ଚାକିରିରୁ ସଙ୍ଗେ ସଙ୍ଗେ ଇସ୍ତଫା ଦେବେ ।’’

 

ଅଜିତ୍ ଓଠ ଉପରେ ଶୁଷ୍କ ହାସ୍ୟ ଉକୁଟାଇ କହିଲା, ‘‘ସେ ସବୁ କେବଳ କଥାର କଥା, କ୍ରୋଧବେଳର ଶପଥ । ଅଯଥା ଏପରି ଶପଥ କରି ଲାଭ କ’ଣ ? ଜୟ ପରାଜୟ ତ ଜୀବନରେ ଲାଗି ରହିଛି, କର୍ମ ଉପରେ ଆମ୍ଭମାନଙ୍କର ସିନା ଅଧିକାର ଅଛି, ଫଳ ଉପରେ ଆମ୍ଭମାନଙ୍କର କି କର୍ତ୍ତୃତ୍ୱ ବା ରହିଛି । ଫଳପ୍ରାପ୍ତି ଉପରେ ଅଯଥା ବିଶ୍ୱାସ ରଖିବାର ଅର୍ଥ ଅହଙ୍କାର ବ୍ୟତୀତ ଅନ୍ୟକିଛି ନୁହେଁ । ତେଣୁ ମି. ଘୋଷାଲଙ୍କ ଦମ୍ଭବାଣୀ ଉପରେ ମୁଁ କୌଣସି ଗୁରୁତ୍ୱ ଆରୋପ କରୁନି । ବର୍ତ୍ତମାନ ପରିସ୍ଥିତିରେ ଏତିକି କେବଳ କୁହାଯାଇପାରେ ଆମ୍ଭମାନେ ସ୍ୱସ୍ୱ କର୍ତ୍ତବ୍ୟ ସମ୍ବନ୍ଧରେ ଅତ୍ୟନ୍ତ ସଚେତନ ରହିବା ଓ କର୍ମରେ ସାଫଲ୍ୟ ପ୍ରାପ୍ତି ନିମିତ୍ତ ଯତ୍‍ପରୋନାସ୍ତି ଯତ୍ନବାନ୍‍ ହେବା ।

 

ଅରିନ୍ଦମ ଅଜିତ୍‍ର ଚିନ୍ତାଧାରାକୁ ସମର୍ଥନ କରିଥିଲେ ଓ ସେ ତାକୁ ତା’ର କର୍ତ୍ତବ୍ୟ ସମ୍ବନ୍ଧରେ ଆଉ କେତେକ ଉପଦେଶ ଦେବା ଉତ୍ତାରେ ଅଜିତ୍ ଅରିନ୍ଦମଙ୍କ ନିକଟରୁ ବିଦାୟ ନେଇଥିଲା ।

 

ବିଦାୟ ପ୍ରୋଶେସନ ଠିକ୍‍ ଆରମ୍ଭ ହେବା ପୂର୍ବରୁ ଅରିନ୍ଦମ ନରେଶବାବୁଙ୍କ ମ୍ଳାନ ମୁଖମଣ୍ଡଳ ପ୍ରତି ଦୃଷ୍ଟି ଦେଇ ତାଙ୍କୁ ଚୁପ୍‍ ଚୁପ୍‍ କରି କହିଥିଲେ, ‘‘ଆପଣ ଧୈର୍ଯ୍ୟ ଧରନ୍ତୁ । ଶଶାଙ୍କର ନିରାପତ୍ତାର ଦାୟିତ୍ୱ ମୁଁ ଯେତେବେଳେ ଗ୍ରହଣ କରିଛି ତା’ର କୌଣସି କ୍ଷତି କଦାପି ହେବ ନାହିଁ । ଆପଣ ମନ ଯଥେଷ୍ଟ ଦୃଢ଼ କରନ୍ତୁ । ଆପଣ ଶଶାଙ୍କକୁ ଚାହିଁ ଦେଖନ୍ତୁ ତ ସେ କିପରି ନିର୍ଭୀକଭାବେ ନିଜର ଜୟଯାତ୍ରା ପାଇଁ ପ୍ରସ୍ତୁତ ହୋଇ ରହିଛି ।’’

 

ନରେଶବାବୁ ବର୍ତ୍ତମାନ ପରିସ୍ଥିତିରେ ଯଥେଷ୍ଟ ଧୈର୍ଯ୍ୟ ଅବଲମ୍ବନ କରିଥିଲେ ବି ପିତୃ ହୃଦୟ ତାଙ୍କର ମଧ୍ୟେ ମଧ୍ୟେ ବିଚଳିତ ହୋଇପଡ଼ୁଥିଲା । ତଥାପି ସେ ଯଥେଷ୍ଟ ସାହସ ଓ ଶକ୍ତି ସଞ୍ଚୟ କରିଥିଲେ ମନେ ମନେ । ତେଣୁ ଅରିନ୍ଦମଙ୍କର ସାନ୍ତ୍ୱନା ବାଣୀ ଶୁଣି କହିଲେ, ‘‘ସୁବର୍ଣ୍ଣଗଡ଼କୁ ଯାତ୍ରା ସମୟରେ ମୁଁ ଯେପରି ଶଶାଙ୍କକୁ ଆପଣଙ୍କ ହାତରେ ସମର୍ପଣ କରିଦେଇଥିଲି, ଆଜି ମଧ୍ୟ ସେଇପରି ପରମ ଭରସାରେ ତାକୁ ମୁଁ ଆପଣଙ୍କ ହାତରେ ସଁପି ଦେଇଛି । ଶଶାଙ୍କ ସେ ଦିନ ଯେପରି ବରୁଣା ସହ ପ୍ରତିଦ୍ୱନ୍ଦ୍ୱିତାରେ ଜୟୀ ହୋଇ ତାକୁ ବିବାହ କରିବା ନିମିତ୍ତ ଦୃଢ଼ପରିକର ହୋଇଥିଲା, ଆଜି ତା’ ମନର ସେହି ଦୃଢ଼ତା ହିଁ ମୁଁ ଲକ୍ଷ୍ୟକରିଛି । ଗତ ରାତ୍ରିରେ ମୁଁ ଯେତେବେଳେ ମୋ ମନର ଆଶଙ୍କା ପ୍ରକାଶ କରି ଶଶାଙ୍କ ନିକଟରେ ଦୁର୍ବଳ ହୋଇପଡ଼ିଥିଲି, ସେତେବେଳେ ସେ ମୋତେ ସାହସ ଦେଇ କହିଥିଲା । ‘‘ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ, ଭଗବାନ ଆମ୍ଭମାନଙ୍କର ପାଖେ ପାଖେ ରହିଛନ୍ତି । ଆପଣଙ୍କ ଆଶୀର୍ବାଦ ନେଇ ମୁଁ ଯେପରି ସୁବର୍ଣ୍ଣଗଡ଼ରୁ ଜୟଯୁକ୍ତ ହୋଇ ସସମ୍ମାନେ ଫେରି ଆସିଥିଲି ଆଜି ମଧ୍ୟ ମୁଁ ସେଇପରି ସୁତପାକୁ ବିବାହ କରି ଆପଣଙ୍କ ପାଦ ପାଖକୁ ନିଶ୍ଚୟ ଫେରି ଆସି ପାରିବି । ଆଜି ମୋ ମନରେ ଭୟ ନାହିଁ ବରଂ ବରୁଣା ସହ ପ୍ରତିଦ୍ଵନ୍ଦିତା କରିବା ନିମିତ୍ତ ମୋ ଅନ୍ତରତଳର ଶକ୍ତି ଯଥେଷ୍ଟ ଦୀପ୍ତ ହୋଇ ଉଠିଛି ।’’ ମୁଁ ତା’ର ଏ ବୀରୋଚିତ ବକ୍ତବ୍ୟ ଶୁଣିବା ଉତ୍ତାରେ ବାସ୍ତବିକ୍ ନିଜ ଧୈର୍ଯ୍ୟରେ ଯଥେଷ୍ଟ ଦୃଢ଼ ହୋଇପାରିଛି । ଏତିକି କେବଳ, ପିତୃ ହୃଦୟ ମୋର ବେଳେ ବେଳେ ଖୁବ୍‍ ଦୁର୍ବଳ ହୋଇପଡ଼ୁଛି । ଭଗବାନଙ୍କୁ ତେଣୁ ପ୍ରାର୍ଥନା କରୁଛି ପ୍ରଭୋ ମୋତେ ଶେଷ ପର୍ଯ୍ୟନ୍ତ ମନୋବଳରେ ଶକ୍ତିମାନ୍‍ କରି ରଖ ।’’

 

ଅରିନ୍ଦମ ନରେଶବାବୁଙ୍କ ବକ୍ତବ୍ୟ ଶୁଣି ପୁଲକିତ ହୋଇ ଉଠିଥିଲେ ଓ ତାଙ୍କୁ ଧନ୍ୟବାଦ ନ ଜଣାଇ ରହି ପାରିନଥିଲେ ।

 

ଶଶାଙ୍କ ଧୀରେ ଧୀରେ ଗୃହରୁ ଶୁଭ ଅନୁକୂଳ କରି ଆସି ସୁସଜ୍ଜିତ ମଟର ମଧ୍ୟରେ ବସିଲା, ଯାତ୍ରା ଆରମ୍ଭ ହେବାର ସଙ୍କେତ ଦିଆ ହେବା ସଙ୍ଗେ ସଙ୍ଗେ ସୁମଧୁର ସ୍ୱରରେ ବ୍ୟାଣ୍ଡ ବାଜି ଉଠିଥିଲା ଓ ବିବାହ ଶୋଭାଯାତ୍ରା ଧୀରେ ଧୀରେ ଗତିଶୀଳ ହେବାକୁ ଆରମ୍ଭ କଲା ।

 

ମଟର ଚତୁର୍ଦ୍ଦିଗରେ ସଶସ୍ତ୍ର ପୋଲିସ୍‍ ବାହିନୀ ଘେରି ରହି ପ୍ରୋଶେସନ ସଙ୍ଗେ ସଙ୍ଗେ ଚାଲିଥିଲେ ଓ ମଟରର ଅଳ୍ପ ଦୂରରେ ଦୁଇପାର୍ଶ୍ଵରେ ଆଉ ଗୋଟିଏ ପୋଲିସ୍‍ ବ୍ୟୁହ ମଧ୍ୟ ଶୋଭାଯାତ୍ରା ସହିତ ଅଗ୍ରଗତି କରୁଥିଲା । ବର ସହିତ ଯାତ୍ରା କରୁଥିବା ସମସ୍ତ ବରଯାତ୍ରୀ ଓ ଅନ୍ୟାନ୍ୟମାନଙ୍କୁ ଜଣ ଜଣ କରି ଯାଞ୍ଚ କରାଯାଇଥିଲା, କାରଣ କିଏ ଜାଣେ ଛଦ୍ମବେଶୀ ଶତ୍ରୁ ଏ ଶୋଭାଯାତ୍ରାରେ ସାମିଲ ହୋଇଯାଇନଥିବେ ।

 

ଅରିନ୍ଦମ ବସି ରହିଥିଲେ ଶଶାଙ୍କର ବାମ ପାର୍ଶ୍ଵରେ । ନରେଶବାବୁ ମଟରର ସାମ୍‍ନା ସିଟରେ ବସିଥିଲେ ।

 

କଲିକତାର ରାଜପଥ ଉପରେ ଏ ବିଚିତ୍ର ବିବାହ ପ୍ରୋଶେସନ ଏକ କୌତୂହଳ ସୃଷ୍ଟି କରିଥିଲା । ଶତାଧିକ ସଶସ୍ତ୍ର ପୋଲିସ୍‍ ବ୍ୟୁହ ମଧ୍ୟରେ ଏବଂବିଧ ବିବାହ ଶୋଭାଯାତ୍ରା କଲିକତାବାସୀ ବୋଧହୁଏ ପୂର୍ବରୁ କେବେ ଦେଖି ନ ଥିଲେ । ସେମାନଙ୍କର ଆଖିରେ ବିଚିତ୍ର କୌତୂହଳ ଓ ଓଠରେ ବିସ୍ମୟକର ଜିଜ୍ଞାସା । ମାତ୍ର ସେମାନଙ୍କ ପ୍ରଶ୍ନର ଉତ୍ତର ଦେବ କିଏ ? ପୋଲିସ୍‍ ବ୍ୟୁହ ମଧ୍ୟରେ ଏ ବିବାହ ପ୍ରୋଶେସନର ଅର୍ଥ ମାତ୍ର କେତେଜଣଙ୍କ ବ୍ୟତୀତ ଅନ୍ୟମାନେ ତ କେହି କିଛି ଜାଣି ନ ଥିଲେ । ଅରିନ୍ଦମ ପଥଚାରୀମାନଙ୍କର ଆଖିର ବିସ୍ମୟ ବେଶ୍ କୌତୂହଳ ସହ ଲକ୍ଷ୍ୟ କରୁଥିଲେ ।

 

ବିବାହ ଶୋଭାଯାତ୍ରା ବେଶ୍‍ କେତେକ୍ଷଣ ଅଗ୍ରଗତି କଲା ଉତ୍ତାରେ ସୁକାନ୍ତବାବୁଙ୍କ ଗୃହର କ୍ରମେ ନିକଟବର୍ତ୍ତୀ ହେବାକୁ ଲାଗିଲା । ଅନତିଦୂରରେ ଆଲୋକମାଳା ସୁସଜ୍ଜିତ ସୁକାନ୍ତବାବୁଙ୍କ ପ୍ରାସାଦ ଦୃଷ୍ଟିଗୋଚର ହୁଅନ୍ତେ ଅରିନ୍ଦମ ଶଶାଙ୍କକୁ ଧୀରେ ଧୀରେ କହିଲେ, ‘‘ଭଗବାନଙ୍କ ଦୟାରୁ ଆମ୍ଭମାନଙ୍କର ପଥଯାତ୍ରା ନିର୍ବିଘ୍ନରେ ସମ୍ଭବତଃ ଶେଷ ହେବାକୁ ଯାଉଛି । ଆମ୍ଭମାନଙ୍କର ଏ ତରଫରୁ ପ୍ରତିରୋଧ ବ୍ୟବସ୍ଥା ଯଥେଷ୍ଟ ଦୃଢ଼ ଓ ତ୍ରୁଟିଶୂନ୍ୟ ଥିବା ଭଳି ମନେହେଉଛି । ସୁକାନ୍ତବାବୁଙ୍କ ଗୃହ ନିକଟସ୍ଥ ନିରାପତ୍ତା ବ୍ୟବସ୍ଥା କେତେଦୂର ଫଳପ୍ରଦ ହେଉଛି କିଏ ଜାଣେ । ଅବଶ୍ୟ ମି. ଘୋଷାଲ ଓ ଅଜିତ୍ ଉଭୟଙ୍କ ଉପରେ ମୋର ସମ୍ପୂର୍ଣ୍ଣ ଭରସା ଅଛି । ଶେଷ ପର୍ଯ୍ୟନ୍ତ ଦେଖାଯାଉ ଭଗବାନ ଆମ୍ଭମାନଙ୍କୁ କେତେଦୂର ସାହାଯ୍ୟ କରୁଛନ୍ତି । ତୁମର ଦୃଢ଼ ମନୋବଳ ଲକ୍ଷ୍ୟକରି ମୁଁ ଯଥେଷ୍ଟ ଆଶ୍ୱସ୍ତ ହୋଇଛି । ମାତ୍ର ଜାଣେନା ସେପଟେ ସୁକାନ୍ତବାବୁ ଓ ସୁତପାର ମନୋବଳର ଅବସ୍ଥା କ’ଣ । ଯୁଦ୍ଧ ପୂର୍ବରୁ ଯୋଦ୍ଧାମାନଙ୍କର ଓଠରୁ ସାହସିକତାର ଯଥେଷ୍ଟ ପରିଚୟ ମିଳିଥାଏ ମାତ୍ର ଠିକ୍‍ ଯୁଦ୍ଧକ୍ଷେତ୍ରରେ ସେ ସାହସ ଅନେକ ଊଣା ପଡ଼ିଯିବାର ବହୁ ଦୃଷ୍ଟାନ୍ତ ଅଛି । ସେଇପରି ସୁକାନ୍ତବାବୁ ଓ ସୁତପା ପୂର୍ବରୁ ନିଜ ଦୃଢ଼ମନର ଭରସା ଆମ୍ଭମାନଙ୍କୁ ଦେଇଥିଲେ ମଧ୍ୟ ବର୍ତ୍ତମାନ ମୁହୂର୍ତ୍ତରେ କେତେଦୂର ପୂର୍ବ ମନୋବଳରେ ସ୍ଥିର ଅଛନ୍ତି, ତାହା ଚିନ୍ତା କରିବାର କଥା । ବର୍ତ୍ତମାନ କ୍ଷେତ୍ରରେ ବାହାରର ପ୍ରତିରୋଧ ବ୍ୟବସ୍ଥା ଅପେକ୍ଷା ସେମାନଙ୍କର ଚିତ୍ତର ଦୃଢ଼ତା ଅଧିକ ପ୍ରୟୋଜନ ।’’

 

ଶଶାଙ୍କ ଅରିନ୍ଦମଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଲା, ‘‘ସୁକାନ୍ତବାବୁଙ୍କର ବର୍ତ୍ତମାନର ମାନସିକ ଅବସ୍ଥା ଠିକ୍‍ କ’ଣ ହୋଇଥିବ ମୁଁ ଜାଣେନା, ସେ ତାଙ୍କ ପୂର୍ବର ମନର ଦୃଢ଼ତା ଠିକ୍‍ ବଜାୟ ରଖିପାରିଥିବେ କି ନାହିଁ ସେ ସମ୍ବନ୍ଧରେ ମୁଁ ସଠିକ୍‍ କିଛି କହିପାରୁନି । ମାତ୍ର ସୁତପା ଉପରେ ମୋର ସମ୍ପୂର୍ଣ୍ଣ ଭରସା ଅଛି । କାରଣ ମୁଁ ତାକୁ ଜାଣେ । ମୁଁ ତାକୁ ଏତେ ବେଶୀ ଜାଣେ ଯେ ତା’ ସମ୍ବନ୍ଧରେ ମୁଁ ସମ୍ପୂର୍ଣ୍ଣ ନିଶ୍ଚିନ୍ତ ରହିପାରିଛି ତା’ ମନର ଦୃଢ଼ତା ମୋ’ଠାରୁ ଯେ ଯଥେଷ୍ଟ ଅଧିକ ସେ ସମ୍ବନ୍ଧରେ ମୋ ମନରେ କୌଣସି ସନ୍ଦେହ ନାହିଁ । ଆମ୍ଭମାନଙ୍କର ପ୍ରଣୟ ଓ ପରିଣୟ କ୍ଷେତ୍ରରେ ତା’ର ସାହସିକତାର ଦାମ୍‍ ମୋ’ଠାରୁ ଯଥେଷ୍ଟ ବେଶୀ । ତେଣୁ ଆପଣ ସୁତପାର ମାନସିକ ଦୃଢ଼ତା ସମ୍ପର୍କରେ ନିଃସନ୍ଦେହ ରହିପାରନ୍ତି ।’’

 

ବିବାହ ଶୋଭାଯାତ୍ରା ସୁକାନ୍ତବାବୁଙ୍କର ପ୍ରାସାଦ ସମୀପବର୍ତ୍ତୀ ହୁଅନ୍ତେ କନ୍ୟାଘର ତରଫର ବାଦ୍ୟ ସଜୋରେ ବାଜି ଉଠିଲା ଓ ବରକୁ ଦେଖିବା ନିମିତ୍ତ ପ୍ରାସାଦର ବାତାୟନ, ପ୍ରତିଟି ଦରଜା, ପାରାପେଟ୍‍ ସମ୍ମୁଖ ବାରଣ୍ଡା ବୃଦ୍ଧା, ପ୍ରୌଢ଼ା, ଯୁବତୀ, ତରୁଣୀ ଏବଂ ବାଳିକାମାନଙ୍କର ସମାବେଶରେ ଜନାକୀର୍ଣ୍ଣ ହୋଇଉଠିଲା ।

 

ବର ଆଗମନରେ ମହିଳାମାନଙ୍କର ଏତାଦୃଶ କୌତୂହଳୀ ଆବିର୍ଭାବ ଖୁବ୍‍ ସ୍ୱାଭାବିକ ।

 

ହୁଳିହୁଳି ପଡ଼ିଲା, ଶଙ୍ଖ ବାଜିଲା, କନ୍ୟା ତରଫରୁ କନ୍ୟାକର୍ତ୍ତା, ପୁରୋହିତ ଏବଂ ବାରିକ ବରକୁ ସ୍ୱାଗତ ଜଣାଇ ଘର ଭିତରକୁ ନେଇଯିବାଲାଗି ଆଗେଇ ଆସିଲେ । ଫଳରେ ଭୀଷଣ ଗହଳିରେ ସ୍ଥାନଟି ଭରପୁର ହୋଇଗଲା ।

 

ଏହି ଅତ୍ୟଧିକ ଭିଡ଼ ହେତୁ ପୋଲିସ୍‍ର ଘେର ଅବ୍ୟାହତ ରଖିବା ଅସମ୍ଭବ ହୋଇଉଠିଲା ।

 

ଏହି ବିଶୃଙ୍ଖଳା ମଧ୍ୟରେ ଅରିନ୍ଦମ ଲକ୍ଷ୍ୟ କଲେ ଅଜିତ୍‍ ଓ ମି. ଘୋଷାଲ ହଠାତ୍‍ ଏ ବିଶୃଙ୍ଖଳା ଯୋଗୁଁ କିପରି ବିବ୍ରତ ହୋଇପଡ଼ିଛନ୍ତି । ଅରିନ୍ଦମ ସଙ୍ଗେ ସଙ୍ଗେ ମଟର ମଧ୍ୟରୁ ଓହ୍ଲାଇ ପଡ଼ି ଜନଗହଳି ଭେଦକରି ସେମାନଙ୍କ ନିକଟରୁ ଆଗେଇ ଯାଇ କହିଉଠିଲେ, ‘‘ଏତେ ସାବଧାନତା ଓ ଶୃଙ୍ଖଳା କିନ୍ତୁ ଏହି ମୁହୂର୍ତ୍ତକ ମଧ୍ୟରେ ବିପର୍ଯ୍ୟସ୍ତ ହୋଇଗଲା । ଏହି ସାମାନ୍ୟ ଜନତାକୁ କୌଣସି ପ୍ରକାରେ ଆୟତ୍ତ କରାଯାଇ ପାରିଲା ନାହିଁ ।’’

 

ମି. ଘୋଷାଲ ବ୍ୟସ୍ତ ବିବ୍ରତ କଣ୍ଠରେ କହି ଉଠିଲେ, ‘‘ଏହି ସାମାଜିକ ମାଙ୍ଗଳିକ ବ୍ୟାପାରରେ ଅତିରିକ୍ତ ପୋଲିସ୍‍ ହସ୍ତକ୍ଷେପ ହୁଏତ ବାଧା ସୃଷ୍ଟି କରିପାରେ ଅଥବା ଉପସ୍ଥିତ ମାନ୍ୟଗଣ୍ୟ ଭଦ୍ରବ୍ୟକ୍ତି ଓ ଭଦ୍ରମହିଳାମାନଙ୍କ ପ୍ରତି ଅସୌଜନ୍ୟ ପ୍ରଦର୍ଶନର କାରଣ ହୋଇପାରେ ଏହି ଆଶଙ୍କାରେ ସାମାନ୍ୟ କୋହଳ ନୀତି ଅବଲମ୍ବନ କରିବାକୁ ମୁଁ ବାଧ୍ୟ ହୋଇଛି ।’’

 

‘‘ଫଳରେ’’ ଅରିନ୍ଦମ ଅତ୍ୟନ୍ତ ବିରକ୍ତ ହୋଇ କହିଉଠିଲେ, ‘‘ଏ ଅସାମାନ୍ୟ ବିଶୃଙ୍ଖଳା ସୃଷ୍ଟି ହେବାକୁ ଆପଣ ପ୍ରଶ୍ରୟ ଦେଲେ । ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏତେ ସତର୍କତା ଅବଲମ୍ବନ କରିବାର କି ଅର୍ଥ ଆଉ ରହିଲା ।’’

 

ଅଜିତ୍ ଅରିନ୍ଦମଙ୍କର ଏ ବିରକ୍ତିକୁ କିନ୍ତୁ ସମର୍ଥନ କରିପାରିଲାନାହିଁ । ସେ କ୍ଷୁବ୍‍ଧ କଣ୍ଠରେ କହି ଉଠିଲା, ‘‘ମି. ଘୋଷାଲଙ୍କ ସ୍ଥାନରେ ଆପଣ ଦାୟିତ୍ଵରେ ଥିଲେ ବି ଏହି ବିଶୃଙ୍ଖଳା ଘଟିଥା’ନ୍ତା । ଏ ସାମାଜିକ ବ୍ୟାପାରରେ କେତେଦୂର ଆଉ କ’ଣ କରାଯାଇପାରେ । ତେବେ ଆପଣ କ’ଣ ଭାବୁଛନ୍ତି, ପୋଲିସ୍‍ ଶୃଙ୍ଖଳା ରକ୍ଷା କରିବାକୁ ଯାଇ ଲାଠି ଚାର୍ଜ କରିଥାନ୍ତା, ନା ଲୁହବୁହା ଗ୍ୟାସ ପ୍ରୟୋଗ କରିଥା’ନ୍ତା । ଏତିକି ଜାଣି ଅନ୍ତତଃ ନିଶ୍ଚିନ୍ତ ରୁହନ୍ତୁ, ଜଣେହେଲେ ଅନାବଶ୍ୟକ ଲୋକ ଏ ପର୍ଯ୍ୟନ୍ତ ଗୃହ ମଧ୍ୟକୁ ପ୍ରବେଶ କରିପାରିବନାହିଁ । ମାତ୍ର ବାହାରର ନିରାପତ୍ତା ଲାଗି ବର୍ତ୍ତମାନ ଆମ୍ଭମାନଙ୍କୁ ଅଧିକ ସଜାଗ ହେବାକୁ ହେବ । ସମସ୍ତ ପ୍ରକାରର ପ୍ରତିକାର ବ୍ୟବସ୍ଥା ସତ୍ତ୍ଵେ ପରିସ୍ଥିତିର ପୀଡ଼ନରେ ଯଦି ହଠାତ୍‍ କୌଣସି ବିଶୃଙ୍ଖଳା ସୃଷ୍ଟି ହୋଇଯାଏ ତେବେ ତା’ ଉପରେ ହାତ କାହାର ? ଦାୟିତ୍ଵରେ ନ ଥିବା ଲୋକେ ଦାୟିତ୍ଵରେ ଥିବା ବ୍ୟକ୍ତି ଉପରେ ତ ଏଥିଲାଗି ନିର୍ବିବାଦରେ ଦୋଷ ଲଦି ଦେଇପାରିବେ । ମାତ୍ର ଦାୟିତ୍ଵ ମୁଣ୍ଡାଇଥିବା ଆସାମୀ କେବଳ ଅନୁଭବ କରିପାରିବ ତା’ର ଆପ୍ରାଣ ପ୍ରଚେଷ୍ଟା ଓ ସକଳ ତତ୍ପରତା ସତ୍ତ୍ଵେ କାହିଁକି ଏ ବିପର୍ଯ୍ୟୟ ସୃଷ୍ଟି ହୋଇଗଲା ।’’

 

ଅରିନ୍ଦମ ଅଜିତ୍‍ର ଯୁକ୍ତିପୂର୍ଣ୍ଣ ଅଭିମାନର ଗୁରୁତ୍ଵ ଉପଲବ୍ଧି କରିପାରି ଶାନ୍ତ ହୋଇଯାଇ କହିଲେ, ‘‘ମୁଁ ତୁମ ବକ୍ତବ୍ୟର ସାରବତ୍ତା ଅନୁଭବ କରୁଛି । ମୁଁ ସ୍ପଷ୍ଟ ବୁଝିପାରୁଛି ତୁମେ ଓ ମି. ଘୋଷାଲ କେତେଦୂର ନିରୁପାୟ ହୋଇପଡ଼ିଛ, ମାତ୍ର ମୁଁ ବ୍ୟସ୍ତ ହେବାର କାରଣ ହେଲା ଏହି ଅଣାୟତ୍ତ ପରିସ୍ଥିତିର ସୁବିଧା ଓ ସୁଯୋଗ ନେଇ ଯଦି ଶତ୍ରୁ କିଛି ଗୋଟାଏ ସର୍ବନାଶ କରି ବସେ । ତେଣୁ ଆସ, ଆଉ ଅଯଥା ଯୁକ୍ତିତର୍କରେ ସମୟ ଅତିବାହିତ ନ କରି ଉପସ୍ଥିତ ବିଶୃଙ୍ଖଳାକୁ ସଜାଡ଼ି ନେବା ସଙ୍ଗେ ସଙ୍ଗେ ଆମ୍ଭମାନଙ୍କର ସତର୍କତା-ମୂଳକ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିନେବା ।’’

 

ଅବିଳମ୍ବେ ବିହିତ ପ୍ରତିକାର କରାଗଲା । ପୋଲିସ୍‍ ସମସ୍ତ ସୌଜନ୍ୟ ରକ୍ଷାକରି ବିଶୃଙ୍ଖଳ ଜନତାକୁ ଶୃଙ୍ଖଳିତ କରିଦେବା ସଙ୍ଗେ ସଙ୍ଗେ ପୂର୍ବବତ୍ ସମସ୍ତ କଠୋର କଟକଣା ପ୍ରୟୋଗରେ ପ୍ରତିରୋଧ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିଦେଲା ।

 

ସମସ୍ତ ପ୍ରକାର ସତର୍କତା ଓ ସାବଧାନତା ମଧ୍ୟରେ ବର କନ୍ୟାର ଘର ମଧ୍ୟରେ ପ୍ରବେଶ କଲେ । ଶଶାଙ୍କର ଡାହାଣ ପଟେ ଅରିନ୍ଦମ, ପଶ୍ଚାଦରେ ଅଜିତ୍‍ ଏବଂ ବାମପାର୍ଶ୍ଵରେ ମି. ଘୋଷାଲ ଜମି ରହିଛନ୍ତି ।

 

ପ୍ରଶସ୍ତ ଘର ମଧ୍ୟରେ ବର ଓ ବରଯାତ୍ରୀମାନଙ୍କର ବସିବାର ସମସ୍ତ ପ୍ରକାର ବ୍ୟବସ୍ଥା କରାହୋଇଥିଲା । ବର ତା’ର ନିର୍ଦ୍ଦିଷ୍ଟ ସ୍ଥାନରେ ବସିବା ପରେ ବରଯାତ୍ରୀମାନେ ଉପବିଷ୍ଟ ହେଲେ-। ଅରିନ୍ଦମ, ଅଜିତ୍‍ ଏବଂ ମି. ଘୋଷାଲ କେବଳ ଶଶାଙ୍କର ଅତି ନିକଟରେ ତାକୁ ଜଗି ବସି ରହିଲେ ।

 

କୌତୂହଳୀ ମହିଳାଗଣ ନିଜ ନିଜର ନୟନ ତୃଷାନିବାରଣ କରିବା ପରେ ଧୀରେ ଧୀରେ ଗୃହମଧ୍ୟକୁ ପ୍ରସ୍ଥାନ କରିବାକୁ ଲାଗିଲେ । ଗହଳି କ୍ରମେ ପାତଳ ପଡ଼ି ଆସୁଛି ।

 

ଅରିନ୍ଦମ ଏ ପର୍ଯ୍ୟନ୍ତ ବିପଦର କୌଣସି ସମ୍ଭାବନା ସୃଷ୍ଟି ନ ହୋଇଥିବା ଯୋଗୁଁ ଆତ୍ମତୃପ୍ତି ଅନୁଭବ କରୁଥିଲେ ଓ ଶେଷ ପର୍ଯ୍ୟନ୍ତ ଏ ମଙ୍ଗଳ କାର୍ଯ୍ୟ ମଙ୍ଗଳରେହିଁ ସମାପ୍ତ ହେଉ ଏହି କାମନା କରି ମନେ ମନେ ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ । ବରକନ୍ୟାଙ୍କର ହସ୍ତ ମିଳନ ହୋଇଯିବା ପରେ ଆଉ ଚିନ୍ତା କରିବାର କ’ଣ ଅଛି ? ମନର ସକଳ ପ୍ରକାର ଆଶଙ୍କା ଭୟର ଅବସାନ ଘଟିବ ।’’

 

ଅରିନ୍ଦମ ନିଜ ମନର ପ୍ରତିକ୍ରିୟା ସମ୍ବନ୍ଧରେ କିଛି କହିବାକୁ ଉଦ୍ୟତ ହେଉଛନ୍ତି ଏହି ସମୟରେ ଅନ୍ଦରମହଲରୁ ହଠାତ୍ ଚିତ୍କାର କୋଳାହଳ ଓ ମିଳିତ କଣ୍ଠର କ୍ରନ୍ଦନ ଧ୍ୱନି ଭାସି ଆସିଲା-

 

ସୁମଧୁର ସୁରରେ ନହବତ ବାଜୁଥିଲା, ମଧୁର କୋଳାହଳ, ପ୍ରୀତିପୂର୍ଣ୍ଣ ଆଳାପ, ଆନନ୍ଦ ଓ ଉଦ୍ଦୀପନାରେ ଗୃହର ସମସ୍ତ ବାୟୁମଣ୍ଡଳ ଅମୃତମୟ ହୋଇ ଉଠିଥିଲା, ହଠାତ୍‍ ସମସ୍ତ କିଛି ସ୍ତବ୍‍ଧ ହୋଇଗଲା, ପରିବର୍ତ୍ତେ ମିଳିତ ରୋଦନର ଉଚ୍ଛ୍ୱସିତ କଣ୍ଠସ୍ୱର ଓ ବୁକୁଫଟା ହାହାକାର ଧ୍ୱନି ଅନ୍ଦରମହଲରୁ କ୍ରମେ ବ୍ୟାପକଭାବେ ଭାସି ଆସିବାକୁ ଲାଗିଲା ।

 

ଅରିନ୍ଦମ ତଡ଼ିତ୍‍ ବେଗରେ ଠିଆ ହୋଇପଡ଼ିଛନ୍ତି । ଉଭୟେ ଅଜିତ୍‍ ଓ ମି. ଘୋଷାଲ ମଧ୍ୟ ଅରିନ୍ଦମଙ୍କ ସହିତ ଉଲ୍‍କା ଗତିରେ ଠିଆ ହୋଇପଡ଼ି ନିର୍ବାକ ଓ ନିସ୍ତବ୍‍ଧ ହୋଇଯାଇଛନ୍ତି । ଆଉ ଶଶାଙ୍କ ଠିଆ ହୋଇନପାରି ବିସ୍ମୟ ବିସ୍ଫାରିତ ନୟନରେ ସ୍ଥାଣୁ ହୋଇ ରହିଯାଇଛି ।

 

ଅରିନ୍ଦମଙ୍କର ଆଉ ବୁଝିବାକୁ ବାକି ରହିଲା ନାହିଁ ଯେ ସମସ୍ତ ପ୍ରକାରର ନିରାପତ୍ତା ବ୍ୟବସ୍ଥା ସତ୍ତ୍ଵେ କିଛି ଗୋଟାଏ ଭୟଙ୍କର ସର୍ବନାଶ ନିଶ୍ଚୟ ଘଟିଯାଇଛି ଓ ସେ ସର୍ବନାଶଟା ଘଟିଛି କନ୍ୟା ଗୃହର ଅନ୍ଦର ମହଲରେ । ପ୍ରଳୟ ବାତ୍ୟା ଶଶାଙ୍କ ଉପର ଦେଇ ବୋହି ନ ଯାଇ ହଠାତ୍‍ ଦିଗ ପରିବର୍ତ୍ତନ କରି ଅନ୍ୟଦିଗକୁ ଚାଲିଗଲା ନା କ’ଣ ? ଅଥବା ଆତତାୟୀ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ଅନୁଯାଇ ତା’ର କାର୍ଯ୍ୟାନୁଷ୍ଠାନ କରିଛି ।

 

ଅଯଥା ଚିନ୍ତାରେ ସମୟ ନଷ୍ଟ କରିବାର ସମୟ ଏ ନୁହେଁ । ଅରିନ୍ଦମ, ମି. ଘୋଷାଲ ଓ ଅଜିତ୍‍କୁ ତାଙ୍କୁ ଅବିଳମ୍ବେ ଅନୁସରଣ କରିବାକୁ ନିର୍ଦ୍ଦେଷ ଦେଇ ନିଜେ ବିଦ୍ୟୁତ୍ ବେଗରେ ଗୃହ ମଧ୍ୟରେ ପ୍ରବେଶ କଲେ ।

 

ଦ୍ୱିତଳରୁ ଉଚ୍ଛ୍ୱସିତ ମିଳିତ କ୍ରନ୍ଦନ ଧ୍ୱନି ଭାସି ଆସୁଛି । ସେ ମିଳିତ କ୍ରନ୍ଦନ ଧ୍ୱନି ମଧ୍ୟସ୍ଥ ଅସ୍ପଷ୍ଟ ବକ୍ତବ୍ୟରୁ ବୁଝିବାକୁ ଚେଷ୍ଟାକରି ଠିକ୍‍ ବୁଝିପାରିଲେ ନାହିଁ ଅରିନ୍ଦମ । ଦୂରରେ ରହି ପରିସ୍ଥିତି ଉପଲବ୍ଧି କରିବାର ଚେଷ୍ଟା ନ କରି ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଅବିଳମ୍ବେ ପହଞ୍ଚି ଯିବା ବାଞ୍ଛନୀୟ ।

 

ଅରିନ୍ଦମ ଉଲ୍‍କା ଗତିରେ ସୋପାନ ଆରୋହଣ କରିବାକୁ ଲାଗିଲେ । ମି. ଘୋଷାଲ ଓ ଅଜିତ୍‍ ଝଡ଼ବେଗରେ ତାଙ୍କର ପଶ୍ଚାଦନୁସରଣ କରୁଛନ୍ତି ।

 

ଅରିନ୍ଦମ ଦ୍ୱିତଳରେ ପହଞ୍ଚି ଯେଉଁ ନିର୍ଦ୍ଦିଷ୍ଟ କକ୍ଷରେ ମହିଳାମାନଙ୍କର ସାନ୍ଧ୍ର ସମାବେଶ ଘଟିଥିଲା, ପଲକ ମଧ୍ୟରେ ସେଠାରେ ଯାଇ ପହଞ୍ଚିଗଲେ । ପ୍ରକୋଷ୍ଠଟି ବହୁ ମହିଳା କଣ୍ଠର ମିଳିତ ଉଚ୍ଛ୍ୱସିତ କ୍ରନ୍ଦନରେ ଧ୍ୱନିତ ହେଉଥିଲା ।

 

ଅରିନ୍ଦମଙ୍କର ଅପେକ୍ଷା କରିବା ଭଳି ଧୈର୍ଯ୍ୟ ଆଉ ନ ଥିଲା । ସେ ଇଙ୍ଗିତରେ ମହିଳାମାନଙ୍କୁ ଆଡ଼େଇ ଯିବାକୁ ନିର୍ଦ୍ଦେଶ ଦେଇ କକ୍ଷ ମଧ୍ୟରେ ଦ୍ରୁତ ପ୍ରବେଶ କଲେ ।

 

ପ୍ରକୋଷ୍ଠ ମଧ୍ୟକୁ ଦୁଇ ଚାରି ପାହୁଣ୍ଡ ମାତ୍ର ଆଗେଇ ଯାଇ ଚମକି ପଡ଼ି ସ୍ତବ୍‍ଧ ହୋଇ ଠିଆ ହୋଇଗଲେ ଅରିନ୍ଦମ ।

 

ଚକ୍ଷୁ ତାଙ୍କର ନିଷ୍ପଲକ ହୋଇଯାଇଛି,

 

ହେ ଭଗବାନ୍‍, ଏ କି କରୁଣ ମର୍ମାନ୍ତିକ ଦୃଶ୍ୟ ସେ ଅବଲୋକନ କରୁଛନ୍ତି ଦୃଷ୍ଟି ସାମ୍‍ନାରେ ।

 

ସେ ନିଜ ଆଖିକୁ ବିଶ୍ୱାସ କରିପାରୁନାହାନ୍ତି । ସେ ଯାହା ଦେଖୁଛନ୍ତି ତା’ କ’ଣ ସତ୍ୟ ? ସେ ସ୍ୱପ୍ନ ଦେଖୁନାହାନ୍ତି ତ ।

 

ଠିକ୍‍ ତାଙ୍କ ପଶ୍ଚାଦରେ ମି. ଘୋଷାଲ ଓ ଅଜିତ୍‍ ହତବାକ୍ ସ୍ତବ୍‍ଧ ହୋଇ ଠିଆ ହୋଇଯାଇଛନ୍ତି । ସେମାନଙ୍କ ଦୃଷ୍ଟିର ନିଃସହାୟତା ଓ କାରୁଣ୍ୟ ଅବର୍ଣ୍ଣନୀୟ ।

 

ସାମ୍‍ନାର ସେ ମର୍ମନ୍ତୁଦ ଦୃଶ୍ୟରେ କେହି କ’ଣ କେବେ ଧୈର୍ଯ୍ୟ ଧରିପାରେ ।

 

ଆବରଣ ଓ ଆଭରଣରେ ବିଭୂଷିତା ନବବଧୂ ବେଶରେ ସୁସଜ୍ଜିତା ସୁତପାର ମୃତଦେହ ପ୍ରଶସ୍ତ ଗାଲିଚା ଉପରେ ଉତ୍ତାନ ଭାବରେ ପଡ଼ିରହିଥିଲା ।

 

ସୁତପା ମୃତ, ନା ସଂଜ୍ଞାଶୂନ୍ୟ ହୋଇପଡ଼ିଛି !

 

ଅରିନ୍ଦମ ନିଜ ମନକୁ ପ୍ରବୋଧ ଦେବାକୁ ଚେଷ୍ଟା କରୁଛନ୍ତି । ନିଜର ପରାଜୟକୁ ସ୍ୱୀକାର କରିବାକୁ ସେ ସମ୍ପୂର୍ଣ୍ଣ ପରାଂମୁଖ ।

 

ମାତ୍ର କଠୋର ସତ୍ୟକୁ ଅସ୍ୱୀକାର କରାଯିବ କିପରି ?

 

ଅରିନ୍ଦମ, ଅଜିତ୍‍ ଓ ମି.ଘୋଷଲ ଏକା ସମୟରେ ସୁତପାର ନିଶ୍ଚେତନ ଓ ନିସ୍ଫଳ ଶରୀର ଉପରେ ପରାଜିତ ସୈନିକର ଗ୍ଳାନିରେ ଗୁରୁଭାରରେ ନଇଁ ପଡ଼ିଛନ୍ତି ।

 

ସୁତପାର ଦୁଇ ନୟନ ଉନ୍ମୁକ୍ତ ହୋଇ ରହିଯାଇଛି । ସମଗ୍ର ଦେହରେ ତା’ର ପ୍ରାଣର ସୂଚନା କାହିଁ ?

 

‘‘ସାର୍, ସେ ଚିଠିଟି କ’ଣ ଦେଖନ୍ତୁତ ।’’ ସୁତପାର ମୃତଦେହ ପାର୍ଶ୍ଵସ୍ଥ ଅଜିତ୍‍ ଝୁଙ୍କିପଡ଼ି ଖଣ୍ଡେ ନୀଳରଙ୍ଗ କାଗଜ ଉଠାଇ ଆଣିଲା । ଅଜିତ୍‍ ତାହା ପାଠକରିବା ପୂର୍ବରୁ ଅର୍ଦ୍ଧୋନ୍ମାଦ ଅରିନ୍ଦମ ପତ୍ରଟି ଝାମ୍ପି ନେଇଛନ୍ତି ତା’ ହାତରୁ ।

 

ପତ୍ର ଉପରେ ଚଞ୍ଚଳ ଦୃଷ୍ଟି ତାଙ୍କର କ୍ରୀଡ଼ା କରୁଛି । ଚରମ ଉତ୍ତେଜନାରେ ଥର ଥର ହୋଇ ଥରୁଛନ୍ତି ସେ । ପତ୍ରଟି ପଢ଼ି ବି ସେ ପଢ଼ି ପାରୁନାହାନ୍ତି । ତାଙ୍କୁ ଉଦ୍ଦେଶ୍ୟ କରି ତା’ ଲେଖା ହୋଇଛି । ଚଞ୍ଚଳ ହସ୍ତାକ୍ଷରରେ ଅପମାନର ନିର୍ମମ କଶାଘାତ–

 

ପ୍ରିୟ ଅରିନ୍ଦମଜୀ,

 

ମୁଁ ମୋର ଶପଥ ରକ୍ଷା କରିଛି । ସୁତପାର ପେଲବ କଣ୍ଠ ଉପରେ ମୋର ଦୁଇ କଠୋର କରର ନିର୍ମମ ନିଷ୍ପେଷଣ ଆଜି ଏ ନାଟକର ସମାପ୍ତି ଆଣି ଦେଇଛି । ବିଚାରୀ ବିବାହରେ ମଧୁର ମିଳନର କେତେ ସ୍ୱପ୍ନ ଦେଖିଥିଲା ସତେ । ଆଉ ଶଶାଙ୍କବାବୁ, ତାଙ୍କ ଲାଗି ଦୁଃଖ ଲାଗୁଛି ସତେ । ହାୟ ଏ ଜୀବନରେ ସୁତପାକୁ ନିଜର ଅର୍ଦ୍ଧାଙ୍ଗିନୀ କରିପାରିଲେନି । ଅର୍ଦ୍ଧପଥରେ ଅସମାପ୍ତ ରହିଗଲା ତାଙ୍କ ଜୀବନର ମଧୁର ମିଳନ ଆକାଂକ୍ଷା । ବର୍ତ୍ତମାନ ମୋର ଆପଣଙ୍କ ସମ୍ପର୍କରେ ପଦେ କହିବାର ଅଛି । ଆପଣଙ୍କର ସମସ୍ତ ସତର୍କତା ଅବଲମ୍ବନ ଓ କଠୋର ନିରାପତ୍ତା ବ୍ୟବସ୍ଥା ସତ୍ତ୍ୱେ ମୁଁ ସୁତପା ନିକଟକୁ ଚାଲି ଆସି ପାରିଛି । ମି. ଘୋଷାଲ ଓ ଅଜିତ୍‍ବାବୁଙ୍କର ତୀକ୍ଷ୍ଣ ଦୃଷ୍ଟି ସାମ୍‍ନାରେହିଁ ସୁକାନ୍ତବାବୁଙ୍କ ଗୃହ ମଧ୍ୟରେ ମୁଁ ପ୍ରବେଶ କଲି । ପୋଲିସ୍‍ କମିଶନର ମି.ବସୁଙ୍କ ପରିବାର ଗହଣରେ ମୁଁ କୌଶଳରେ ଓ ସମ୍ପୂର୍ଣ୍ଣ ନିରାପଦରେ ସୁକାନ୍ତବାବୁଙ୍କ ଗୃହମଧ୍ୟକୁ ଯାତ୍ରା କରିଥିଲି । ପୋଲିସ୍‍ କମିଶନରଙ୍କ ପରିବାରର ଜଣେ ସଭ୍ୟା ମନେକରି ମୋତେ ଯାଞ୍ଚ କରିବା ନିମିତ୍ତ ମି. ଘୋଷାଲ ଓ ଅଜିତ୍‍ବାବୁ ସମ୍ଭବତଃ ସଙ୍କୋଚ ଅନୁଭବ କରିଛନ୍ତି । ମୁଁ ପୂର୍ବରୁ ଏହି କୌଶଳ ଅବଲମ୍ବନ କରିବାକୁ ସ୍ଥିର କରିଥିଲି ଓ ମୋର କୌଶଳ ମଧ୍ୟ ସମ୍ପୂର୍ଣ୍ଣ ସଫଳ ହେଲା । ମି.ବସୁଙ୍କର ବୃହତ ପରିବାର ଯଥା ତାଙ୍କର ସ୍ତ୍ରୀ, ବୃଦ୍ଧା ମା’, ଅନ୍ୟଦୁଇଜଣ ଆତ୍ମୀୟା ଏବଂ ତିନିଜଣ ପୁତ୍ରକନ୍ୟାଙ୍କ ସହ ମୁଁ ମଧ୍ୟ ଜଣେ ହୋଇ ଚାଲି ଯାଇ ପାରିଲି ।

ବରକୁ ଦେଖିବାର କୌତୂହଳ ନେଇ ଉପସ୍ଥିତ ସମସ୍ତ ମହିଳାଗଣ ଏ କକ୍ଷରୁ ନିଷ୍କ୍ରାନ୍ତ ହୋଇଯିବା ପରେ ସୁତପାକୁ ନିର୍ଦ୍ୱନ୍ଦ୍ୱରେ ହତ୍ୟା କରିବା ନିମିତ୍ତ ମୋର ଆଉ ଅସୁବିଧା କ’ଣ ରହିଲା-

ମୋର ପ୍ରତିଜ୍ଞା ପୂର୍ଣ୍ଣକରି ଆତ୍ମରକ୍ଷା ଲାଗି ପଳାୟନ କରିବା ପୂର୍ବରୁ ଆପଣଙ୍କ ଅବଗତି ନିମିତ୍ତ ସଂକ୍ଷେପରେ ମୋ ସମ୍ପର୍କରେ କିଛି କହିଗଲି । ଅନୁସନ୍ଧାନ କଲେ ମୋ ସମ୍ବନ୍ଧରେ ଅଧିକ କିଛି ହୁଏତ ଜାଣିପାରିବେ–ଇତି

–ବରୁଣା

Unknown

ଅରିନ୍ଦମ ଚିଠିଟି ପଢ଼ିସାରି ନୀରବରେ ତା’ ମି. ଘୋଷାଲଙ୍କ ହାତକୁ ବଢ଼ାଇ ଦେଲେ । ଅଜିତ୍‍ ଝୁଙ୍କି ପଡ଼ିଛି ମି. ଘୋଷାଲଙ୍କ ମୁହଁ ପାଖେ । ପତ୍ରଟିର ବିଷୟବସ୍ତୁ ଜାଣିବାର ଅଦମ୍ୟ କୌତୂହଳ ନେଇ ।

ଅରିନ୍ଦମ ସ୍ତବ୍‍ଧ ହୋଇ ସୁତପାର ମୃତଦେହକୁ ଅନାଇ ରହିଛନ୍ତି । ଦୃଷ୍ଟି ତାଙ୍କର ନିଷ୍ପଲକ । ମୁହୂର୍ତ୍ତ କେତେକ ଉତ୍ତାରେ ଅରିନ୍ଦମ ସୁତପା ଉପରୁ ଦୃଷ୍ଟି ଫେରାଇ ଆଣି ମି. ଘୋଷାଲ ଓ ଅଜିତ୍‍କୁ ଅନାଇଲେ । ସେମାନେ ପତ୍ରପାଠ ପରେ ସମ୍ପୂର୍ଣ୍ଣ ବିବର୍ଣ୍ଣ ହୋଇଯାଇଥିଲେ ଓ ନତ ନେତ୍ରରେ ପରାଜିତ ସୈନିକର ଆତ୍ମଗ୍ଳାନି ନେଇ ସ୍ଥାଣୁସମ ଠିଆହୋଇ ରହିଥିଲେ, ଅରିନ୍ଦମ ସେମାନଙ୍କ ମନର ଦୁଃଖଦ ପ୍ରତିକ୍ରିୟା ଲକ୍ଷ୍ୟ କରି ବାଷ୍ପାଚ୍ଛନ୍ନ କଣ୍ଠରେ କହିଲେ, ‘‘ଏ ଯାହା ସବୁ ଘଟିଥିଲା ସେଥିଲାଗି ଆପଣମାନଙ୍କୁ ଦୋଷ ଦେବାର କିଛି ନାହିଁ । କାରଣ ମୁଁ ବୁଝିପାରୁଛି ଆପଣମାନେ କେତେଦୂର ନିରୁପାୟ ଥିଲେ । ଆମ୍ଭମାନଙ୍କର ସକଳ କୌଶଳ ଓ ବୁଦ୍ଧି ବରୁଣାର ଅସୀମ କୃତିତ୍ଵ ନିକଟରେ ଯେ ପରାଭୂତ ହୋଇଛି ଏଥିରେ ସନ୍ଦେହର ଅବକାଶ ନାହିଁ । ମାତ୍ର ସବୁଠାରୁ ବେଦନାଦାୟକ ଘଟଣା କ’ଣ ହେଲା ବୁଝିପାରିଲେ, ସକଳ ପ୍ରକାର ପ୍ରତିକାର ଓ ପ୍ରତିରୋଧ ବ୍ୟବସ୍ଥା ସତ୍ତ୍ୱେ ଆମ୍ଭେମାନେ ସୁତପାକୁ ରକ୍ଷା କରିପାରିଲି ନାହିଁ । ମୁଁ ଶଶାଙ୍କକୁ ସାହସ ଦେଇଥିଲି, ସୁକାନ୍ତବାବୁଙ୍କୁ ସମ୍ପୂର୍ଣ୍ଣ ନିରାପତ୍ତାର ଅଭୟବାଣୀ ଶୁଣାଇଥିଲି, ମାତ୍ର ମୋର ସବୁ ବଡ଼ିମା ଆଜି ଧୂଳିସାତ୍ ହୋଇଯାଇଛି ।’’ ଅରିନ୍ଦମଙ୍କ କଣ୍ଠରେ ହତାଶାର ସ୍ପର୍ଶ ।

ଏହାର ପରବର୍ତ୍ତୀ ଘଟଣା ଅତୀବ କରୁଣ ଓ ବେଦନାଦାୟକ ହୋଇଉଠିଥିଲା । ସୁକାନ୍ତବାବୁ ଝଡ଼ ବେଗରେ କକ୍ଷ ମଧ୍ୟରେ ପ୍ରବେଶ କରି ନିହତ କନ୍ୟାକୁ ଦେଖି ଦେଇ ମୂର୍ଚ୍ଛିତ ହୋଇପଡ଼ିଲେ । ଶଶାଙ୍କ ସୁକାନ୍ତବାବୁ ପଛେ ପଛେ ପ୍ରକୋଷ୍ଠ ମଧ୍ୟକୁ ପଶିଆସି ସୁତପାର କରୁଣ ମୃତଦେହକୁ ଅନାଇ ସ୍ତବ୍‍ଧ ହୋଇ ରହିଗଲେ ଓ ପରମୂହୁର୍ତ୍ତରେ ଦୁଇ କରତଳରେ ମୁଖାବୃତ କରି ବ୍ୟାକୁଳ କଣ୍ଠରେ ପିଲାଙ୍କ ଭଳି କାନ୍ଦି ଉଠିଲେ । ନରେଶବାବୁ ଶଶାଙ୍କଙ୍କର ପଶ୍ଚାଦନୁସରଣ କରି କକ୍ଷ ମଧ୍ୟକୁ ପଶିଆସି ମୃତ ସୁତପାକୁ ଦେଖି ଦେଇ ନିର୍ବାକ ଓ ନିସ୍ପନ୍ଦ ହୋଇଗଲେ । ମାତ୍ର ମନ ତଳେ ହୁଏତ ଗୋଟିଏ ସୂକ୍ଷ୍ମ ପ୍ରତିକ୍ରିୟା ଆଲୋଡ଼ିତ ହେଉଥିଲା, ତା’ ହେଇଛି ବର୍ତ୍ତମାନର ଅବସ୍ଥା ଯେତେ କରୁଣ ହେଉନା କାହିଁକି ଶଶାଙ୍କ ତ ମୋର ନିରାପଦ ଅଛି । ଅପରାଜିତ ମନର ଏ ବୈଚିତ୍ର ନିକଟରେ ସୁକାନ୍ତବାବୁଙ୍କର ନିଃସହାୟଭାବେ ଆତ୍ମସମର୍ପଣ କରିବା ବ୍ୟତୀତ ଗତ୍ୟନ୍ତର ନ ଥିଲା ।

ପରିଣୟର ଏତେ ଘଟା, ଏତେ ଉଲ୍ଲାସ, ଉନ୍ମାଦନା, ଆଲୋଡ଼ନ ପଲକ ମଧ୍ୟରେ ସ୍ତବ୍‍ଧ ହୋଇଯାଇଛି । ପରିବର୍ତ୍ତେ କ୍ରୂର ମୃତ୍ୟୁର ନିବିଡ଼ ଅନ୍ଧକାର ସମସ୍ତ ଆଲୋକକୁ ବିଦ୍ରୂପ କରି ନିଜର ସ୍ଥିତିକୁ ବଡ଼ ନିର୍ମମଭାବେ ଚତୁର୍ଦ୍ଦିଗରେ ପରିବ୍ୟାପ୍ତ କରିଦେଇଛି ଓ ସେଇ ବ୍ୟାପ୍ତି ମଧ୍ୟରେ ଅରିନ୍ଦମ ନିଜର ଦୟନୀୟ ସ୍ଥିତିକୁ ଅତି କରୁଣଭାବେ ଉପଲବ୍ଧି କରି ଅଧୋମୁଖ ହୋଇରହିଛନ୍ତି ।

 

ଅବସ୍ଥା ବହୁ ସମୟ ପରେ କ୍ରମେ ଶାନ୍ତ ହୋଇ ଆସିବାରୁ ଅରିନ୍ଦମ ଅନୁସନ୍ଧାନ କରି ବୁଝିଲେ ବରୁଣା ନୀଳଶାଢ଼ି ଓ ନୀଳବ୍ଲାଉଜ ପରିଧାନ କରି ଆସିଥିଲା ଓ ତା’ର ସମସ୍ତ ଅଙ୍ଗରେ ମହାର୍ଘ ଆଭରଣମାନ ଥିଲା । ସେ ଯେତେବେଳେ ସୁତପା ନିକଟରେ ଅନ୍ୟ ମହିଳାମାନଙ୍କ ଗହଣରେ ବସିଥିଲା ସେତେବେଳେ ତା’ ସମ୍ବନ୍ଧରେ ସମସ୍ତେ ବେଶ୍‍ କୌତୂହଳୀ ହୋଇଉଠିଥିଲେ-। ମାତ୍ର ବିବାହରେ ନାନାଦି ବ୍ୟସ୍ତତା ମଝିରେ ସେ କୌତୂହଳ ଅଧିକକାଳ ସ୍ଥାୟୀ ହୋଇନଥିଲା-। ବର ଆସିଯିବାରୁ ସୁତପା ନିକଟରେ ଉପସ୍ଥିତ ସମସ୍ତ ମହିଳାଗଣ ଯେତେବେଳେ ସେ କକ୍ଷରୁ ଉଠି ଚାଲିଗଲେ, ସେତେବେଳେ ବରୁଣା କିନ୍ତୁ ସେ ସ୍ଥାନ ତ୍ୟାଗ କରିନଥିଲା । ଶଶାଙ୍କକୁ ବରବେଶରେ ଦେଖିସାରିବା ଉତ୍ତାରେ ସୁତପାର ବନ୍ଧୁଗଣ ଯେତେବେଳେ ପୁନର୍ବାର ଏ କକ୍ଷକୁ ଫେରି ଆସିଲେ ସେତେବେଳେ ସେମାନେ ସୁତପାକୁ ନିହତ ଅବସ୍ଥାରେ ଗାଲିଚା ଉପରେ ପଡ଼ି ରହିଥିବାର ଲକ୍ଷ୍ୟକରି ଆର୍ତ୍ତ ଚିତ୍କାର କରି ଉଠିଥିଲେ । ନୀଳବସନା ସୁନ୍ଦରୀ ଭଦ୍ରମହିଳା କିନ୍ତୁ ଇତି ମଧ୍ୟରେ ଅନ୍ତର୍ଦ୍ଧାନ ହୋଇଯାଇଥିଲେ ।

 

ଅରିନ୍ଦମ ବରୁଣାର ଦୁଃସାହସ ସମ୍ବନ୍ଧରେ ଚିନ୍ତାକରି ଅବାକ୍ ହୋଇଗଲେ । ସୁତପାକୁ ହତ୍ୟା କରିବା ଉତ୍ତାରେ ତାଙ୍କୁ ପତ୍ରଲେଖିବା ଭଳି ମାନସିକ ସ୍ଥିରତା ତା’ର ଆସିଲା କିପରି ? ଅନ୍ୟମାନେ କାଳେ ଆସି ଉପସ୍ଥିତ ହୋଇଯିବେ ଓ ସେ ଧରାପଡ଼ିଯିବ ଏହି ଭୟରେ ସେ ଆଦୌ ଚଞ୍ଚଳ ହୋଇନି । ଦୃଢ଼ ମନ ଓ ସ୍ଥିର ଚିତ୍ତରେ ସେ ନିଜର ସିନ୍ଧାନ୍ତ ଅନୁଯାୟୀ କାର୍ଯ୍ୟ କରିଯାଇଛି, କାହାରିକୁ ଭ୍ରୂକ୍ଷେପ ପର୍ଯ୍ୟନ୍ତ କରିନାହିଁ ।

 

ଭଗ୍ନହୃଦୟ ଅରିନ୍ଦମ, ମି. ଘୋଷାଲ ଏବଂ ଅଜିତ୍‍ ରାତ୍ରିର ଶେଷ ପ୍ରହରରେ ଯେତେବେଳେ ଗୃହକୁ ପ୍ରତ୍ୟାବର୍ତ୍ତନ କରୁଥିଲେ ସେତେବେଳେ ସେମାନେ କେହି ପ୍ରକୃତିସ୍ଥ ନ ଥିଲେ । ମର୍ମାନ୍ତିକ ଯନ୍ତ୍ରଣାରେ ସେମାନେ ମୃତକଳ୍ପ ହୋଇପଡ଼ିଥିଲେ ।

 

ଚଳମାନ କାର୍‍ ମଧ୍ୟରେ ମୁହୂର୍ତ୍ତ କେତେକ ନୀରବରେ ବସି ରହିବା ଉତ୍ତାରେ ଅଜିତ୍‍ ଏକ ସମୟରେ ଏକ ଦୀର୍ଘଶ୍ୱାସ ତ୍ୟାଗକରି ବାଷ୍ପାଚ୍ଛନ୍ନ କଣ୍ଠରେ ପ୍ରଶ୍ନକଲା, ‘‘ତେବେ ଆମ୍ଭମାନଙ୍କର ପରବର୍ତ୍ତୀ କର୍ତ୍ତବ୍ୟ କ’ଣ ?’’

 

ଅରିନ୍ଦମ କମ୍ପିତ ହସ୍ତ ଷ୍ଟିୟରିଂ ଉପରେ ରଖି ଶୁଷ୍କ ହସ ହସି ଉତ୍ତର ଦେଲେ, ‘‘ସେ କର୍ତ୍ତବ୍ୟ ମୁଁ କ’ଣ ସ୍ଥିର କରିବି, ବରୁଣାର ଭବିଷ୍ୟତ କାର୍ଯ୍ୟକ୍ରମ ସମ୍ଭବତଃ ତାହା ସ୍ଥିର କରିଦେବ ।’’

 

ପନ୍ଦର ଦିନ ପର ଘଟଣା ।

 

ଅରିନ୍ଦମଙ୍କ ଘରେ ଗୋଟିଏ ଟେବୁଲର ଉଭୟ ପାର୍ଶ୍ଵରେ ଗୁରୁ ଓ ଶିଷ୍ୟ ସାମ୍‍ନା ସାମନି ବସିଥିଲେ ।

 

ଅରିନ୍ଦମ ଅଜିତ୍‍ ହାତରୁ ପତ୍ରଟି ନେଇ ପାଠ କଲେ ।

 

ଅଜିତ୍‍ବାବୁ,

 

ଆପଣଙ୍କ ପତ୍ରରୁ ଜାଣିଲି ଦୀର୍ଘକାଳ ଆତ୍ମଗୋପନ କରିବା ଉତ୍ତାରେ ବରୁଣା ଓ ବିନୋଦ ପୁନର୍ବାର ଧୂମକେତୁ ଭଳି ଆବିର୍ଭୂତ ହୋଇଛନ୍ତି । କେବଳ ଆବିର୍ଭୂତ ହୋଇନାହାନ୍ତି ଅଧିକନ୍ତୁ ତିନିଟି ହତ୍ୟାକାଣ୍ଡରେ ଇତିମଧ୍ୟରେ କୃତିତ୍ୱ ପ୍ରଦର୍ଶନ କରିସାରିଲେଣି, ପ୍ରିନ୍ସ ରୁଦ୍ରନାରାୟଣଙ୍କର ଶିଶୁପୁତ୍ର ସୁରଥ, ସୁକାନ୍ତବାବୁଙ୍କ କନ୍ୟା ସୁତପା ଅବଂ ଉଜ୍ଜ୍ୱଳର ହତ୍ୟାପରେ ଆପଣ ଭୟଙ୍କର ଆତଙ୍କିତ ହୋଇପଡ଼ିଛନ୍ତି ଓ ବରୁଣାର ଭବିଷ୍ୟତ କାର୍ଯ୍ୟକ୍ରମ ସମ୍ପର୍କରେ ଯଥେଷ୍ଟ ଆଶଙ୍କା ପ୍ରକାଶ କରିଛନ୍ତି । ମୁଁ ଆପଣଙ୍କ ପତ୍ରର ଭାଷାରୁ ଆପଣଙ୍କର ମନଦୌର୍ବଲ୍ୟର ଯଥେଷ୍ଟ ସୂଚନା ପାଇଛି । ବରୁଣା ଯେ ଅପରାଜେୟ ଓ ତାକୁ ଯେ କୌଣସି ମତେ ଗ୍ରେପ୍ତାର କରାଯାଇପାରେନା ଏପରି ଏକ ବିଚିତ୍ର ଧାରଣା ଆପଣଙ୍କ ମନରେ ବଦ୍ଧମୂଳ ହୋଇଯାଇଛି ବୋଲି ଆପଣଙ୍କ ପତ୍ରରୁ ସ୍ପଷ୍ଟ ସୂଚିତ ହୁଏ । ଆପଣ ଲେଖିଛନ୍ତି ବରୁଣା ନିର୍ବିଘ୍ନରେ ତା’ର ହତ୍ୟାକାଣ୍ଡ କରିଯାଉଛି ଅଥଚ ତାକୁ କୌଣସି ପ୍ରକାରେ ଗ୍ରେପ୍ତାର କରାଯାଇ ପାରୁନି, ମନୁଷ୍ୟର ସକଳ ପ୍ରଚେଷ୍ଟା ବିଫଳ ହୋଇଯାଉଛି । ଆମ୍ଭମାନଙ୍କର ବାରମ୍ବାର ଏ ଅସାଫଲ୍ୟରୁ ମନେହୁଏ କୌଣସି ଦୈବୀଶକ୍ତି ଯେପରି ତାକୁ ପ୍ରତିମୁହୂର୍ତ୍ତରେ ରକ୍ଷା କରୁଛି । ଆପଣଙ୍କର ଏ ଅନୁମାନ ଆଦୌ ମିଥ୍ୟା ନୁହେଁ । ଆପଣ ମୋତେ ବରୁଣା ସମ୍ବନ୍ଧରେ ଗୋପନୀୟ ଯଦି କିଛି ଥାଏ ଜଣାଇବାକୁ ଅନୁରୋଧ କରିଛନ୍ତି । ଆପଣ କେବଳ ଅନୁରୋଧ କରିଛନ୍ତି ବୋଲି ନୁହେଁ, ଆପଣଙ୍କର ଅବଗତି ନିମିତ୍ତ ମୁଁ ସ୍ୱତଃ ପ୍ରବୃତ୍ତ ହୋଇ ବରୁଣାର ଜନ୍ମରହସ୍ୟ ସମ୍ପର୍କରେ କିଛି ଲେଖୁଛି । ଏ ଅନୁମାନ ସହିତ ତା’ର ଜନ୍ମରହସ୍ୟର କିଛିଟା ସମ୍ବନ୍ଧ ନିଶ୍ଚୟ ଅଛି ।

 

ବରୁଣାକୁ ଗ୍ରେପ୍ତାର କରିବାର ପ୍ରଚେଷ୍ଟାରେ ମୋର ଏ ଜନ୍ମରହସ୍ୟ ଉଦ୍‍ଘାଟନ କୌଣସି ସାହାଯ୍ୟ କରିନପାରେ, ମାତ୍ର ଆପଣଙ୍କ କୌତୂହଳ ନିଶ୍ଚୟ ଚରିତାର୍ଥ କରିବ ।

 

ରାଜା ବିକ୍ରମସିଂହଙ୍କର ବହୁଦିନ ଯାବତ ସନ୍ତାନ ସନ୍ତତି ନ ହେବାରୁ ସେ ବହୁ ପୂଜା ଆରାଧନାରେ ବ୍ରତୀ ହେଲେ । ନାନାଦି ଯଜ୍ଞର ମଧ୍ୟ ଅନୁଷ୍ଠାନ କରାଗଲା । ମାତ୍ର ତା’ ସତ୍ତ୍ୱେ ରାଜାଙ୍କର ମନସ୍କାମନା ପୂର୍ଣ୍ଣହେଲା ନାହିଁ । ଫଳରେ ସେ ମନସ୍ତାପରେ କାଳାତିପାତ କରିବାକୁ ଲାଗିଲେ । ଠିକ୍‍ ଏହି ସମୟରେ ଜଣେ କାପାଳିକ ଆକସ୍ମିକ ଆସି ଆବିର୍ଭୂତ ହେଲେ ଓ ରାଜାଙ୍କର ମନୋବେଦନା ଜାଣିପାରି ସନ୍ତାନ ଲାଭ ଉଦ୍ଦେଶ୍ୟରେ ଏକ ମହାଯଜ୍ଞର ଅନୁଷ୍ଠାନ କଲେ । ତୃତୀୟ ଦିବସରେ ଯଜ୍ଞରେ ପୂର୍ଣ୍ଣାହୁତି ଦେବା ଅବସରରେ କାପାଳିକ ପ୍ରକାଶ କଲେ ଯେ, ରାଜାଙ୍କ ଭାଗ୍ୟରେ ପୁତ୍ର ସନ୍ତାନ ନାହିଁ । କେବଳ ଯଜ୍ଞର ପ୍ରଭାବରେ ଏକ କନ୍ୟା ସେ ଲାଭ କରିବେ ମାତ୍ର ସେ କନ୍ୟା ଅତ୍ୟନ୍ତ ଦୁର୍ଦ୍ଧର୍ଷ ଭୈରବୀ ରୂପିଣୀ ହେବ ଓ ଅମାନୁଷିକ କାର୍ଯ୍ୟରେ ତା’ର ଅଧିକ ପ୍ରବୃତ୍ତି ପ୍ରକାଶ ପାଇବ ।

 

ରାଜା ଏବଂବିଧ ବକ୍ତବ୍ୟ ଶୁଣି ଅତ୍ୟନ୍ତ ବିମର୍ଷ ହୋଇଯିବାରୁ, କାପାଳିକ ତାଙ୍କୁ ସାନ୍ତ୍ୱନା ଦେଇ କହିଲେ, ‘‘ଭାଗ୍ୟରେ ଯାହା ଅଛି ଅବଶ୍ୟ ତା’ ଭୋଗ କରିବାକୁ ହେବ, ସେଥିଲାଗି ଦୁଃଖ କରିବା ଅନୁଚିତ । ଆପଣଙ୍କ କନ୍ୟାର ଭବିଷ୍ୟତ ନିରାପତ୍ତା ପାଇଁ ମୁଁ ଏକ ମନ୍ତ୍ରପୂତ ବ୍ୟାଘ୍ରନଖ ଦେଇଯାଉଛି । କନ୍ୟା ଭୂମିଷ୍ଠ ହେବା ସଙ୍ଗେ ସଙ୍ଗେ ଆପଣ ତା’ ବେକରେ ଉକ୍ତ ନଖଟି ଝୁଲାଇ ଦେବେ । ଉକ୍ତ ନଖ ତା’ ବେକରେ ଥିବା ପର୍ଯ୍ୟନ୍ତ ତା’ର ଅଜସ୍ର ଅପରାଧ ସତ୍ତ୍ଵେ ତା’ର କେହି କୌଣସି କ୍ଷତି କରିପାରିବେ ନାହିଁ । ମାତ୍ର ସାବଧାନ ଉକ୍ତ ନଖ ଯେପରି ଅତ୍ୟନ୍ତ ସାବଧାନତାର ସହ ରକ୍ଷା କରାଯାଏ ।’’

 

କାପାଳିକ ଏପରି ଉପଦେଶ ଦେଇ ଚାଲିଯିବାର ଠିକ୍‍ ବର୍ଷକ ଉତ୍ତାରୁ ରାଜାଙ୍କର ଏକ କନ୍ୟା ସନ୍ତାନ ଜାତ ହେଲା ଓ ସେ ହେଲା ବରୁଣା । ରାଜା ଏକ ସୁବର୍ଣ୍ଣ ଚେନରେ ଉକ୍ତ ବ୍ୟାଘ୍ରନଖଟି କନ୍ୟା ବେକରେ ଝୁଲାଇଦେଲେ । ବରୁଣା ସମ୍ପର୍କରେ କାପାଳିକର ଭବିଷ୍ୟତ ବାଣୀ ଯେ ସତ୍ୟ ହୋଇଛି ଏଥିରେ ସନ୍ଦେହର ଆଉ ଅବକାଶ କାହିଁ । ଅମାନୁଷିକ କାର୍ଯ୍ୟରେ ତା’ର ବେପରୱାଭାବେ ରାଜପରିବାରର ପ୍ରତ୍ୟେକେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଲାଗିଲେ । ତା’ ନ ହୋଇଥିଲେ ଶତାଧିକ ତରୁଣ ପ୍ରତିଯୋଗୀ ଅକାରଣରେ ନିର୍ମମଭାବେ ନିହତ ହୋଇଥା’ନ୍ତେ କାହିଁକି ?

 

ବ୍ୟାଘ୍ରନଖର ଅପରିସୀମ ଶକ୍ତି ଆପଣ ଲକ୍ଷ୍ୟ କରୁଛନ୍ତି ତ । ରାଜପରିବାରର ସମସ୍ତେ ଗ୍ରେପ୍ତାର ହୋଇଗଲେ, ମାତ୍ର ବନ୍ଦୀ ହୋଇ ମଧ୍ୟ ବରୁଣା ଖସି ପଳାୟନ କଲା ତା’ର ସହଯୋଗୀ ବିନୋଦ ସହିତ । ଏବେ ମହାନଗରୀର ସବୁକୁ ଉପରେ ତିନିଟି ନିର୍ମମ ହତ୍ୟାକାଣ୍ଡ ଅନୁଷ୍ଠିତ ହୋଇଯିବା ସତ୍ତ୍ୱେ ନାୟିକା ବରୁଣାର ପୋଲିସ୍‍ କୌଣସି କ୍ଷତି କରିପାରିନାହାନ୍ତି । ପ୍ରତିକ୍ଷେତ୍ରରେ ସେ ଚମତ୍କାର ଆତ୍ମାରକ୍ଷା କରିଛି ।

 

ବ୍ୟାଘ୍ରନଖ ଯୋଗୁଁ ବରୁଣା ପୋଲିସ୍‍ କବଳରୁ ପ୍ରତିକ୍ଷେତ୍ରରେ ରକ୍ଷା ପାଇଯାଉଥିବା ବ୍ୟାପାର ଆପଣଙ୍କୁ ହାସ୍ୟାସ୍ପଦ ମନେ ହୋଇପାରେ । ମାତ୍ର ତା’ ସମ୍ପୂର୍ଣ୍ଣ ସତ୍ୟ । ଏ ଦେଶର ତନ୍ତ୍ର ମନ୍ତ୍ରକୁ ହସି ଉଡ଼ାଇ ଦିଆ ଯାଇନପାରେ ।

 

ଆପଣ ମୋତେ ପ୍ରଶ୍ନ କରିଛନ୍ତି ବରୁଣା ସଙ୍ଗେ ବିନୋଦର କି ସମ୍ପର୍କ ଥାଇପାରେ । ମୁଁ ଯେତିକି ଜାଣେ କହୁଛି ସେ ସମ୍ବନ୍ଧ କୌଣସି ଦୁର୍ବଳତାର ନୁହେଁ । କାରଣ ବରୁଣାକୁ ମୁଁ ଚିହ୍ନେ । କୌଣସି ପୁରୁଷକୁ କେବେ ସେ ଭଲ ପାଇବ ଏହା ସ୍ୱପ୍ନ ମାତ୍ର । ସେ ବିନୋଦକୁ ନିଜର ସହଯୋଗୀଭାବେ କେବଳ ଗ୍ରହଣ କରିନେଇଛି । ଯଦି କେବେ ଜାଣିବାକୁ ହେବ, ତାହା ଈଶ୍ୱରଙ୍କ ମାୟା ଛଡ଼ା ଅନ୍ୟ କିଛି ନୁହେଁ ।

 

ଆପଣ ସୁତପା ହତ୍ୟା ସମ୍ପର୍କରେ ବରୁଣାର ଶଶାଙ୍କ ପ୍ରତି ଅନୁରକ୍ତିର କଥା ଉଲ୍ଲେଖ କରିଛନ୍ତି ଓ ସେଥି ସଙ୍ଗେ ବରୁଣା ସହିତ ବିନୋଦର ସମ୍ବନ୍ଧ ବ୍ୟାପାର ଉତ୍‍ଥାପନ କରିଛନ୍ତି । ମୁଁ ଯେତିକି ଜାଣେ ବରୁଣା କେବେ ବିନୋଦ ପ୍ରତି ଅନୁରକ୍ତ ହେବ ଏହା ମୋର ସମସ୍ତ କଳ୍ପନାର ବାହାରେ । ମାତ୍ର ଶଶାଙ୍କ କ୍ଷେତ୍ରରେ ବରୁଣା ମନ ଦୁର୍ବଳ ହୋଇଥିବା ସମ୍ପର୍କରେ ଆପଣ ଯାହା ଲେଖିଛନ୍ତି ସେ ସମ୍ବନ୍ଧରେ ମୁଁ ଚିନ୍ତା କରିଛି । ପରିସ୍ଥିତିର ପୀଡ଼ନରେ ଯଦି ବରୁଣା ମନ ଶଶାଙ୍କ ପ୍ରତି ଦୁର୍ବଳ ହୋଇଥାଏ ତେବେ ଧରି ନେବାକୁ ହେବ ଏ ଦୌର୍ବଲ୍ୟ ଅନ୍ତରାଳରେ ଈଶ୍ଵରଙ୍କ ଇନ୍ଦ୍ରଜାଲ ରହିଛି ତା’ର ଚରମ କଠୋର ପ୍ରକୃତିରେ ସାମାନ୍ୟ କୋମଳତାର, ସ୍ପର୍ଶ ଯଦି ଲାଗିଥାଏ ତେବେ ଧରିନେବାକୁ ହେବ ବରୁଣା କ୍ରମେ ଶକ୍ତିହୀନା ହେବାକୁ ଆରମ୍ଭ କରିଛି । ଅବଶ୍ୟ ଯେତେଦିନ ଯାଏ ତା’ ଗଳାରେ ସେ ବ୍ୟାଘ୍ରନଖ ଥିବ କୌଣସି ବିପଦ ତାକୁ କଦାପି ସ୍ପର୍ଶ କରିପାରିବନାହିଁ ।

 

ଆପଣ ମୋତେ ଓ ଅଭିମନ୍ୟୁକୁ କଲିକତା ଯିବା ଲାଗି ଆମନ୍ତ୍ରଣ ଜଣାଇ ଲେଖିଛନ୍ତି, ପାର୍ବତୀ ତୁମେ ଆମ୍ଭମାନଙ୍କୁ ଗୁପ୍ତସୁଡ଼ଙ୍ଗ ପଥ ସମ୍ବନ୍ଧରେ ଅବଗତ ନ କରାଇଥିଲେ ଓ ତୁମେ ଓ ଅଭିମନ୍ୟୁ ଉଭୟେ ସେଇ ସୁଡ଼ଙ୍ଗ ପଥରେ ପଥ ନିର୍ଦ୍ଦେଶକ ହୋଇ ଆଗେଇ ନ ନେଇଥିଲେ ଆମ୍ଭେମାନେ ଏଡ଼େ ବଡ଼ ବିଜୟ କଦାପି ହାସଲ କରିପାରିନଥା’ନ୍ତୁ । ମାତ୍ର ସେ ବିଜୟ ବରୁଣା ଓ ବିନୋଦର ପଳାୟନ ଯୋଗୁଁ ଅସମାପ୍ତ ରହିଗଲା । ବରୁଣା ଓ ବିନୋଦ ଯେତେବେଳେ ପୁନର୍ବାର ଏ କଲିକତା ମହାନଗରୀର ବୁକୁଉପରେ ଭୈରବୀ ଓ ଭୈରବର ରୂପ ପରିଗ୍ରହଣ କରି ପୁନର୍ବାର ଆବିର୍ଭୂତ ହେଲେଣି, ସେମାନଙ୍କୁ ଯେ କୌଣସି ପ୍ରକାରେ ଗ୍ରେପ୍ତାର କରି ଆମ୍ଭମାନଙ୍କର ସୁବର୍ଣ୍ଣଗଡ଼ର ଅସମ୍ପୂର୍ଣ୍ଣ ବିଜୟକୁ ସମ୍ପୂର୍ଣ୍ଣ କରିବାକୁ ହେବ । ତିନି ତିନିଟି ହତ୍ୟାପରେ ମଧ୍ୟ ସେ ମାୟାବୀ ଓ ମାୟାବିନୀ ଦୁହେଁ ଅକ୍ଳେଶରେ ଆତ୍ମରକ୍ଷା କରିପାରିଥିବା ହେତୁ ମୋର କାହିଁକି ବାରମ୍ବାର ମନେହେଉଛି ତୁମ ଦୁହିଁଙ୍କର ଶୁଭ ଉପସ୍ଥିତି ଏ ସମସ୍ୟାର ସମାଧାନ କରିଦେବ । ମୋର ଅନୁରୋଧ ତୁମେ ଦୁଇଜଣ ନିଶ୍ଚୟ ଆସ । ତୁମ ଦୁହିଁଙ୍କର ଶୁଭ ଆଗମନ ଫଳରେ ଆମ୍ଭମାନଙ୍କର ଅସମ୍ପୂର୍ଣ୍ଣ ବିଜୟ ସମ୍ପୂର୍ଣ୍ଣ ହୋଇଯାଇପାରିବ ।’’

 

ଅଜିତ୍‍ବାବୁ ମୁଁ ଆପଣଙ୍କ ପତ୍ରସ୍ଥ ଭାଷାରୁ ଆପଣଙ୍କ ମନର ଆବେଗର କଥା ବୁଝିପାରିଛି । ମନରେ ଯଦି ଆପଣଙ୍କର ଦୃଢ଼ ଧାରଣା ହୋଇଥାଏ ଯେ ଆମେଦୁହେଁ କେବଳ କଲିକତାରେ ଯାଇ ଆପଣମାନଙ୍କ ନିକଟରେ ଉପସ୍ଥିତ ହେବା ଫଳରେ ବିନୋଦ ଓ ବରୁଣାକୁ ଗ୍ରେପ୍ତାର କରିବାର ପଥ ସୁଗମ ହୋଇଯିବ ତେବେ ଆପଣଙ୍କ ମନର ସେ ଅବିଚଳିତ ଧାରଣା ପ୍ରତି ମୁଁ ଆଦୌ ଅସମ୍ମାନ ପ୍ରଦର୍ଶନ କରୁନାହିଁ । ମାତ୍ର କ’ଣ କରିବୁ ଆମେ ବର୍ତ୍ତମାନ ଯେ ଆମ୍ଭମାନଙ୍କର କଲିକତା ଯିବା ସମ୍ପୂର୍ଣ୍ଣ ଅସମ୍ଭବ; କାରଣ ଆଗାମୀ ସତର ତାରିଖରେ ଅଭିମନ୍ୟୁ ସଙ୍ଗେ ମୋର ବିବାହ ଅନୁଷ୍ଠିତ ହେବାକୁ ଯାଉଛି ଓ ଏହି ବିବାହକୁ ତ୍ୱରାନ୍ୱିତ କରିଛନ୍ତି ମୋର ପିତାମହ ଓ ଅଭିମନ୍ୟୁର ମାତୃପ୍ରତିମ ଭାଉଜ । ଏପରି କ୍ଷେତ୍ରରେ ଆପଣଙ୍କର ଅନୁରୋଧ ରକ୍ଷା କରିନପାରି ଆମେ ଦୁହେଁ କୃତାଞ୍ଜଳିପୁଟରେ ଆପଣମାନଙ୍କ ନିକଟରେ କ୍ଷମା ଭିକ୍ଷା କରୁଛୁ ।

 

ଭଗବାନଙ୍କ ନିକଟରେ ଆମ ଦୁହିଁଙ୍କର ଐକାନ୍ତିକ ପ୍ରାର୍ଥନା କଦାପି ବିଫଳ ଯିବ ନାହିଁ । ଅଦୂର ଭବିଷ୍ୟତରେ ବରୁଣା ଓ ବିନୋଦକୁ ଗ୍ରେପ୍ତାର କରିବାରେ ଗୁରୁ ଓ ଶିଷ୍ୟ ଉଭୟେ ଯେ ସଫଳକାମ ହେବେ ଏହା ଧ୍ରୁବ ସତ୍ୟ । ଆଲୋକ ଉପରେ ଅନ୍ଧକାରର ପ୍ରଭାବ କେବେ ଚିରସ୍ଥାୟୀ ହୋଇପାରେ ?

ଆପଣମାନେ ଉଭୟେ ଆମ ଦୁହିଁଙ୍କର ପ୍ରଣତି ଗ୍ରହଣ କରିବେ ।

–ପାର୍ବତୀ

ପତ୍ର ପାଠ ଶେଷରେ ଅରିନ୍ଦମ ଦୃଷ୍ଟି ଉତ୍ତୋଳନ କରି ଅଜିତ୍‍କୁ ଚାହିଁ ମୃଦୁ ହସି କହିଲେ, ‘‘ମୋର ଅଜ୍ଞାତସାରରେ ତୁମେ ପୁଣି ପାର୍ବତୀକୁ ପତ୍ର କେବେ ଲେଖିଥିଲ ?’’

ଅଜିତ୍ ଭୟଙ୍କର ଗୁମ୍ ହୋଇରହିଥିଲା ଓ ତା’ର ମୁଖମଣ୍ଡଳର ଭାବ ଲକ୍ଷ୍ୟକଲେ ଯେ କେହି ଅନୁମାନ କରିନେଇ ପାରିବ ଯେ ତା’ର ମନର ଅବସ୍ଥା ଆଦୌ ଶାନ୍ତ ନୁହେଁ । କିପରି ଏକ ପ୍ରଚ୍ଛନ୍ନ କ୍ଷୋଭରେ ସେ ଯେପରି ଜର୍ଜରିତ ହେଉଛି ।

ଅଜିତ୍ ମୁହୂର୍ତ୍ତେ ନୀରବ ରହି ଗମ୍ଭୀର ହୋଇ ଉତ୍ତର ଦେଲା, ‘‘ହଁ ମୁଁ ଲେଖିଥିଲି ।’’

‘‘ତୁମେ ସେମାନଙ୍କୁ ନିମନ୍ତ୍ରଣ କରିଥିଲ ଏଠାକୁ ଆସିବାକୁ, ‘‘ବିଶେଷ କରି ପାର୍ବତୀକୁହିଁ ନିମନ୍ତ୍ରଣ କରିଥିଲ’’ ଅରିନ୍ଦମ ହସ ହସ ମୁହଁରେ କହିଲେ, ‘‘ମାତ୍ର ତୁମେ ନିରାଶ୍‍ ହୋଇ ଖୁବ୍‍ ଭାଙ୍ଗି ପଡ଼ିଛ ନୁହେଁ ?’’

‘‘ମୁଁ ଭାଙ୍ଗି ପଡ଼ିଛି ବୋଲି ଆପଣଙ୍କ ମନରେ ଏପରି ଏକ ଭ୍ରମ ଧାରଣା କାହିଁକି ସୃଷ୍ଟି ହେଲା କହିଲେ ?’’ ଅଜିତ୍‍ର କଣ୍ଠସ୍ୱର ସମାନ୍ୟ ଉତ୍ତ୍ୟକ୍ତ, ‘‘ଏକ ଶୁଭ ଅଭିଳାଷରେ ମୁଁ ସେମାନଙ୍କର ଉପସ୍ଥିତି କାମନା କରିଥିଲି । କିନ୍ତୁ ଦେଖୁଛି ସେମାନଙ୍କର ପରିସ୍ଥିତି ସେମାନଙ୍କର ଆସିବା ପଥରେ ପ୍ରତିବନ୍ଧକ ହୋଇ ଠିଆ ହୋଇଛି ।’’

‘‘ପାର୍ବତୀ ଓ ଅଭିମନ୍ୟୁ ଏଠାରେ ଆସି ଉପସ୍ଥିତ ହୋଇଥିଲେ ସେମାନଙ୍କର ଶୁଭ ଆବିର୍ଭାବ ଫଳରେ ବରୁଣା ଓ ବିନୋଦକୁ ଗ୍ରେପ୍ତାର କରିବା ଆମ୍ଭମାନଙ୍କ ପକ୍ଷେ ଆଉ ଦୁରୂହ ବ୍ୟାପାର ହୋଇ ରହିନଥା’ନ୍ତା ଏପରି ଏକ ବିଚିତ୍ର ଧାରଣାର ହଠାତ୍ ତୁମେ ବଶବର୍ତ୍ତୀ ହେବାର କାରଣ କ’ଣ ?’’ ଅରିନ୍ଦମଙ୍କ ଓଠରେ ପୂର୍ବର ହସ ଲାଗି ରହିଛି ।

 

ଅଜିତ୍‍ର ମନେହେଲା ଅରିନ୍ଦମ ଜାଣି ଜାଣି ତା’ର ମନର ଦୁର୍ବଳ ସ୍ଥାନରେ ଆଘାତ କରୁଛନ୍ତି । ତା’ ମନର ପ୍ରଚ୍ଛନ୍ନ ଦୁର୍ବଳତାକୁ ସେ ଯେପରି ଅନ୍ଧକାରରୁ ଆଲୋକକୁ ଟାଣିଆଣିବାକୁ ଚାହାନ୍ତି । ଅଜିତ୍ ମନେ ମନେ ଶଙ୍କିଗଲା । ସତରେ କ’ଣ ସେ ପାର୍ବତୀର ଉପସ୍ଥିତି ବରୁଣା ଓ ବିନୋଦକୁ ଗ୍ରେପ୍ତାର କରିବା ଉଦ୍ଦେଶ୍ୟରେ ପ୍ରାୟୋଜନ କରୁଥିଲା । ଅଥଚ ତା’ର ଉପସ୍ଥିତିକୁ ଏକ ଶୁଭ ଶକୁନ ବୋଲି ତା’ ମନରେ ଦୃଢ଼ ଧାରଣା ଜାତ ହୋଇଥିବା କଥା ତ ଆଦୌ ମିଥ୍ୟା ନୁହେଁ ।

 

ଅଜିତ୍ ତେଣୁ ଆତ୍ମପକ୍ଷ ସମର୍ଥନ କରି କହିଲା, ‘‘ମୋର ଧରଣା ଆଦୌ ବିଚିତ୍ର ନ ଥିଲା, ଯେଉଁ ପାର୍ବତୀର ଅନୁକମ୍ପାରେ ଆମ୍ଭେମାନେ ଗୁପ୍ତ ସୁଡ଼ଙ୍ଗଦେଇ ସୁବର୍ଣ୍ଣଗଡ଼ ମଧ୍ୟରେ ପ୍ରବେଶ କରିବାର ସାଫଲ୍ୟ ଅର୍ଜ୍ଜନ କରିପାରିଥିଲେ; ତା’ର ଉପସ୍ଥିତି ଯେ ବର୍ତ୍ତମାନ କ୍ଷେତ୍ରରେ ଆମ୍ଭମାନଙ୍କ ନିମିତ୍ତ ନିଶ୍ଚିତଭାବେ ମଙ୍ଗଳଜନକ ହୋଇଥା’ନ୍ତା ଏଥିରେ ସନ୍ଦେହର ଅବକାଶ ରହିଲା କେଉଁଠି ? ପାର୍ବତୀ ଯେ କଲ୍ୟାଣମୟୀ ଏ ଦୃଢ଼ ଧାରଣାକୁ ମୋତେ କେହି ବିଚଳିତ କରିପାରିବେନାହିଁ ?’’

 

ଅଜିତ୍ ଯେପରି ଏଇ ପଦକ କଥା କହିଦେବା ଫଳରେ ନିଜ ପ୍ରଚ୍ଛନ୍ନ ଦୌର୍ବଲ୍ୟ ପ୍ରକାଶ କରିଦେଇ ଅରିନ୍ଦମଙ୍କୁ ପରିହାସ କରିବାକୁ ପ୍ରଶ୍ରୟ ଦେଇ ଦେଲା ।

 

ଅରିନ୍ଦମ ନିଜ ମନର ପୁଞ୍ଜିଭୂତ ହସକୁ ଯେପରି ଆପ୍ରାଣ ଚେଷ୍ଟା କରୁଛନ୍ତି ବ୍ୟକ୍ତ କରି ନ ଦେବାକୁ । ମାତ୍ର ତାଙ୍କର ମୁହଁର ଭଙ୍ଗୀ ଓ ହସ ହସ ଆଖିର ଚାହାଣୀରୁ ତାଙ୍କର କଠୋର ପ୍ରୟାସ କଥା ଜଣାଯାଉଛି । ସେ ନିଜ ହସକୁ ସମ୍ବରଣ କରିବାକୁ ଯାଇ ହଠାତ୍‍ କହି ପକାଇଲେ, ‘‘ମାତ୍ର ସେ କଲ୍ୟାଣମୟୀ ଆସି ଅନ୍ୟ ପୁର ଅଙ୍ଗନର ଶୋଭାବର୍ଦ୍ଧନ କରିବାକୁ ଯେ ଉଦ୍ୟତ ।’’

 

ଠିକ୍ ଯେଉଁ ଭୟ କରୁଥିଲା ଅଜିତ୍ ଅରିନ୍ଦମଙ୍କ ମୁହଁରୁ ସେଇସବୁ କଥା ପରିହାସ ଛଳରେ ପ୍ରକାଶ ପାଇବାକୁ ଯେପରି ଆରମ୍ଭ କରିଛି । ତାଙ୍କ ସଙ୍ଗେ ଅଧିକ ତର୍କ କରି ବସିଲେ ସେ ହୁଏତ ତା’ର ପ୍ରକଳ୍ପ ମନର ଦୌର୍ବଲ୍ୟକୁ ସମ୍ପୂର୍ଣ୍ଣ ଖୋଲି ଦେଇପାରନ୍ତି ସେଇ ଭୀତିରେ ବିବ୍ରତ ହୋଇ ଅଜିତ୍ କଥାର ମୋଡ଼ ବୁଲାଇବାକୁ ଚେଷ୍ଟାକରି କହିଲା, ‘‘ଆପଣ ମୋ ଉପରେ ଯେଉଁ ଦୋଷାରୋପ କରନ୍ତୁ ନା କାହିଁକି ଏ କଥା ସତ୍ୟ ଯେ ପାର୍ବତୀକୁ ଆସିବା ଲାଗି ପତ୍ର ଦେବା ଫଳରେ ବରୁଣାର ଜନ୍ମ ରହସ୍ୟ ଆମ୍ଭେମାନେ ଅବଗତ ହୋଇପାରିଛେ ଓ କାପାଳିକର ବ୍ୟାଘ୍ରନଖ ସମ୍ବନ୍ଧରେ ପାର୍ବତୀ ଅନେକ ଗୋପନ ସମ୍ବାଦ ତ ଆମ୍ଭମାନଙ୍କୁ ଜଣାଇ ଦେଇଛି ।’’

 

‘‘ମାତ୍ର ବର୍ତ୍ତମାନ କ୍ଷେତ୍ରରେ ବରୁଣାର ଜନ୍ମ ରହସ୍ୟ ଓ କାପାଳିକର ବ୍ୟାଘ୍ରନଖ ଇତ୍ୟାଦି ସମ୍ବାଦ ଆମ୍ଭମାନଙ୍କୁ ବରୁଣା ଓ ବିନୋଦକୁ ଗ୍ରେପ୍ତାର କରିବା ଦିଗରେ ଯେ କିପରି ସାହାଯ୍ୟ କରିବ ମୁଁ ଠିକ୍ ବୁଝିପାରୁନାହିଁ ।’’ ଅରିନ୍ଦମଙ୍କ ଓଠରେ ଚାପା ହସ ।

 

ତେବେ ଆପଣ କୁହନ୍ତୁ ପାର୍ବତୀକୁ ପତ୍ର ଦେଇ ମୁଁ ଭୁଲ କରିଛି ? ଅଜିତ୍ ବେଶ୍ ଉତ୍ତେଜିତ ହୋଇଉଠିଛି ଓ ତାକୁ ଏଠାକୁ ଆସିବାକୁ ନିମନ୍ତ୍ରଣ କରି ମୁଁ ଏକ ଗୁରୁତର ପ୍ରମାଦ କରିଛି-। ସେ ଯା ହେଉ ଗୋଟିଏ କଥା କିନ୍ତୁ ମୁଁ ସ୍ପଷ୍ଟ ଲକ୍ଷ୍ୟକରୁଛି ଯେ ପାର୍ବତୀକୁ ମୋର ପତ୍ରଦେବାଟା ଯେପରି ଆପଣ ଆଦୌ ସହ୍ୟ କରିନାହାନ୍ତି । ମୋ ଚିଠିର ଉତ୍ତରରେ ପାର୍ବତୀ ଯେଉଁ ପତ୍ର ଦେଇଛି ତା’ ଯଦି ସମ୍ପୂର୍ଣ୍ଣ ମୂଲ୍ୟହୀନ ତେବେ ଦିଅନ୍ତୁ ସେ ଚିଠିଟା, ମୁଁ ଟିକି ଟିକି କରି ଚିରିଦେବାକୁ ଚାହେଁ । ’

 

ଅଜିତ୍ ଚିଠିଟି ନେଇ ଆସିବା ନିମିତ୍ତ ହାତ ବଢ଼ାଇବାରୁ ଅରିନ୍ଦମ ହସିଉଠି ନିଜ ହାତ ଘୁଞ୍ଚାଇ ନେଲେ, ‘‘ଆହା ପାର୍ବତୀର ଚିଠି କ’ଣ ଦୋଷ କଲା ଯେ ସେଇଟି ନଷ୍ଟ କରିଦେବାକୁ ତୁମେ ଏତେଦୂର ବ୍ୟଗ୍ର ହୋଇଉଠିଛ । ଆଉ ତୁମର ପାର୍ବତୀ ନିକଟକୁ ପତ୍ରଦେବା ସମ୍ପର୍କରେ ମୁଁ ବା ଅସହିଷ୍ଣୁ ହେବାକୁ ଯିବି କାହିଁକି ? ପାର୍ବତୀ ବ୍ୟାପାରରେ ମୁଁ ତ ଆଉ ତୁମର ପ୍ରତିଦ୍ଵନ୍ଦ୍ୱୀ ନୁହେଁ, ପ୍ରତିଦ୍ଵନ୍ଦ୍ୱୀ ହେଉଛି ଅଭିମନ୍ୟୁ । ତୁମର ଏ ଉତ୍ତେଜନା ଓ କ୍ରୋଧ ତା’ ନିକଟରେ ପ୍ରକାଶ ପାଇଥିଲେ କିଛିଟା ମୂଲ୍ୟ ରହିଥା’ନ୍ତା ।’’

 

‘‘ପାର୍ବତୀ ସଙ୍ଗେ ମୋତେ ସମ୍ପୃକ୍ତ କରି ଆପଣ ଏସବୁ କ’ଣ କହିବାକୁ ଆରମ୍ଭ କରିଛନ୍ତି-।’’ ଅଜିତ୍ ହଠାତ୍ ଧରା ପଡ଼ିଯାଇ ପ୍ରାଣପଣେ ଆତ୍ମରକ୍ଷା କରିବାକୁ ଚେଷ୍ଟାକରୁଛି, ‘‘ଆପଣ ଜାଣନ୍ତିନି ପାର୍ବତୀକୁ ମୁଁ କେତେଦୂର ଶ୍ରଦ୍ଧା କରେ ।’’

 

‘‘ସେଇ ଶ୍ରଦ୍ଧାର ଏଇ ରୂପାନ୍ତର ଘଟିଯାଏ’’ ଅରିନ୍ଦମ ହସି ହସି କହିଲେ, ‘‘ବୁଝିଲ ଅଜିତ୍, ବଡ଼ ବିଚିତ୍ର ଏ ଆମର ମନ । କେତେବେଳେ ଯେ କେଉଁ ରୂପ ସେ ପରିଗ୍ରହ କରୁଛି ତା’ କ’ଣ ଜାଣିବାର ଉପାୟ ଅଛି । ତା’ ଜାଣିପାରିବାର ଉପାୟ ଥିଲେ ଆମ୍ଭେମାନେ ଜୀବନର ବହୁକ୍ଷେତ୍ରରେ ହାସ୍ୟାସ୍ପଦ ଓ ପରାଜିତ ହେଉନଥାନ୍ତେ । ଏଇ ତୁମର ଠିକ୍ ଯେଉଁ ଅବସ୍ଥା ହୋଇଛି ସୁବର୍ଣ୍ଣଗଡ଼ରେ ପାର୍ବତୀର କେତେ ମୁହୂର୍ତ୍ତର ବା ସାନ୍ନିଧ୍ୟ ତୁମେ ଲାଭ କରିଛ । ଅଥଚ ସେଇ ଅଳ୍ପ ସମୟ ମଧ୍ୟରେ ପାର୍ବତୀ ତୁମ ମନର ଏକ ଗୋପନତମ ସ୍ଥାନରେ ଯାଇ ଆସନ ପାତି ବସିଛି । ସେ ବସିବା କଥା ତୁମେ ଜାଣି ବି ଜାଣିପାରିନ । ଅଥଚ କିପରି ଏକ ପ୍ରଚ୍ଛନ୍ନ ଆନନ୍ଦରେ ବେଶ୍ ଅଭିଭୂତ ରହିଛ । ଯେ କେବେ କୌଣସି ସମୟରେ ନିଜର ହୋଇପାରେନା, ତାକୁ ମନେ ମନେ ଆପଣାର କରିନେଇଛ । ତୁମର ସେଇ ଆଚ୍ଛନ୍ନ ଓ ଅଭିଭୂତ ଅବସ୍ଥା ପାର୍ବତୀ ପତ୍ରରୁ ତା’ର ଅଭିମନ୍ୟୁ ସହିତ ବିବାହ ସମ୍ବାଦ ଜାଣିପାରିବା ସଙ୍ଗେ ସଙ୍ଗେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଯାଇଛି । ତୁମର କଳ୍ପନାର ମହଲ ହଠାତ୍ ଭାଙ୍ଗି ପଡ଼ିଛି । କ’ଣ, ମୋର ଏ ବିଶ୍ଳେଷଣ ସତ୍ୟ ନୁହେଁ ଅଜିତ୍ ।’’

 

ଅରିନ୍ଦମ ଲକ୍ଷ୍ୟ କଲେ ଅଜିତ୍ ଅଧୋମୁଖ ହୋଇ ରହିଛି ଓ ଓଠ ତା’ର ଅଳ୍ପ ଥରୁଛି । ସେ ଯେପରି କିଛି କହିବାକୁ ଚାହେଁ ଅରିନ୍ଦମଙ୍କୁ ଓ ସେ କହିବା ତା’ର ସମ୍ଭବତଃ ପ୍ରତିବାଦର ବିପ୍ଳବ ନୁହେଁ, ପରନ୍ତୁ ନିଜ ନିଃସହାୟ ଅବସ୍ଥାର ଏକ ସ୍ପଷ୍ଟ ସ୍ୱୀକୃତି, ଯାହା ସେ ବ୍ୟକ୍ତ କରିଦେଇ ହଠାତ୍ ଅଶ୍ରୁଜଳରେ କିଛିଟା ସାନ୍ତ୍ୱନା ପ୍ରୟୋଜନ କରିଛି ।

 

ପ୍ରକୃତରେ ତାହାହିଁ ଘଟିଲା । ଅଜିତ୍ ପୁନର୍ବାର ଯେତେବେଳେ ମୁଖ ଉତ୍ତୋଳନ କଲା ଅରିନ୍ଦମ ଲକ୍ଷ୍ୟ କରି ଦେଖିଲେ ତା’ର ଦୁଇ ଆଖି ବାଷ୍ପାଚ୍ଛନ୍ନ ହୋଇ ଉଠିଛି । ତା’ ମନର ବ୍ୟଥା ଠିକ୍ ଉପଲବ୍ଧି କରିପାରି ଅରିନ୍ଦମ ଅଜିତ୍ ସଙ୍ଗେ ଅଧିକ ପରିହାସ ନ କରି ଉପଦେଶ ଦେବା ଛଳରେ କହିଲେ, ‘‘ଗତସ୍ୟ ଶୋଚନା ନାସ୍ତି । ଯାହା ଯାଇଛି ସେ ସମ୍ବନ୍ଧରେ ଆଉ ଚିନ୍ତାକରି ଲାଭ ନାହିଁ । କଠୋର ବର୍ତ୍ତମାନ ଉପରେ ଠିଆ ହୋଇ ଚିନ୍ତା କରିବାକୁ ପଡ଼ିବ । ତୁମକୁ ମୋର ଅନୁରୋଧ ଅତୀତର ଏଇ ଦୁର୍ବଳଚିତ୍ତ ବୈକଲ୍ୟ ସମ୍ବନ୍ଧରେ ତୁମେ ସମ୍ପୂର୍ଣ୍ଣ ବିସ୍ତ୍ମୃତ ହୋଇଯାଅ ନଚେତ୍ ଜୀବନର ଅଗ୍ରଗତି ପଥରେ ତାହା ପ୍ରତିବନ୍ଧକ ସୃଷ୍ଟି କରିବ । ମନକୁ ଏତିକି ଚିନ୍ତାକରି ସାନ୍ତ୍ଵନା ଦିଅ ଯେ ପାର୍ବତୀ ଅଭିମନ୍ୟୁ ପାଇଁ ଉଦ୍ଦିଷ୍ଟ ଥିଲା । ତେଣୁ ସେଠାରେ ତୁମର ସ୍ଥିତିର ପ୍ରଶ୍ନହିଁ ଉଠେନା, ସାମୟିକ ଏ ମନ ଚାଞ୍ଚଲ୍ୟ ଓ ଚିତ୍ତଦୌର୍ବଲ୍ୟ ସମୟ କ୍ରମେ ନିଶ୍ଚିହ୍ନ ହୋଇଯିବ ।’’

 

ଅଜିତ୍ ଅରିନ୍ଦମଙ୍କ ସାନ୍ତ୍ଵନାରେ ଆଖିଲୁହ ପୋଛି ଏକ ଦୀର୍ଘଶ୍ୱାସ ତ୍ୟାଗପୂର୍ବକ ମୌନ ରହି ଯେପରି ଦୃଷ୍ଟିରେ ତାଙ୍କୁ ଅନାଇଲା ସେଥିରେ ସେ ମନର ପରିବର୍ତ୍ତନ ସମ୍ବନ୍ଧରେ ସମ୍ୟକ ଧାରଣା କରିପାରିଲେ । ସେ ଦୃଷ୍ଟିରେ ଅତୀତ ଲାଗି ଆଉ ଗ୍ଳାନି ନ ଥିଲା, ଅଧିକନ୍ତୁ ଭବିଷ୍ୟତ ଲାଗି ଯଥେଷ୍ଟ ଦୃଢ଼ ହୋଇ ଠିଆ ହେବାର ଦୀପ୍ତି ପ୍ରଚ୍ଛନ୍ନ ଥିଲା ।

 

ଅରିନ୍ଦମ ମନେ ମନେ ତେଣୁ ଅତ୍ୟନ୍ତ ପୁଲକିତ ହୋଇ ଉଠି କଥାର ମୋଡ଼ ବଦଳାଇ କହିଲେ, ‘‘ଗୋଟିଏ କଥା କିନ୍ତୁ ସତ, ବନୋଦ ଓ ବରୁଣା ବେଶୀଦିନ ଆଉ ଏପଟ ସେପଟ ହୋଇ ଖେଳି ପାରିବେ ନାହିଁ । ଚକି ଯେପରି ମୂଳ ସୂତ୍ର ସହିତ ସମ୍ବନ୍ଧ ହଜାଇ ଦେବାପରେ ଆକାଶରେ କିୟତ୍‍କ୍ଷଣ ବେଶ୍ ଆନ୍ଦୋଳିତ ହେଉଥିବାର ଲକ୍ଷ୍ୟ କରିଗଲେ ମଧ୍ୟ ପରିଶେଷରେ ଭୂପତିତ ହୁଏ ସେହିପରି ବିନୋଦ ଓ କରୁଣା ନିଜର ରାଜ୍ୟ ଛାଡ଼ିଦେଇ ପଳାଇ ଆସିଥିବାରୁ ନିଃସଙ୍ଗ ଓ ନିଃସହାୟଭାବେ ଆଉ ଅଧିକ କାଳ ଏ ଖେଳ ଖେଳିପାରିବେ ନାହିଁ । ସେମାନଙ୍କର କ୍ଳାନ୍ତି ଓ ଅବସାଦର ବେଳ ପ୍ରାୟ ଉପସ୍ଥିତ । ମାତ୍ର ମନର ଅହଙ୍କାର ସେମାନଙ୍କର ସେମାନଙ୍କୁ ସାମୟିକଭାବେ ଉନ୍ମତ୍ତ କରୁଛି ।’’

 

ଅଜିତ୍ ଅରିନ୍ଦମଙ୍କର ସମସ୍ତ ବଶ୍ଳେଷଣ ଠିକ୍ ଉପଲବ୍ଧି କରିନପାରି ପ୍ରଶ୍ନବାଚକ ଦୃଷ୍ଟିରେ ଅରିନ୍ଦମଙ୍କୁ ଅନାଇବାରୁ ସେ କହିଲେ, ‘‘କଲିକତାର ପ୍ରତ୍ୟେକ ଅଭିଜାତ ହୋଟେଲରେ ପୋଲିସ୍ ତରଫରୁ ଏପରି ସତର୍କିତ ବ୍ୟବସ୍ଥା କରାଯାଇ ସାରିଲାଣି ଯେ, ସେମାନେ କୌଣସି ହୋଟେଲରେ ଆଉ ଆଶ୍ରୟ ଗ୍ରହଣ କରିବାର ଦୁଃସାହସ କରିବେ ନାହିଁ । ଛଦ୍ମବେଶ ଧରି କେତେଦିନ ସେମାନେ ଆଉ ପାଗଳ ପରି ବୁଲିବେ । ଯଦି କେଉଁଠାରେ ସେମାନେ ଆତ୍ମଗୋପନ କରି ରହିଯିବାର ଚେଷ୍ଟାକରନ୍ତି ତେବେ ନିଶ୍ଚିୟ ଧରା ପଡ଼ିଯିବେ । ଦେଖାଯାଉ ଭଗବାନଙ୍କର ବରାଦ କ’ଣ । ତୁମ ଉପରେ ନ୍ୟସ୍ତ ଦାୟିତ୍ଵ ଅଧିକ ଶକ୍ତି ଓ ସାହସର ସହ ତୁଲାଇ ଯିବାର ଭରସା ମୁଁ ରଖୁଛି ଅଜିତ୍ । ଗୁପ୍ତଚରମାନଙ୍କର ସମସ୍ତ ଗୋପନ ରିପୋଟ ତୁମେ ଖୁବ୍ ସତର୍କତାର ସହ ଯାଞ୍ଚ କରି ଦେଖୁଥିବ । ଉଜ୍ଜ୍ୱଳର ହତ୍ୟା ପରେ ଗୁପ୍ତଚର କାନ୍ତିଲାଲ ଯେପରି ଉତ୍‍କ୍ଷିପ୍ତ ହୋଇଉଠିଛି ମୋର ତ ମନେହୁଏ ସେ ତା’ ଅପମାନର ନିଶ୍ଚୟ ପ୍ରତିଶୋଧ ନେବ । ଭୟଙ୍କର ଜିଦଖୋର ଯେ କାନ୍ତିଲାଲ ଏଥିରେ ସନ୍ଦେହର ଅବକାଶ କାହିଁ ?’’

 

ଆଉ ଗୋଟିଏ ସପ୍ତାହ ପର ଘଟଣା ।

 

ସମ୍ବାଦଟା ପାଇ ଆନନ୍ଦରେ ଉତ୍‍ଫୁଲ୍ଲ ହୋଇ ଉଠିଲେ ଅରିନ୍ଦମ ।

 

ମି. ଘୋଷାଲ ଯେପରି ହାତରେ ସ୍ଵର୍ଗ ପାଇଗଲେ ।

 

ଅଜିତ୍‍ର ଆନନ୍ଦରେ କଣ୍ଠରୁ ବାକ୍ୟ ସ୍ଫୁରୁନି । ସମ୍ବାଦଟା ଅତ୍ୟନ୍ତ ଗୋପନୀୟ, କାନ୍ତିଲାଲ ଦ୍ୱାରା ପରିବେଶିତ ।

 

ଆଜକୁ ତିନିଦିନ ହେବ ଏକ ଦମ୍ପତ୍ତି ଯୁଗଳ ଗ୍ରାଣ୍ଡ ହୋଟେଲ୍‍ର ତ୍ରିତଳସ୍ଥ ସାତନମ୍ବର କକ୍ଷରେ ଆସି ଉଠିଛନ୍ତି । ହୋଟେଲ ରେଜିଷ୍ଟରରେ ଭଦ୍ରଲୋକଙ୍କ ନାମ ହରପ୍ରସାଦ ଗୋଖଲେ ବୋଲି ଉଲ୍ଲେଖ ରହିଛି, ଭଦ୍ରଲୋକଙ୍କ ମୁହଁ ଶ୍ମଶ୍ରୁମୟ ଓ ଭଦ୍ରମହିଳା ସବୁବେଳେ ଅବଗୁଣ୍ଠନବତୀ, ତାଙ୍କର କଳା ଗଗଲ୍‍ସ ଅନ୍ତରାଳସ୍ଥ ଆଖି ଦୁଇଟିକୁ ଚିହ୍ନିବାର ଉପାୟ ନାହିଁ ।

 

ମି. ଗୋଖଲେଙ୍କର ମୁଣ୍ଡରେ ସେ କଟାଦାଗର ଚିହ୍ନ ଅଛି । ବିନୋଦ କପାଳରେ ଠିକ୍ ଏମିତି ଏକ ଚିହ୍ନ ରହିଥିଲା । କାନ୍ତିଲାଲର ସନ୍ଦେହ ସେମାନେ ବିନୋଦ ଓ ବରୁଣା ବ୍ୟତୀତ ଅନ୍ୟକେହି ନୁହନ୍ତି । ଛଦ୍ମବେଶର ଅନ୍ତରାଳରେ ଆତ୍ମଗୋପନ କରି ସ୍ଵାମୀ-ସ୍ତ୍ରୀ ଭାବେ ଗ୍ରାଣ୍ଡ ହୋଟେଲ୍‍ର ନିର୍ଦ୍ଦିଷ୍ଟ କକ୍ଷରେ ଅବସ୍ଥାନ କରୁଛନ୍ତି ।

 

ଅରିନ୍ଦମ କହିଲେ, ‘‘ବିନୋଦ ଓ ବରୁଣା ସଙ୍ଗେ ମୋର ସମ୍ପର୍କ ଏତେ ଘନିଷ୍ଟ ଯେ ଦୂରରୁ ମୁଁ ସେମାନଙ୍କୁ ଥରେ ଦେଖି ନେଲେ ନିଖୁଣ ଛଦ୍ମବେଶ ଅନ୍ତରାଳରେ ସେମାନେ ସତର୍କତାର ସହ ଆତ୍ମଗୋପନ କରି ଥାନ୍ତୁନା କାହିଁକି ମୁଁ ସେମାନଙ୍କୁ ନିଶ୍ଚୟ ଚିହ୍ନି ନେବି ।’’

 

ଅଜିତ୍ ମଧ୍ୟ ଉଚ୍ଛ୍ୱସିତ କଣ୍ଠରେ କହି ଉଠିଲା, ‘‘ସେମାନେ ଛଦ୍ମବେଶରେ ଆତ୍ମଗୋପନ କରି ଅନ୍ୟକୁ ଠକି ପାରିବେ ମାତ୍ର ମୋର ତୀକ୍ଷ୍ଣ ଦୃଷ୍ଟିରୁ ସେମାନଙ୍କର ଖସି ଯିବାର ଉପାୟ ନାହିଁ ।’’

 

ତେଣୁ ବହୁଚିନ୍ତା ପରେ ସିଦ୍ଧାନ୍ତ ନିଆଗଲା ଦୂରରେ ରହି ଆତ୍ମଗୋପନ କରି ଅରିନ୍ଦମ ଓ ଅଜିତ୍ ମି. ଓ ମିସେସ୍ ଗୋଖଲେଙ୍କୁ ତୀକ୍ଷ୍ଣ ଦୃଷ୍ଟିରେ ନିରୀକ୍ଷଣ କରି ଦେଖିବେ । ସେ ଦେଖିବା ସେମାନଙ୍କର ସାର୍ଥକ ହେଲେ ଅବିଳମ୍ବେ ବିନୋଦ ଓ ବରୁଣାକୁ ଗ୍ରେପ୍ତାର କରିବା ନିମିତ୍ତ ପରବର୍ତ୍ତୀ ପଦକ୍ଷେପମାନ ନଆଯିବ ।

 

କାନ୍ତିଲାଲ ଉଚ୍ଛ୍ୱସିତ କଣ୍ଠରେ କହି ଉଠିଲା, ‘‘ଏଥର ଗ୍ରାଣ୍ଡ ହୋଟେଲ୍‍ର ଅନ୍ୟତମ ତରୁଣୀ ସୁନ୍ଦରୀ ପରିଚାରିକା ମିସ୍ ମଲ୍ଲିକା ଗୁପ୍ତଚର କାର୍ଯ୍ୟରେ ମୋତେ ସାହାଯ୍ୟ କରୁଛି । କେଜାଣି କାହିଁକି ମିସେସ୍ ଗୋଖଲେ ମିସ୍ ମଲ୍ଲିକା ପ୍ରତି ଖୁବ୍ ଅନୁରକ୍ତ ମନେ ହେଉଛନ୍ତି । ପ୍ରାୟ ପ୍ରତି ମୁହୂର୍ତ୍ତରେ ମିସ୍ ମଲ୍ଲିକାର ଉପସ୍ଥିତି ପ୍ରୟୋଜନ ମନେ କରୁଛନ୍ତି ସେ । ସତ କହିବାକୁ ଗଲେ ମୁଁ ମିସ୍ ମଲ୍ଲିକାକୁ ହାତ ନ କରିଥିଲେ ମି. ଓ ମିସେସ୍ ଗୋଖଲେଙ୍କୁ ବିନୋଦ ଓ ବରୁଣା ବୋଲି ସନ୍ଦେହ କରିବାର ମୋର କୌଣସି ଉପାୟ ଆଉ ନ ଥିଲା । ସେ ଯା ହେଉ ମିସ୍ ମଲ୍ଲିକାର ରିପୋଟରୁ ଯାହା ଜଣାପଡ଼େ ସେମାନେ ଖୁବ୍ ସତର୍କତାର ସହ ଚଳ ପ୍ରଚଳ ହେଉଛନ୍ତି । ବେଶୀ ବେଳ ହୋଟେଲ ବାହାରକୁ ଯାଉ ନାହାନ୍ତି । ସେମାନଙ୍କ ଦୃଷ୍ଟିରେ ସବୁବେଳେ କିପରି ସଂକ୍ଷିପ୍ତ ଭାବ । ସବୁଠାରୁ ମଜାର ବ୍ୟାପାର ମିସ୍ ମଲ୍ଲିକା କେତେଥର ଲକ୍ଷ୍ୟ କଲାଣି ମି. ଗୋଖଲେ ଦର୍ପଣ ପାଖେ ଠିଆ ହୋଇ ତାଙ୍କର ମୁଣ୍ଡର କଟାଦାଗଟା ବାରମ୍ବାର ପରୀକ୍ଷା କରୁଛନ୍ତି । ଅନେକ ସମୟରେ ସେମାନେ ପରସ୍ପର ମଧ୍ୟରେ କ’ଣ ଫୁସ୍‍ଫାସ୍ ହେଉଛନ୍ତି ଓ ଅଧିକାଂଶ ସମୟ ସେମାନଙ୍କ କକ୍ଷର ଦରଜା ବନ୍ଦ ରହୁଛି । ମିସ୍ ମଲ୍ଲିକା ସବୁଠାରୁ ଚିତ୍ତାକର୍ଷକ ଓ ରହସ୍ୟଜନକ ସମ୍ବାଦ ଯାହା ପରିବେଷଣ କରିଛି ତା’ ହେଲା ମିସେସ୍ ଗୋଖଲେ ତାଙ୍କର ଭ୍ୟାନିଟି ବ୍ୟାଗରୁ ଖଣ୍ଡେ କ୍ଷୁଦ୍ର ଫଟୋ ବାହାର କରି ବହୁବାର ନିରୀକ୍ଷଣ କରୁଥିବାର ସେ ଲକ୍ଷ୍ୟ କଲାଣି । ଅବଶ୍ୟ ମି. ଗୋଖଲେଙ୍କ ଅନୁପସ୍ଥିତି ସମୟରେ ସେ ଫଟୋଖଣ୍ଡି ମିସେସ୍ ଗୋଖଲେ ମନଯୋଗ ସହକାରେ ଲକ୍ଷ୍ୟ କରୁଛନ୍ତି । ମାତ୍ର ମି. ଗୋଖଲେ ଆସି ପହଞ୍ଚିଗଲେ ମିସେସ୍ ଗୋଖଲେ ତାହା ବୁଝାଇ ଦେଉଛନ୍ତି । ମିସ୍ ମଲ୍ଲିକା ଆତ୍ମଗୋପନ କରି ଏ ସମସ୍ତ ଅବଶ୍ୟ ଲକ୍ଷ୍ୟ କରିଛି । ଆଜି ସକାଳେ କୁଆଡ଼େ ମି. ଗୋଖଲେ ଓ ମିସେସ୍ ଗୋଖଲେଙ୍କ ମଧ୍ୟରେ ଉକ୍ତ ଫଟୋକୁ କେନ୍ଦ୍ର କରି ସାମାନ୍ୟ ବଚସା ହୋଇଯାଇଛି । ମି. ଗୋଖଲେ ଉତ୍ତ୍ୟକ୍ତ କଣ୍ଠରେ ଉକ୍ତ ଫଟୋ ସମ୍ବନ୍ଧରେ କ’ଣ କହିଥିଲେ ଓ ମିସେସ୍ ଗୋଖଲେ ସଙ୍ଗେ ସଙ୍ଗେ ତା’ର କଠୋର ପ୍ରତିବାଦ ମଧ୍ୟ କରିଥିଲେ । ମିସ୍ ମଲ୍ଲିକା ଖୁବ୍ ଚେଷ୍ଟା କରିଥିଲା ସେମାନଙ୍କର ଉତ୍ତପ୍ତ ବାକ୍ୟାଳାପ ଶୁଣିବା ନିମିତ୍ତ ମାତ୍ର ସେ ସଫଳ ହୋଇପାରିନାହିଁ ।

 

ଅରିନ୍ଦମ ଭୟଙ୍କର ଆଶ୍ଚର୍ଯ୍ୟ ହୋଇ କହି ଉଠିଲେ, ‘‘ସେ ଫଟୋଟି ଫେର କାହାର ? ମିସେସ୍‍ଙ୍କ ଭ୍ୟାନିଟି ବ୍ୟାଗର ସେ ଫଟୋଟି ସମ୍ବନ୍ଧରେ ସମସ୍ତ କିଛି ଜାଣିବା ତ ଏକାନ୍ତ ପ୍ରୟୋଜନ-। ମି. ସହ ମିସେସ୍ ଗୋଖଲେଙ୍କର ଉକ୍ତ ଫଟୋ ନେଇ ଗୋଖଲେଙ୍କ ବଚସା ହେବାର କ’ଣ ଅର୍ଥ ହୋଇପାରେ ?

 

କାନ୍ତିଲାଲ କହିଲା, ‘‘ମୁଁ ମିସ୍ ମଲ୍ଲିକାକୁ ଉକ୍ତ ଫଟୋଟି ଥରେ ଦେଖି ଫଟୋସ୍ଥ ବ୍ୟକ୍ତିର ବର୍ଣ୍ଣନା ଦେବାକୁ ଅନୁରୋଧ କରିଛି । ମାତ୍ର ମିସେସ୍ ଗୋଖଲେ ନିଜର ଭ୍ୟାନିଟି ବ୍ୟାଗଟିକୁ କେତେବେଳେ ତ ହାତଛଡ଼ା କରୁନାହାନ୍ତି । ଫଟୋଟିକୁ ଭ୍ୟାନିଟି ବ୍ୟାଗ ଭିତରୁ ଅପହରଣ କରି ଆଣିବାର ପ୍ରଶ୍ନ ଉଠୁନି । କାରଣ ଫଟୋଟି କାହାର ଏ କୌତୂହଳ ଚରିତାର୍ଥ କରିବା ନିମିତ୍ତ ଆମେ ଯଦି ଫଟୋଟି ଚୋରାଇ ଆଣୁ ତେବେ ସେମାନେ ସତର୍କ ହୋଇଯିବେ ଯେ ପୋଲିସ୍ ସେମାନଙ୍କର ସନ୍ଧାନ ପାଇ ଗଲାଣି ବୋଲି । ତେଣୁ ମିସ୍ ମଲ୍ଲିକା ସଚେଷ୍ଟ ଅଛି କୌଣସି ପ୍ରକାରେ ଥରେ ସେ ଫଟୋଟି ଦେଖି ନେବା ନିମିତ୍ତ ।’’

 

ଅରିନ୍ଦମ ମି. ଘୋଷାଲଙ୍କୁ ଚାହିଁ କହିଲେ, ‘‘ମୋର ଯେପରି ମନେହେଉଛି ରହସ୍ୟ ତମେ ଗଭୀରରୁ ଗଭୀରତର ହେଉଛି । ବର୍ତ୍ତମାନ ପ୍ରଥମେ ଜାଣିବାର କଥା ହେଲା ମି. ଗୋଖଲେ ଓ ମିସେସ୍ ଗୋଖଲେ ପ୍ରକୃତରେ ବିନୋଦ ଓ ବରୁଣା କି ନୁହନ୍ତି । ଯଦି ସେମାନେ ପ୍ରକୃତରେ ବିନୋଦ କି ବରୁଣା ନୁହନ୍ତି, ତେବେ ଅଯଥା ସମୟର ଅପବ୍ୟୟରେ ସେମାନଙ୍କର ପଶ୍ଚାଦଧାବନ କରି ପରିଶ୍ରାନ୍ତ ହେବାର କ’ଣ ଅର୍ଥ ହୋଇପାରେ । କାନ୍ତିଲାଲ ଯାହା ଖବର ଦେଉଛି ସେଥୁରୁ ଜଣାଯାଏ ଅପରାହ୍ନରେ ସେ ଦୁହେଁ ନିତି ଟ୍ୟାକ୍‍ସି କରି ବୁଲି ଯାଉଛନ୍ତି । ଆଜି ଆମ୍ଭମାନଙ୍କୁ ଆତ୍ମଗୋପନ କରି ସେ ଦୁହିଁଙ୍କୁ ଥରେ ନିରୀକ୍ଷଣ କରି ଦେଖି ନେବାକୁ ହେବ ପ୍ରକୃତରେ ସେମାନେ କିଏ ସେ । ତା’ପରେ ପରବର୍ତ୍ତୀ ପଦକ୍ଷେପ ଯାହା ନେବାର କଥା ତା’ ନେବାକୁ ହେବ ।’’

 

ଅପରାହ୍ନରୁ ପ୍ରତୀକ୍ଷା କରି କରି ଆସି ସନ୍ଧ୍ୟା ହେଲା ମି. ଓ ମିସେସ୍ ଗୋଖଲେ ହୋଟେଲ ବାହାରକୁ କିୁନ୍ତୁ ଆସିଲେ ନାହିଁ ।

 

ଅରିନ୍ଦମ, ଅଜିତ୍ ଏବଂ ମି. ଘୋଷାଲ ଅପେକ୍ଷା କରି କରି ଭୟଙ୍କର କ୍ଳାନ୍ତ ହୋଇ ଗଲେଣି ସେତେବେଳକୁ । ସନ୍ଧ୍ୟାପରେ ମହାନଗରୀର ବୁକୁ ଉପରେ ଯେତେବେଳେ ଆଲୋକମାଳା ଜଳି ଉଠିଲା, ସେତେବେଳେ ଅରିନ୍ଦମ ବିରକ୍ତ ଓ ଶ୍ରାନ୍ତ କଣ୍ଠରେ କାନ୍ତିଲାଲକୁ ଚାହିଁ କହିଲେ, ‘‘ଯେତେଥର ଆମେ ସତର୍କ ହେଉଛୁ ତା’ଠାରୁ ଅଧିକ ସତର୍କ ହୋଇଯାଉଛନ୍ତି ସେମାନେ-। ସବୁଦିନ ଅପରାହ୍ନରେ ସେମାନଙ୍କର ବୁଲି ଯିବା କଥା, ଅଥଚ ସେମାନେ ଆଜି ହୋଟେଲ ବାହାରକୁ ପର୍ଯ୍ୟନ୍ତ ଆସିଲେ ନାହିଁ । ବ୍ୟାପାର କ’ଣ ?’’

 

କାନ୍ତିଲାଲ ଅପ୍ରସ୍ତୁତ ହୋଇ ଯାଇ କହିଲା, ‘‘ହଠାତ୍ ଏ ବ୍ୟତିତ୍ରମ କାହିଁକି ଘଟିଲା ମୁଁ ଠିକ୍ ବୁଝିପାରୁନାହିଁ । ଆଚ୍ଛା ଆପଣମାନେ ଏଠାରେ ଅପେକ୍ଷା କରିଥା’ନ୍ତୁ, ମୁଁ ଅଳ୍ପ ସମୟ ମଧ୍ୟରେ ହୋଟେଲ୍‍ରୁ ଖବର ନେଇ ଚାଲି ଆସୁଛି ।’’

 

କାନ୍ତିଲାଲ ପ୍ରସ୍ଥାନର ପ୍ରାୟ ପଇଁଚାଳିଶ ମିନିଟ୍ ପରେ ଫେରି ଆସି ଖବର ଦେଲା ସେମାନେ ନିଜ କକ୍ଷରୁ ଆଜି ବାହାରି ନାହାନ୍ତି । ମିସ୍ ମଲ୍ଲିକା କହେ ଆଜି ଅପରାହ୍ନରେ ମି. ଓ ମିସେସ୍ ଗୋଖଲେଙ୍କ ମଧ୍ୟରେ କ’ଣ ବଚସା ହୋଇଯାଇଛି । ଆଉ ମଧ୍ୟ ମିଷ୍ଟର ଗୋଖଲେ ହଠାତ୍ ଅସୁସ୍ଥ ହୋଇପଡ଼ିବା ହେତୁ ଆଜି ଭ୍ରମଣ ଉଦ୍ଦେଶ୍ୟରେ ସେମାନେ ହୋଟେଲ ଛାଡ଼ି ବାହାରକୁ ଆଉ ଯାଇ ନାହାନ୍ତି ।’’

‘‘ଆଉ ଅଧିକ କିଛି ସମ୍ବାଦ ସେମାନଙ୍କ ସମ୍ବନ୍ଧରେ ତୁମକୁ ଦେଇଛି ମିସ୍ ମଲ୍ଲିକା ?’’ ମି. ଘୋଷାଲ କୌତୂହଳ କଣ୍ଠରେ ପ୍ରଶ୍ନ କଲେ ।

‘‘ନା ଅନ୍ୟକିଛି ସମ୍ବାଦ ସେ ଆଉ ଦେଇନାହିଁ । ମାତ୍ର ଏତିକି କେବଳ କହୁଥିଲା ଆଜିର ପରିସ୍ଥିତି ଖୁବ୍ ଗମ୍ଭୀର ମନେହେଉଛି ।’’ କାନ୍ତିଲାଲ କଣ୍ଠରେ ସୀମାତୀତ ଅବସନ୍ନତା ଯେପରି ଭରି ଯାଇଛି ।

ଅଜିତ୍ ମୁହୂର୍ତ୍ତେ କ’ଣ ଚିନ୍ତା କରି କାନ୍ତିଲାଲକୁ ହଠାତ୍ ପ୍ରଶ୍ନ କରି ବସିଲା, ‘‘ମି. ଗୋଖଲେ ଓ ମିସେସ୍ ଗୋଖଲେ କୌଣସି ଅସତର୍କ ମୁହୂର୍ତ୍ତରେ ପରସ୍ପର ନାମ ଧରି ଅର୍ଥାତ୍‍ ବିନୋଦ ଓ ବରୁଣା ବୋଲି ସମ୍ବୋଧନ କରୁଥିବାର ମିସ୍ ମଲ୍ଲିକା କେବେ ଶୁଣିଛି କି ?’’

କାନ୍ତିଲାଲ ଅଜିତ୍ ପ୍ରଶ୍ନରେ ଉତ୍ସାହିତ ହୋଇ ଉଠି ଉତ୍ତର ଦେଲା, ‘‘ଏ ସମ୍ବନ୍ଧରେ ମିସ୍ ମଲ୍ଲିକାକୁ ମୋର ବହୁପୂର୍ବରୁ ନିର୍ଦ୍ଦେଶ ରହିଛି । ମାତ୍ର ଏ ଯାଏ ମିସ୍ ମଲ୍ଲିକା ସେମାନଙ୍କ ଓଠର ସେ ପ୍ରକୃତ ସମ୍ବୋଧନ ଶୁଣିବାକୁ ପାଇନାହିଁ । ସେତିକି ସେ ଥରେ କେବେ ହେଲେ ଶୁଣିପାରିଥିଲେ ବିନୋଦ ଓ ବରୁଣାର ପ୍ରକୃତ ପରିଚୟ ନେଇ ଆମ୍ଭମାନଙ୍କୁ ଆଜି ଏତେ ବିବ୍ରତ ହେବାକୁ ପଡ଼ୁନଥା’ନ୍ତା ।’’

ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ଗ୍ରାଣ୍ଡ ହୋଟେଲ୍‍ର ଚତୁର୍ଦ୍ଦିଗରେ ଛଦ୍ମବେଶୀ ପୋଲିସ୍‍ମାନେ ସତର୍କିତଭାବେ ଛକି ରହିଛନ୍ତି, ଯେ କୌଣସି ମୁହୂର୍ତ୍ତରେ ଖବର ପାଇବାମାତ୍ରେ ସେମାନେ ସକ୍ରିୟ ହୋଇଉଠିବେ ।

ଅରିନ୍ଦମ ମି. ଘୋଷାଲଙ୍କୁ ଚାହିଁ କହିଲେ, ‘‘ବର୍ତ୍ତମାନ ଠିକ୍ କି ପଦକ୍ଷେପ ନିଆଯିବ ମୁଁ ସ୍ଥିର କରିପାରୁନାହିଁ । ଚାଲନ୍ତୁ ଆମ୍ଭେମାନେ କମିଶନର ସାହେବଙ୍କୁ ସମସ୍ତ ପରସ୍ଥିତିଟା ବୁଝାଇ କହିବା । କାରଣ ତାଙ୍କର ବିନା ପରାମର୍ଶରେ ନୂତନ କୌଣସି ପଦକ୍ଷେପ ନେବା ଆଦୌ ଉଚିତ ହେବ ନାହିଁ । ମି. ଓ ମିସେସ୍ ଗୋଖଲେ ବର୍ତ୍ତମାନ ଆମ୍ଭମାନଙ୍କର ସମ୍ପୂର୍ଣ୍ଣ ଅକ୍ତିଆର ମଧ୍ୟରେ । ହୋଟେଲ ମ୍ୟାନେଜରଙ୍କୁ ତ ନିର୍ଦ୍ଦେଶ ଦିଆଯାଇଛି ସେମାନଙ୍କ କକ୍ଷ ଉପରେ କଡ଼ା ଦୃଷ୍ଟି ରଖିବାକୁ-। ମିସ୍ ମଲ୍ଲିକା ତ ସେମାନଙ୍କୁ ଅତି ସତର୍କତାର ସହ ଜଗି ରହିଛି । ଅତଏବ ସେମାନଙ୍କର ପଳାୟନ କରିବାର ପ୍ରଶ୍ନହିଁ ଉଠିପାରେନା । ମାତ୍ର ସେ ଯା’ହେଉ ବର୍ତ୍ତମାନ ଯଥାଶୀଘ୍ର ସମ୍ଭବ କମିଶନର ସାହେବଙ୍କ ସଙ୍ଗେ ପରାମର୍ଶ ଶେଷ କରିବାକୁ ହେବ ।

ଗୋପନ ପରାମର୍ଶ ପରେ ଯେଉଁ ସିଦ୍ଧାନ୍ତ ନିଆଗଲା ତାହା ଅବିଳମ୍ବେ କାର୍ଯ୍ୟକାରୀ କରିବାକୁ କମିଶନରସାହେବ ନିର୍ଦ୍ଦେଶ ଦେଇ କହିଲେ, ‘‘ଯଦି ମିସେସ୍ ଗୋଖଲେ ପ୍ରକୃତରେ ବିନୋଦ ଓ ବରୁଣା ନ ହୋଇ ଥା’ନ୍ତି, ତେବେ ସେମାନଙ୍କୁ ଅମ୍ଭମାନଙ୍କର ଏ ଆକସ୍ମିକ ଖାନ୍‍ତଲାସ୍‍ର କାରଣ ସମ୍ବନ୍ଧରେ ବୁଝାଇ ଦେବାକୁ ପଡ଼ିବ । ମୋର ମନେହୁଏ ସେମାନେ ଆମ୍ଭମାନଙ୍କର କାର୍ଯ୍ୟ-କଳାପକୁ ନିଶ୍ଚୟ ସମର୍ଥନ କରିବେ ।’’

ଅରିନ୍ଦମ, ମି. ଘୋଷାଲ, ଅଜିତ୍ ଏବଂ କାନ୍ତିଲାଲ ହୋଟେଲରେ ପହଞ୍ଚିବାବେଳକୁ ରାତି ଦଶଟା ହୋଇ ଯାଇଥିଲା । ସେମାନଙ୍କୁ ଦେଖି ଦେଇ ପ୍ରୌଢ଼ ମ୍ୟାନେଜର ମି. ମୈତ୍ର୍ୟ ବିବ୍ରତ କଣ୍ଠରେ କହି ଉଠିଲେ, ‘‘ମୁଁ ବର୍ତ୍ତମାନ ଆପଣମାନଙ୍କୁ ଫୋନ୍ କରିବି ବୋଲି ଉଦ୍ୟତ ହେଉଥିଲି । କାରଣ ତ୍ରିତଳସ୍ଥ ସାତ ନମ୍ବର କୋଠରୀ ସମ୍ପର୍କରେ ମୁଁ କାହିଁକି ଭୟଙ୍କର ସନ୍ଦିହାନ ହୋଇ ଉଠିଛି-।’’

ଅରିନ୍ଦମ ମି. ମୈତ୍ର୍ୟଙ୍କର ବକ୍ତବ୍ୟ ଶୁଣି ଚମକି ପଡ଼ିଲେ, ‘‘ବ୍ୟାପାର କ’ଣ ହୋଇଛି କୁହନ୍ତୁ ତ ଦେଖି ।’’

ମି. ମୈତ୍ର୍ୟ ଅତ୍ୟନ୍ତ ବିଚଳିତ ହୋଇପଡ଼ିଛନ୍ତି ମନେହେଲା । ସେ ଭୀତିମିଶ୍ରିତ ବାଷ୍ପ ଗଦ୍ ଗଦ୍ କଣ୍ଠରେ କହିଉଠିଲେ, ‘‘ସେଇ ସାତନମ୍ବର କୋଠରୀରେ ନିଶ୍ଚୟ କିଛି ଆତଙ୍କପ୍ରଦ ଘଟଣା ଘଟି ଯାଇଛି । ମୁଁ ଯାଇ ସେ କୋଠରୀ ପାଖରୁ ଦୁଇଥର ଫେରି ଆସିଲିଣି । କାନପାରି ଶୁଣିଛି ସେ କକ୍ଷରେ ନିସ୍ତବ୍ଧତା ଭରି ରହିଛି । ମି. ଓ ମିସେସ୍ ଗୋଖଲେ ପ୍ରକୋଷ୍ଠ ମଧ୍ୟରେ ଅଛନ୍ତି-। ଅଥଚ ଦରଜାରେ ମୁଁ ନିଜେ ଯାଇ କେତେଥର ନକ୍ କଲିଣି ଭିତରୁ କୌଣସି ଜବାବ୍ ନାହିଁ-।’’

 

‘‘ଆପଣଙ୍କର ସନ୍ଦେହ ସମ୍ବନ୍ଧରେ ମୂଳରୁ ଘଟଣାଟା ଟିକିଏ ଖୋଲି କୁହନ୍ତୁ । ସବୁକିଛି ଶୁଣିବାଲାଗି ଆମ୍ଭେମାନେ ଅତ୍ୟନ୍ତ ଉତ୍କଣ୍ଠିତ ହୋଇପଡ଼ିଛୁ ।’’ ଅରିନ୍ଦମଙ୍କର ବିବ୍ରତ କଣ୍ଠସ୍ଵରରେ ଅସମ୍ଭବ କୌତୂହଳର ସ୍ପର୍ଶ ।

 

ମି. ମୈତ୍ର୍ୟ ନିଜର ଭାବାବେଗ ସମ୍ବରଣ କରିନେଇ ମୂଳରୁ ବ୍ୟାପାରଟା ସଜାଇ କହିବାକୁ ଚେଷ୍ଟାକଲେ, ‘‘ମି. ଓ ମିସେସ୍ ଗୋଖଲେଙ୍କର ହୋଟେଲରେ ଆସି ରହିବାର ଆଜି ହେଲା ତୃତୀୟ ଦିବସ । ଗତ ଦୁଇଦିନ ହେଲା ମୁଁ ଲକ୍ଷ୍ୟକରୁଛି ସେମାନେ ଅପରାହ୍ନରେ ଟ୍ୟାକ୍‍ସି କରି ବୁଲି ଯାଉଛନ୍ତି । ସେମାନେ ଆସି ଏଠାରେ ରହିବା ପରଠାରୁ କାନ୍ତିଲାଲବାବୁ ସେମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିବାକୁ ଆରମ୍ଭ କରିଛନ୍ତି ଓ ମୋତେ ସେମାନଙ୍କ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଁ ମଧ୍ୟ ମୋର କର୍ତ୍ତବ୍ୟରେ ଖିଲାପ କରିନାହିଁ । ଗତ ଦୁଇଦିନ ଭଳି ଆଜି ମଧ୍ୟ ଆଶା କରାଯାଉଥିଲା ସେମାନେ ଟ୍ୟାକ୍‍ସିରେ ବୁଲିଯିବେ । ମାତ୍ର ମିସ୍ ମଲ୍ଲିକା ନିକଟରୁ ଖବର ପାଇଲି କିଛି ସମୟ ପୂର୍ବରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଯାଇଛି ଓ ମି. ଗୋଖଲେ ଅସୁସ୍ଥ ଥିବା ହେତୁ ସେମାନେ ଆଜି ଆଉ ବୁଲି ଯିବେ ନାହିଁ । ସେ ଯା ହେଉ ମୁଁ ଓ ମିସ୍ ମଲ୍ଲିକା ସେ ପ୍ରକୋଷ୍ଠ ଉପରେ ସତର୍କିତ ଦୃଷ୍ଟି ରଖିଥିଲୁ । କାନ୍ତିଲାଲବାବୁ ମି. ଓ ମିସେସ୍ ଗୋଖଲେଙ୍କର ଆଜି ବାହାରକୁ ନ ବାହାରିବାର କାରଣ ସମ୍ବନ୍ଧରେ ଆସି ବୁଝି ଚାଲିଯିବାର ଅଳ୍ପ ସମୟ ପରେ ମିସ୍ ମଲ୍ଲିକା ହଠାତ୍ ତ୍ରିତଳରୁ ଦ୍ରୁତ ଛୁଟି ଆସି ମୋତେ ଖବର ଦେଲା, ରୁଦ୍ଧ ଦରଜା ସାତ ନମ୍ବର କୋଠରୀ ମଧ୍ୟରୁ ସେ ମିଷ୍ଟର ଗୋଖଲେଙ୍କର ଅସ୍ପଷ୍ଟ ଆର୍ତ୍ତନାଦ ଶୁଣିବାକୁ ପାଇଛି । ମନେହେଲା ସେ ଯେପରି ଯନ୍ତ୍ରଣାରେ ଚିତ୍କାର କରି ଉଠିଲେ । ଅଥଚ ସେ ଦରଜାରେ ଦୁଇ ତିନିଥର ନକ୍ କରି ମଧ୍ୟ କୌଣସି ଜବାବ୍ ପାଇଲା ନାହିଁ ।

 

ମିସ୍ ମଲ୍ଲିକାର ବକ୍ତବ୍ୟ ଯେ ଅତ୍ୟନ୍ତ କୌତୂହଳୋଦ୍ଦୀପକ ଏଥିରେ ସନ୍ଦେହ ନାହିଁ । ହଠାତ୍ ଅନିଶ୍ଚିତ ଆଶଙ୍କାରେ ମୁଁ ଭୟଙ୍କର ଆତଙ୍କିତ ହୋଇ ଉଠିଲି ଓ ମଲ୍ଲିକାକୁ ସଙ୍ଗରେ ନେଇ ସାତନମ୍ବର କୋଠରୀ ସାମ୍‍ନାରେ ଆସି ଅବିଳମ୍ବେ ଉପସ୍ଥିତ ହୋଇଗଲି ।

 

ଦରଜା ପୂର୍ବପରି ବନ୍ଦ ରହିଛି । ମୁଁ ଆଉ ମୁହୂର୍ତ୍ତେମାତ୍ର ବିଳମ୍ବ ନ କରି ରୁଦ୍ଧ ଦ୍ଵାର ଉପରେ କରାଘାତ କରିବାକୁ ଲାଗିଲି । ଆଶଙ୍କା ଓ ଭୟରେ ଛାତି ମୋର ସ୍ପନ୍ଦିତ ହେଉଥାଏ । ମୁଁ ତ୍ରିତଳକୁ ଆସିବା ପୂର୍ବରୁ ମନେ ମନେ ସ୍ଥିର କରି ନେଇଥିଲି ଦ୍ୱାରରେ କରାଘାତ କରି ଯଦି କିଛି ଜବାବ୍ ନ ପାଏ ତେବେ ଦରଜା ସଙ୍ଗେ ସଙ୍ଗେ ଭାଙ୍ଗିଦେବି । କିଏ ଜାଣେ ଆମର ଅଜ୍ଞାତସାରରେ କିଛି ଗୋଟାଏ ଭୟଙ୍କର ଦୁର୍ଘଟଣା ସେଠାରେ ଘଟି ନ ଯାଇଛି ।’’

 

ମାତ୍ର ମୋର ଆଶଙ୍କାକୁ ସମ୍ପୂର୍ଣ୍ଣ ମିଥ୍ୟା ପ୍ରମାଣିତ କରିଦେଇ ମିସେସ୍ ଗୋଖଲେଙ୍କର କଣ୍ଠସ୍ଵର ଶୁଣାଗଲା ଦ୍ୱାର ଉପରେ ମୋ ନକ୍‍ର ଜବାବରେ ଓ ପର ମୁହୂର୍ତ୍ତରେ ସ୍ୱଳ୍ପ ଉନ୍ନୁକ୍ତ ଦ୍ୱାର ଫାଙ୍କ ଦେଇ ତାଙ୍କର ମୁହଁଟି କେବଳ ଦେଖାଗଲା । ସେ ମୋତେ ଦେଖି ଦେଇ ଅସ୍ପଷ୍ଟ ହସିଦେଇ କହି ଉଠିଲେ, ‘‘ମି. ଗୋଖଲେଙ୍କର ଆର୍ତ୍ତ ଚିତ୍କାର ଆପଣମାନଙ୍କୁ ସମ୍ଭବତଃ ଅତ୍ୟନ୍ତ ବିବ୍ରତ ଅବସ୍ଥାରେ ଏଠାକୁ ଆକର୍ଷଣ କରିଆଣିଛ । ମିସ୍ ମଲ୍ଲିକା ସେତେବେଳେ ଦରଜାରେ ନକ୍ କରୁଥିଲେ ମୁଁ ସେତେବେଳେ ହଠାତ୍ ଅଜ୍ଞାନ ହୋଇଯାଇଥିବା ମି. ଗୋଖଲେଙ୍କୁ ନେଇ ଭୟଙ୍କର ବ୍ୟସ୍ତ ହୋଇପଡ଼ିଥିଲି । ମି. ଗୋଖଲେଙ୍କର ଏପରି ଅଜ୍ଞାନ ହୋଇଯିବା ମୋ ପାଇଁ ଅବଶ୍ୟ କିଛି ନୂଆ କଥା ନୁହେଁ । କାରଣ ମି. ଗୋଖଲେଙ୍କର ଏ ଅସୁସ୍ଥତା ସହିତ ମୁଁ ପୂର୍ବରୁ ପରିଚିତ । ତାଙ୍କର ଚୈତନ୍ୟ କିପରି ଶୀଘ୍ର ଫେରି ଆସିବ ସେଥିଲାଗି ଅତ୍ୟନ୍ତ ବିବ୍ରତ ଥିବା ହେତୁ ମିସ୍ ମଲ୍ଲିକାଙ୍କ ନକ୍‍ର କୌଣସି ଜବାବ ଦେଇ ପାରିନଥିଲି ସେଥିଲାଗି ମୁଁ ଅବଶ୍ୟ ଦୁଃଖିତ । ବର୍ତ୍ତମାନ ମି. ଗୋଖଲେଙ୍କର ଜ୍ଞାନ ଫେରି ଆସିଛି । ଦୟାକରି ମିସ୍ ମଲ୍ଲିକାଙ୍କ ହାତରେ କିଛି ଗରମ ଦୁଧ ପଠାଇବେ କି ?’’

 

ଅଯଥା ଆଶଙ୍କାରୁ ହଠାତ୍ ମୁକ୍ତି ପାଇଯିବା ଯୋଗୁଁ ମୋର ଭାରାକ୍ରାନ୍ତ ମନ ଅନେକ ହାଲ୍‍କା ହୋଇଯାଇଥିଲା ।

 

ଅଯଥା ଆତଙ୍କ ମଣିଷ ମନକୁ କେଡ଼େ ଦୁର୍ବଳ କରି ନ ଦିଏ ସତେ ।

 

ମଲ୍ଲିକା ମୁହଁକୁ ଚାହିଁ ନିରର୍ଥକ ଆତଙ୍କର ମେଘ ହଠାତ୍ କଟିଯିବା ଯୋଗୁଁ ମୁହଁ ତା’ର ଅତ୍ୟନ୍ତ ଉଜ୍ଜ୍ୱଳ ହୋଇଉଠିଛି ।

 

ମୋତେ ଅଯଥା ନିରତିଶୟ ଆଶଙ୍କାରୁ ଅବ୍ୟାହତି ଦେଇପାରିଥିବା ଯୋଗୁଁ ମିସେସ୍ ଗୋଖଲେଙ୍କୁ ବାରମ୍ବାର ମୋର ହାର୍ଦ୍ଦିକ ଧନ୍ୟବାଦ ଜଣାଇ ଗରମ ଦୁଧ ଅବିଳମ୍ବେ ପଠାଇ ଦେବାର ପ୍ରତିଶ୍ରୁତି ଦେଇ ମଲ୍ଲିକା ସହ ଦ୍ରୁତ ପ୍ରସ୍ଥାନ କଲି ।

 

ମିସ୍ ମଲ୍ଲିକା ହାତରେ ଗରମ ଦୁଧ ଦେଇ ଅବିଳମ୍ବେ ସାତ ନମ୍ବର କୋଠରୀକୁ ପଠାଇ ଦେଇ ତାକୁ ନିର୍ଦ୍ଦେଶ ଦେଲି, ସେ ସେଠାରୁ ଫେରି ଆସି ମି. ଗୋଖଲେଙ୍କ ଅସୁସ୍ଥତା ସମ୍ବନ୍ଧରେ ମୋତେ ଯେପରି ଶୀଘ୍ର ଖବର ଦିଏ । କାରଣ ଅସୁସ୍ଥତା ଯଦି ଅଧିକ ହୋଇଥାଏ ତେବେ ଡକ୍ଟରଙ୍କୁ ଖବର ଦେବାକୁ ହେବ ।

 

ମୋ ଅଫିସ୍ ରୁମରେ ବେଶ୍ କିଛିକ୍ଷଣ ଅପେକ୍ଷା କଲା ଉତ୍ତାରେ ମିସ୍ ମଲ୍ଲିକା ଯେତେବେଳେ ମୋ ନିର୍ଦ୍ଦେଶ ଅନୁଯାୟୀ ସାତନମ୍ବର କୋଠରୀରୁ ଆଉ ଫେରି ନ ଆସିଲା ସେତେବେଳେ ମୁଁ ଭୟଙ୍କର ବିବ୍ରତ ହୋଇପଡ଼ିଲି । ମିସ୍ ମଲ୍ଲିକାର ସେଠାରେ ଏତେ ସମୟ ଧରି ଅଟକି ରହିବାର କାରଣ କ’ଣ ହୋଇପାରେ ? ମି. ଗୋଖଲେଙ୍କର ସେବା କାର୍ଯ୍ୟରେ ସେ କ’ଣ ତେବେ ମିସେସ୍ ଗୋଖଲେଙ୍କୁ ସାହାଯ୍ୟ କରୁଛି । ମୁଁ ଯେତେବେଳେ ତାକୁ ବାରମ୍ବାର ବୁଝାଇ ନିର୍ଦ୍ଦେଶ ଦେଇଥିଲି ସେତେବେଳେ ତା’ର ଉଚିତ ମୋତେ ଆସି ଅନ୍ତତଃ ଖବରଟା ଦେଇଯିବା ।

 

ମୁଁ କଲିଂ ବେଲ ଚିପି ମୋର ଅଡ଼ରଲୀକୁ ମିସ୍ ମଲ୍ଲିକାକୁ ସାତନମ୍ବର କୋଠରୀରୁ ଡାକି ଆଣିବାକୁ ଆଦେଶ ଦେଲି । ମାତ୍ର ସେ ଯାଇ ସାତ ନମ୍ବର ଦରଜାରେ ନକ୍ କରି ଫେରି ଆସିଲା । ନକ୍‍ର କୌଣସି ଜବାବ୍‍ ନାହିଁ ।

 

ଅଡ଼ରଲୀର ବିଫଳ ପ୍ରତ୍ୟାବର୍ତ୍ତନରେ ମୁଁ ହତଭମ୍ବ ହୋଇଯାଇଥିଲି । ବିବ୍ରତ ଚିତ୍ତରେ ତେଣୁ ସାତନମ୍ବର କୋଠରୀ ନିକଟରେ ଅବିଳମ୍ବେ ପହଞ୍ଚି ଯାଇ ଦରଜାରେ କରାଘାତ କଲି କିନ୍ତୁ କୌଣସି ଉତ୍ତର ନାହିଁ ।

 

ସାତ ନମ୍ବର କୋଠରୀ ମଧ୍ୟସ୍ଥ ଏପରି ଅଦ୍ଭୁତ ନୀରବତାର ଅର୍ଥ ତେବେ କ’ଣ ହୋଇପାରେ । ଦରଜା ହୁଏତ ଭିତରୁ ବନ୍ଦ ନାହିଁ । ମାତ୍ର ନକ୍‍ର ଜବାବ୍‍ ନ ଆସିଲା ବୋଲି ହଠାତ୍ ଦରଜା ନିଜେ ଉନ୍ମୁକ୍ତ କରିଦେଇ ଘର ଭିତରକୁ ପଶିଯିବା କେତେଦୂର ସଙ୍ଗତ ହେବ ।

 

ମୋର ବିବ୍ରତ ଅବସ୍ଥା ଅନତିଦୂରରୁ ଲକ୍ଷ୍ୟ କରିପାରିଥିଲେ ପାଞ୍ଚନମ୍ବର ପ୍ରକୋଷ୍ଠର ଭଦ୍ରଲୋକ; ତେଣୁ ସେ ସ୍ୱତଃପ୍ରବୃତ୍ତ ହୋଇ ଆଗେଇ ଆସି ନିଜର କୌତୂହଳୀ ପ୍ରଶ୍ନ ମାଧ୍ୟମରେ ମୋର ମାନସିକ ଦୂରବସ୍ଥାର କାରଣ ଯେତେବେଳେ ସ୍ପଷ୍ଟ ବୁଝିପାରିଲେ ସେତେବେଳେ ସେ ଭୟଙ୍କର ଆଶ୍ଚର୍ଯ୍ୟ ହୋଇଯାଇ କହିଲେ, ‘‘କିଛି ସମୟ ପୂର୍ବେ ମୁଁ ଲକ୍ଷ୍ୟ କରିଛି ଧଳା ଗାଉନ୍‍ ପରିଧାନ କରିଥିବା ଜଣେ ପରିଚାରିକା ସାତନମ୍ବର କକ୍ଷ ମଧ୍ୟରୁ ବାହାରି ଆସି ଦ୍ରୁତ ବେଗରେ ପାହାଚରେ ତଳକୁ ଓହ୍ଲାଇ ଗଲା । ଦୂରରୁ ମୁଁ ଦେଖିଛି, ତେଣୁ ଠିକ୍ କହିପାରିବି ନାହିଁ ସେ ମିସ୍ ମଲ୍ଲିକା କି ନୁହେଁ ।’’

 

ମିସ୍ ମଲ୍ଲିକା ବ୍ୟତୀତ ସାତନମ୍ବର କକ୍ଷ ମଧ୍ୟକୁ ଅନ୍ୟ ପରିଚାରିକାମାନଙ୍କର ପ୍ରବେଶ ନିଷିଦ୍ଧ ଥିଲା । ଗରମ ଦୁଧ ନେଇ ମଲ୍ଲିକା ଯେତେବେଳେ ନିର୍ଦ୍ଦିଷ୍ଟ କକ୍ଷ ମଧ୍ୟକୁ ଯାଇଥିଲା ସେତେବେଳେ ଅନ୍ୟ କାହାର କକ୍ଷ ମଧ୍ୟରୁ ବାହାରି ଆସିବାର ପ୍ରଶ୍ନ ଉଠୁନାହିଁ । ନିଶ୍ଚିତଭାବେ ସେ ପରିଚାରିକାଟି ମଲ୍ଲିକା ବ୍ୟତୀତ ଅନ୍ୟକେହି ନୁହେଁ ।

 

ମଲ୍ଲିକା ଯଦି ସାତନମ୍ବର କକ୍ଷ ମଧ୍ୟରୁ ବାହାରି ଆସିଛି, ତେବେ ସେ ଗଲା କୁଆଡ଼େ ?

 

ବିବ୍ରତ ଓ କୌତୂହଳ ମନ ନେଇ ମୁଁ ଅବିଳମ୍ବେ ହୋଟେଲ ମଧ୍ୟରେ ଅନୁସନ୍ଧାନ ଆରମ୍ଭ କରିଦେଲି । ହୋଟେଲରେ କିନ୍ତୁ ମଲ୍ଲିକାର କୌଣସି ପତ୍ତା ନାହିଁ ।

 

ସେମାନଙ୍କର କର୍ମବ୍ୟସ୍ତତା ମଧ୍ୟରେ ହୋଟେଲ୍‍ର ଜଣେ ଦୁଇଜଣ କର୍ମଚାରୀ ଧଳା ଗାଉନ୍‍ ପରିହିତା ଜଣେ ତରୁଣୀ ପରିଚାରିକାକୁ ସୋପାନରେ ଦ୍ରୁତ ଓହ୍ଲାଇ ଯାଉଥିବାର ଲକ୍ଷ୍ୟ କରିଛନ୍ତି, ମାତ୍ର ସେ ଜଣକ ନିର୍ଦ୍ଦିଷ୍ଟ ଭାବରେ କିଏ ତା’ ସେମାନେ ସଠିକ୍ କହିପାରିବେ ନାହିଁ ।

 

ଅଧିକ ଅନୁସନ୍ଧାନ କରିବାକୁ ଯାଇ ହୋଟେଲ୍‍ର ଦରୱାନ ନିକଟରୁ ଯାହା ଶୁଣିବାକୁ ପାଇଲି ତା’ ଶୁଣି ତ ମୁଁ ସମ୍ପୂର୍ଣ୍ଣ ହତଭମ୍ବ ହୋଇଗଲି । କିଛି ସମୟ ପୂର୍ବେ ଧଳା ଗାଉନ୍‍ ପରିହିତା ଜଣେ ପରିଚାରିକାକୁ ଖୁବ୍ ତର ତର ହୋଇ ହୋଟେଲ ଫାଟକ ଅତିକ୍ରମ କରି ବାହାରକୁ ଚାଲିଯିବାର ସେ ଲକ୍ଷ୍ୟ କରିଛି । ମାତ୍ର ସେ ପରିଚାରିକାଟି କିଏ ନିର୍ଦ୍ଦିଷ୍ଟଭାବେ ସେ ତାହା କହିପାରିବ ନାହିଁ ।

ହୋଟେଲ ଫାଟକ ପାର ହୋଇ ବାହାରକୁ ଯେ ଚାଲି ଯାଇଛି ସେ ମିସ୍ ମଲ୍ଲିକା ବ୍ୟତୀତ ଅନ୍ୟ କିଏ ଆଉ ହୋଇପାରେ ?

ଅନିଶ୍ଚିତ ଆଶଙ୍କାରେ ମୁଁ ଏତେଦୂର ବିବ୍ରତ ହୋଇପଡ଼ିଲି ଯେ ଉପସ୍ଥିତ ପରିସ୍ଥିତିରେ ଠିକ୍ କ’ଣ କରିବି ବୁଝିପାରିଲି ନାହିଁ ।

ମାତ୍ର ଅଧୈର୍ଯ୍ୟ ହେବାର ଏ ବେଳ ନୁହେଁ । ଯଥେଷ୍ଟ ମାନସିକ ଦୃଢ଼ତାର ବର୍ତ୍ତମାନ ପ୍ରୟୋଜନ ମୋର । ସେ ଯା’ ହେଉ ମିଷ୍ଟର ଓ ମିସେସ୍ ଗୋଖଲେ ତ ଏବେସୁଦ୍ଧା ନିର୍ଦ୍ଦିଷ୍ଟ କକ୍ଷର ବାହାରକୁ ଯାଇପାରି ନାହାନ୍ତି । ଏହି ସାନ୍ତ୍ୱନା ନେଇ ମୁଁ ପୁଣି ସାତନମ୍ବର କକ୍ଷ ଦରଜାରେ ଯାଇ କରାଘାତ କଲି । ମାତ୍ର କୌଣସି ଉତ୍ତର ନାହିଁ । ଏପରି ଦରଜା ଉନ୍ମୁକ୍ତ କରି ଦେଇ କକ୍ଷ ଭିତରକୁ ପଶି ଯିବାର ଦୁଃସାହସ କିନ୍ତୁ ମୁଁ ଏପର୍ଯ୍ୟନ୍ତ କରିପାରିନାହିଁ । କେଜାଣି କାହିଁକି ଏକ ଅନିଶ୍ଚିତ ଆଶଙ୍କାରେ ମୁଁ ଭୟଙ୍କର ନର୍ଭସ ହୋଇପଡ଼ିଛି । ତେଣୁ ମୁଁ ବର୍ତ୍ତମାନ ଆପଣମାନଙ୍କ ପାଖକୁ ଫୋନ୍ କରିବାକୁ ଉଦ୍ୟତ ହେଉଥିଲି, ଆପଣମାନେ ଆସି ପହଞ୍ଚିଗଲେ ।’’

ମି. ମୈତ୍ର୍ୟ ଏକନିଶ୍ୱାସରେ ନିଜର ବକ୍ତବ୍ୟ ଶେଷ କରି ନିଃସହାୟ ଦୃଷ୍ଟିରେ କେବଳ ଅନାଇ ରହିଲେ ।

ମି. ଘୋଷାଲ, ଅଜିତ୍ ଏବଂ କାନ୍ତିଲାଲ ଅରିନ୍ଦମଙ୍କୁ ଚାହିଁଦେଇ ଚମକି ପଡ଼ିଲେ । ତାଙ୍କ ମୁହଁ ହତାଶାରେ ଏପରି ବିବର୍ଣ୍ଣ ହୋଇଯିବାର ପୂର୍ବରୁ ସେମାନେ କେବେ ଲକ୍ଷ୍ୟ କରିନାହାନ୍ତି ।

ଅରିନ୍ଦମ ମଧ୍ୟ ସେମାନଙ୍କ ମୁହଁ ଉପରେ ଯେଉଁ ମୃତ ମଣିଷର ରକ୍ତଶୂନ୍ୟତା ଲକ୍ଷ୍ୟ କଲେ ତା’ ମଧ୍ୟ ଅବର୍ଣ୍ଣନୀୟ । ପ୍ରତ୍ୟେକ ପ୍ରତ୍ୟେକର ମନତଳର ଚରମ ବିଫଳତା ଜନିତ ନିଃସହାୟତାର କରୁଣ ପ୍ରତିକ୍ରିୟା ଉପଲବ୍ଧି କରୁଛନ୍ତି ଅଥଚ ମୁହଁ ଖୋଲି ନିଜର ମନୋଭାବ ବ୍ୟକ୍ତ କରିବାକୁ ସେମାନେ ଯେପରି ସମ୍ପୂର୍ଣ୍ଣ ଅକ୍ଷମ ।

ମୁହୂର୍ତ୍ତ କେତେକର ସ୍ତବ୍ଧ ମୁହୂର୍ତ୍ତ ଅତିକ୍ରାନ୍ତ ହେବା ପରେ ଅରିନ୍ଦମ ଏକ ଦୀର୍ଘଶ୍ୱାସ ତ୍ୟାଗ କରି ମି. ମୈତ୍ର୍ୟଙ୍କୁ ଚାହିଁ ବ୍ୟଥିତ କଣ୍ଠରେ କହିଲେ, ‘‘ଏବେ ମଧ୍ୟ ଆପଣ ମନରେ ଭରସା ରଖିଛନ୍ତି ଯେ ସାତନମ୍ବର କକ୍ଷରେ ମି. ଓ ମିସେସ୍ ଗୋଖଲେ ମହଜୁଦ୍ ଅଛନ୍ତି ?’’

‘‘ସେ ସମ୍ବନ୍ଧରେ ମୁଁ ଏତେଟିକେ ବି ସନ୍ଦିହାନ ନୁହେଁ । ଦୃଢ଼ କଣ୍ଠରେ ମୁଁ କହିପାରେ ସେମାନେ ଏବେ ସୁଦ୍ଧା କକ୍ଷ ବାହାରକୁ ଯାଇନାହାନ୍ତି ।’’ ମି. ମୈତ୍ର୍ୟଙ୍କର କଣ୍ଠସ୍ଵର କିନ୍ତୁ ଯଥେଷ୍ଟ ଦୁର୍ବଳ ମନେହେଉଥିଲା । କାରଣ ସେ କଣ୍ଠସ୍ଵର କମ୍ପୁଥିଲା ।

ଅରିନ୍ଦମ ଏକ ଶୁଷ୍କ ହସ ହସି କହିଲେ, ‘‘ମି. ଓ ମିସେସ୍ ଗୋଖଲେଙ୍କୁ ଆପଣମାନେ କେହି ହୋଟେଲ ତ୍ୟାଗ କରି ଚାଲିଯିବାର ଅବଶ୍ୟ ଦେଖିନାହାନ୍ତି; କିନ୍ତୁ ମୋର ତ ମନେହୁଏ ସେମାନେ ଯେହେତୁ ଯାଦୁକର, ପବନରେ ନିଶ୍ଚୟ ମିଳାଇ ଯାଇଛନ୍ତି । ଧଳା ଗାଉନ୍‍ ପରିହିତା ଯେଉଁ ପରିଚାରିକା ଜଣକ ହୋଟେଲ ଫାଟକ ପାରିହୋଇ ଦ୍ରୁତ ପଦରେ ବାହାରକୁ ଚାଲିଗଲେ ସେ ମିସ୍‍ ମଲ୍ଲିକା ବୋଲି ଆପଣ ଏବେବି ବିଶ୍ଵାସ କରୁଛନ୍ତି । ମି. ମୈତ୍ର୍ୟ, ମୁଁ ଆପଣଙ୍କର ମନ ତଳର ସ୍ପନ୍ଦନ ଠିକ୍ ବୁଝିପାରିଛି । ଆପଣଙ୍କ ମିସ୍ ମଲ୍ଲିକାକୁ ଆପଣଙ୍କ ସଙ୍ଗେ ସାକ୍ଷାତ୍‍ କରିବାର କଠୋର ନିର୍ଦ୍ଦେଶ ଥିବା ସତ୍ତ୍ୱେ ସେ ହୋଟେଲ ବାହାରକୁ ଆପଣଙ୍କର ନିର୍ଦ୍ଦେଶ ଅବଜ୍ଞା କରି ଚାଲି ଯାଇପାରିଲା । ଆପଣ କ’ଣ ତା’ ବିଶ୍ୱାସ କରୁଛନ୍ତି । ସାତନମ୍ବର କକ୍ଷରେ ମିସ୍ ମଲ୍ଲିକାର ଦୀର୍ଘ ସମୟ ଧରି ଉପସ୍ଥିତ ରହିବାର କାରଣ କ’ଣ ହୋଇପାରେ ଓ ଠିକ୍ ତା’ ପରେ ପରେ ସେ ହୋଟେଲ୍‍ରୁ ଅନ୍ତର୍ଦ୍ଧାନ । ଆପଣଙ୍କ ମନରେ ନିର୍ଦ୍ଦିଷ୍ଟ ଏକ ଆଶଙ୍କାର ଯେ ପ୍ରତିବିମ୍ବ ପଡ଼ିଛି ଏଥିରେ ସନ୍ଦେହର କୌଣସି ଅବକାଶ ନାହିଁ । ମାତ୍ର ଆପଣ ତା’ ବ୍ୟକ୍ତ କରିବାକୁ ସାହସ କରୁନାହାନ୍ତି ।’’

ମି. ମୈତ୍ର୍ୟଙ୍କର ମନତଳର ନିର୍ଦ୍ଦିଷ୍ଟ ସ୍ପନ୍ଦନକୁ ଅରିନ୍ଦମ ହଠାତ୍ ବ୍ୟକ୍ତ କରି ଦେବାରେ ସେ ଭୀଷଣ ଅପ୍ରସ୍ତୁତ ହୋଇପଡ଼ି ଆତ୍ମରକ୍ଷା କରିବାକୁ ଚେଷ୍ଟାକରି କହି ଉଠିଲେ, ‘‘ମିସେସ୍ ଗୋଖଲେଙ୍କ ସମ୍ବନ୍ଧରେ ଆପଣ ହୁଏତ ସନ୍ଦେହ ପ୍ରକାଶ କରିପାରନ୍ତି, ମାତ୍ର ମୁଁ ବେଟ୍‍ମାରି କହିପାରେ ମିଷ୍ଟର ଗୋଖଲେ ଏବେସୁଦ୍ଧା ନିର୍ଦ୍ଦିଷ୍ଟ କକ୍ଷରେ ମହଜୁଦ୍ ଅଛନ୍ତି ।’’

‘‘ସାତନମ୍ବର କକ୍ଷର ଦ୍ୱାର ଉନ୍ମୁକ୍ତ ହେଲାପରେ ସବୁ ସତ୍ୟ ପ୍ରକାଶ ପାଇବ । ଅନୁମାନ ଉପରେ ନିର୍ଭର କରି ଅଧିକ ତର୍କ କରିବା ଆଉ ପ୍ରୟୋଜନ ନାହିଁ । ଚାଲନ୍ତୁ ଆମେ ଉପରକୁ ଯିବା-।’’ ଅରିନ୍ଦମଙ୍କ ଭାଷାରେ କୌଣସି ପ୍ରାଣର ସ୍ପର୍ଶଥିବା ଭଳି ଆଦୌ ମନେହେଲା ନାହିଁ । ଭଗ୍ନ ହୃଦୟ ହୋଇପଡ଼ିଥିବା ବ୍ୟକ୍ତିର କାରୁଣ୍ୟ ତାଙ୍କର କଣ୍ଠସ୍ଵର ସ୍ପଷ୍ଟରୁ ବାରି ହୋଇଯାଉଥିଲା ।

 

ସାତନମ୍ବର କକ୍ଷ୍ୟ ସାମ୍‍ନାରେ ସମସ୍ତେ ଯାଇ ଉପସ୍ଥିତ ହେବାପରେ ଅରିନ୍ଦମ ରୁଦ୍ଧ ଦରଜାରେ ଅଳ୍ପ ଚାପ ଦେବା ସଙ୍ଗେ ସଙ୍ଗେ ତାହା ଉନ୍ମୁକ୍ତ ହୋଇଗଲା । ମାତ୍ର ଅରିନ୍ଦମ କକ୍ଷ୍ୟ ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟତ ହୋଇ ଆର୍ତ୍ତ ଚିତ୍କାର କରି ପଛକୁ ଘୁଞ୍ଚି ଆସିଲେ । ତାଙ୍କର ଦୁଇଆଖି ଭୟ ଓ ବିସ୍ମୟରେ ବିସ୍ଫାରିତ ହୋଇଯାଇଛି । ଅନ୍ୟ ସମସ୍ତେ ଅରିନ୍ଦମଙ୍କର ଏ ଅସ୍ୱାଭାବିକ ଓ ଅପ୍ରତ୍ୟାଶିତ ପ୍ରତିକ୍ରିୟାରେ କୌତୂହଳୀ ହୋଇଉଠି ଏକ ସମୟରେ ଅରିନ୍ଦମଙ୍କ ପଛଆଡ଼ୁ ଘର ଭିତରକୁ ଉଙ୍କିମାରିବାକୁ ଉଦ୍ୟତ ହୋଇ କିନ୍ତୁ ସଭୟେ ଚମକି ଉଠି ମିଳିତ କଣ୍ଠରେ ଆର୍ତ୍ତ ଚିତ୍କାର କରିଉଠିଲେ ।

 

ଏପରି ବିଚିତ୍ର ଭୟାବହ ଦୃଶ୍ୟ କକ୍ଷ ମଧ୍ୟରେ ଅବଲୋକନ କରିବାର କେହି କଳ୍ପନା ପର୍ଯ୍ୟନ୍ତ କରିନଥିଲେ ।

 

କାହାରି କଣ୍ଠରୁ ବଚନ ସ୍ଫୁରୁନି । କକ୍ଷ ମଧ୍ୟସ୍ଥ ହୃତକମ୍ପକାରୀ ଦୃଶ୍ୟରେ ସମସ୍ତେ ଯେପରି ମୁହୂର୍ତ୍ତକ ମଧ୍ୟରେ ସ୍ଥାଣୁ ପାଲଟି ଯାଇଛନ୍ତି ।

 

ମୁହୂର୍ତ୍ତକେତେକର ନୀରବତା ଉତ୍ତାରେ ଅରିନ୍ଦମ କକ୍ଷ ମଧ୍ୟରେ ନିଜର ଦୃଷ୍ଟି ଅବିଚଳିତ ରଖି ମ୍ୟାନେଜର ମି. ମୈତ୍ର୍ୟକୁ ସମ୍ବୋଧନ କରି କହିଲେ, ‘‘ସତରେ ମୁଁ ଆପଣଙ୍କ ପାଖେ ହାରିଯାଇଛି ମି. ମୈତ୍ର୍ୟ । ମିଷ୍ଟର ଗୋଖଲେ କକ୍ଷ ମଧ୍ୟରେ ମହଜୁଦ୍ ଅଛନ୍ତି ସତ୍ୟ ମାତ୍ର ଜୀବିତ ଅବସ୍ଥାରେ ନୁହେଁ । ଆମ୍ଭମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ପାଇଁ ମହାନିଦ୍ରା ତେଜି ସେ ହୁଏତ ଆଉ ଉଠି ଆସିବେ ନାହିଁ ।’’

 

ଅରିନ୍ଦମ ମୁହୂର୍ତ୍ତେ ରହି ଯାଇ ମନେ ମନେ କ’ଣ ଭାବି ପୁନଶ୍ଚ କହିଲେ, ‘‘ମି. ଗୋଖଲେଙ୍କ ସମ୍ବନ୍ଧରେ ମୋର ଚିନ୍ତା ଯେ ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ ଥିଲା ତାହା ବର୍ତ୍ତମାନ ପ୍ରମାଣିତ ହୋଇଯାଇଛି । ମାତ୍ର ମିସ୍ ମଲ୍ଲିକା ସମ୍ବନ୍ଧରେ ଯାହା ସନ୍ଦେହ କରିଥିଲି ତାହା ସମ୍ପୂର୍ଣ୍ଣ ସତ୍ୟ ହୋଇଛି ବୋଲି ମୋର ମନେହୁଏ । ମିସ୍ ମଲ୍ଲିକାକୁ ମୁଁ ପୂର୍ବରୁ କେବେ ଦେଖିନାହିଁ । ମାତ୍ର ମୋର ମନେହୁଏ କାର୍ପେଟ ଉପରେ ଉତ୍ତାନଭାବେ ପଡ଼ିରହିଥିବା ମୃତଦେହଟି ମଲ୍ଲିକାର । ବେକରୁ ପାଦ ପର୍ଯ୍ୟନ୍ତ ସମସ୍ତ ଅଙ୍ଗରେ ତା’ର ଏକ ନୀଳରଙ୍ଗର ଶାଢ଼ି ଆଚ୍ଛାଦିତ ରହିଛି ।’’

 

‘‘ଆପଣଙ୍କର ଅନୁମାନ ସମ୍ପୂର୍ଣ୍ଣ ସତ୍ୟ ସାର୍‍ ।’’ ମି. ମୈତ୍ର୍ୟ ସମସ୍ତଙ୍କୁ ଠେଲି କକ୍ଷ ମଧ୍ୟକୁ ପଶିଗଲେ ଓ ମଲ୍ଲିକାର ମୃତଦେହ ଉପରେ ଭୟାର୍ତ୍ତ ଦୃଷ୍ଟି ଅବିଚଳିତ ରଖି ବ୍ୟାକୁଳ ବିବ୍ରତ କଣ୍ଠରେ କହି ଉଠିଲେ, ‘‘ମାତ୍ର ବିଚାରୀର ଏ ଶୋଚନୀୟ ଦୁର୍ଦ୍ଦଶା ହେଲା କିପରି ? ଆଉ ତା’ ଦେହ ଉପରେ ସେ ନୀଳରଙ୍ଗର ଶାଢ଼ିଟି କାହିଁକି ଆବୃତ ବା କରାହୋଇଛି ?’’

 

‘‘ବିଚାରୀର ଏ ଶୋଚନୀୟ ମୃତ୍ୟୁ ପାଇଁ କାନ୍ତିଲାଲ ହିଁ ଦାୟୀ । ଯେଉଁ କାରଣରୁ ଉଜ୍ଜ୍ୱଳ ନିହତ ହୋଇଥିଲା, ଠିକ୍ ସେଇ କାରଣ ଯୋଗୁଁ ମିସ୍ ମଲ୍ଲିକା ମଧ୍ୟ ଅସମୟରେ ମୃତ୍ୟୁର ଶୀତଳ ସ୍ପର୍ଶରେ ନିଶ୍ଚଳ ହୋଇଯାଇଛି । ମିସ୍ ମଲ୍ଲିକାକୁ ହତ୍ୟା କରାଯାଇଛି ।’’ ଅରିନ୍ଦମଙ୍କର ଦୃଷ୍ଟି ମିସ୍ ମଲ୍ଲିକାର ମୃତଦେହ ଉପରେ ସ୍ଥିର ହୋଇଯାଇଛି ।

 

‘‘ମାତ୍ର ବିଚାରୀକୁ ଏପରି ନିର୍ମମଭାବେ ହତ୍ୟାକଲା କିଏ ?’’ ମି. ମୈତ୍ର୍ୟ ପ୍ରାୟ କାନ୍ଦ କାନ୍ଦ ହୋଇ ଉଠିଛନ୍ତି ।

 

‘‘ମିସେସ୍ ଗୋଖଲେ ହେଉଛନ୍ତି ମିସ୍ ମଲ୍ଲିକାର ହତ୍ୟାକାରିଣୀ । ତାକୁ ହତ୍ୟାକଲା ପରେ ତା’ର ଦେହରେ ଥିବା ଆବରଣରେ ନିଜକୁ ସଜ୍ଜିତ କରି ଅବଲୀଳାକ୍ରମେ ସେ ଏ ହୋଟେଲ ଛାଡ଼ି ବାହାରକୁ ଚାଲି ଯାଇ ପାରିଛନ୍ତି । ଏ ହୋଟେଲ୍‍ର କେତେଜଣ କର୍ମଚାରୀ ଧଳାଗାଉନ୍ ପରିହିତା ଯେଉଁ ପରିଚାରିକାକୁ ସୋପାନରେ ଦ୍ରୁତ ଓହ୍ଲାଇ ଯିବାର ଲକ୍ଷ୍ୟ କରିଥିଲେ ଓ ଦରୱାନ ଯାହାକୁ ହୋଟେଲ ଫାଟକ ପାରି ହୋଇ ପଥର ଜନଗହଳି ମଧ୍ୟରେ ହଠାତ୍ ଅନ୍ତର୍ଦ୍ଧାନ ହୋଇଯିବାର ଲକ୍ଷ୍ୟ କରିଥିଲା ସେ ହେଉଛନ୍ତି ମିସେସ୍ ଗୋଖଲେ ।’’ ଅରିନ୍ଦମଙ୍କର କଣ୍ଠସ୍ୱର କ୍ରମଶଃ ଗମ୍ଭୀର ହୋଇଉଠୁଛି, ‘‘ମି. ମୈତ୍ର୍ୟ ଆପଣ ବର୍ତ୍ତମାନ ମିସ୍ ମଲ୍ଲିକାର ମୃତଦେହ ଉପରୁ ଶାଢ଼ିଟି ଅପସାରଣ କରିଦେଲେ ତାକୁ ସମ୍ପୂର୍ଣ୍ଣ ଉଲଗ୍ନ ଅବସ୍ଥାରେ ପଡ଼ି ରହିଥିବାର ଦେଖିବେ । ମିସେସ୍ ଗୋଖଲେ ମିସ୍ ମଲ୍ଲିକାକୁ ହତ୍ୟା କଲାପରେ ତା’ର ଆବରଣ ପରିଧାନ କରି ନେଇ ମଲ୍ଲିକାର ମୃତ ଉଲଗ୍ନ ଦେହ ଉପରେ ନିଜର ଶାଢ଼ିଟି ଆଚ୍ଛାଦିତ କରିଦେଇଛନ୍ତି ।’’

 

‘‘ତେବେ ମିସେସ୍ ଗୋଖଲେ ଯେ ନିଶ୍ଚିତଭାବେ ହେଉଛନ୍ତି ପାପିୟସୀ ବରୁଣା ଏ କଥା ବର୍ତ୍ତମାନ ଆମ୍ଭମାନଙ୍କୁ ସ୍ୱୀକାର କରିବାକୁ ପଡ଼ିବ ।’’ ଅଜିତ୍‍ର ଆହତ କଣ୍ଠରେ ତା’ର ବକ୍ତବ୍ୟ ସମୂହ ପରାସ୍ତ ସୈନିକର ପ୍ରଚ୍ଛନ୍ନ କାନ୍ଦଣା ପରି ଶୁଣା ଯାଉଥିଲା ।

 

‘‘ତାହା ସ୍ଵୀକାର କରିବା ବ୍ୟତୀତ ଗତ୍ୟନ୍ତର ନାହିଁ ।’’ ଅରିନ୍ଦମ ବାଷ୍ପାଚ୍ଛନ୍ନ କଣ୍ଠରେ ଉତ୍ତର ଦେଲେ ।

 

‘‘ତେବେ ଆପଣ ନିହତ ମି. ଗୋଖଲେଙ୍କ ସମ୍ବନ୍ଧରେ କ’ଣ ମନ୍ତବ୍ୟ ଦେବାକୁ ଯାଉଛନ୍ତି-?’’ ଅଜିତ୍‍ କଣ୍ଠରେ ବେଶ୍ ଉତ୍ତେଜନାର ପ୍ରକାଶ ।

 

ଅରିନ୍ଦମ ସଙ୍ଗେ ସଙ୍ଗେ ଅଜିତ୍ ପ୍ରଶ୍ନର କୌଣସି ଉତ୍ତର ନ ଦେଇ କକ୍ଷ ମଧ୍ୟରେ ପ୍ରବେଶ କରି ରକ୍ତାପ୍ଳୁତ ମିଷ୍ଟର ଗୋଖଲେଙ୍କର ମୃତଦେହ ନିକଟରେ ଯାଇ ଉପସ୍ଥିତ ହେଲେ । ଅନ୍ୟମାନେ ତାଙ୍କର ପଶ୍ଚାଦାନୁସରଣ କଲେ ।

 

ମିଷ୍ଟର ଗୋଖଲେଙ୍କର ମୃତଦେହ ଉତ୍ତାନଭାବେ ପଡ଼ି ରହିଥିଲା ଓ ଲାସ୍‍ର ବକ୍ଷରେ ସୃଷ୍ଟି ହୋଇଥିବା ଗଭୀର କ୍ଷତରୁ ଅଜସ୍ର ରକ୍ତସ୍ରାବ ହୋଇଥିବାର ଲକ୍ଷ୍ୟ କରାଗଲା ।

 

‘‘ପ୍ରକୋଷ୍ଠର ବାୟୁମଣ୍ଡଳରେ ଅସ୍ପଷ୍ଟ ବାରୁଦର ଗନ୍ଧ ଆପଣମାନେ ଆଘ୍ରାଣ କରୁନାହାନ୍ତି କି ?’’ ଅରିନ୍ଦମଙ୍କର ନାସିକାପୁଟ ଆକୁଞ୍ଚିତ ପ୍ରସାରିତ ହେଉଥିଲା, ‘‘ମି. ଗୋଖଲେଙ୍କୁ ଯେ ରିଭଲ୍‍ଭରରେ ହତ୍ୟା କରାଯାଇଛି, ଏଥିରେ ସନ୍ଦେହର କୌଣସି ଅବକାଶ ନାହିଁ ।’’

ଅଜିତ୍ ହଠାତ୍ ମିଷ୍ଟର ଗୋଖଲେଙ୍କର ମୁହଁପାଖେ ନଇଁପଡ଼ି କପାଳ ଉପରେ ଥିବା କଟାଦାଗ ପ୍ରତି ଅରିନ୍ଦମଙ୍କର ଦୃଷ୍ଟି ଆକର୍ଷଣ କରି କହି ଉଠିଲା, ‘‘ଲକ୍ଷ୍ୟ କରୁଛନ୍ତି ତ ମିଷ୍ଟର ଗୋଖଲେଙ୍କର କପାଳରେ ଥିବା ସେଇ କଟାଦାଗଟାକୁ ।’’

ଅରିନ୍ଦମ ଏ ବିଷଣ୍ଣ ଓ ଭୟଙ୍କର ମୁହୂର୍ତ୍ତରେ ବି ହସି ପକାଇ କହିଲେ, ‘‘ଅଜିତ୍ ମୋର ଆଉକିଛି ଜାଣିବାକୁ ବାକି ନାହିଁ । ମିସେସ୍ ଗୋଖଲେ ମିସେସ୍ ଗୋଖଲେ ନୁହଁନ୍ତି କି ମିଷ୍ଟର ଗୋଖଲେ ବି ମିଷ୍ଟର ଗୋଖଲେ ନୁହଁନ୍ତି । ମିସେସ୍ ଗୋଖଲେଙ୍କର ଛଦ୍ମ ଆବରଣ ତଳେ ବରୁଣା ଓ ମିଷ୍ଟର ଗୋଖଲେଙ୍କର ଛଦ୍ମବେଶ ଅନ୍ତରାଳରେ ବିନୋଦ ଉଭୟେ ସେମାନଙ୍କର ଚମତ୍କାର ଅଭିନୟ କରିଯାଇଛନ୍ତି । ନିଜର ବକ୍ତବ୍ୟ ଅସମାପ୍ତ ରଖି ଅରିନ୍ଦମ ନଇଁପଡ଼ି ମିଷ୍ଟର ଗୋଖଲେଙ୍କର ଲାସ୍‍ର ମୁହଁ ଉପରୁ କୃତ୍ରିମ ଦାଢ଼ିଟି ଅବଲୀଳାକ୍ରମେ ବାହାର କରି ଆଣିଲେ ।

ସଙ୍ଗେ ସଙ୍ଗେ ଅଜିତ୍ ଚିତ୍କାର କରି ଉଠିଲା ।, ‘‘ଏ ଯେ ବିନୋଦ । ମାତ୍ର ସେ ହଠାତ୍ କିପରି ମୃତ୍ୟୁର ଶିକାର ହେଲା ?’’

ମି. ଘୋଷାଲ, ମି. ମୈତ୍ର୍ୟ ଏବଂ କାନ୍ତିଲାଲର ଆଖି ବିସ୍ମୟରେ ବିସ୍ପାରିତ ହୋଇଯାଇଛି-। ମୁହୂର୍ତ୍ତ କେତେକ ପୂର୍ବରୁ ମି. ଗୋଖଲେ ହଠାତ୍ ଅନ୍ୟ ଏକ ବ୍ୟକ୍ତିରେ ରୂପାନ୍ତରିତ ହୋଇଯାଇଛନ୍ତି । ଏଇ ତେବେ ସେ ବିନୋଦ, ରାଜକୁମାରୀ ବରୁଣାର ସହଯୋଗୀ ।

ଅରିନ୍ଦମ ଅଜିତ୍‍କୁ ଚାହଁ କହିଲେ, ‘‘ବର୍ତ୍ତମାନ ପ୍ରଶ୍ନ ହୋଇପାରେ ବରୁଣା ଓ ବିନୋଦ ମଧ୍ୟରେ ଏତେ ସୈଖ୍ୟର ଏ ବିଷମ ପରିଣତ ହେଲା କିପରି ? ମନରେ ସନ୍ଦେହ ଆସେ ବରୁଣା କ’ଣ ପ୍ରକୃତରେ ବିନୋଦକୁ ହତ୍ୟା କରିଛି ନା ଏ ହତ୍ୟାମୂଳରେ ଅନ୍ୟ କାହାରି ହାତ ଅଛି । ମାତ୍ର ବର୍ତ୍ତମାନର ପରିସ୍ଥିତିକୁ ବିଶ୍ଳେଷଣ କଲେ ମନେହୁଏ ବରୁଣାହିଁ ବିନୋଦକୁ ହତ୍ୟା କରିଛି । ମିସ୍ ମଲ୍ଲିକା ଯେତେବେଳେ ରୁଦ୍ଧ ଦରଜା ଏହି କକ୍ଷ ମଧ୍ୟରେ ମିଷ୍ଟର ଗୋଖଲେଙ୍କର ଆର୍ତ୍ତନାଦ ଶୁଣିଛନ୍ତି, ଠିକ୍ ସେହି ସମୟରେହିଁ ବିନୋଦକୁ ହତ୍ୟା କରିଛି ବରୁଣା । ଏ ହତ୍ୟାର ପରେ ପରେ ବରୁଣା ଆତ୍ମରକ୍ଷା କରି ଏ ହଟେଲ ଛାଡ଼ି ପଳାୟନ କରିବାର ଉପାୟ ମନେ ମନେ ସ୍ଥିର କରି ନେଇଛି । ମିଷ୍ଟର ଗୋଖଲେଙ୍କର ଚୈତନ୍ୟ ଫେରି ଆସିଲାଣି, ମିସ୍ ମଲ୍ଲିକା ହାତରେ କିଛି ଗରମ ଦୁଧ ପଠାନ୍ତୁ, ଏ ଅନୁରୋଧ ତଳେ ବରୁଣାର କୁତ୍ସିତ ମତଲବହିଁ ପ୍ରଚ୍ଛନ୍ନ ଥିଲା । ମିସ୍ ମଲ୍ଲିକା ପ୍ରକୋଷ୍ଠ ମଧ୍ୟକୁ ପଶି ଆସିବା ସଙ୍ଗେ ସଙ୍ଗେ ସେ ତାକୁ ହଠାତ୍ ତଣ୍ଟିଚିପି ହତ୍ୟା କରିଛି ।’’

‘‘ମିସ୍ ମଲ୍ଲିକାକୁ କ’ଣ ତଣ୍ଟଚିପି ରୁଦ୍ଧଶ୍ଵାସ କରାଯାଇ ହତ୍ୟା କରାଯାଇଛି ?’’ ମି. ଘୋଷାଲ ହଠାତ୍ ପ୍ରଶ୍ନ କରିଉଠିଲେ ।

ଅରିନ୍ଦମ ମିସ୍ ମଲ୍ଲିକାର ଲାସ୍ ପାଖକୁ ଆସି ତା’ର ମୁହଁପାଖେ ନଇଁ ପଡ଼ି କହିଲେ, ‘‘ସେ ସମ୍ବନ୍ଧରେ ସନ୍ଦେହର କୌଣସି ଅବକାଶ ନାହିଁ । ଦେଖୁଛନ୍ତି ତ କି ବିକଳଭାବେ ବିଚାରୀ ଆଖି ତରାଟି ଦେଇଛି ।’’

କକ୍ଷ ମଧ୍ୟରେ ଅତ୍ୟନ୍ତ ଗମ୍ଭୀର ପରିସ୍ଥିତି । ଦୁଇଟି ନିର୍ମମ ହତ୍ୟାରେ ପ୍ରକୋଷ୍ଠର ବାୟୁମଣ୍ଡଳ କରୁଣ ଓ ଭୟଙ୍କର ହୋଇ ଉଠିଛି ଓ କାରୁଣ୍ୟ ଓ ଭୟଙ୍କରତାର ଯେପରି କୌଣସି ତୁଳନା ନାହିଁ ।

ଅରିନ୍ଦମ ମି. ମୈତ୍ର୍ୟକୁ ଚାହିଁ ମନେ ମନେ କ’ଣ ଯେପରି ଚିନ୍ତାକରି ହଠାତ୍ କହିଉଠିଲେ, ‘‘ଆପଣଙ୍କର ମୁହଁ ଦେଖି ମନେହୁଏ ଆପଣ ଏବେବି, ମିସ୍ ମଲ୍ଲିକାର ଉଲଗ୍ନତା ସମ୍ବନ୍ଧରେ ସନ୍ଦିହାନ ଅଛନ୍ତି । ଏବେବି ଆପଣ ସଂଶୟ ଦୋଳାରେ ଦୋଳାୟିତ ହେଉଛନ୍ତି ଯେ ପ୍ରକୃତରେ କ’ଣ ମିସ୍ ବରୁଣାର ପରିଚାରିକାର ଶୁଭ୍ରବେଶ ପରିଧାନ କରି ଆତତାୟିନୀ ପଳାୟନ କରିଛି । ମୋର ଅନୁମାନକୁ ପ୍ରମାଣ କରିଦେଇ ଆପଣଙ୍କୁ ମୁଁ ଅଯଥା ସଂଶୟରୁ ମୁକ୍ତିଦେବାକୁ ଚାହେଁ ।’’ ନିଜର ବକ୍ତବ୍ୟ ଶେଷ କରିବା ସଙ୍ଗେ ସଙ୍ଗେ ଅରିନ୍ଦମ ମିସ୍ ମଲ୍ଲିକାର ମୃତଦେହ ଉପରେ ଆଚ୍ଛାଦିତ ରହିଥିବା ଶାଢ଼ିଟା ବାହାର କରିଦେଲେ ।

 

ଆହା କି ଅପୂର୍ବ ଦୃଶ୍ୟ ଦୃଷ୍ଟି ସାମ୍‍ନାରେ ପ୍ରତିଭାତ ହୋଇ ଉଠିଲା । ଶଙ୍ଖଶୁଭ୍ର ଏକ ତରୁଣୀର ସମ୍ପୂର୍ଣ୍ଣ ଉଲଗ୍ନ ଦେହ ଏକ ଦୀପ୍ତ ସୂର୍ଯ୍ୟ ଭଳି ହଠାତ୍ ଜଳି ଉଠି ସମସ୍ତଙ୍କ ଆଖି ଝଲସାଇ ଦେଲା ।

 

ଏକ ତରୁଣୀର ଚିତ୍ତ ବିଭ୍ରାନ୍ତକାରୀ ରମଣୀୟ ଉଲଗ୍ନ ତନ୍ତୁ କାର୍ପେଟ ଉପରେ ପଡ଼ି ରହିଛି ଏକ ଶଙ୍ଖମର୍ମର ଷ୍ଟାଚ୍ୟୁ ଭଳି । ଅଥଚ ଦ୍ରଷ୍ଟାମାନଙ୍କର ମନତଳେ କାହାରି ହେଲେ ଏତେଟିକେ ବି ବିକାର ନାହିଁ । କାରଣ ମିସ୍ ମଲ୍ଲିକାର ଉଲଗ୍ନ ଦେହର ସୌନ୍ଦର୍ଯ୍ୟ ଅପେକ୍ଷା ଦୁର୍ଘଟଣାର କାରୁଣ୍ୟ ସମସ୍ତଙ୍କ ମନକୁ ସମ୍ପୂର୍ଣ୍ଣ ଆଚ୍ଛନ୍ନ କରି ରଖିଥିଲା ।

 

ପ୍ରୌଢ଼ ମି. ମୈତ୍ର୍ୟ ହଠାତ୍‍ କାନ୍ଦି ଉଠିଲେ ପିଲାଙ୍କ ଭଳି । ମିସ୍ ମଲ୍ଲିକାକୁ ସେ ନିଜର କନ୍ୟାଭଳି ସ୍ନେହ କରୁଥିଲେ । ତା’ର ଏ ଶୋଚନୀୟ ଦୁର୍ଦ୍ଦଶା ଅବଲୋକନରେ ସେ ନିଜକୁ କୌଣସି ପ୍ରକାରେ ସମ୍ବରଣ କରିପାରିଲେ ନାହିଁ । ମାତ୍ର ତାଙ୍କର ଏ ହଠାତ୍ କ୍ରନ୍ଦନ ପାଇଁ ଅନ୍ୟମାନେ କିନ୍ତୁ ପ୍ରସ୍ତୁତ ନ ଥିଲେ ।

 

ଅରିନ୍ଦମ ମିସ୍ ମଲ୍ଲିକାର ମୃତ ଦେହକୁ ଅବିଳମ୍ବେ ଶାଢ଼ିଦ୍ୱାରା ଆଚ୍ଛାଦିତ କରିଦେଲେ ।

 

ଅରିନ୍ଦମ ମି. ମୈତ୍ର୍ୟଙ୍କର କ୍ରନ୍ଦନର ଭାବୋଚ୍ଛ୍ୱାସରେ କୌଣସି ବାଧା ପ୍ରଦାନ ନ କରି ମି. ଘୋଷାଲଙ୍କୁ ଚାହିଁ କହିଲେ, ‘‘ମୁଁ ଆପଣଙ୍କୁ ପୂର୍ବରୁ କହିଥିଲି ମିସ୍ ମଲ୍ଲିକାକୁ ତଣ୍ଟିଚିପି ହତ୍ୟା କରାଯାଇଛି, ତା’ର ପ୍ରମାଣ ପାଇଗଲେ ତ । ଦେହର କୌଣସି ସ୍ଥାନରେ କ୍ଷତର ଏତେଟିକେ ବି ଚିହ୍ନ ନାହିଁ । ବିଚାରୀ ରୁଦ୍ଧଶ୍ଵାସ ହୋଇ ବଡ଼ ଶୋଚନୀୟଭାବେ ମୃତ୍ୟୁବରଣ କରିଛି । ବରୁଣାର ଦାରୁଣ ଶକ୍ତି ସମ୍ମୁଖରେ ମଲ୍ଲିକାର ନିଃସହାୟଭାବେ ଆତ୍ମସମର୍ପଣ କରିବା ବ୍ୟତୀତ ଗତ୍ୟନ୍ତର ତ ନ ଥିଲା ।’’

 

‘‘ଆଚ୍ଛା ଦେଖୁଛନ୍ତି ସେଠାରେ ଭ୍ୟାନିଟି ବ୍ୟାଗଟା ପଡ଼ିଛି’’ କାନ୍ତିଲାଲ ସମସ୍ତଙ୍କୁ ଚମକାଇ ଦେଇ ଏକ ପ୍ରକାର ଛୁଟି ଯାଇ ପ୍ରକୋଷ୍ଠର ପଶ୍ଚିମ ପାର୍ଶ୍ଵରେ ପଡ଼ିଥିବା ସୋଫା ତଳୁ ନଇଁପଡ଼ି ଏକ ଭ୍ୟାନିଟି ବ୍ୟାଗ ଉଠାଇ ଆଣିଲା ।

 

ମି, ମୈତ୍ର୍ୟଙ୍କର ସ୍ପନ୍ଦନ ମଧ୍ୟ ହଠାତ୍‍ ସ୍ତବ୍ଧ ହୋଇଯାଇଛି । ଉପସ୍ଥିତ ସମସ୍ତେ ବିନୋଦ ଓ ମିସ୍ ମଲ୍ଲିକାର ହତ୍ୟା ସମ୍ପର୍କରେ ମୁହୂର୍ତ୍ତକ ଲାଗି ଯେପରି ସବୁ ବିସ୍ମୃତ ହୋଇଗଲେ । କୌତୂହଳୀ ବିସ୍ମୟ ବିସ୍ଫାରିତ ଦୃଷ୍ଟି ସମସ୍ତଙ୍କର ହଠାତ୍ ଆକର୍ଷିତ ହୋଇ କାନ୍ତିଲାଲ ଉପରେ ହିଁ ଏକୀଭୂତ ହୋଇଯାଇଛି ।

 

ଅରିନ୍ଦମ ଏକ ପ୍ରକାର ଡିଆଁମାରି ଯାଇ କାନ୍ତିଲାଲ ପାଖେ ପହଞ୍ଚି ଯାଇଛନ୍ତି । ଭୀଷଣ ଉତ୍ତେଜନାରେ ତାଙ୍କର ସମସ୍ତ ଦେହ ଥର ଥର ହୋଇ ଥରୁଛି । ହଠାତ୍ ଦୃଶ୍ୟର ପଟ ପରିବର୍ତ୍ତନରେ ସେ ଯେପରି ହତଭମ୍ବ ହୋଇ ଯାଇଛନ୍ତି; ମାତ୍ର ପ୍ରଚ୍ଛନ୍ନ ଏକ ଆନନ୍ଦରେ ତାଙ୍କ ମୁହଁ ଉଜ୍ଜ୍ୱଳ ହୋଇଉଠିଛି । ନିରାଶାର ଅନ୍ଧକାରରେ ଏହା ଯେପରି ଏକ ଆଶାର ଉଜ୍ଜ୍ୱଳ ଆଲୋକ । ନିଦାଘର ତପ୍ତ ମଧ୍ୟାହ୍ନରେ ଏହା ଶୀତଳ ବର୍ଷାବାରି ଯେପରି ।

 

କାନ୍ତିଲାଲ ସୋଫା ତଳୁ ଉଠାଇ ଆଣୁ ଆଣୁ ଅରିନ୍ଦମ ବିଦ୍ୟୁତ୍ ବେଗରେ ଝାମ୍ପି ନେଇଛନ୍ତି ଭ୍ୟାନିଟି ବ୍ୟାଗଟି ତା’ ହାତରୁ । ଗୋଟିଏ ମୁହୂର୍ତ୍ତ ବିଳମ୍ବ କରିବାର ବା କଥା କହିବାର ଅବସର ଯେପରି ନାହିଁ ତାଙ୍କର ।

 

ଅରିନ୍ଦମ ଭ୍ୟାନିଟି ବ୍ୟାଗଟା ହାତରେ ଧରିଛନ୍ତି, ଅଥଚ ଭୀଷଣ ଉତ୍ତେଜନାରେ ତା’ ଖୋଲିପାରୁନାହାନ୍ତି । ମିସ୍ ମଲ୍ଲିକା ଏହି ଭ୍ୟାନିଟି ବ୍ୟାଗ ସମ୍ବନ୍ଧରେ ରହସ୍ୟଜନକ ତଥ୍ୟ ଯୋଗାଇଥିଲା । ବିଚାରୀ ସାମ୍‍ନାରେ ଚିରଦିନ ପାଇଁ ଆଖିବୁଜି ଶୋଇ ଯାଇଛି ।

 

ଭ୍ୟାନିଟି ବ୍ୟାଗ ଖୋଲି ମିସେସ୍ ଗୋଖଲେ ଖଣ୍ଡିଏ ଫଟୋ ବାହାର କରି ବାରମ୍ବାର ଦେଖୁଥିଲେ । ମିସେସ୍ ଗୋଖଲେ ଅର୍ଥ ରାଜକୁମାରୀ ବରୁଣା । କାହାର ଫଟୋ ସେ ଭ୍ୟାନିଟି ବ୍ୟାଗରୁ ବାହାର କରି ବାରମ୍ବାର ଦେଖୁଥିଲା । ମିସ୍ ମଲ୍ଲିକା ଉପରେ ଗୁରୁଦାୟିତ୍ଵ ଦିଆ ଯାଇଥିଲା, ଉକ୍ତ ଫଟୋଟି କୌଣସି ପ୍ରକାରେ ଥରେ ଦେଖିନେବାକୁ । ତା’ର ବର୍ଣ୍ଣନା ଅନୁଯାୟୀ ଫଟୋର ନିର୍ଦ୍ଦିଷ୍ଟ ବ୍ୟକ୍ତିକୁ ଚିହ୍ନିବାକୁ ଚେଷ୍ଟା କରାଯାଇଥା’ନ୍ତା । ମାତ୍ର ତା’ର ଦାୟିତ୍ଵ ସେ ସମ୍ପୂର୍ଣ୍ଣ କଲା ପୂର୍ବରୁ ପୃଥିବୀରୁ ଚିରବିଦାୟ ନେଇ ଚାଲିଯାଇଛି । ଅରିନ୍ଦମଙ୍କ ଆଖି କେଜାଣି କାହିଁକି ମିସ୍ ମଲ୍ଲିକାର ମୃତଦେହକୁ ଅନାଇ ହଠାତ୍ ଛଳ ଛଳ ହୋଇଉଠିଲା ।

 

ମାତ୍ର ବର୍ତ୍ତମାନ ଭାବାବେଗର ସମୟ ନୁହେଁ । ଅରିନ୍ଦମ ନିଜର ଉତ୍ତେଜନାକୁ ସମ୍ବରଣ କରିନେଇ ଭୀଷଣ ଉଦବେଗଭରା ଚିତ୍ତରେ ଭ୍ୟାନିଟ୍‍ ବ୍ୟାଗଟା ଖୋଲି ପକାଇ ଅସ୍ପଷ୍ଟ ଚିତ୍କାର କରିଉଠିଲେ କିନ୍ତୁ ।

 

ମିସ୍ ମଲ୍ଲିକାର ପରିବେଷିତ ତଥ୍ୟ ଆଦୌ ଭୁଲ ନ ଥିଲା । ଭ୍ୟାନିଟ୍ ବ୍ୟାଗ ଭିତରେ ଫଟୋଟି ସଯତ୍ନେ ରଖା ହୋଇଛି । ମାତ୍ର ଫଟୋରେ ଏ ମୁହଁ କାହାର ?

 

ଆଶ୍ଚର୍ଯ୍ୟ ଓ ଆତଙ୍କରେ ଅରିନ୍ଦମଙ୍କର ଆଖି ବିସ୍ଫାରିତ ହୋଇଯାଇଛି । ସେ ଚିହ୍ନିପାରିଛନ୍ତି ଫଟୋସ୍ଥ ବ୍ୟକ୍ତିକୁ । ମାତ୍ର ବୈରୀର ଫଟୋକୁ ଏତେ ଯତ୍ନରେ ବରୁଣା ଭ୍ୟାନିଟି ବ୍ୟାଗ୍ ଭିତରେ ସମ୍ପାଦି ରଖିଥିଲା କାହିଁକି ?

 

ବୈରୀର ଫଟୋ ବୋଲି ନୁହେଁ, ସମ୍ଭବତଃ ପ୍ରେମିକର ଫଟୋ ବୋଲି ଏଡ଼େ ଯତ୍ନରେ ବରୁଣା ସାଇତି ରଖିଥିଲା ନିଜ ଭ୍ୟାନିଟି ବ୍ୟାଗରେ । ଭ୍ୟାନିଟି ବ୍ୟାଗରୁ ବାହାର କରି ବାରମ୍ବାର ଯେ ସେ ଶଶାଙ୍କ ଫଟୋକୁ ଅବଲୋକନ କରୁଥିଲା ତା’ର ଅର୍ଥ ତେବେ କ’ଣ ? ଶଶାଙ୍କକୁ ବରୁଣା କ’ଣ ମନେ ମନେ ପ୍ରକୃତରେ ଭଲ ପାଇ ବସିଛି ? ପ୍ରକୃତ ଈର୍ଷାରେ ପ୍ରଜ୍ଵଳିତ ହୋଇ ସେ କ’ଣ ସୁତପାକୁ ହତ୍ୟା କରିଛି ?

 

ବିନୋଦର ହତ୍ୟାର ଅନ୍ତରାଳରେ ବରୁଣାର ଶଶାଙ୍କ ପ୍ରତି ଆକର୍ଷଣର କାରଣ ପ୍ରଚ୍ଛନ୍ନ ନାହିଁ ତ । ଶଶାଙ୍କକୁ ନିଜର ପ୍ରତିଦ୍ଵନ୍ଦ୍ୱୀ ଭାବିବା ଯୋଗୁଁ ବିନୋଦର ବରୁଣା ସହ ମତାନ୍ତର ହେବା ଫଳରେ ନିର୍ମମଭାବେ ବରୁଣା ବିନୋଦକୁ ଆଉ ହତ୍ୟା କରିନାହିଁ ତ ।

 

ଅରିନ୍ଦମଙ୍କର ଚିନ୍ତା ଗୋଳମାଳ ହୋଇଯାଉଛି । ସେ ବିବ୍ରତ ହୋଇପଡ଼ି କୌଣସି ସିଦ୍ଧାନ୍ତରେ ଯେପରି ପହଞ୍ଚି ପାରୁନାହାନ୍ତି ।

 

କୌତୂହଳୀ ଅଜିତ୍‍ ଅରିନ୍ଦମଙ୍କ ନିକଟକୁ ଆଗେଇ ଆସି ପୂର୍ବରୁ ସେ ତା’ ହାତକୁ ଫଟୋଟି ବଢ଼ାଇ ଦେଇ କହିଲେ, ‘‘ବରୁଣାର ଭ୍ୟାନିଟି ବ୍ୟାଗରେ ଶଶାଙ୍କର ଫଟୋ ରହିବା ସମ୍ପର୍କରେ ତୁମେ ନିଜର ଚିନ୍ତା ବ୍ୟକ୍ତ କର । ମୁଁ ନିଜେ କୌଣସି ମୀମାଂସାରେ ଉପନୀତ ହୋଇପାରୁନାହିଁ । ବରୁଣାର ଶଶାଙ୍କ ପ୍ରତି ଯଦି ପ୍ରକୃତରେ ପ୍ରୀତି ଜାଗ୍ରତ ହୋଇଥାଏ, ତେବେ ମୋର ମନେହୁଏ ଏତେଦିନ ଯାଏ ଅଭିନୀତ ହେଉଥିବା ଭୟଙ୍କର ନାଟକର ସମ୍ଭବତଃ ରୂପାନ୍ତର ଘଟିପାରେ । ଦେଖାଯାଉ ଶେଷ ପର୍ଯ୍ୟନ୍ତ କ’ଣ ଘଟୁଛି ।

 

ଅଜିତ୍ ନିର୍ନିମେଷ ନୟନରେ ଶଶାଙ୍କ ଫଟୋଟିକୁ ଅନାଇ ଆକାଶ ପାତାଳ କେତେ କ’ଣ ଭାବି ଯାଉଥିଲା । ମି. ଘୋଷାଲ ଓ ମି.ମୈତ୍ର୍ୟ କୌତୂହଳୀ ଦୃଷ୍ଟି ମେଲି ଝୁଙ୍କିପଡ଼ିଛନ୍ତି ଅଜିତ୍ ମୁହଁ ପାଖରେ । ଫଟୋଟି ଦେଖିବାର ଅଦମ୍ୟ କୌତୂହଳ ସେମାନେ କୌଣସି ପ୍ରକାର ସମ୍ବରଣ କରିପାରିନାହାନ୍ତି ।

 

ଅଜିତ୍ କିଛିକ୍ଷଣ ଉତ୍ତାରେ ଫଟୋରୁ ଦୃଷ୍ଟି ଉତ୍ତୋଳନ କରି ଅରିନ୍ଦମଙ୍କୁ ଚାହିଁ ପ୍ରଶ୍ନ କଲା, ‘‘ବରୁଣା ତା’ର ଭ୍ୟାନିଟି ବ୍ୟାଗଟା ନେଇଯିବାକୁ ଭୁଲିଗଲା କିପରି ?’’

 

ଅରିନ୍ଦମ ଅଳ୍ପ ହସି କହିଲେ, ‘‘ଭ୍ୟାନିଟି ବ୍ୟାଗଟି ନେବାକୁ ଭୁଲି ଯାଇଛି କହିଲେ ଠିକ୍ ହେବ ନାହିଁ । ଧସ୍ତାଧସ୍ତି ଭିତରେ ଭ୍ୟାନିଟି ବ୍ୟାଗଟା ଛିଟ୍‍କି ଯାଇ କେତେବେଳେ ସୋଫାତଳେ ପଡ଼ିଛି ସେ ତାହା ଜାଣେ ନାହିଁ । ଭ୍ୟାନିଟି ବ୍ୟାଗଟା ଅପେକ୍ଷା ନିଜର ପ୍ରାଣଟା ଯେ ଅଧିକ ମୂଲ୍ୟବାନ ଓ ଉପସ୍ଥିତ ଆତଙ୍କିତ ପରିସ୍ଥିତିରେ ଅବିଳମ୍ବେ ପଳାୟନ ନ କଲେ ଆତ୍ମରକ୍ଷା ଯେ ସମ୍ପୂର୍ଣ୍ଣ ଅସମ୍ଭବ । ଏହି ସିଦ୍ଧାନ୍ତରେ ଉପନୀତ ହୋଇ ବରୁଣାକୁ ଭ୍ୟାନିଟି ବ୍ୟାଗର ଲୋଭ ତ୍ୟାଗ କରିବାକୁ ପଡ଼ିଛି ।’’

 

‘‘କିନ୍ତୁ ଏତଦ୍ୱାରା ଯେ ଆମ୍ଭେମାନେ ଲାଭବାନ୍ ହୋଇଛେ ଏ ସମ୍ବନ୍ଧରେ ସନ୍ଦେହର ଅବକାଶ ନାହିଁ’’ ମି. ଘୋଷାଲ ଉସ୍ଥାହିତ କଣ୍ଠରେ କହି ଉଠିଲେ, ‘‘ଅନ୍ତତଃ ଏତିକି ତ ଆମେ ଜାଣିପାରିଲେ ଯେ, ବରୁଣା ମନରେ ପ୍ରେମର ସ୍ପର୍ଶ ଲାଗିଛି ଓ ସେ ଶଶାଙ୍କକୁ ମନେ ମନେ ଭଲ ପାଇ ବସିଛି ।’’

 

ଅରିନ୍ଦମ ମି. ଘୋଷାଲଙ୍କ ବକ୍ତବ୍ୟରେ ନ ହସି ରହିପାରିଲେ ନାହିଁ । ମି. ଘୋଷାଲ ଏ ବକ୍ତବ୍ୟ ଉପରେ ମନ୍ତବ୍ୟ ଦେବାକୁ ଯାଇ ତେଣୁ କହିଲେ, ‘‘ନିଷ୍ଠୁର ନିର୍ମମ ବରୁଣାକୁ ଯେ ଚିହ୍ନିଛି, ତାହା ସମ୍ପର୍କରେ ସେ କଦାପି ଅନୁକୂଳ ମତ ପୋଷଣ କରିପାରିବନାହିଁ । ନିଜର ଭ୍ୟାନିଟି ବ୍ୟାଗରେ ଶଶାଙ୍କର ଫଟୋ ରଖିବାର ଭିନ୍ନ ଅର୍ଥ ମଧ୍ୟ କରାଯାଇପାରେ । ବୈରୀର ହତ୍ୟା ସମ୍ପର୍କରେ ନିଜ ମନକୁ କଠୋରରୁ କଠୋରତର କରିବା ଉଦ୍ଦେଶ୍ୟରେ ପ୍ରତି ମୁହୂର୍ତ୍ତରେ ଦେଖିବା ନିମିତ୍ତ ବରୁଣା ହୁଏତ ଶଶାଙ୍କ ଫଟୋକୁ ସଯତ୍ନରେ ନିଜ ଭ୍ୟାନିଟି ବ୍ୟାଗରେ ସମ୍ପାଦି ରଖିଛି ।’’

 

ଅରିନ୍ଦମଙ୍କର ଏ ଅଦ୍ଭୂତ ଯୁକ୍ତିରେ ମି. ଘୋଷାଲ କିନ୍ତୁ ସନ୍ତୁଷ୍ଟ ନ ହୋଇପାରି ପ୍ରତିବାଦ କରି କହିଲେ, ‘‘ଆପଣ କଥାଟା ଯେତେ ବୁଲାଇ କୁହନ୍ତୁ ନା କାହିଁକି ମୁଁ ଦୃଢ଼କଣ୍ଠରେ କହିପାରେ ବରୁଣା ସମ୍ପର୍କରେ ଆପଣଙ୍କ ମନରେ ଯଥେଷ୍ଟ ପରିବର୍ତ୍ତନ ଆସିଛି । କଠୋର ବରୁଣା ଯେ ଆଉ ପୂର୍ବର ସେ ଭୟଙ୍କର ବରୁଣା ହୋଇ ଆଉ ନାହିଁ, ସେ ସମ୍ପର୍କରେ ଆପଣ ଦୃଢ଼ ନିଶ୍ଚୟ ହୋଇସାରିଲେଣି ।’’

‘‘କଥା କହିବାକୁ ଯାଇ ଟିକିଏ ଭୁଲ କରିଦେଲେ ଆପଣ । ପ୍ରକୃତ କଥା ହେଲା ଭୟଙ୍କର ବରୁଣା ମନରେ କେବଳ କୋମଳତାର ସ୍ପର୍ଶ ଲାଗିଛି ଶଶାଙ୍କ ପାଇଁ, ଅନ୍ୟମାନଙ୍କ ପାଇଁ ନୁହେଁ । ତା’ ମନର ସମୂହ ପରିବର୍ତ୍ତନ ପ୍ରକୃତ ଘଟିଥିଲେ ବିନୋଦ ଓ ମିସ୍ ମଲ୍ଲିକା ନିର୍ମମଭାବେ କଦାପି ନିହତ ହୋଇନଥା’ନ୍ତେ ।’’ ଅରିନ୍ଦମଙ୍କର ବିଶ୍ଳେଷଣରେ ଚିନ୍ତାର ଗଭୀରତା ସୁସ୍ପଷ୍ଟ ।

ଅରିନ୍ଦମ, ମି. ଘୋଷାଲ, ଅଜିତ୍ ଏବଂ ମି. ମୈତ୍ର୍ୟ ପରସ୍ପର ମଧ୍ୟରେ ଆଲୋଚନାରେ ବ୍ୟସ୍ତ ଥିବାବେଳେ କାନ୍ତିଲାଲ ସେମାନଙ୍କଠାରୁ ପୃଥକ୍‍ ରହି କକ୍ଷର ଚତୁର୍ଦ୍ଦିଗରେ ବୁଲି ବୁଲି ଯେପରି କିଛି ଖୋଜୁଥିଲା । ଅରିନ୍ଦମଙ୍କର ଦୃଷ୍ଟି ତା’ ଉପରେ ପଡ଼ିବା ସଙ୍ଗେ ସଙ୍ଗେ ସେ କାନ୍ତିଲାଲର ଅନୁସନ୍ଧାନର ଉଦ୍ଦେଶ୍ୟ ଠିକ୍ ବୁଝିପାରିଲେ । ସେ ଖୋଜୁଛି କୌତୂହଳୀ ହୋଇ ଭ୍ୟାନିଟି ବ୍ୟାଗ ଭଳି ଯଦି ଅନ୍ୟକୌଣସି ତଥ୍ୟ ମିଳିଯାଏ ତେବେ ବରୁଣା ସମ୍ବନ୍ଧରେ ହୁଏତ ଅଧିକ କିଛି ଜାଣି ହେବ ।

ଅରିନ୍ଦମ ଅବଶ୍ୟ ମନେ ମନେ କାନ୍ତିଲାଲର ପ୍ରଚେଷ୍ଟାକୁ ପ୍ରଶଂସା କଲେ ମାତ୍ର ସେ ସ୍ଥିରନିଶ୍ଚିତ ହୋଇସାରିଥିଲେ ଯେ ବୁଦ୍ଧିମତୀ ବରୁଣା ଭ୍ୟାନିଟି ବ୍ୟାଗ ପରେ ତାକୁ ଗ୍ରେପ୍ତାର କଲାଭଳି ଦ୍ଵିତୀୟ କୌଣସି ତଥ୍ୟ ନିଶ୍ଚୟ ଛାଡ଼ି ଯାଇନଥିବ । ସେମିତି ଦୁଃସମୟ ପଡ଼ିଲା ବୋଲି ସିନା ବରୁଣା ଆତ୍ମରକ୍ଷା କରିବା ଉଦ୍ଦେଶ୍ୟରେ ଅସତର୍କତା ବଶତଃ ଭ୍ୟାନିଟି ବ୍ୟାଗଟି ଛାଡ଼ି ପଳାୟନ କରିଛି ।

ଠିକ୍ ଏହି ସମୟରେ ଡ୍ରେସିଂ ଟେବୁଲ ଅନ୍ତରାଳରେ ନଇଁପଡ଼ି କାନ୍ତିଲାଲ ବିଜୁଳି ବେଗରେ କ’ଣ ଯେପରି ଡାହାଣ ହାତରେ ଉଠାଇ ଆଣିଲା ଓ ପରମୁହୂର୍ତ୍ତରେ ଦୃଷ୍ଟି ସାମ୍‍ନାକୁ ତା’ ନେଇଆସି ବିସ୍ମୟ ବିସ୍ଫାରିତ ନତ ନେତ୍ରରେ ନିରୀକ୍ଷଣ କରିବାକୁ ଲାଗିଲା ।

କ’ଣ ସେ ଦେଖୁଛି, ସୁନା ଚେନ୍ ଥାଇ ହାତରେ ତା’ର ସେଇଟା କ’ଣ ?

କୌତୂହଳୀ ଅରିନ୍ଦମ ଏକ ପ୍ରକାର ଚମକି ଆସିଲେ କାନ୍ତିଲାଲ ନିକଟକୁ ଓ ତା’ର ଡାହାଣ ହାତ ନିକଟରେ ନଇଁ ପଡ଼ିଲେ ।

କାନ୍ତିଲାଲ କ’ଣ ଏ ଧରିଛି ତା’ର ହାତରେ !

ଏ ରହସ୍ୟମୟ ବସ୍ତୁ ଏହି କକ୍ଷସ୍ଥିତ ଡ୍ରେସିଂ ଟେବୁଲ ପଶ୍ଚାଦକୁ ଆସିଲା କିପରି ?

ଅରିନ୍ଦମ କାନ୍ତିଲାଲ ହାତରୁ ନିଜ ହାତକୁ ତାହା ନେଇ ଆସି ଅତ୍ୟନ୍ତ ଆଶ୍ଚର୍ଯ୍ୟ ଆଖିରେ ବାରମ୍ବାର ଏ ପାଖ ସେ ପାଖ କରି ନିରୀକ୍ଷଣ କରିବାକୁ ଲାଗିଲେ ।

ଗୋଟିଏ ସୁନା ଚେନରେ ଏକ ବାଘନଖ ସଂଯୁକ୍ତ ହୋଇଛି । ଚେନ୍‍ଟି ନିରୀକ୍ଷଣ କରି ଦେଖିଲେ ସ୍ପଷ୍ଟ ଧରଣା ହୁଏ, କାହାରି ଗଳାରୁ ଯେପରି ତାହା ଛିଣ୍ଡିଯାଇଛି ।

ଅଜିତ୍, ମି. ଘୋଷାଲ ଏବଂ ମି. ମୈତ୍ର୍ୟ ଅଭ୍ୟନ୍ତ କୌତୂହଳୀ ହୋଇ ଛୁଟି ଆସିଛନ୍ତି ଅରିନ୍ଦମଙ୍କ ନିକଟକୁ ଓ ପ୍ରତ୍ୟେକ ସେଇ ବାଘନଖ ସଂଯୁକ୍ତ ଛିନ୍ନ ଚେନ୍‍ଟି ନିଜ ନିଜ ହାତକୁ ନେଇ ଅତ୍ୟନ୍ତ ଆଶ୍ଚର୍ଯ୍ୟ ସହକାରେ ବାରମ୍ବାର ନିରୀକ୍ଷଣ କରିଛନ୍ତି ।

 

ସମସ୍ତେ ନୀରବ, ଅଥଚ ପ୍ରତ୍ୟେକର ଆଖିରେ ବିସ୍ମିତ କିଜ୍ଞାସା ।

 

କେବଳ ଅଜିତ୍ ଓ ଅରିନ୍ଦମ ଦୁହେଁ ବିଚିତ୍ର ଦୃଷ୍ଟିରେ ପରସ୍ପରକୁ ଅନାଇ ନିଜ ନିଜ ମନର ଅନେକ ରହସ୍ୟ ପରସ୍ପରକୁ ପ୍ରଶ୍ନ କରିଯାଉଛନ୍ତି । ଅଥଚ ମୁହଁ ଖୋଲି କେହି କାହାରିକୁ କିଛି ଯେପରି କହିପାରୁନାହାନ୍ତି । ସେମାନଙ୍କ ମୁହଁ କେହି ଯେପରି ଚାପି ଧରୁଛି । ଅଥଚ ଏ ସୁନାଚେନ୍ ଓ ବାଘନଖ ସମ୍ବନ୍ଧରେ ଅନେକ କଥା ଆଲୋଚନା କରିବାର ଏହା ହିଁ ହେଉଛି ପ୍ରକୃଷ୍ଟ ସମୟ ।

 

କାନ୍ତିଲାଲ ପ୍ରଥମେ ନୀରବତା ଭଙ୍ଗ କରି କହିଲା, ‘‘ଭ୍ୟାନିଟି ବ୍ୟାଗଟା ମିଳିଯିବା ପରେ ମୋର କାହିଁକି ମନେହେଲା ହୁଏତ ଚେଷ୍ଟାକରି ଅନୁସନ୍ଧାନ କରାଗଲେ ଏ କକ୍ଷରୁ ଅନ୍ୟକିଛି ତଥ୍ୟ ମଧ୍ୟ ଆବିଷ୍କୃତ ହୋଇଯାଇପାରେ । ଆତତାୟିନୀର ଅସତର୍କିତ ଆତୁର ପଳାୟନ ହେତୁ ନିଜର ବ୍ୟବହାର୍ଯ୍ୟ ଅନ୍ୟକୌଣସି ପଦାର୍ଥ ଆକସ୍ମିକଭାବେ ଛାଡ଼ି ଯାଇଥିବା କିଛି ବିଚିତ୍ର ନୁହେଁ । ଏହି ଧାରଣାର ବଶବର୍ତ୍ତୀ ହୋଇ ଆପଣମାନେ ଯେତେବେଳେ ବିନୋଦ ଓ ମିସ୍ ମଲ୍ଲିକାର ହତ୍ୟା ବ୍ୟାପାର ଆଲୋଚନାରେ ବ୍ୟସ୍ତ ଥିଲେ ସେତେବେଳେ ମୁଁ ଆପଣମାନଙ୍କ ସହିତ ଯୋଗ ନ ଦେଇ ଏ କକ୍ଷ ଅନୁସନ୍ଧାନ କରିବା ଶ୍ରେୟ ମନେକଲି ଓ ଅନୁସନ୍ଧାନ ଫଳରେ ବାଘନଖ ସଂଯୁକ୍ତ ଚେନ୍‍ଟି ମୋର ହଠାତ୍ ଦୃଷ୍ଟିପଥାରୂଢ଼ ହେଲା ମାତ୍ର ଏ ଛିଣ୍ଡା ସୁନାଚେନ୍‍ଟି ଏ କକ୍ଷସ୍ଥିତ ଡ୍ରେସିଂଟେବ୍ଲ ଅନ୍ତରାଳକୁ ଆସିଲା କିପରି ?

 

ମି. ଘୋଷାଲ ଓ ମି, ମୈତ୍ର୍ୟ ମିଳିତ କଣ୍ଠରେ ବିସ୍ମୟ ବିସ୍ଫାରିତ ନେତ୍ରରେ ଅରିନ୍ଦମଙ୍କୁ ଅନାଇ ହଠାତ୍ ପ୍ରଶ୍ନ କରି ଉଠିଲେ, ‘‘ଏ ଅଦ୍ଭୁତ ଚେନ୍ ସମ୍ବନ୍ଧରେ ଆପଣ କ’ଣ କିଛି ଚିନ୍ତା କରିପାରୁଛନ୍ତି ।’’

 

ଅରିନ୍ଦମ ମୁହୂର୍ତ୍ତେ ମୌନ ରହି କହିଲେ, ‘‘ଏ ଚେନ୍ ସମ୍ବନ୍ଧରେ ମୋତେ ବିଶେଷ ଚିନ୍ତା କରିବାକୁ ପଡ଼ୁନାହିଁ । କାରଣ ବାଘନଖ ସଂଯୁକ୍ତ ଏ ଚେନ୍ ସମ୍ପର୍କରେ ମୁଁ ଆଗରୁ ଅବଗତ ଥିଲି । ଅଜିତ୍ ମଧ୍ୟ ଏ ଅଦ୍ଭୁତ ଚେନ୍ ସମ୍ପର୍କରେ ସବୁକିଛି ଜାଣେ । ସତ କହିବାକୁ ଗଲେ ଅଜିତ୍ ହେଉଛି ପ୍ରଥମ ଜାଣିଲାବାଲା, ପରେ ମୁଁ ତା’ ନିକଟରୁ ସବୁ ଜାଣିବାକୁ ପାଏ ।’’

 

ମି. ଘୋଷାଲ ହଠାତ୍ ପ୍ରଶ୍ନ କରିଉଠିଲେ, ‘‘କାହିଁ ପୂର୍ବରୁ ତ ଆପଣମାନେ ଏ ସମ୍ପର୍କରେ ମୋତେ କିଛି ଜଣାଇ ନାହାନ୍ତି ।’’

 

ଅରିନ୍ଦମ ହସି କହିଲେ, ‘‘ଅଜିତ୍ ନିକଟରୁ ସମସ୍ତ ଜାଣିବା ପରେ ବ୍ୟାପାରଟା ଏକ ମନଗଢ଼ା କାହାଣୀ ପରି ମୋର ମନେହୋଇଥିଲା । ତେଣୁ ସେ ସମ୍ପର୍କରେ ମୁଁ କୌଣସି ଗୁରୁତ୍ୱ ଦେଇ ଆଦୌ ଚିନ୍ତା କରିନାହିଁ । ମାତ୍ର ବର୍ତ୍ତମାନ ବାଘନଖ ସଂଯୁକ୍ତ ଏ ଚେନ୍‍ଟି ନିଜେ ଦେଖିବା ପରେ ମୋର ମନେହେଉଛି ଏ ସମ୍ବନ୍ଧରେ ପତ୍ର ମାଧ୍ୟମରେ ଅଜିତ୍‍କୁ ଯେ ସମସ୍ତ କିଛି ଜଣାଇଥିଲା ତା’ର ଦାୟିତ୍ୱବୋଧ ଆମ୍ଭମାନଙ୍କ ଅପେକ୍ଷା ଯଥେଷ୍ଟ ବେଶୀ ।’’

 

‘‘ସେ କିଏ ? କି ପତ୍ର ସେ ଲେଖିଥିଲା ବାଘନଖ ସମ୍ପର୍କରେ ଅଜିତ୍‍ବାବୁଙ୍କ ପାଖକୁ । ଦୟାକରି ମୋତେ ସମସ୍ତ କିଛି ଜଣାନ୍ତୁ । ମୁଁ ଭୟଙ୍କର ଉଦ୍‍ବିଗ୍ନ ହୋଇଉଠିଛି ।’’ ମି. ଘୋଷାଲଙ୍କ କଣ୍ଠସ୍ୱରରେ କୌତୂହଳ ଯେପରି ଜମାଟ ବାନ୍ଧି ଯାଇଛି ।

 

‘‘ବର୍ତ୍ତମାନ ଆପଣଙ୍କୁ ଏ ସମ୍ପର୍କରେ ସମସ୍ତ ବିଷୟ ନିଶ୍ଚିତଭାବେ ଜଣାଇବାକୁ ପଡ଼ିବ । ବାଘନଖ ସଂଯୁକ୍ତ ଚେନ୍‍ଟି ବର୍ତ୍ତମାନ କ୍ଷେତ୍ରରେ ଦୃଷ୍ଟିପଥାରୂଢ଼ ନ ହୋଇଥିଲେ ସେ ସମ୍ବନ୍ଧରେ ଆଲୋଚନା କରିବାର ପ୍ରଶ୍ନହିଁ ଉଠି ନ ଥା’ନ୍ତା ।’’ ଅରିନ୍ଦମ ସମସ୍ତ ବ୍ୟାପାରଟା ଉପରେ ଯଥେଷ୍ଟ ଗୁରୁତ୍ୱ ଦେଇ ନିଜର ମନୋଭାବ ବ୍ୟକ୍ତ କଲେ ।

 

ଅରିନ୍ଦମ ମୁହୂର୍ତ୍ତେ ନୀରବ ରହି କହିଲେ, ‘‘ବାଘନଖ ସମ୍ବନ୍ଧରେ କିଛି କହିବାକୁ ଗଲେ ସୁବର୍ଣ୍ଣଗଡ଼ରେ ମୋର ଓ ଅଜିତ୍‍ର ଉପସ୍ଥିତି ଓ ସେଠାରେ ଘଟିଥିବା ଅଜିତ୍‍ର କେତେକ ହୃଦୟ ବିନିମୟ ବ୍ୟାପାର ମୋତେ ବ୍ୟକ୍ତ କରିବାକୁ ହେବ । ସେଥିଲାଗି ମୋତେ ତା’ର ଅନୁମତି ନେବାକୁ ପଡ଼ିବ ।’’

 

ଅଜିତ୍ ମୁହଁ ଉପରେ କୁଣ୍ଠା ଲକ୍ଷ୍ୟକରି ଓ ସେ କୁଣ୍ଠାର ଅସଲ କାରଣ କ’ଣ ଜାଣିପାରି ଅରିନ୍ଦମ ଅତ୍ୟନ୍ତ ବିନୀତ କଣ୍ଠରେ ମି. ମୈତ୍ର୍ୟ ଓ କାନ୍ତିଲାଲଙ୍କୁ ଉଦ୍ଦେଶ୍ୟ କରି କହିଲେ, ‘‘ଆପଣମାନେ କିଛି ମନେକରିବେ ନାହିଁ । ବ୍ୟାପାରଟା ଅଜିତ୍‍ର ଅତ୍ୟନ୍ତ ବ୍ୟକ୍ତିଗତ ହୋଇଥିବାରୁ.... ।’’

 

‘‘ଓ, ନୋ, ନୋ, ଏଥିରେ ମନେକରିବାର କୌଣସି କାରଣ ନାହିଁ,’’ ମି. ମୈତ୍ର୍ୟ ଅତ୍ୟନ୍ତ ସରଳ ହୃଦୟରେ କହି ଉଠିଲେ, ‘‘ଆପଣମାନେ ଆଲୋଚନା ଶେଷ କରିନିଅନ୍ତୁ, ଆମ୍ଭେମାନେ ବାହାରେ ଅପେକ୍ଷା କରୁଛୁ । ଆସନ୍ତୁ କାନ୍ତିଲାଲବାବୁ ।’’

 

ପରିସ୍ଥିତିର ଗୁରୁତ୍ୱ ଉପଲବ୍ଧି କରିପାରି କାନ୍ତିଲାଲ ଅକୁଣ୍ଠିତ ଚିତ୍ତରେ ମି. ମୈତ୍ର୍ୟଙ୍କ ସହ କକ୍ଷ ବାହାରକୁ ଚାଲିଗଲେ ।

 

ସମସ୍ତ ବ୍ୟାପାରଟା ଆମୂଳଚୂଳ ଶୁଣିବା ପରେ ମି. ଘୋଷାଲ ଅବାକ୍ ହୋଇ କହିଉଠିଲେ, ‘‘ଅଜିତ୍‍ବାବୁଙ୍କୁ ଧନ୍ୟବାଦ ଦେବାକୁ ହେବ ଯେ, ତାଙ୍କର ପାର୍ବତୀ ପ୍ରତି ପ୍ରଚ୍ଛନ୍ନ ଅନୁରକ୍ତି ଫଳରେ ବରୁଣାର ଜନ୍ମରହସ୍ୟ ଓ କାପାଳିକର ବାଘନଖ ପ୍ରଦାନର ରହସ୍ୟମୟ ବ୍ୟାପାର ସମ୍ବନ୍ଧରେ ଆମ୍ଭେମାନେ ସମସ୍ତ କିଛି ଜାଣିପାରିଛେ । ଅଜିତ୍‍ବାବୁଙ୍କ ନିମନ୍ତ୍ରଣ ପତ୍ରର ଉତ୍ତର ଦେବାକୁ ଯାଇ ପାର୍ବତୀ ଯେଉଁ ଆଲୋକପାତ କରିଛି ତା’ କିଛି କମ୍ କଥା ନୁହେଁ । ବାସ୍ତବିକ ପ୍ରଥମରୁ ସମସ୍ତ ବ୍ୟାପାରଟା ଏକ କାହାଣୀ ପରି ମନେହୁଏ ।’’

 

ମି. ଘୋଷାଲ ମୁହୂର୍ତ୍ତେ ନୀରବ ରହି ନିଜ ମନର ରହସ୍ୟ ପୁନର୍ବାର ଉଦ୍‍ଘାଟନ କଲେ, ‘‘ବରୁଣା ବେକରେ ବାଘନଖ ସଂଯୁକ୍ତ ଚେନ୍‍ ଥିବା କଥା ତ ପ୍ରମାଣିତ ହେଲା । ମାତ୍ର ଉକ୍ତ ଚେନ୍ ତା’ଗଳାରୁ ବିଚ୍ଛିନ୍ନ ହୋଇ ଡ୍ରେସିଂ ଟେବୁଲ ଅନ୍ତରାଳକୁ ଗଲା କିପରି ?’’

 

‘‘ଆପଣଙ୍କ ଭଳି ମୁଁ ମଧ୍ୟ କିଛି କମ୍ ଚିନ୍ତିତ ହୋଇପଡ଼ିନାହିଁ ମି. ଘୋଷାଲ । ବରୁଣା ବେକର ଚେନ୍ ତା’ ପାଖରୁ ପୃଥକ୍‍ ହେଲା କିପରି, ଯେଉଁ ବାଘନଖ ସଂଯୁକ୍ତ ଚେନ୍‍ଟିକୁ ସେ ସମସ୍ତ ସତର୍କତାର ସହ ରକ୍ଷା କରିଥିଲା’’ ଅରିନ୍ଦମଙ୍କ କପାଳ କୃଞ୍ଚିତ ହୋଇଯାଇଛି, ‘‘ମୁଁ ପ୍ରଥମେ ଯେତେବେଳେ ମି. ମୈତ୍ର୍ୟଙ୍କ ନିକଟରୁ ଶୁଣିଲି ଯେ, ଧଳା ଗାଉନ୍‍ ପରିହିତା କୌଣସି ପରିଚାରିକା ହୋଟେଲ ବାହାରକୁ ଚାଲିଯାଇଛି, ସେତେବେଳେ ମୋର ଆଉ ବୁଝିବାକୁ ବାକି ରହିଲା ନାହିଁ ଯେ, ମିସ୍ ମଲ୍ଲିକାର ମୃତ କିମ୍ବା ଅଚେତନ ଦେହ ସାତନମ୍ବର କୋଠରୀ ମଧ୍ୟରେ ନିଶ୍ଚୟ ପଡ଼ିରହିଛି । ବରୁଣା ସଙ୍ଗେ ବିନୋଦ ଯେ ଅନ୍ତର୍ହିତ ହୋଇଛି ଏ ସମ୍ବନ୍ଧରେ ମୁଁ ସ୍ଥିର ନିଶ୍ଚୟ ହୋଇଯାଇଥିଲି ଯଦିବା ମି. ମୈତ୍ର୍ୟ ମିଷ୍ଟର ଗୋଖଲେଙ୍କର ଅନ୍ତର୍ଦ୍ଧାନ ସମ୍ପର୍କରେ ମୋ ସହିତ ଏକମତ ନ ହୋଇ ସେ ଏହି କୋଠରୀରେ ମହଜୁଦ୍‍ ଥିବା କଥା ବାରମ୍ବାର ଦୃଢ଼କଣ୍ଠରେ ବ୍ୟକ୍ତ କରୁଥିଲେ । ତେଣୁ ଏହି କୋଠରୀ ମଧ୍ୟକୁ ପଶି ଆସି ମିଷ୍ଟର ଗୋଖଲେଙ୍କର ମୃତଦେହ ପଡ଼ିରହିଥିବାର ଦେଖି ହତବାକ୍ ହୋଇଗଲି । ମିସ୍ ମଲ୍ଲିକାର ମୃତଦେହ ସନ୍ଦର୍ଶନ ମୋ ନିମିତ୍ତ ଆଦୌ ଆକସ୍ମିକ ବ୍ୟାପାର ନ ଥିଲା । କାରଣ ଚିନ୍ତାରେ ମୁଁ ଏଥି ନିମିତ୍ତ ନିଜକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରିସାରିଥିଲି ।

 

ମୋତେ ଚମକାଇ ଦେଲା, ବିବ୍ରତ କରି ଦେଲା ମି. ଗୋଖଲେଙ୍କର ଅର୍ଥାତ୍‍ ବିନୋଦର ମୃତଦେହ । ବିନୋଦ ପିନ୍ଧିଥିବା କୃତ୍ରିମ ଦାଢ଼ି ମୁଁ ତା’ ମୁହଁରୁ କାଢ଼ିନେବା ପରେ ମି. ଗୋଖଲେଙ୍କର ଆଉ କୌଣସି ସତ୍ତା ରହିଲା ନାହିଁ । ମାତ୍ର ମୁଁ ଚିନ୍ତାରାଜ୍ୟରେ ହଠାତ୍ ଯେଉଁ ଭୀଷଣ ଧକ୍କା ଖାଇଲି ମନେହେଲା ତାହା ସହ୍ୟକରିବା ମୋର ସକଳ ଶକ୍ତିର ବାହାରେ । ବିପଦର ପ୍ରଥମ ଧକ୍କା ଖାଇ ମନେହୋଇଥାଏ ହୁଏତ ଆମ୍ଭେମାନେ ଭୁଶୁଡ଼ି ପଡ଼ିବ । ମାତ୍ର କେହି କେବେ ଭୁଶୁଡ଼ି ପଡ଼ନ୍ତି ନାହିଁ । ବିପଦର ଧକ୍କା କ୍ରମଶଃ ସହ୍ୟ ହୋଇଯାଏ । ମୋର ଠିକ୍ ସେହି ଦଶା ହେଲା । କ୍ରମଶଃ ମୁଁ ନିଜକୁ ସମ୍ବରଣ କରିନେଇ ପୁନର୍ବାର ନୂତନ ଚିନ୍ତାରେ ଉଦ୍‍ଜୀବିତ ହୋଇଉଠି ବର୍ତ୍ତମାନ ପରିସ୍ଥିତିକୁ ନେଇ ବିଶ୍ଳେଷଣ ଆରମ୍ଭ କଲି ।

 

ମିସେସ୍ ଗୋଖଲେ ନିଜର ଭ୍ୟାନିଟି ବ୍ୟାଗ୍‍ ଖୋଲି ଖଣ୍ଡେ ଫଟୋ କାଢ଼ି ବାରମ୍ବାର ଦେଖୁଛନ୍ତି ଓ ମି. ଓ ମିସେସ୍ ଗୋଖଲେଙ୍କ ମଧ୍ୟରେ ସାମୟିକ ବଚସା ହେଉଛି ମିସ୍ ମଲ୍ଲିକା ପରିବେଷିତ ଏ ସମ୍ବାଦ ଶୁଣିବା ପରଠାରୁ ମୋର କାହିଁକି ମନେହୋଇଥିଲା ମିଷ୍ଟର ଓ ମିସେସ୍ ଗୋଖଲେ ଯଦି ପ୍ରକୃତ ବନୋଦ ଓ ବରୁଣା ହୋଇଥା’ନ୍ତି ତେବେ ସେମାନଙ୍କ ମଧ୍ୟରେ ନିଶ୍ଚୟ କୌଣସି କାରଣରୁ ସମ୍ପର୍କ ତିକ୍ତ ହୋଇଉଠିଛି । ଆଉ ଏ ତିକ୍ତତା ସୃଷ୍ଟି ହେବା ଅନ୍ତରାଳରେ ମୋର ଯେପରି ମନେହେଲା ମିସେସ୍ ଗୋଖଲେଙ୍କର ଭ୍ୟାନିଟି ବ୍ୟାଗସ୍ଥ ଫଟୋର ସମ୍ପର୍କ ରହିଛି । ଭ୍ୟାନିଟି ବ୍ୟାଗ ମଧ୍ୟସ୍ଥ ଶଶାଙ୍କର ଫଟୋ ଦେଖିବା ପରେ ବିନୋଦ ଓ ବରୁଣା ମଧ୍ୟରେ ମନମାଳିନ୍ୟର କାରଣ ଅନେକଟା ସ୍ପଷ୍ଟ ହୋଇଉଠିଛି । ତା’ପରେ ଏ ବାଘନଖ ସଂଯୁକ୍ତ ଛିନ୍ନ ସୁନାଚେନ୍‍ଟି ମିଳିବା ପରେ ବିନୋଦର ହତ୍ୟା ପୂର୍ବରୁ ବରୁଣାସହ ତା’ର ଯେ ଦେହ ଶକ୍ତିର ପରୀକ୍ଷା ହୋଇଯାଇଥିଲା, ଏ ସତ୍ୟ ଯେପରି ମୋ ଚିନ୍ତା ରାଜ୍ୟରେ ଆହୁରି ଉଜ୍ଜ୍ୱଳ ହୋଇଉଠିଛି । ଅର୍ଥାତ୍‍ ବିନୋଦ କ୍ରୋଧରୁ ହେଉ ଅଥବା ଅନ୍ୟକୌଣସି କାରଣରୁ ହେଉ ବରୁଣାକୁ କରାୟତ୍ତ କରିବା ଅଭିପ୍ରାୟରେ ନିଜ ଶାରୀରିକ ଶକ୍ତି ପ୍ରୟୋଗ କରିଛି, ଯେଉଁ କଠୋରତାର ପ୍ରାଥମିକ ଫଳସ୍ୱରୂପ ବରୁଣା ବେକରୁ ବାଘନଖ ଥିବା ସୁନାଚେନ୍ ବିଚ୍ଛିନ୍ନ ହୋଇଯାଇଛି । ଆଉ ଅଧିକ ଟିକିଏ ଚିନ୍ତାକଲେ ବିନୋଦର କୁତ୍ସିତ ମନୋବୃତ୍ତିର ଏକ ଅସ୍ପଷ୍ଟ ଚିତ୍ର ମିଳେ । ଏ ସମ୍ପର୍କରେ ପାର୍ବତୀର ସ୍ମରଣ କରିବାକୁ ହେବ, ସେ ଲେଖିଥିଲା କାପାଳିକ ବରୁଣାକୁ ସମସ୍ତ ବିପତ୍ତିରୁ ରକ୍ଷାକରି ପ୍ରକାରାନ୍ତରେ ତାକୁ ଅମୋଘ ଶକ୍ତିରେ ଶକ୍ତିମତୀ କରି ତୋଳିବା ନିମିତ୍ତ ବାଘନଖ ପ୍ରଦାନ କରିଥିଲେ । ବରୁଣା ସୁନାଚେନରେ ସେଇଟି ପରିଧାନ କରିଥିଲା । ଏ ସମ୍ବନ୍ଧରେ ବନୋଦ ସମସ୍ତ କିଛି ଅବଗତ ଥିଲା । ବରୁଣାର ଶକ୍ତି ହ୍ରାସକରି ତାକୁ କରାୟତ କରିବା ନିମିତ୍ତ ବିନୋଦ ପ୍ରଥମେ ବରୁଣା ବେକରୁ ଉକ୍ତ ଚେନ୍‍ଟି ଛିଣ୍ଡାଇ ନେଇ ଦୂରକୁ ନିକ୍ଷେପ କରିଛି । ତା’ର ଉଦ୍ଦେଶ୍ୟ ହେଲା ଉକ୍ତ ଚେନ୍‍ଟି ପୁନର୍ବାର କିପରି ବରୁଣାର ହସ୍ତଗତ ନ ହେଉ । ବିନୋଦର ଏହି ହିଂସ୍ରତାର ପରିଣାମ ତାକୁ ଅବିଳମ୍ବେ ଭୋଗ୍ୟ କରିବାକୁ ପଡ଼ିଛି । ଅର୍ଥାତ୍‍ ବରୁଣା ବିନୋଦକୁ ନିର୍ମମଭାବେ ହତ୍ୟା କରିଛି ।’’

 

ଅରିନ୍ଦମ ମୁହୂର୍ତ୍ତେ ମୌନ ରହି ପୁନର୍ବାର କହିଲେ, ‘‘ଅବଶ୍ୟ ଏ ସବୁ ମୋର ଅନୁମାନର କଥା, ମାତ୍ର ମୋର ଅନୁମାନ ଦୃଢ଼ ପ୍ରମାଣ ଉପରେ ପ୍ରତିଷ୍ଠିତ ହୋଇଥିବାରୁ ମୋର ଅନୁମାନ ସମ୍ପୂର୍ଣ୍ଣ ସତ୍ୟ ହେବ ବୋଲି ମୋର ବିଶ୍ୱାସ ।’’

 

‘‘ବର୍ତ୍ତମାନ କ୍ଷେତ୍ରରେ ପରବର୍ତ୍ତୀ ପଦକ୍ଷେପ କ’ଣ ନେବାକୁ ହେବ ବୋଲି ଆପଣ ଭାବୁଛନ୍ତି ?’’ ମି. ଘୋଷାଲ ବାଷ୍ପାଚ୍ଛନ୍ନ କଣ୍ଠରେ ପ୍ରଶ୍ନ କଲେ ।

 

‘‘ମୁଁ ବର୍ତ୍ତମାନ କମିଶନର ସାହେବଙ୍କୁ ଫୋନ୍ କରୁଛି । ସେ ନିଜେ ଆସନ୍ତୁ ଓ ପରିସ୍ଥିତି ବିଶ୍ଳେଷଣ କରି ଯାହା ମତ ଦେବେ ଆମ୍ଭମାନଙ୍କୁ ନିଜ ବଚାରରେ ତାହା ତଉଲ କରି ଭବିଷ୍ୟତ କର୍ମପନ୍ଥା ନିର୍ଦ୍ଧାରଣ କରିବାକୁ ହେବ ।’’ ଅରିନ୍ଦମ ନିଜ ବକ୍ତବ୍ୟ ଶେଷ କରି ପ୍ରକୋଷ୍ଠରୁ ବାହାରି ଗଲେ ।

 

ଅରିନ୍ଦମଙ୍କ ନିକଟରୁ ଗତ ରାତ୍ରିର ସମସ୍ତ ବ୍ୟାପାର ଶୁଣି ଶଶାଙ୍କ ବିସ୍ମୟରେ ସ୍ତବ୍ଧ ହୋଇଯାଇଥିଲା, ‘‘ପରିଶେଷରେ ବରୁଣା ବିନୋଦକୁ ବି ହତ୍ୟାକଲା । ସେ ଯେ ବରୁଣାର ନିର୍ମମହତ୍ୟା କର୍ମର ଜଣେ ପରମ ବିଶ୍ୱସ୍ତ ସହଯୋଗୀ ଥିଲା ।’’

 

ଅରିନ୍ଦମ ହସି କହିଲେ, ‘‘ଆଉ ସେଥିଲାଗି ସମ୍ଭବତଃ ତୁମେ ଦାୟୀ ।’’

 

‘‘ମୁଁ ଦାୟୀ ? ବରୁଣା ବିନୋଦକୁ ହତ୍ୟା କଲା, ମୋ ପ୍ରଶ୍ନ ସେଠାକୁ ଆସୁଛି କିପରି ?’’ ଶଶାଙ୍କ ବିସ୍ମୟରେ ପ୍ରଶ୍ନ କରି ଉତ୍ତର ଶୁଣିବା ନିମିତ୍ତ ଉତ୍କର୍ଣ୍ଣ ହୋଇରହିଲା ।

 

‘‘ଯେଉଁ ବରୁଣା ତୁମକୁ ଦିନେ ହତ୍ୟାକରିବା ନିମିତ୍ତ ବିନୋଦର ସାହାଯ୍ୟ ପ୍ରୟୋଜନ କରିଥିଲା, ସେଇ ବରୁଣାର ମନରେ ତୁମଲାଗି ହଠାତ୍‍ ପ୍ରଣୟର ସ୍ପର୍ଶ ଲାଗିବା ହେତୁ ପରିସ୍ଥିତି ସମ୍ପୂର୍ଣ୍ଣ ବଦଳି ଗଲା । ସେଇ ସହଯୋଗୀ ବିନୋଦ ବରୁଣାର ଶତ୍ରୁ ହୋଇ ଠିଆହେଲା । ପରିଣାମରେ ବିଚାରା ନିର୍ମମ ହତ୍ୟାର ଶିକାର ହେଲା । ଅରିନ୍ଦମ ଶାନ୍ତ କଣ୍ଠରେ ସମସ୍ତ ବ୍ୟାପାରଟାକୁ ବିଶ୍ଳେଷଣ କରି ବୁଝାଉଛନ୍ତି, ‘‘ସେ ଯା’ହେଉ ବର୍ତ୍ତମାନ ବିନୋଦର ହତ୍ୟାପରେ ମୋର ମନେହୁଏ ନାଟକର ଶେଷ ଅଙ୍କରେ ଆମ୍ଭେମାନେ ଆସି ଉପସ୍ଥିତ ହୋଇଛେ । ଏହି ଶେଷ ଅଙ୍କରେ ବରୁଣାର ଅଭିନୟରେ କି ବୈଚିତ୍ର୍ୟ ପ୍ରକାଶ ପାଇବ ତା’ କିଏ ଜାଣେ ।’’

 

‘‘ଆପଣ କ’ଣ ପ୍ରକୃତରେ ମନେକରୁଛନ୍ତି ବରୁଣାର ମନ ମୋ’ଲାଗି ଦୁର୍ବଳ ହୋଇପଡ଼ିଛି-।’’ ଶଶାଙ୍କ ଆଖିରେ ବିସ୍ମୟର ପ୍ରଶ୍ନ ।

 

‘‘ମନେହୁଏ ନୁହେଁ, ପ୍ରକୃତରେ ଭୈରବୀ ବରୁଣା ହୃଦୟରେ ମଧୁର ପ୍ରେମ ସଞ୍ଚାର ହୋଇଛି ଓ ଫଳରେ ସେ ଆମ୍ଭମାନଙ୍କର କରାୟତ୍ତ ହେବାର ସମ୍ଭାବନା ଅଧିକ ଉଜ୍ଜ୍ୱଳ ହୋଇଉଠିଛି ।’’

 

ଶଶାଙ୍କ ହଠାତ୍ କଥାର ମୋଡ଼ ବଦଳାଇ ପ୍ରଶ୍ନ କରି ବସିଲା, ‘‘ଆପଣ କ’ଣ ସତରେ ବିଶ୍ୱାସ କରୁଛନ୍ତି ଯେ କାପାଳିକ ପ୍ରଦତ୍ତ ସେଇ ବାଘନଖର କିଛି ମହାତ୍ମ୍ୟ ଅଛି ? ଅର୍ଥାତ୍‍ ବରୁଣାକୁ ଉକ୍ତ ବାଘନଖ ଶକ୍ତିମତୀ କରି ତୋଳିଛି ।’’

 

‘‘ମୁଁ ବିଶ୍ୱାସ କରୁଛି’’ ଅରିନ୍ଦମ ଶାନ୍ତକଣ୍ଠରେ କହିଲେ, ‘‘ଓ ସେଇ ବିଶ୍ୱାସ ମୋ ମନରେ ସୁଦୃଢ଼ ହୋଇଯାଇଛି ।’’

 

‘‘ତେବେ ବରୁଣା ତା’ ବେକର ସେ ଚ୍ଛିନ୍ନ ଚେନ୍‍ଟିକୁ ପୁନରୁଦ୍ଧାର କରିବାର ଚେଷ୍ଟା ନ କଲା କାହିଁକି ?’’ ଶଶାଙ୍କ କଣ୍ଠରେ କୌତୂହଳୀ ପ୍ରଶ୍ନ ।

 

‘‘ବରୁଣା ପୁନରୁଦ୍ଧାରର ଚେଷ୍ଟା ନ କରିଛି ବୋଲି ତୁମେ ଭାବୁଛ କାହିଁକି ?’’ ଅରିନ୍ଦମ ଶଶାଙ୍କକୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି, ‘‘ହୁଏତ ଚେଷ୍ଟାକରିଛି, ମାତ୍ର ଡ୍ରେସିଂ ଟେବୁଲ ଅନ୍ତରାଳରେ ଲୁକ୍‍କାୟିତଭାବେ ପଡ଼ି ରହିଥିବା ଚେନ୍‍ଟି ତରବରରେ ତା’ର ଦୃଷ୍ଟିଗୋଚର ହୋଇନାହିଁ । ବିନୋଦକୁ ହତ୍ୟା କଲାପରେ ମିସ୍ ମଲ୍ଲିକାକୁ ହତ୍ୟା କରି ତା’ର ପରିଧାନ ପିନ୍ଧି ହୋଟେଲ୍‍ରୁ ପଳାଇ ଯାଇ କିପରି ଆତ୍ମରକ୍ଷା କରିବ ସେଇ ଚିନ୍ତାରେ ବିବ୍ରତ ଥାଇ ସମ୍ଭବତଃ ସେ ବାଘନଖ ସଂଯୁକ୍ତ ସୁନାଚେନ୍‍ଟି ହରାଇବାକୁ ବାଧ୍ୟ ହୋଇଛି ।’’

 

‘‘ବର୍ତ୍ତମାନ ସେ ସମ୍ବନ୍ଧରେ ତୁମର ମୁଣ୍ଡ ଖେଳାଇବା ପ୍ରୟୋଜନ ନାହିଁ । ଭବିଷ୍ୟତର ଅଧିକ ଦାୟିତ୍ୱ ବହନ କରିବାକୁ ତୁମେ ଏବେଠାରୁ ପ୍ରସ୍ତୁତ ହୋଇଯାଅ ଏକଥା ନିଶ୍ଚିତ ଯେ ତୁମେ ଏଥର ବରୁଣାର ସମ୍ମୁଖୀନ ହେଉଛ । ଅର୍ଥାତ୍‍ ବରୁଣା କଳେ ବଳେ କୌଶଳେ ତୁମର ସମୀପବର୍ତ୍ତୀ ହେବାକୁ ଚେଷ୍ଟାକରିବ ଓ ସେ ତୁମର ସାନ୍ନିଧ୍ୟ ଲାଭ କଲାପରେ ଅଭିନୟ ତା’ର କେଉଁ ପ୍ରକାରର ହେବ ତା’ ଭଗବାନଙ୍କୁ କେବଳ ଜଣା ।’’ ଅରିନ୍ଦମ କୌତୂହଳୀ ଶଶାଙ୍କକୁ ତା’ର ଦାୟିତ୍ୱ ସମ୍ବନ୍ଧରେ ସଚେତନ କରି ଦେବାକୁ ପ୍ରୟାସୀ ହେଲେ ।

 

‘‘ଆପଣ ମୋତେ ଯେପରି ନିର୍ଦ୍ଦେଶ ଦେବେ, ମୁଁ ଠିକ୍ ସେହିପରି ଚଳିବାକୁ ଚେଷ୍ଟାକରିବି’’ ଶଶାଙ୍କ ବାଧ୍ୟ ଛାତ୍ରଭଳି ଅରିନ୍ଦମଙ୍କ ନିକଟରେ ଆତ୍ମସମର୍ପଣ କଲା । ‘‘ଆପଣଙ୍କ ନିର୍ଦ୍ଦେଶରୁ ଏତେଟିକେ ବି ଏପଟ ସେପଟ ହେବିନାହିଁ ।’’

 

‘‘ତୁମେ ତୁମର ଦାୟିତ୍ୱ ସମ୍ବନ୍ଧରେ ସଚେତନ ରହିଥିବା କଥା ତୁମ ବକ୍ତବ୍ୟରୁ ପ୍ରମାଣ ମିଳୁଛି । ମୋର ମନେହୁଏ ତୁମର ଏହି କର୍ତ୍ତବ୍ୟ ସଚେତନତା ତୁମକୁ ସମସ୍ତ ବିପତ୍ତି ଓ ଅକଲ୍ୟାଣରୁ ରକ୍ଷା କରିବ ।’’ ଅରିନ୍ଦମଙ୍କ ମୁହଁ ଉପରେ ହସ ଫୁଟି ଉଠିଛି । ସେ କ୍ଷଣିକ ନୀରବତା ଉତ୍ତାରେ ପୁନର୍ବାର କହିଲେ, ‘‘ଦିନବେଳ କଥା ମୁଁ ବିଶେଷ ଭାବୁନାହିଁ । ମାତ୍ର ରାତି ନ’ଟା ପରେ ତୁମେ ଦୋକାନ ବନ୍ଦକରି ସିଧା ଘରକୁ ଫେରି ଆସିବ । କୌଣସି କ୍ଲବ ବା ବନ୍ଧୁ ଘରେ ଅଧିକ ରାତ୍ରିଯାଏ ରହିବା ବର୍ତ୍ତମାନ ପରିସ୍ଥିତିରେ ତୁମ ଲାଗି ଆଦୌ ନିରାପଦ ନୁହେଁ ।’’

 

‘‘ମୁଁ ଆପଣଙ୍କ ଉପଦେଶ ଶିରୋଧାର୍ଯ୍ୟ କରିନେଲି, ଶଶାଙ୍କ ବିନୀତ କଣ୍ଠରେ କହିଲା, ‘‘ସୁବର୍ଣ୍ଣଗଡ଼ରେ ଆପଣଙ୍କର ପ୍ରତିଟି ଉପଦେଶ ମାନି ଚଳିଥିବା ହେତୁ ନିଶ୍ଚିତ ମୃତ୍ୟୁମୁଖରୁ ପର୍ଯ୍ୟନ୍ତ ରକ୍ଷା ପାଇଯାଇଛି । ଆପଣଙ୍କର ନିର୍ଦ୍ଦେଶ ମୋର ଭବିଷ୍ୟତ ଗତିପଥ ନିର୍ଣ୍ଣୟ କରିବ ।’’

 

ଅରିନ୍ଦମ ଲକ୍ଷ୍ୟ କରି ଦେଖିଲେ ଶଶାଙ୍କର ମୁହଁ ଉପରେ ବିନୟଭାବ ଓ ମନ ଦୃଢ଼ତାର ପ୍ରତିଚ୍ଛବି ଏକତ୍ର ପ୍ରତିବିମ୍ବିତ ହୋଇଛି । ଅରିନ୍ଦମ ମନେ ମନେ ପୁଲକିତ ହୋଇ କହିଲେ, ‘‘ଏଣିକି ପ୍ରତ୍ୟହ ରାତ୍ରିରେ ମୁଁ ତୁମ ନିକଟରେ ସତର୍କିତ ପ୍ରହରୀ ସମ ଜଗି ରହିବି ବୋଲି ସ୍ଥିର କରିଛି । ତୁମ ଘରର ଚତୁଃପାର୍ଶ୍ୱରେ କଡ଼ା ପୋଲିସ୍ ପହରାର କଠୋର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗୁପ୍ତଚରମାନେ ପ୍ରତି ମୁହୂର୍ତ୍ତରେ ତୁମ ଘରର ଚାରିପାଖେ ସତର୍କିତ ଦୃଷ୍ଟି ରଖିଛନ୍ତି । ଏତେସବୁ ପ୍ରତିରକ୍ଷା ବ୍ୟବସ୍ଥା ସତ୍ତ୍ଵେ ଯଦି ବରୁଣା ତୁମର କୌଣସି କ୍ଷତି କରିବାର ଚେଷ୍ଟାକରେ ତେବେ ସେ ତା’ର ପରିଣାମ ନିଶ୍ଚୟ ଭୋଗ କରିବ । ମୋର କିନ୍ତୁ ମନେହୁଏ ବରୁଣା ତୁମର ଅକଲ୍ୟାଣ ହେଲା ଭଳି କେବେହେଲେ କିଛି କରିବ ନାହିଁ, କିନ୍ତୁ ସେ ତୁମ ସଙ୍ଗେ ସାକ୍ଷାତ୍‍ କରିବାର ଲୋଭ କଦାପି ସମ୍ବରଣ କରିପାରିବନାହିଁ । ବର୍ତ୍ତମାନ ପରିସ୍ଥିତି ବିଶ୍ଳେଷଣ କରି ମୁଁ ଅବଶ୍ୟ ବରୁଣା ସମ୍ବନ୍ଧରେ ଏପରି ଅନୁକୂଳ ମତାମତ ପ୍ରକାଶ କରୁଛି । କିଏ ଜାଣେ ତା’ ମନରେ ପ୍ରକୃତରେ କ’ଣ ଅଛି ?’’

 

ଅରିନ୍ଦମ କ୍ଷଣିକ ନୀରବତାରେ ପୁନଶ୍ଚ କହିଲେ, ‘‘ବାବାଙ୍କ ସଙ୍ଗେ ତୁମ ସମ୍ପର୍କରେ ମୁଁ ସମସ୍ତ ଆଲୋଚନା ଶେଷ କରି ନେଇଛି । ମୋର ବର୍ତ୍ତମାନ ପଦକ୍ଷେପ ଗ୍ରହଣ ସମ୍ପର୍କରେ ସେ ସମ୍ପୂର୍ଣ୍ଣ ଏକମତ ହୋଇଛନ୍ତି । ବିଶେଷତଃ ପ୍ରତ୍ୟହ ରାତ୍ରିରେ ମୁଁ ତୁମକୁ ଜଗି ରହିବାର ସୁଚିନ୍ତିତ ପ୍ରସ୍ତାବ ପ୍ରତି ସେ ହାର୍ଦ୍ଦିକ ଅନୁମୋଦନ ଜ୍ଞାପନ କରିଛନ୍ତି ।’’

 

ଶଶାଙ୍କ ଅରିନ୍ଦମଙ୍କ ବକ୍ତବ୍ୟ ଶେଷ ହେବା ସଙ୍ଗେ ସଙ୍ଗେ ଉଚ୍ଛ୍ୱସିତ କଣ୍ଠରେ କହି ଉଠିଲା, ‘‘ଆପଣଙ୍କର ଚକ୍ରର ଆଢ଼ୁଆଳରେ ରହିଲେ ମୋର ଆଉ ଭୟ କ’ଣ ? ମୁଁ ମୋର ଜୀବନ ସମ୍ବନ୍ଧରେ ସମ୍ପୂର୍ଣ୍ଣ ନିଶ୍ଚିନ୍ତ ହୋଇପାରିବି ।’’

 

‘‘ମାତ୍ର ମୁଁ ତ ସବୁବେଳେ ତୁମ ପାଖେ ପାଖେ ରହୁନାହିଁ । ସେ ସମୟତକର ଦାୟିତ୍ଵ ତୁମକୁ ବହନ କରିବାକୁହିଁ ହେବ । ଗୋଟାଏ କଥା, ସବୁବେଳେ ନିଜ ପାଖରେ ରିଭଲ୍‍ଭର୍‍ ରଖିବାକୁ ଯେପରି ଭୁଲିନଯାଅ । କାରଣ କେଉଁ ମୁହୂର୍ତ୍ତରେ ତୁମେ ଶତ୍ରୁର କେଉଁ ପ୍ରକାର ଆକ୍ରମଣର ସମ୍ମୁଖୀନ ହେବ କିଏ ଜାଣେ ? ମୋର ତ ଯେତେଦୂର ମନେହୁଏ ବରୁଣା ଠିକ୍‍ ଆକ୍ରମଣ ମାଧ୍ୟମରେ ନୁହେଁ, ଛଳନା ମାଧ୍ୟମରେ ତୁମକୁ କରାୟତ୍ତ କରିବାକୁ ଚେଷ୍ଟାକରିବ, ତେଣୁ ଖୁବ୍‍ ହୁସିଆର । ପ୍ରତି ମୁହୂର୍ତ୍ତରେ ସତର୍କିତଭାବେ ଚଳିବାକୁ ଚେଷ୍ଟାକରିବ, ଯେପରି ଆତତାୟିନୀଦ୍ୱାରା ତୁମେ କଦାପି ପ୍ରତାରିତ ନ ହୁଅ ।’’

 

ଉପଦେଶ ପ୍ରଦାନ କରି ଅରିନ୍ଦମ ବିଦାୟ ନେବାପରେ ଶଶାଙ୍କ ମନତଳେ ସେଇ ଗୋଟାଏ ସଂଶୟାଚ୍ଛନ୍ନ ପ୍ରଶ୍ନ ପୁନର୍ବାର ଜାଗ୍ରତ ହୋଇଉଠିଲା, ‘‘ବରୁଣା କ’ଣ ମୋତେ ପ୍ରକୃତରେ ଭଲ ପାଇବାକୁ ଆରମ୍ଭ କରିଛି ? ଦିନେ ଯେ ମୋତେ ହତ୍ୟା କରିବାଲାଗି ଉନ୍ମୁଖ ହୋଇଉଠିଥିଲା, ସତରେ ତା’ର କଠୋର ହୃଦୟ ମୋ’ଲାଗି ପ୍ରେମ ପ୍ରବଣ ହୋଇଉଠିଛି ?

 

ଗୋଟାଏ ସପ୍ତାହ ପର ଘଟଣା ।

 

ନରେଶବାବୁ ସେ ଦିନ କଲିକତା ବାହାରକୁ ଚାଲି ଯାଇଥିବାରୁ ଶଶାଙ୍କ ଶୀଘ୍ର ଦୋକାନ ବନ୍ଦକରି ଘରକୁ ପ୍ରତ୍ୟାବର୍ତ୍ତନ କରୁଥିଲା ।

 

ସେତେବେଳକୁ ରାତି ଆଠଟା ।

 

ପ୍ରତ୍ୟହ ରାତି ନ’ଟା ପୂର୍ବରୁ ଘରେ ଆସି ପହଞ୍ଚିଯିବାର କଠୋର ନିର୍ଦ୍ଦେଶ ଥିଲା ଅରିନ୍ଦମଙ୍କର । କାରଣ ରାତି ନ’ଟା ପରେ ଅରିନ୍ଦମଙ୍କ ଦାୟିତ୍ଵର କଠୋର ବେଷ୍ଟନୀ ମଧ୍ୟରେ ବନ୍ଦୀ ରହିବାକୁ ହେଉଥିଲା ତାକୁ ।

 

ଆଜି ନିର୍ଦ୍ଦିଷ୍ଟ ସମୟର ଯଥେଷ୍ଟ ପୂର୍ବରୁ ଫେରୁଥିବାରୁ ନିରୁଦବେଗ ଚିତ୍ତରେ ସେ ମଟର ଚାଳନା କରୁଥିଲା ।

 

ଚଳମାନ ମଟର ଭିତରେ କୌଣସି ଏକ ଫିଲ୍ମ ଗୀତ ସେ ଗୁଣୁ ଗୁଣୁ ହୋଇ ଗାଉଥିଲା-। ମନ ତା’ର ସମ୍ଭବତଃ ଖୁବ୍‍ ଉଲ୍ଲସିତ ଥିଲା ଓ ତା’ର ସେ ଉଲ୍ଲାସର କାରଣ ତା’ ବ୍ୟତୀତ ଅନ୍ୟକାହାରି ଜାଣିବାର ଉପାୟ ନ ଥିଲା । ତା’ର କେତେକ ବିଳାସ ଅଥଚ ପ୍ରୟୋଜନୀୟ ଦ୍ରବ୍ୟ କିଣିବା ଅତ୍ୟନ୍ତ ଆବଶ୍ୟକ ଥିଲା-। ସେ ତେଣୁ ଚୌରଙ୍ଗୀସ୍ଥ ବାବୁଲାଲ ଏଣ୍ଡ କୋ. ବିରାଟ ମନୋହରୀ ଦୋକାନ ସାମ୍‍ନାରେ କାର୍‍ରୁ ଅବତରଣ କରି ଦୋକାନ ମଧ୍ୟରେ ପ୍ରବେଶ କଲା ଓ ପ୍ରାୟ କୋଡ଼ିଏ ମିନିଟ୍‍ ପରେ ଆବଶ୍ୟକୀୟ ପଦାର୍ଥ କ୍ରୟ କରି କାର୍ ମଧ୍ୟକୁ ଫେରି ଆସି ଗାଡ଼ିରେ ଷ୍ଟାଟ୍‍ ଦେବାକୁ ଯାଇ ଆତଙ୍କରେ ଚମକି ଉଠିଲା ।

 

ଡ୍ରାଇଭିଂ ମିରରରେ ଏ ପ୍ରତିବିମ୍ବ କାହାର ? ଅଥଚ ବର୍ତ୍ତମାନ କାର୍‍ ମଧ୍ୟରେ ପ୍ରବେଶ କରିବା ସମୟରେ ପଛ ସିଟରେ କାହାରି ଉପସ୍ଥିତି ତ ସେ ଆଦୌ ଲକ୍ଷ୍ୟ କରିନଥିଲା ।

 

ମାତ୍ର ସେ ଆତ୍ମରକ୍ଷା ଲାଗି ଚିତ୍କାର କରି ଉଠିବା ପୂର୍ବରୁ ତା’ର ପୃଷ୍ଠରେ ରିଭଲ୍‍ଭର୍‍ ନଳୀର ସ୍ପର୍ଶ ଅନୁଭବ କରିଥିଲା, ‘‘ମୁଁ ବରୁଣା ଶଶାଙ୍କବାବୁ, ସାମ୍‍ନା ଦର୍ପଣରେ ମୋ ପ୍ରତିବିମ୍ବ ଦେଖି ହତଭମ୍ବ ହୋଇଯାଇଛନ୍ତି, ନୁହେଁ ? ମାତ୍ର ଖବରଦାର୍‍ ଚିତ୍କାର କରିବାର ଏତେଟିକେ ବି ପ୍ରୟାସ କରନ୍ତୁ ନାହିଁ । ବହୁଦିନ ଚେଷ୍ଟାପରେ ମୁଁ ଆପଣଙ୍କୁ ଆଜି ପାଇପାରିଛି ।’’

 

ଶଶାଙ୍କକୁ ତଥାପି ବିଚଳିତ ଓ ବିବ୍ରତ ରହିଥିବାର ଲକ୍ଷ୍ୟକରି ବରୁଣା କହିଲା, ‘‘ମୁଁ ଆପଣଙ୍କର କୌଣସି କ୍ଷତି କରିବାର ମନୋବୃତ୍ତି ନେଇ ଆପଣଙ୍କ ସାନ୍ନିଧ୍ୟଲାଭର ଚେଷ୍ଟା କରିନାହିଁ-। ମାତ୍ର ଆପଣ ଯଦି ମୋର କ୍ଷତି କରିବାର ଏତେଟିକେ ପ୍ରୟାସ କରନ୍ତି ତେବେ ବାଧ୍ୟ ହୋଇ ଆତ୍ମରକ୍ଷା ନିମିତ୍ତ ଭୟଙ୍କର କିଛି ଗୋଟାଏ କରି ବସିବା ମୋ ପକ୍ଷେ ବିଚିତ୍ର ନୁହେଁ । ଅଥଚ ସେପରି କିଛି କରିବାର ମନୋବୃତ୍ତି ନେଇ, ସତ କହୁଛି ଏ କାର୍‍ ମଧ୍ୟରେ ମୁଁ କିନ୍ତୁ ପ୍ରବେଶ କରିନାହିଁ । ଆପଣ ସାମ୍‍ନା ସିଟରେ ବସି ଭୟ ଓ ଆତଙ୍କର ଯଦି ଅଭିନୟ ଆରମ୍ଭ କରନ୍ତି ତେବେ କୌତୂହଳୀ ପଥଚାରୀମାନଙ୍କର ଦୃଷ୍ଟି ଆକର୍ଷିତ ହେବା ଖୁବ୍‍ ସ୍ୱାଭାବିକ ଓ ତା’ର ପରିଣତି ମୋ ନିମିତ୍ତ କେତେଦୂର ବିପଦଜନକ ତା’ ଆପଣ କ’ଣ ଉପଲବ୍ଧି କରିପାରୁନାହାନ୍ତି ? ତେଣୁ ମୋର ଅନୁରୋଧ ଆପଣ ପ୍ରଥମେ ସ୍ୱାଭାବିକ ହୁଅନ୍ତୁ, ମୁଁ କଥା ଦେଉଛି ମୁଁ କଦାପି ଆପଣଙ୍କର କୌଣସି କ୍ଷତି ସାଧନ କରିବି ନାହିଁ ।’’

 

ବରୁଣା ନିକଟରୁ ନିର୍ଭୟ ବାଣୀ ଶୁଣିବା ସତ୍ତ୍ଵେ ଶଶାଙ୍କର ମନ ଅନିଶ୍ଚିତ ଆତଙ୍କରୁ କିନ୍ତୁ ମୁକ୍ତି ପାଇପାରିନଥିଲା ଓ ସେ ନିଜ ମନର ପ୍ରତିକ୍ରିୟା ପ୍ରକାଶ କରିବାକୁ ଚେଷ୍ଟା କରି ମଧ୍ୟ ନିର୍ବାକ ରହି ଯାଇଥିଲା ।

 

‘‘ଆପଣ ଆଉ ମୁହୂର୍ତ୍ତେମାତ୍ର ବିଳମ୍ବ ନ କରି କାରରେ ଷ୍ଟାର୍ଟ ଦିଅନ୍ତୁ । ବି କୁଇକ୍ । ଅଧିକ ବିଳମ୍ବ ଅର୍ଥ ମୋ ବିପତ୍ତି ସମୃଦ୍ଧିର ବେଶୀ ସମ୍ଭାବନା ।’’ ବରୁଣାର ରିଭଲ୍‍ଭର୍‍ ନଳୀ ଶଶାଙ୍କ ପୃଷ୍ଠରେ ଅଧିକ ଜୋରରେ ଚାପି ଧରିଛି ।

 

ପ୍ରାଣ ଆତଙ୍କରେ ଶଶାଙ୍କ ମଟରରେ ଷ୍ଟାର୍ଟ ଦେଇଦେଲା । ‘‘ହୁଏତ ଆପଣ ମନେ ମନେ ଭାବୁଛନ୍ତି ଏହି ଚଳମାନ କାର୍‍ର ଗନ୍ତବ୍ୟ ସ୍ଥାନ ଠିକ୍‍ କେଉଁଠାକୁ । ବ୍ୟସ୍ତ ହୁଅନ୍ତୁ ନାହିଁ ମୁଁ ତାହା ସ୍ଥିର କରିଦେଉଛି ।’’ ବରୁଣା କଣ୍ଠରେ କୌତୁକ ଯେପରି ଭରି ରହିଛି, ‘‘ଆପଣଙ୍କ ପ୍ରାସାଦ ସାମ୍‍ନାରେ ଆମେ ଦୁହେଁ ଅବତରଣ କରିବା । ତା’ପରେ ଉଭୟଙ୍କର ସମ୍ମିଳିତ ଗତି ଅନ୍ଦର ମହଲ୍‍କୁ । ଅର୍ଥାତ୍‍ ମୁଁ ଆପଣଙ୍କ ଗୃହମଧ୍ୟକୁ ପ୍ରବେଶ କରିବି । କ’ଣ, ବୁଝିପାରୁଛନ୍ତି ?’’

 

ଶଶାଙ୍କ ହାତ ଷ୍ଟିୟରିଂ ଉପରେ ଥରି ଉଠିବାର ଲକ୍ଷ୍ୟକରି ବରୁଣା ଅସ୍ପଷ୍ଟ ଚିତ୍କାର କରି କହି ଉଠିଲା, ‘‘ଆରେ, ଆରେ,ଏ୍ୟାକ୍‍ସିଡେଣ୍ଟ କରି ମାରିବେ ନା କ’ଣ । ମୁଁ ଦେଖୁଛି ମୋର କଥାଶୁଣି ଏକଦମ୍‍ ଛାନିଆ ହୋଇଗଲେଣି । ସତ କହୁଛି, ଏ ଭୀରୁ ମନୋଭାବ ଆପଣଙ୍କ ନିକଟରୁ ମୁଁ ଆଦୌ ପ୍ରତ୍ୟାଶା କରୁନଥିଲି । ସୁବର୍ଣ୍ଣଗଡ଼ର ରାଜକୁମାରୀକୁ ଘୋଡ଼ାଦୌଡ଼ ପ୍ରତିଯୋଗିତାରେ ଯେ ପରାଜିତ କରିଦେଇପାରିଲା ସେ କେବେ ପ୍ରାଣହାନୀ ଭୟରେ ଏତେଦୂର ଆତଙ୍କିତ ହୋଇପାରେ ।’’ ବରୁଣା କଣ୍ଠରେ ଶ୍ଳେଷର ସ୍ପର୍ଶ ।

 

‘‘ନିର୍ଭୟ ହୋଇ ମଟର ଚଲାନ୍ତୁ । ଆପଣଙ୍କୁ ମୋର ମନକଥା କିଛି ନ କହିବା ପୂର୍ବରୁ କାର୍‍ ଦୁର୍ଘଟଣାରେ ମୁଁ ଅପମୃତ୍ୟୁ ବରଣ କରିବାକୁ କଦାପି ଇଚ୍ଛା କରେ ନାହିଁ । ତେଣୁ ମୋତେ ଅନ୍ତତଃ ଅଯଥା ମୃତ୍ୟୁମୁଖରୁ ରକ୍ଷା କରିବା ନିମିତ୍ତ ଆପଣ ଷ୍ଟିୟରିଂ ଉପରେ ହାତ ଦୃଢ଼ ରଖନ୍ତୁ’’ ବରୁଣା କଣ୍ଠର ନିର୍ଦ୍ଦେଶରେ କିଛିଟା ସ୍ନିଗ୍‍ଧତାର ସ୍ପର୍ଶଥିବା ଭଳି ମନେହେଉଥିଲା ।

 

ଚଳମାନ କାର୍‍ ମଧ୍ୟରେ ପୁନର୍ବାର ନୀରବତାର ରାଜତ୍ଵ । ବରୁଣା ହଠାତ୍‍ ଚୁପ୍‍ କରିଯାଇଛି । ମନେହେଲା ସେ ଯେପରି ନିଜର ଅସଲ ବକ୍ତବ୍ୟ ଆରମ୍ଭ କଲା ପୂର୍ବରୁ ନରେଶବାବୁଙ୍କ ଘରେ ପହଞ୍ଚିବା ଭିତରେ ତା’ର ଦୀର୍ଘ ଭୂମିକା ଶେଷ କରିନେବାକୁ ଚାହେଁ ।

 

‘‘ମୁଁ ତ ଅବିଶ୍ରାନ୍ତ ବକ୍ତା ଓ ଆପଣ କେବଳ ଚୁପ୍‍ ରହି ମୋ ବକ୍ତବ୍ୟ ଶୁଣି ଯାଉଛନ୍ତି । ଆପଣଙ୍କର କ’ଣ ମୋତେ କିଛି କହିବାର ନାହିଁ ?’’ ବରୁଣା କଣ୍ଠରେ କୌତୂହଳ ପ୍ରଶ୍ନ ।

 

ଶଶାଙ୍କ ତଥାପି ନିଶ୍ଚୁପ ।

 

‘‘ଆଚ୍ଛା ଆପଣ ବର୍ତ୍ତମାନ କିଛି ନ କହି ନୀରବ ରୁହନ୍ତୁ ଓ ମୋ ସଙ୍ଗେ ଅଦୂର ଭବିଷ୍ୟତରେ ବହୁ ବାକ୍ୟାଳାପରେ ବ୍ୟାପୃତ ରହିବା ନିମିତ୍ତ ଶକ୍ତି ସଞ୍ଚୟ କରନ୍ତୁ । ମୁଁ ମୋର ଯାହାକିଛି ଛୋଟ ଛୋଟ କଥା କହିବାର ଅଛି ଇତି ମଧ୍ୟରେ ଶେଷ କରିନିଏ ।’’ ବରୁଣା କଣ୍ଠରେ ପୁଲକର ସ୍ପର୍ଶ, ‘‘ଆପଣଙ୍କୁ ପାଇବାର ଏଇ କେତେଦିନର ପ୍ରଚେଷ୍ଟା ଆଜି ସତରେ ସଫଳ ହୋଇଛି-। ମୁଁ ଆପଣଙ୍କ ଦୋକାନ ନିକଟରେ ଆତ୍ମଗୋପନ କରିଥିଲି । ଆପଣ ମଟରରେ ଷ୍ଟାର୍ଟ ଦେବା ସଙ୍ଗେ ସଙ୍ଗେ ମୁଁ ଖଣ୍ଡିଏ ଟ୍ୟାକ୍‍ସିରେ ଆପଣଙ୍କୁ ଅନୁସରଣ କଲି । ବାବୁଲାଲ ଏଣ୍ଡ କୋ. ଦୋକାନରେ ଆପଣଙ୍କର ପ୍ରବେଶ କରିବାର ସୁଯୋଗଟା ମୁଁ ହରାଇଥା’ନ୍ତି କାହିଁକି ? ଆପଣ ଦୋକାନରେ ଦ୍ରବ୍ୟ କିଣିବା ନିମିତ୍ତ ବ୍ୟସ୍ତ ଥିବା ସମୟରେ ମୁଁ ଅତି କୌଶଳରେ ସତର୍କତାର ସହ ଆପଣଙ୍କ ମଟର ମଧ୍ୟରେ ପ୍ରବେଶ କରି ପଛ ସିଟ୍‍ ତଳକୁ ଲୁଚି ବସି ରହିଲି । ଆପଣ ମଟରରେ ଷ୍ଟାର୍ଟ ଦେବାକୁ ଉଦ୍ୟତ ହେବା ସଙ୍ଗେ ସଙ୍ଗେ ମୁଁ ଅନ୍ତରାଳରୁ ପଛ ସିଟ୍‍ ଉପରକୁ ଚାଲି ଆସିବାରୁ ଡ୍ରାଇଭିଂ ମିରରରେ ମୋର ପ୍ରତିବିମ୍ବ ହଠାତ୍ ଆପଣ ଦେଖିବାକୁ ପାଇ ଆତଙ୍କିତ ହୋଇଉଠିଲେ-।’’

 

ଶଶାଙ୍କ ବରୁଣା କଣ୍ଠର ବିଦ୍ରୂପରେ ସାମାନ୍ୟ ଉତ୍ତେଜିତ ହୋଇ ଉଠିଥିଲା ଓ ତା’ ମନର ଭୟ ଅନେକ ପରିମାଣରେ ହ୍ରାସ ପାଇଯିବା ହେତୁ ସେ ଅନ୍ତର ତଳେ ଯଥେଷ୍ଟ ଦୃଢ଼ତା ଓ ଶକ୍ତିର ପ୍ରକାଶ ଅନୁଭବ କରିପାରିଥିଲା । ସେଇ ଶକ୍ତିକୁ ସମ୍ବଳ କରି ଏତେବେଳ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ନୀରବ ରହିଥିବା ଶଶାଙ୍କ ହଠାତ୍‍ କଠୋର କଣ୍ଠରେ କହିଉଠିଲେ, ‘‘ମୋତେ ଅଯଥା ଭୀରୁ କହି ତୁମେ ଭାଷାର ଅପଳାପ କରୁଛି । ମୋତେ ତୁମେ ବର୍ତ୍ତମାନ ଯେପରି ଅତର୍କିତଭାବେ ଆକ୍ରମଣ କରିଛ ସେଥିରେ ଯେ କୌଣସି ବ୍ୟକ୍ତି ପକ୍ଷରେ ଆତଙ୍କିତ ହୋଇ ଉଠିବା ଖୁବ୍‍ ସ୍ୱାଭାବିକ । ତୁମେ କ’ଣ ଭାବୁଛ ମଣିଷ ଯେତେ ବେଶୀ ଶକ୍ତିର ଅଧିକାରୀ ହୋଇଥାଉ ନା କାହିଁକି ସ୍ୱାଭାବିକ ଦୁର୍ବଳତାରୁ କେବେ ସେ ମୁକ୍ତି ପାଇପାରିବ ? ପ୍ରଥମ ମୁହୂର୍ତ୍ତରେ ସ୍ୱାଭାବିକ ଭୟ ଓ ଆତଙ୍କ ତା’ ମନକୁ ଅବଶ୍ୟ ଦୁର୍ବଳ କରିଦେଇଥାଏ, ମାତ୍ର ପରମୁହୂର୍ତ୍ତରେ ପରିସ୍ଥିତିର ପୀଡ଼ନରେ ଉକ୍ତ ଆତଙ୍କ ତା’ ମନରୁ ଅନ୍ତର୍ହିତ ହୋଇଯିବା ସଙ୍ଗେ ସଙ୍ଗେ ପ୍ରତିଦ୍ୱନ୍ଦ୍ୱୀର ମୁକାବିଲା କରିବା ନିମିତ୍ତ ଦ୍ୱିଗୁଣ ସାହସ ଓ ଶକ୍ତି ନେଇ ସେ ଉଦ୍ଦୀପ୍ତ ହୋଇ ଉଠିଥାଏ ।’’

 

‘‘ଏହି ପୌରୁଷହିଁ ମୁଁ ଆପଣଙ୍କ ନିକଟରୁ ପ୍ରୟୋଜନ କରୁଛି ।’’ ବରୁଣା ଶଶାଙ୍କ ପୃଷ୍ଠରୁ ରିଭଲ୍‍ଭର୍‍ ନଳୀ ପୃଥକ୍‍ କରିଦେଇ ପଛ ସିଟରେ ଆରାମରେ ଆଉଜି ବସି କହି ଉଠିଲା, ‘‘ନାରୀ ପୁରୁଷର ପ୍ରେମ ପ୍ରୟୋଜନ କରେ, ମାତ୍ର ସେ ପ୍ରେମ ପୌରୁଷର ଦୀପ୍ତିରେ ଉଜ୍ଜ୍ୱଳ ହୋଇଥିବା ଆବଶ୍ୟକ । ଏ ପର୍ଯ୍ୟନ୍ତ ଆପଣ ଭୀରୁସମ ନିଶ୍ଚୁପ ହୋଇ ବସିବାଟା ମୋ ପକ୍ଷେ ଭୀଷଣ ଅସହ୍ୟ ମନେହେଉଥିଲା । ଆପଣ କଥା କହିବାକୁ ଯେତେବେଳେ ଥରେ ଆରମ୍ଭ କଲେଣି ସେତେବେଳେ ମୋର କ୍ଳାନ୍ତି ବା ଅବସାଦର ପ୍ରଶ୍ନ କାହିଁ ?’’

 

‘‘ମୁଁ ଜାଣିପାରେ କି ତୁମର ବର୍ତ୍ତମାନର ଏ ଅଭିନୟର ଅନ୍ତରାଳରେ କି ମତଲବ ପ୍ରଚ୍ଛନ୍ନ ରହିଛି ।’’ ଶଶାଙ୍କ କଣ୍ଠସ୍ୱର ବେଶ୍‍ କଠୋର ମନେହେଉଛି ।

 

‘‘ମତଲବ ଆପଣଙ୍କୁ ଏକାନ୍ତଭାବେ ମୁହୂର୍ତ୍ତ କେତେକ ପାଇପାରିବାର ଅଦମ୍ୟ ଇଚ୍ଛା ।’’ ବରୁଣା କଣ୍ଠସ୍ୱର ଅତ୍ୟନ୍ତ ମଧୁର ଶୁଣାଯାଉଛି ।

 

‘‘ମୋତେ ପାଇବାର ଏପରି ଏକ ବିଚିତ୍ର ଇଚ୍ଛା ହଠାତ୍‍ ତୁମ ମନ ତଳେ ଜାଗ୍ରତ କିପରି-? ଏ ଇଚ୍ଛା ଅନ୍ତରାଳରେ ମୋର କ୍ଷତି ସାଧନ କରିବାର କୌଣସି ମତଲବ ନାହିଁ ତ ?’’ ଶଶାଙ୍କ ନିଃସଂଶୟ ହେବା ନିମିତ୍ତ ପୁନର୍ବାର ପ୍ରଶ୍ନ କଲା ।

 

‘‘ପୂର୍ବରୁ ତ କହିଛି ସେପରି ଘୃଣ୍ୟ ମତଲବ ମୋର ଆଦୌ ନାହିଁ । ଆପଣ କ’ଣ ମୋ କଥା ଉପରେ ଆସ୍ଥା ସ୍ଥାପନ କରିପାରୁନାହାନ୍ତି ?’’ ବରୁଣା କଣ୍ଠସ୍ୱରରେ ଏକ ପ୍ରଚ୍ଛନ୍ନ ଅଭିମାନର କ୍ଷୀଣ ସ୍ପର୍ଶ ।

 

‘‘ସେଇ ଆସ୍ଥା ନେଇ ତ ସୁବର୍ଣ୍ଣଗଡ଼କୁ ଦୌଡ଼ି ଯାଇଥିଲି ଘୋଡ଼ାଦୌଡ଼ ପ୍ରତିଯୋଗିତାରେ ବିଜୟ ଲାଭକରି ତୁମକୁ ଆପଣାର କରି ନେଇ ଆସିବାକୁ । ମାତ୍ର ମୋର ସେ ଆସ୍ଥାପ୍ରତି ତୁମେ ସମ୍ମାନ ପ୍ରଦର୍ଶନ କରିଥିଲ କି ? ପରନ୍ତୁ ମୋତେ ହତ୍ୟାକରି ଏ ପୃଥିବୀରୁ ନିଶ୍ଚିହ୍ନ କରିଦେବା ନିମିତ୍ତ ଭୟଙ୍କର ରକ୍ତମୁଖାହିଁ ହୋଇଉଠିଥିଲ ।’’

 

‘‘ସେ ବରୁଣାର ମୃତ୍ୟୁ ଘଟିଛି’’ ବରୁଣା ବାଷ୍ପାଚ୍ଛନ୍ନ କଣ୍ଠରେ କହିଲା, ‘‘ବର୍ତ୍ତମାନ ଯେଉଁ ବରୁଣାକୁ ଆପଣ ଉପସ୍ଥିତ ଦେଖୁଛନ୍ତି ତା’ କଥା ଉପରେ ଆପଣ ମୋତେ ଆପଣାର କରି ଆଣିବାକୁ ସୁବର୍ଣ୍ଣଗଡ଼ ଦୌଡ଼ି ଯାଇଥିଲେ ମାତ୍ର ଫେରି ଆସିଥିଲେ ଭଗ୍ନ ହୃଦୟ ହୋଇ; କାରଣ ମୁଁ ଧରା ନୂ ଦେଇ ଚଲାବାଦଲ ପରି ଭାସିଯାଇ ହଠାତ୍ ଅନ୍ତର୍ହିତ ହୋଇଯାଇଥିଲି । ମାତ୍ର ଆଜି ମୁଁ ନିଜେ ଆପଣଙ୍କ ଦରଜା ନିକଟକୁ ଛୁଟି ଆସିଛି । ମୋତେ ଗ୍ରହଣ କରିପାରିବେ ?’’

 

ବରୁଣା ଉହୁଙ୍କି ଆସିଛି ଭୀଷଣ ଉତ୍ତେଜନାରେ ସାମ୍‍ନା ସିଟ୍‍ ପାଖକୁ । ସାମ୍‍ନା ଦର୍ପଣରେ ଶଶାଙ୍କ ବରୁଣାର ପ୍ରତିଟି ଅଭିନୟ ଲକ୍ଷ୍ୟ କରୁଛି । ଲକ୍ଷ୍ୟ କରୁଛି ତା’ ମନର ବିଭିନ୍ନ ପ୍ରତିକ୍ରିୟାର ବିଚିତ୍ର ପ୍ରତିଫଳନ ସ୍ନିଗ୍‍ଧ ତା’ର ମୁହଁ ଉପରେ ଓ ତା’ର ଦୁଇନେତ୍ର ଦର୍ପଣ ଅନ୍ତରାଳରେ ।

 

‘‘ସେ ଗ୍ରହଣ କରିବାର ଅର୍ଥ ?’’ ଶଶାଙ୍କ କଣ୍ଠରେ ପ୍ରଚ୍ଛନ୍ନ ବିଦ୍ରୂପର ସ୍ପର୍ଶ । ବରୁଣାର ଆତ୍ମସମର୍ପଣ ମନୋବୃତ୍ତି ଲକ୍ଷ୍ୟକରି ଶଶାଙ୍କର ସାହାସ ଯଥେଷ୍ଟ ବଢ଼ିଯାଇଛି ।

 

‘‘ସେ ଗ୍ରହଣ କରିବ ଅର୍ଥର ଠିକ୍‍ ବିଶ୍ଳେଷଣ ଆପଣ ମୋ ନିକଟରୁ ପ୍ରୟୋଜନ କରୁଛନ୍ତି ?’’ ବରୁଣା କଣ୍ଠରେ ବିସ୍ମିତ ପ୍ରଶ୍ନ ।’’ ଠିକ୍‍ ଅଛି ସେ ବିଶ୍ଳେଷଣ ମୁଁ ନିଶ୍ଚୟ ଦେବି ମାତ୍ର ଏଠାରେ ନୁହେଁ । ଆରେ ଗାଡ଼ି ରୋକନ୍ତୁ । ଆପଣଙ୍କ ଘରପାଖେ ଯେ ଆମେ ଆସି ପହଞ୍ଚି ଯାଇଛେ । ଦେଖୁଛି ଆପଣ ଭୟଙ୍କର ଅନ୍ୟମନସ୍କ ହୋଇପଡ଼ିଛନ୍ତି ।’’

 

ଶଶାଙ୍କ ସତରେ ଭୀଷଣ ଅନ୍ୟମନସ୍କ ହୋଇପଡ଼ିଥିଲା । ବରୁଣା ନିର୍ଦ୍ଦେଶରେ ସେ ଚଳମାନ ଗାଡ଼ିର ଗତି ବନ୍ଦକରି ଦେଇ ବାହାରକୁ ଅନାଇ ଦେଇ ଦେଖିଲା, ପ୍ରକୃତରେ ନିର୍ଦ୍ଦିଷ୍ଟ ସ୍ଥାନରେ ସେମାନେ ଆସି ପହଞ୍ଚି ଯାଇଛନ୍ତି ।

 

ଶଶାଙ୍କ କିନ୍ତୁ ମନେ ମନେ ପ୍ରମାଦ ଗଣିଲା । ବରୁଣାକୁ ନେଇ ଘର ଭିତରେ ପ୍ରବେଶ କରିବ କିପରି ? ସେ ତ ବହୁତ ଭଲ ଭଲକଥା କହୁଛି । କୌଣସି ବିପଦ ସୃଷ୍ଟି ନ କରିବାର ପ୍ରତିଶ୍ରୁତି ଦେଉଛି । ମାତ୍ର ଶେଷ ପର୍ଯ୍ୟନ୍ତ ସେ କୌଣସି ଦୁର୍ଘଟଣା ନ ଘଟାଇଲେ ହେଲା । ବରୁଣା ତା’ ସହିତ ଘର ମଧ୍ୟକୁ ଯିବାକୁ ଇଚ୍ଛା କରୁଛି କାହିଁକି ? ତା’ର ପ୍ରଚ୍ଛନ୍ନ ଉଦ୍ଦେଶ୍ୟ କ’ଣ ହୋଇପାରେ-?

 

ଗାଡ଼ିର ଗତି ବନ୍ଦ ହେଲା ସତ, ମାତ୍ର ଶଶାଙ୍କର ମଟରରୁ ଓହ୍ଲାଇବାର କୌଣସି ଲକ୍ଷଣ ନ ଦେଖି ବରୁଣା ଅଳ୍ପ ରୁଷ୍ଟ ହୋଇଉଠିଲା, ‘‘ଚୁପ୍‍ଚାପ୍‍ ବସି ରହିଲେ ଯେ, ମୋର ଅନୁରୋଧ କ’ଣ ବିସ୍ତ୍ମୃତ ହୋଇଯାଇଛନ୍ତି ।’’

 

‘‘ତୁମେ ଘର ଭିତରକୁ ଯିବାଲାଗି କାହିଁକି ଇଚ୍ଛା କରୁଛ ଶୁଣେ ? ପୂର୍ବରୁ ତା’ ଜଣାଇବାରେ କୌଣସି ଅସୁବିଧା ଅଛି କି ?’’ ଶଶାଙ୍କ ବିରକ୍ତ କଣ୍ଠରେ ପ୍ରଶ୍ନ କଲା ।

 

‘‘ମୋର ଆପଣଙ୍କୁ କେତେକ ଗୋପନୀୟ କଥା କହିବାର ଅଛି । ସେ ସବୁ ଏକାନ୍ତରେ ହିଁ ମୁଁ ଆପଣଙ୍କୁ ଜଣାଇବି । ତା’ପରେ ଆପଣଙ୍କ ପ୍ରଶ୍ନର ବିଶ୍ଳେଷଣ ତ ମୋତେ ଦେବାକୁ ପଡ଼ିବ । ଅତଏବ ବିଳମ୍ବ ନ କରି ମଟରରୁ ଓହ୍ଲାଇ ଆସନ୍ତୁ,’’ ବରୁଣା ବକ୍ତବ୍ୟର ଶେଷ ବାକ୍ୟରେ କଠୋର ନିର୍ଦ୍ଦେଶ ପ୍ରଚ୍ଛନ୍ନ ଥିଲା ।

 

ଶଶାଙ୍କ ଅନିଚ୍ଛା ସତ୍ତ୍ଵେ ମଟରରୁ ଅବତରଣ କଲା, ବରୁଣା ପ୍ରେମ ସମ୍ବନ୍ଧୀୟ ଅନେକ ମଧୁର କଥା କହୁଥିଲେ ବି ତା’ ହାତରେ ଯେ ରିଭଲ୍‍ଭର୍‍ ଅଛି ଏ କଠୋର ସତ୍ୟ ପ୍ରତି ଆଖି ବୁଜିଦେଲେ ତ ଚଳିବ ନାହିଁ ।

 

ବରୁଣା ନିଜର ଆବରଣ ଅନ୍ତରାଳରେ ରିଭଲ୍‍ଭର୍‍ ଲୁଚାଇ ନେଇ ଶଶାଙ୍କ ପଛେ ପଛେ, ମଟରରୁ ଓହ୍ଲାଇ ପଡ଼ିବାମାତ୍ରେ ଶଶାଙ୍କକୁ ଚୁପ୍‍ କରି କହିଲା, ‘‘ଆପଣ ମୋ ସଙ୍ଗେ ପ୍ରତାରଣା କରିବାର ଏତେ ଟିକେ ବି ଚେଷ୍ଟାକରିବେ ନାହିଁ । ମୋତେ ଧରାଇ ଦେବାର ଅପଚେଷ୍ଟାର ପରିଣତି ଯେ ଅତ୍ୟନ୍ତ ଭୟାବହ ସେ କଥା ମୁଁ ଆପଣଙ୍କୁ ଆଉଥରେ ସ୍ମରଣ କରାଇ ଦେଉଛି । ମୁଁ ଅତ୍ୟନ୍ତ ସରଳ ମନନେଇ ଆପଣଙ୍କର ସହଗାମୀ ହେଉଛି । ସେଇ ସରଳତା ମୁଁ ମଧ୍ୟ ଆପଣଙ୍କ ନିକଟରୁ ପ୍ରତ୍ୟାଶା କରେ । ଆମ୍ଭମାନଙ୍କର ଏକତ୍ର ଗୃହ ପ୍ରବେଶ ଏପରି ସ୍ୱାଭାବିକ ହେବା ଉଚିତ ଯେପରି ତାହା ଅନ୍ୟମାନଙ୍କ ମନରେ କୌଣସି ସନ୍ଦେହ ଉଦ୍ରେକ ନ କରେ । ଅରିନ୍ଦମବାବୁ ଏ ପର୍ଯ୍ୟନ୍ତ ଏଠାକୁ ଆସିନାହାନ୍ତି, ତାଙ୍କର ଉପସ୍ଥିତି ପୂର୍ବରୁ ମୁଁ ମୋର ଅଭିନୟ ଶେଷ କରିନେବାକୁ ଚାହେଁ ।’’ ଆପଣଙ୍କ ପ୍ରାସାଦର ଚତୁର୍ଦ୍ଦିଗରେ କଡ଼ା ପୋଲିସ୍‍ ପହରା ସମ୍ବନ୍ଧରେ ମୁଁ ଖୁବ୍‍ ସଚେତନ ଅଛି । ସେଥିଲାଗି ତ ଆପଣଙ୍କର ସାହାଯ୍ୟ ନେଇ ଗୃହ ମଧ୍ୟରେ ପ୍ରବେଶ କରିବାର କୌଶଳ ମୋତେ ଅବଲମ୍ବନ କରିବାକୁ ପଡ଼ିଲା ।

 

‘‘ବହୁ ତୀକ୍ଷ୍ଣ କୌତୂହଳୀ ଦୃଷ୍ଟି ସାମ୍‍ନାରେ ଉଭୟେ ଗୃହ ମଧ୍ୟରେ ପ୍ରବେଶ କଲେ । ବରୁଣାକୁ ସନ୍ଦେହ କରିବା ପରିବର୍ତ୍ତେ ମନେକରାଗଲା ସେ ହୁଏତ ଶଶାଙ୍କର କେହି ବାନ୍ଧବୀ ବା ଆତ୍ମୀୟା ହୋଇପାରନ୍ତି ।

 

ନିରୁପାୟ ଶଶାଙ୍କର ପ୍ରତିବାଦ କରିବାର କୌଣସି ଉପାୟ ତ ନ ଥିଲା ।

 

ଶଶାଙ୍କ ଆଗେ ଆଗେ, ତା’ର ପଶ୍ଚାଦାନୁସରଣ କରୁଛି ବରୁଣା । ଦୁହେଁ ସୋପାନରେ ଦ୍ୱିତଳକୁ ଉଠିଯାଉଛନ୍ତି । ଗୃହର ଭୃତ୍ୟାଦି ଅବାକ୍ ଓ କୌତୂହଳୀ ଦୃଷ୍ଟିରେ ସେମାନଙ୍କୁ କେବଳ ନିରୀକ୍ଷଣ କରୁଛନ୍ତି ।

 

ଶଶାଙ୍କ ନିଜ କକ୍ଷ ସାମ୍‍ନାରେ ପହଞ୍ଚି ପ୍ରକୋଷ୍ଠ ଦ୍ୱାର ଉନ୍ମୁକ୍ତ କରି ତନ୍ମଧ୍ୟରେ ପ୍ରବେଶ କରନ୍ତେ ବରୁଣା ତାକୁ ଅନୁସରଣ କରି କକ୍ଷ ମଧ୍ୟକୁ ଚାଲିଯାଇ ଭିତରୁ ଦରଜା ବନ୍ଦ କରିଦେଲା ।

 

ଦରଜା ବନ୍ଦ କରିଦେବା ଶବ୍ଦରେ ଚମକି ପଡ଼ିଲା ଶଶାଙ୍କ । ରୁଦ୍ଧ ଦରଜା ଉପରେ ତା’ର ବିସ୍ମିତ ଦୃଷ୍ଟି ଅବିଚଳିତ ରହିଯାଇଛି ।

 

‘‘ଭିତରୁ ଦ୍ୱାର ହଠାତ୍ ମୁଁ ବନ୍ଦ କରିଦେବାରୁ ଆପଣ ଖୁବ୍‍ ଡରିଯାଇଛନ୍ତି ନୁହେଁ ? ହୁଏତ ମୋତେ କେନ୍ଦ୍ର କରି ବହୁତ କିଛି ସର୍ବନାଶର କଥା ଚିନ୍ତା କରୁଛନ୍ତି । ଆପଣଙ୍କୁ ଯେତେ ବୁଝାଇ କହିଲେ କ’ଣ ହେବ, ଆପଣଙ୍କର ସଂଶୟୀ ମନ କ’ଣ କେବେ ସନ୍ଦେହମୁକ୍ତ ହେବ ।’’ ବରୁଣା କଣ୍ଠସ୍ୱରରେ ପ୍ରଚ୍ଛନ୍ନ ଅଭିମାନ ମିଶା ବିରକ୍ତିର ପ୍ରକାଶ ।

 

ବରୁଣା ନିଜର ବକ୍ତବ୍ୟ ସେତିକିରେ ବନ୍ଦ ରଖି କକ୍ଷର ଚତୁର୍ଦ୍ଦିଗରେ ଦୃଷ୍ଟି ବୁଲାଇଲା । କକ୍ଷଟିର ସାଜସଜ୍ଜା ତା’ର ମନକୁ ଖୁବ୍‍ ସ୍ପର୍ଶ କଲା ବୋଧହୁଏ, ତେଣୁ ସେ ମୁଗ୍‍ଧ କଣ୍ଠରେ କହି ଉଠିଲା, ‘‘ଏ କକ୍ଷର ପରିପାଟୀ ଦେଖିଲେ ମୋର ଅତୀତ କଥା ମନେପଡ଼ି ଯାଉଛି ଶଶାଙ୍କବାବୁ । ନିଜ ପ୍ରକୋଷ୍ଠଟି ମୁଁ ମୋର ରୁଚି ଅନୁଯାୟୀ ଠିକ୍‍ ଏମିତି ସଜାଇଥିଲି ।’’

 

‘‘ମାତ୍ର ତୁମର ହିଂସ୍ରତା ତୁମକୁ ଆଜି ସେ ସୁଖରୁ ବଞ୍ଚିତ କରିଛି ଓ ତୁମେ ଆଜି ଯାଯାବର ଭଳି ବିକ୍ଷିପ୍ତଭାବେ ଘୂରି ବୁଲୁଛ । ମାତ୍ର ଶୁଣେ ନିଜର ମଧୁର ମାନବିକତାକୁ ଜଳାଞ୍ଜଳି ଦେଇ ଦାନବୀ ସାଜି କି ସୁଖ ପାଉଛ ?’’ ଶଶାଙ୍କ ଯଥେଷ୍ଟ ସାହାସ ସଞ୍ଚୟ କରି ନିଜର ପ୍ରଚ୍ଛନ୍ନ ମନୋଭାବ ବ୍ୟକ୍ତ କରିପକାଇଲେ ।

 

‘‘ଆପଣଙ୍କର ସମାଲୋଚନା ଅତ୍ୟନ୍ତ ସତ୍ୟ । ଆଜି ମୋର ଯେତେବେଳେ ମନରେ ଭୟଙ୍କର ଅନୁତାପ ଉପସ୍ଥିତ ହୋଇଛି ସେତେବେଳେ କିନ୍ତୁ ନିଜର ମାନବିକତାର ପରିସରକୁ ଫେରିଯାଇ ଆଉଥରେ ସୁନ୍ଦର ମଧୁର ଜୀବନଯାପନ କରିବାର ଉପାୟ ମୋର ଆଉ ନାହିଁ । ଶତାଧିକ ମଣିଷ ଜୀବନକୁ ହତ୍ୟାର ସ୍ପର୍ଶରେ ଶୀତଳ କରିଦେବା ପରେ ଆଜି ମୁଁ ଯଦି ଚିତ୍କାର କରି କହିଉଠେ, ‘‘ଆଉଥରେ ମୁଁ ସ୍ନେହସ୍ନିଗ୍‍ଧ ଜୀବନଯାପନ କରିବାକୁ ଚାହେଁ, ମୋର ଦାନବୀସ୍ୱରୂପକୁ ସମ୍ପୂର୍ଣ୍ଣ ବିସର୍ଜନ ଦେଇ’’ ତେବେ ସମାଜ ଆଇନ୍‍ କାନୁନ୍‍ ମୋର ଅତୀତ ଦୋଷକୁ ମାର୍ଜ୍ଜନା କରି ମୋତେ କ’ଣ ସତରେ ମଣିଷ ପରି ଏ ଧରିତ୍ରୀ ଉପରେ ବଞ୍ଚି ରହିବାର ସୁଯୋଗ ଆଉ ଦେବ ? କୁହନ୍ତୁ ଶଶାଙ୍କବାବୁ ମୋର ଏ ଉଦବେଳିତ ଆକାଂକ୍ଷା କ’ଣ ସତରେ ଚରିତାର୍ଥ ହୋଇପାରିବ ?’’

 

ଶଶାଙ୍କ ନିର୍ବାକ ନୟନରେ ବରୁଣାକୁ କେବଳ ଚାହିଁ ରହିଲା, ତା’ର କଣ୍ଠଦେଇ କୌଣସି ଉତ୍ତର ସ୍ଫୁରିଲା ନାହିଁ ।

 

‘‘ମୁଁ ଜାଣେ ଏ ପ୍ରଶ୍ନର ଉତ୍ତର ଆପଣ ଦେଇପାରିବେ ନାହିଁ । ମୋର ଅତୀତର ଜଘନ୍ୟ ହିଂସ୍ରତାକୁ କ୍ଷମା ଦେବ କିଏ ? ଆପଣ ଦେଇପାରିବେ ? ମୋର ବର୍ତ୍ତମାନର ଅକପଟ ପ୍ରେମଶକ୍ତି ହୃଦୟକୁ ସମ୍ମାନ ଜଣାଇ ଆପଣଙ୍କ ଚରଣତଳେ ମୋର ସମ୍ପୂର୍ଣ୍ଣ ଆତ୍ମସମର୍ପଣକୁ ଆପଣ ସ୍ୱୀକାର କରିପାରିବେ ?’’ ବରୁଣାର ଦି’ ଆଖି ଅଶ୍ରୁ ସଜଳ ହୋଇଉଠିଛି । କଣ୍ଠସ୍ୱର ତା’ର ଅତ୍ୟନ୍ତ କରୁଣ ଶୁଭୁଛି ।

 

ଶଶାଙ୍କର ଆଖି ବିସ୍ମୟରେ ଉଜ୍ଜ୍ୱଳ ହୋଇଉଠିଛି । ସେ ବରୁଣାକୁ ଚାହିଁ ସମ୍ପୂର୍ଣ ହତବାକ୍‍ ହୋଇଯାଇଛି ।

 

‘‘ଆପଣ ବସନ୍ତୁ’’ ବରୁଣା ଶଶାଙ୍କକୁ ଅନୁରୋଧ ଜଣାଇଲା, ‘‘ମୁଁ ମଧ୍ୟ ବସୁଛି । ବହୁତ କଥା ଆପଣଙ୍କୁ କହିବାର ଅଛି । ଠିଆହୋଇ ରହି ଏତେକଥା କୁହାଯାଇପାରେନା ।’’

 

ବରୁଣା ଅନୁରୋଧ ରକ୍ଷାକରି ଶଶାଙ୍କ ଚେୟାରରେ ଉପବେଶନ କଲା ପରେ ତା’ର ସାମ୍‍ନା ଚେୟାରରେ ବରୁଣା ଆସନ ଗ୍ରହଣ କଲା ।

 

‘‘ପିଲାଟି ଦିନରୁ ମୋର ପ୍ରକୃତି କାହିଁକି ଯେ ଏତେ ହିଂସ୍ର ହୋଇଉଠିଲା ମୁଁ ଠିକ୍‍ ଜାଣେନା । ହିଂସ୍ରତାହିଁ ମନେହେଲା ମୋର ଯେପରି ପ୍ରକୃତସ୍ୱରୂପ । ଅତି ପିଲାଦିନର ହିଂସ୍ରତାର କଥା ମୋର କୁହେ, ପିମ୍ପୁଡ଼ି, ଜନ୍ଦା, ମାଛି–ଛୋଟ ଛୋଟ ପୋକସବୁ ମାରିବାରେ ମୋର ସେ କି ଆନନ୍ଦ । ସେମାନଙ୍କୁ କେବଳ ମାରିବା ନୁହେଁ, ସେମାନଙ୍କୁ ଯନ୍ତ୍ରଣା ଦେଇ ଛଟପଟ କରି ହତ୍ୟା କରିବାରେ ମୁଁ ଭୀଷଣ ତୃପ୍ତି ଲାଭ କରୁଥିଲି । କଙ୍କିଗୁଡ଼ିଙ୍କୁ ଧରିନେଇ ଛୁରିରେ ସେମାନଙ୍କ ମୁଣ୍ଡଟିମାନ ଦେହରୁ କାଟି ଅଲଗା କରିଦେବାରେ ମୋର ସେ କି ତୃପ୍ତି । ଛୋଟ ଛୋଟ କୁକୁର ଛୁଆ, ବିଲେଇଛୁଆଙ୍କୁ ଜଳନ୍ତା ଚୁଲିରେ ପକେଇ ଦେଇ ସେମାନଙ୍କର ଛଟପଟ ହୋଇ ପୋଡ଼ି ମରିବାର ଦୃଶ୍ୟ ମୁଁ ତାଳିମାରି ଭାରି ମଜାରେ ଦେଖୁଥିଲି ।

 

ମୋର ଏଇ ଅତ୍ୟାଶ୍ଚର୍ଯ୍ୟ ହିଂସ୍ରତା ରାଜପରିବାରରେ ପ୍ରତ୍ୟେକଙ୍କୁ ବିସ୍ମିତ କରି ତୋଳିଥିଲା । ମାତ୍ର ହିଂସାକୁ ସମ୍ବଳକରି କାପାଳିକର ଆଶୀର୍ବାଦରୁ ଏ ପୃଥିବୀରେ ମୁଁ ଜନ୍ମଗ୍ରହଣ କରିଥିଲି । ତେଣୁ ସେ ହିଂସ୍ରତାରୁ ମୁଁ ଅବ୍ୟାହତି ଲାଭ କରିବି କିପରି ? ବାବା ମା’ ଏବଂ ପରିବାରର ପ୍ରତ୍ୟେକେ ମୋତେ ନାନାଦି ଉପଦେଶ ଦେଇ ମୋର ପ୍ରକୃତି ପରିବର୍ତ୍ତନ କରିବାକୁ ବହୁ ଚେଷ୍ଟାକରିଥିଲେ; ମାତ୍ର ତା’ କ’ଣ ପରିବର୍ତ୍ତିତ ହେବାର କଥା । କାପାଳିକ ଆଶୀର୍ବାଦ କଥାଟା ସମ୍ଭବତଃ ଠିକ୍‍ ବୁଝିପାରିଲେ ନାହିଁ ।’’ ବରୁଣା ବିସ୍ମିତ କଣ୍ଠରେ ପ୍ରଶ୍ନ କରି ନିଜର ବକ୍ତବ୍ୟ ହଠାତ୍‍ ବନ୍ଦ କରିଦେଲା ।

 

‘‘କାପାଳିକ ଆଶୀର୍ବାଦ ରହସ୍ୟ ମୁଁ ପୂର୍ବରୁ ଜାଣିଛି’’ ଶଶାଙ୍କ ସଙ୍ଗେ ସଙ୍ଗେ ଉତ୍ତର ଦେଲା । ‘‘ଆପଣ ନିଜର ଜନ୍ମରହସ୍ୟ କଥା କହୁଛନ୍ତି ତ ।’’

 

‘‘ଆରେ ସେ କଥା ଆପଣ ଜାଣିଲେ କିପରି !’’ ବରୁଣା ଆଶ୍ଚର୍ଯ୍ୟ କଣ୍ଠରେ ପ୍ରଶ୍ନକଲା ।

 

ପାର୍ବତୀର ଅଜିତ୍‍ ପାଖକୁ ପତ୍ର ସମ୍ବନ୍ଧରେ ସବୁକଥା ଉଲ୍ଲେଖ କରି ଶଶାଙ୍କ ପ୍ରଶ୍ନକଲା, ‘‘ପାର୍ବତୀକୁ ତୁମର ସ୍ମରଣ ହେଉନାହିଁ ? ଅଥଚ ସେ ତୁମ ସମ୍ବନ୍ଧରେ ସବୁକିଛି ଜାଣେ । ଏପରିକି ଗତ ସୁବର୍ଣ୍ଣଗଡ଼ ଅଭିଯାନ ସମୟରେ ସେ ସମାଧି ମଧ୍ୟ ଦେଇ ଗୁପ୍ତପଥର ସନ୍ଧାନ ଦେଇନଥିଲେ ଅରିନ୍ଦମବାବୁ ସଶସ୍ତ୍ର ପୋଲିସ୍‍ ଦଳ ସହ ରାଜପ୍ରାସାଦ ମଧ୍ୟକୁ ପ୍ରବେଶ କରିପାରିନଥା’ନ୍ତେ କି ମୋ ଜୀବନ ରକ୍ଷା ମଧ୍ୟ ହୋଇନଥା’ନ୍ତା ।’’

 

ଅତୀତଟା ସ୍ମରଣରେ ହଠାତ୍ ଉଜ୍ଜ୍ୱଳ ହୋଇଉଠିଲା ବରୁଣାର । ସବୁ ମନେପଡ଼ିଗଲା ସମ୍ଭବତଃ ତା’ର, ‘‘ପାର୍ବତୀ, ପାର୍ବତୀ ତେବେ ମୋର ବୈରୀ ସାଜିଥିଲା ।’’ କ୍ରୋଧରେ ଆଖି ତା’ର ଦୀପ୍ତ ହୋଇଉଠିଛି ।

 

‘‘ତୁମେମାନେ ଯେ ତା’ର ଅଶେଷ କ୍ଷତି ସାଧନ କରିଥିଲ । ସେ କଥାତ ଭୁଲିଗଲେ ଚଳିବ ନାହିଁ । ତା’ର ପିତାମହଙ୍କୁ ଅନ୍ୟାୟଭାବେ ଗ୍ରେପ୍ତାର କରି ନେଇ ଯିବାପରେ, ବିଚାରୀକୁ ହରଣଚାଳ କରି ନିଆ ହୋଇଥିଲା ବିନୋଦର ପାଶବିକ ପ୍ରବୃତ୍ତି ଚରିତାର୍ଥ କରାଯିବା ନିମିତ୍ତ । ଭଗବାନ ତାକୁ ରକ୍ଷା କଲେ ।’’

 

‘‘ମୁଁ ତ ଏସବୁ କଥା କିଛି ଜାଣେନାହିଁ ।’’ ବରୁଣା କଣ୍ଠସ୍ୱର ହଠାତ୍‍ ନରମ ହୋଇଗଲା ।

 

‘‘ତୁମର ଅଜ୍ଞାତସାରରେ ବହୁ କିଛି ପାପ ଓ ଅନ୍ୟାୟର ଭୈରବ ତାଣ୍ଡବ ଚାଲିଥିଲା ରାଜ୍ୟ ମଧ୍ୟରେ । ଘୋଡ଼ାଦୌଡ଼ ପ୍ରତିଯୋଗିତା ଆଳରେ ତୁମେ ଯେତେବେଳେ ବିଭତ୍ସ ହତ୍ୟାକାଣ୍ଡରେ ଲିପ୍ତ ରହିଲ, ସେତେବେଳେ ତୁମର ସହଯୋଗୀ ଓ କର୍ମଚାରୀମାନେ ନିଜ ଇଚ୍ଛା ଅନୁଯାୟୀ ଅନ୍ୟାୟ କାର୍ଯ୍ୟ କରିବାରେ ଉତ୍ସାହିତ ହେବା ଖୁବ୍‍ ସ୍ୱାଭାବିକ ନୁହେଁ କି ?’’ ଶଶାଙ୍କର ଭାଷାରେ ତୀବ୍ର ଶ୍ଳେଷ ଭରି ରହିଛି ।

 

ବରୁଣା ଶଶାଙ୍କର ଏ ତୀବ୍ର କଟାକ୍ଷରେ ମ୍ଳାନ ହୋଇଗଲା । ମାତ୍ର ଶଶାଙ୍କର ବକ୍ତବ୍ୟ ଯେ ସମ୍ପୂର୍ଣ୍ଣ ସତ୍ୟଥିଲା ବରୁଣା ତା’ ମନେ ମନେ ସ୍ୱୀକାର କରିନେଇ ପୁନଶ୍ଚ କହିଲା, ‘‘ଆପଣ ଯାହା କହୁଛନ୍ତି ତାହା ଅବଶ୍ୟ ସତ୍ୟ, ମାତ୍ର ମୋର ହିଂସ୍ରତାର ଯେଉଁ ଆତ୍ମପ୍ରକାଶ ଘଟିଥିଲା ସତ କହୁଛି ତା’ ଉପରେ ଯେପରି ମୋର ହାତ ନ ଥିଲା । ହିଂସ୍ରତାକୁ ତ୍ୟାଗକରି ମୁହୂର୍ତ୍ତେ ସୁଦ୍ଧା ଶାନ୍ତ ଅବସ୍ଥାରେ ରହିପାରୁନଥିଲି ।

 

ଆପଣଙ୍କୁ କହୁଥିଲି ମୋର ପିଲାଦିନେ ଛୋଟ ଛୋଟ ପଶୁପକ୍ଷୀ କୀଟଙ୍କ ପ୍ରତି ମୁଁ କିପରି ଚରମ ନୃଶଂସତା ପ୍ରଦର୍ଶନ କରୁଥିଲି । ମୋର ସେ ନୃଶଂସତା ମୋ ବୟସର ଅଗ୍ରଗତି ସଙ୍ଗେ କ୍ରମେ ବୃଦ୍ଧିପ୍ରାପ୍ତ ହେବାକୁ ଲାଗିଲା ଓ ପଶୁପକ୍ଷୀ ହତ୍ୟା କରିବାର ମୋର ଉଦ୍ଦାମତା କ୍ରମଶଃ ମନୁଷ୍ୟକୁ ହତ୍ୟା କରିବାରେ ରୂପାନ୍ତରିତ ହେଲା ।

 

ମୋତେ ଯେତେବେଳେ ମାତ୍ର ବାରବର୍ଷ ବୟସ ସେତେବେଳର ଗୋଟିଏ ହତ୍ୟାର କାହାଣୀ ମୁଁ କହୁଛି, ସେ ମନୁଷ୍ୟ ହତ୍ୟା ମୋର ପ୍ରଥମ ଅଲିଅଳ ରାଜକୁମାରୀ ବୋଲି ମୋର ସେବା, ପରିଚର୍ଯ୍ୟା ନିମିତ୍ତ ବହୁ ଦାସଦାସୀ ନିଯୁକ୍ତ ଥିଲେ । ସେମାନେ ମୋତେ ପ୍ରତ୍ୟେକେ ପ୍ରାଣରେ ଭୟ କରୁଥିଲେ । କାରଣ ଟିକିଏ ଟିକିଏ କଥାରେ ରାଗିଯିବା ଓ ସେମାନଙ୍କୁ ମନଇଚ୍ଛା ଆଘାତ କରିବା ମୋର ଅଭ୍ୟାସରେ ପରିଣତ ହୋଇଯାଇଥିଲା । ତେଣୁ ସେମାନେ ସବୁବେଳେ ମୋ ନିକଟରେ ସନ୍ତ୍ରସ୍ତ ହୋଇ ରହୁଥିଲେ । ମୁଁ ସେମାନଙ୍କୁ ବେତ୍ରାଘାତ କରୁଥିଲି, ମନଇଚ୍ଛା ହଣ୍ଟରରେ ପିଟୁଥିଲି ।

 

ମୋ ଆଦେଶକୁ ଅମାନ୍ୟ କରିବାର ତ ପ୍ରଶ୍ନ ଉଠୁନଥିଲା, ଅଧିକନ୍ତୁ ଆଦେଶକୁ ମୋର କାର୍ଯ୍ୟକାରୀ କରିବାରେ ଦାସଦାସୀମାନେ ଏତେ ଟିକେ ବିଳମ୍ବ କଲେ ମୁଁ ସେମାନଙ୍କୁ ଭୟଙ୍କର ଶାସ୍ତି ଦେଉଥିଲି ଓ ମୋର ସେ ଶାସ୍ତି ମଧ୍ୟ ଥିଲା ଅତ୍ୟନ୍ତ ଅମାନୁଷିକ । ମୋର ଏ ଅନ୍ୟାୟର କେହି ପ୍ରତିବାଦ କରିବାର ସାହସ କିନ୍ତୁ କରୁନଥିଲେ । ଏପରିକି ରାଜା ମଧ୍ୟ ବିନା ପ୍ରତିବାଦରେ ଚୁପ୍‍ ରହୁଥିଲେ । ମୁଁ ଦାସଦାସୀମାନଙ୍କୁ ନାନାଦି ନିର୍ଯ୍ୟାତନା ଦେବାରେ ମୋର ସେ କି ଆନନ୍ଦ । ସେମାନଙ୍କୁ ଅତ୍ୟନ୍ତ ଗ୍ରୀଷ୍ମଦିନରେ ଘଣ୍ଟା ଘଣ୍ଟା ଧରି ଖରାରେ ଠିଆ କରାଇବା, ସେମାନଙ୍କ ନଖ ଭିତରେ ଆଲ୍‍ପିନ୍ ଫୋଡ଼ିବା, ଲୁହା ଖଡ଼ିକା ନିଆଁରେ ପଚାଇ ସେମାନଙ୍କ ଜଙ୍ଘରେ, ପିଠିରେ ଚିଆଁ ମାଡ଼ିବା ଇତ୍ୟାଦି । ମନରୁ ବାହାର କରି କେତେ କିସମର ଯେ ଯନ୍ତ୍ରଣା ସେମାନଙ୍କୁ ଦେଉଥିଲି ତା’ର ଇୟତ୍ତା ନାହିଁ ।

 

ମୁଁ ଚିନ୍ତାକରି ଏକ ମଜାଦାର ନିର୍ଯ୍ୟାତନା ଉଦ୍ଭାବନ କରିଥିଲି–କୁତୁକୁତୁ କରି ଶେଷ ପର୍ଯ୍ୟନ୍ତ ଜଣକୁ ସମ୍ପୂର୍ଣ୍ଣ ସଂଜ୍ଞାହୀନ କରିଦେବା । ଦଣ୍ଡପ୍ରଦାନ କରାଯିବାକୁ ସ୍ଥିର ହୋଇଥିବା ଦାସ କିମ୍ବା ଦାସୀକୁ ଅନ୍ୟଦୁଇଜଣ ପେଟ ପାଖେ ଓ କାଖ ପାଖେ କୁତୁ କୁତୁ କରୁଥିବେ । ସେ ହସି ହସି ଯନ୍ତ୍ରଣାରେ ଗଡ଼ିଯାଉଥିବ, ବେଦମ୍‍ ହୋଇଯାଉଥିବ, ମାତ୍ର ତା’ର ଛାଡ଼ ପାଇବାର ଉପାୟ ନାହିଁ । ପରିଶେଷରେ ସେ ଯେତେବେଳେ ସମ୍ପୂର୍ଣ୍ଣ ନିର୍ଜୀବ ପ୍ରାୟ ସଂଜ୍ଞାଶୂନ୍ୟ ହୋଇ ପଡ଼ିଯିବ, ସେତେବେଳେ ଯାଇ ତା’ର ମୁକ୍ତି । କୁତୁକୁତୁରେ ସେ ବିଚାରା ପ୍ରାଣ ବିକଳରେ ଚିତ୍କାର କରୁଥିବ, ଆଉ ମୁଁ ତା’ର ଯନ୍ତ୍ରଣା ଲକ୍ଷ୍ୟ କରି ତାଳିମାରି ମଜା ଦେଖୁଥିବି ।

 

ଆପଣଙ୍କୁ ମୋ ଜୀବନର ସେଇ ପ୍ରଥମ ହତ୍ୟାର କାହାଣୀ ଏବେ କହୁଛି । ବାବାଙ୍କ ପାଖେ ବସି ମୁଁ ସକାଳେ ଜଳଯୋଗ କରୁଥିଲି । ଟେବୁଲ ଉପରେ ଛୁରା, ଚାମଚ ପ୍ରଭୃତି ସୁସଜ୍ଜିତଭାବେ ରଖାଯାଇଥାଏ । ଜଣେ ଦାସୀକୁ ମୁଁ କୌଣସି ଆଦେଶ କଲି । ବିଚାରୀ କାନରେ କମ୍‍ ଶୁଣେ । ମୋର କଥା ସେ ପ୍ରକୃତରେ ଶୁଣି ପାରିନି । ମୁଁ କିନ୍ତୁ କ୍ରୋଧରେ ଜର୍ଜରିତା ହୋଇଉଠି ଟେବୁଲ ଉପରେ ଥୁଆ ହୋଇଥିବା ଛୁରାଟା ତାକୁ ଲକ୍ଷ୍ୟକରି ସଜୋରେ ନିକ୍ଷେପ କଲି । ଛୁରାଟା ବିଦ୍ୟୁତ୍‍ ବେଗରେ ଚମକି ଯାଇ ତା’ର ବୁକୁରେ ବିଦ୍ଧ ହୋଇଗଲା । ସଙ୍ଗେ ସଙ୍ଗେ ସେ ଛିନ୍ନମୂଳ ତରୁ ପ୍ରାୟ ଅଜାଡ଼ି ହୋଇପଡ଼ିଲା । ତା’ର କ୍ଷତସ୍ଥାନରୁ ପିଚ୍‍କାରୀ ମାରିଲା ପରି ସେ କି ରକ୍ତର ପ୍ରସ୍ରବଣ । ଉପସ୍ଥିତ ପ୍ରତ୍ୟେକେ ଆତଙ୍କରେ ତଟସ୍ଥ ହୋଇଗଲେ । ମହାରାଜା ମଧ୍ୟ ଏପରି ଏକ ଦୁର୍ଘଟଣା ପାଇଁ ଆଦୌ ପ୍ରସ୍ତୁତ ନ ଥିଲେ । ସେ ମୋତେ ତ କିଛି କହିପାରିଲେ ନାହିଁ, ମାତ୍ର ଆହତ ଦାସୀର ଅବିଳମ୍ବେ ଚିକିତ୍ସା ନିମିତ୍ତ ଆମ ରାଜପରିବାର ଚିକିତ୍ସକ ଡକ୍ଟର ବେଗ୍‍ଙ୍କୁ ଡାକି ଆଣିବାକୁ ଆଦେଶ କଲେ । ମାତ୍ର ମୁଁ ଚିତ୍କାର କରି ଉଠିଲି, ‘‘ନା, ଡକ୍ଟରଙ୍କୁ କଦାପି ଡକାଯିବ ନାହିଁ । ସେ ତିଳ ତିଳ ହୋଇ ମୃତ୍ୟୁ ବରଣ କରୁ । ମୃତ୍ୟୁହିଁ ତା’ର ଏକମାତ୍ର ଶାସ୍ତି ।’’

 

ମୋ ଆଦେଶ ଉପରେ ପ୍ରତିବାଦ ପୁଣି କରିବ କିଏ ? ରାଜା ମୋ ଚିତ୍କାର ଶୁଣି ନୀରବ ହୋଇଗଲେ । ବିଚାରୀ ଦାସୀ ବଡ଼ କରୁଣ ଭାବରେ ମୋ ଆଖି ସାମ୍‍ନାରେ ତା’ର ଶେଷ ନିଶ୍ୱାସ ତ୍ୟାଗକଲା । ଅନ୍ୟକୁ ହତ୍ୟାକରି ତା’ର ତିଳ ତିଳ ମୃତ୍ୟୁ ସନ୍ଦର୍ଶନ କରିବା ଏଡ଼େ ପୁଣି ଆନନ୍ଦଦାୟକ । ବିଭତ୍ସ ଉଲ୍ଲାସରେ ମୁଁ ସତରେ ଉନ୍ମତ୍ତ ହୋଇ ଉଠିଥିଲି । ଏହି ଦୁର୍ଘଟଣା ପରେ ପରେ ଆରମ୍ଭ ହୋଇଗଲା ମୋର ମଣିଷ ହତ୍ୟା କରିବାର ଭୀଷଣ ଉନ୍ମାଦନା । ଫଳରେ ବହୁ ଦାସଦାସୀ ମୋ ନିର୍ମମ ହତ୍ୟାର ଶିକାର ହେବାକୁ ଲାଗିଲେ । ମାତ୍ର ସୁବର୍ଣ୍ଣଗଡ଼ ଷ୍ଟେଟରେ ଏ ଅନ୍ୟାୟ ହତ୍ୟାର ପ୍ରତିବାଦ କରିବାର ସାହାସ ପୁଣି କରିବ କିଏ ?

 

ବାର ବର୍ଷର ବାଳିକା ମୁଁ ଯେପରି କ୍ରମେ ଭୈରବୀ ହୋଇଉଠିଲି । ଅଶ୍ୱଚାଳନା ଶିକ୍ଷା କରିବା ନିଶାରେ ମୁଁ ଉନ୍ମତ୍ତ ହୋଇଉଠି ମାତ୍ର ମାସ କେତୁଟା ଭିତରେ ମୁଁ ଦ୍ରୁତ ଅଶ୍ୱଚାଳନା କରିବାରେ ମୋର ଶିକ୍ଷାଗୁରୁଙ୍କୁ ପର୍ଯ୍ୟନ୍ତ ତଟସ୍ଥ କରିଦେଲି । ଅଶ୍ୱପୃଷ୍ଟରେ ବସି ଜଙ୍ଗଲରେ ବୁଲି ବୁଲି ଶିକାର କରିବାରେ ମୋର ସେ କି ଅପାର ଆନନ୍ଦ !

 

ଅଶ୍ୱପୃଷ୍ଠରେ ଆସୀନ ହୋଇ ମୁଁ ରାଜ୍ୟ ମଧ୍ୟରେ ପରିକ୍ରମା କରୁଥିବା ସମୟରେ ପ୍ରଜାକୁଳ ଭୀଷଣ ସନ୍ତ୍ରସ୍ତ ରହୁଥିଲେ । କାରଣ ମୋ ଗତି ପଥରେ କୌଣସି ପ୍ରତିବନ୍ଧକ ମୁଁ ବରଦାସ୍ତ କରୁନଥିଲି । ଅସତର୍କ କେତେ ପଥଚାରୀ ଯେ ମୋର ଅଶ୍ୱଖୁରାଘାତରେ କ୍ଷତ ବିକ୍ଷତ ହୋଇଛନ୍ତି ତା’ର ଇୟତ୍ତା ନାହିଁ । ସେମାନଙ୍କ ମଧ୍ୟରୁ କେହି କେହି ମୃତ୍ୟୁ ମଧ୍ୟ ବରଣ କରିଛନ୍ତି ।

 

ନିତି ନିତି ଭୟଙ୍କର ନୃଶଂଶ କିଛି କରିବାର ବିଭତ୍ସ ଚିନ୍ତାମାନ ସବୁବେଳେ ମୋ ମନ ରାଜ୍ୟକୁ ଆଚ୍ଛନ୍ନ କରି ରଖୁଥିଲା । ସେ ଚିନ୍ତାକୁ କାର୍ଯ୍ୟରେ ପରିଣତ ନ କଲା ପର୍ଯ୍ୟନ୍ତ ମୁଁ ଶାନ୍ତି ପାଇପାରୁନଥିଲି । ସେଇ ବିଚିତ୍ର ଚିନ୍ତା ମଧ୍ୟରେ ହଠାତ୍ ଦିନେ ଜନ୍ମନେଲା ଅଶ୍ୱଦୌଡ଼ ପ୍ରତିଯୋଗିତାର ବିଚିତ୍ର ପରିକଳ୍ପନା । ଯାର ମାଧ୍ୟମରେ ଚମତ୍କାର ହତ୍ୟାମାନ କରାଯାଇପାରେ । ମୋର ପ୍ରତାରଣାମୂଳକ ଅଶ୍ୱ ପ୍ରତିଯୋଗିତାର ପ୍ରସ୍ତାବକୁ ମହାରାଜା ପ୍ରଥମେ ଗ୍ରହଣ କରିବାକୁ ଦ୍ୱିଧାବୋଧ କରୁଥିଲେ । ମାତ୍ର ରାଜକୁମାରୀ ବରୁଣାର ଜିଦ୍ ପାଖେ କେହି କେବେ ତିଷ୍ଠିପାରେ । ତେଣୁ ସମସ୍ତଙ୍କର ଅନିଚ୍ଛାସତ୍ତ୍ୱେ ମୋର ଭୟଙ୍କର କାର୍ଯ୍ୟରେ ସମସ୍ତେ ସହଯୋଗ କଲେ ।

 

କେବଳ ବିନୋଦ ମୋର ଏ ନୃଶଂସ ଚିନ୍ତାକୁ ପ୍ରଥମରୁ ଯେ କେବଳ ସମର୍ଥନ ଜଣାଇଥିଲା ନୁହେଁ, ବରଂ ମୋତେ ଆହୁରି ହିଂସ୍ର ହେବାକୁ ଓ ନିର୍ମମ ହେବାକୁ ପ୍ରେରଣା ଯୋଗାଉଥିଲା ।

 

ବିନୋଦ ଥିଲା ମୋର ପିଲାଦିନର ସାଥି । ବଡ଼ ଆଶ୍ଚର୍ଯ୍ୟର କଥା ମୋ ଚିନ୍ତା ସହିତ ତା’ ଚିନ୍ତାର ଅପୂର୍ବ ସାମଞ୍ଜସ୍ୟ ଥିଲା । ତେଣୁ ଆମ୍ଭମାନଙ୍କର ପରସ୍ପର ମଧ୍ୟରେ ସୈଖ୍ୟ ଅତି ଘନିଷ୍ଠ ହୋଇଉଠିଥିଲା । ଆମ୍ଭମାନଙ୍କ ପିଲାଦିନର ଏ ବନ୍ଧୁତ୍ୱ ତରୁଣ ଅବସ୍ଥାରେ ବହୁ ମୁଖରେ ପ୍ରେମ ନାମରେ ପ୍ରଚାରିତ ହେଲା ମାତ୍ର ଆମ୍ଭ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ସମ୍ପୂର୍ଣ୍ଣ ଥିଲା ଅକଳୁଷ । ମୋ ଅନ୍ତରରେ ପ୍ରେମ ବୋଲି କୌଣସି କୋମଳ ବୃତ୍ତିର ସ୍ଥିତି ଆଦୌ ନ ଥିଲା । ହିଂସ୍ରତାହିଁ ଥିଲା ମୋ ଜୀବନର ଏକମାତ୍ର ଲକ୍ଷ୍ୟ । ମାତ୍ର ବିନୋଦ ମନରେ ମୋ ପ୍ରତି ସେ ଅକଳୁଷ ଆକର୍ଷଣ କିପରି ହଠାତ୍‍ ପାଶବିକତାରେ ରୂପାନ୍ତରିତ ହେଲା ସେ କଥା ପରେ ମୁଁ ପ୍ରକାଶ କରୁଛି ।

 

ଅଶ୍ୱଦୌଡ଼ ପ୍ରତିଯୋଗିତା କଥା କହୁଥିଲି, ପ୍ରତିଯୋଗୀର ଅଶ୍ୱ ଦେହରେ ପ୍ରତିଯୋଗିତାର ପୂର୍ବଦିନ ରାତ୍ରିରେ କିପରି ଇଞ୍ଜେକ୍‍ସନ୍‍ଦ୍ୱାରା ବିଷାକ୍ତ ଔଷଧ ପ୍ରୟୋଗ କରାଯାଇ ତାକୁ କ୍ରମେ ଶକ୍ତିଶୂନ୍ୟ କରି ଦିଆଯାଉଥିଲା ଓ ଅଶ୍ୱ ଦୌଡ଼ିବା ସଙ୍ଗେ ସେ ବିଷାକ୍ତ ଔଷଧର ପ୍ରତିକ୍ରିୟା କିପରି ପ୍ରକାଶ ପାଉଥିଲା ତା’ ଆପଣ ସବୁ ଜାଣିପାରିଛନ୍ତି । ଡକ୍ଟର ବେଗ୍‍ ଓ ଅଶ୍ୱରକ୍ଷକ ରାମ ଦାସକୁ ଆପଣମାନେ ପ୍ରତିଯୋଗିତାର ପୂର୍ବଦିନ ରାତ୍ରିରେ କରାୟତ୍ତ କରି ମୋର ଏତେଦିନର ଅଶ୍ୱଦୌଡ଼ ପ୍ରତିଯୋଗିତା ରୂପକ ଷଡ଼ଯନ୍ତ୍ରକୁ କିପରି ବିପର୍ଯ୍ୟସ୍ତ କରି ଦେଇଥିଲେ ବିଳମ୍ବରେ ହେଲେବି ମୁଁ ତା’ ଜାଣିପାରିଥିଲି । ମାତ୍ର ସେତେବେଳକୁ ଅନ୍ୟକିଛି ଉପାୟ ନ ଥିଲା । ସୁବର୍ଣ୍ଣଗଡ଼ ରାଜପ୍ରାସାଦ ଚତୁର୍ଦ୍ଦିଗରୁ ଯେ ପୋଲିସ୍‍ମାନଙ୍କ ଦ୍ୱାରା ଅବରୋଧ କରାଯାଇ ସାରିଲାଣି ତା’ ମୋର ଆଉ ବୁଝିବାକୁ ବାକି ନ ଥିଲା । ମାତ୍ର ଅରିନ୍ଦମବାବୁ ଓ ତାଙ୍କର ସଶସ୍ତ୍ର ପୋଲିସ୍‍ ବାହିନୀ ଗୁପ୍ତ ସୁଡ଼ଙ୍ଗ ପଥ ଦେଇ ଇତି ମଧ୍ୟରେ ପ୍ରାସାଦ ମଧ୍ୟରେ ଯେ ପ୍ରବେଶ କରିସାରିଲେଣି ତା’ କିନ୍ତୁ ମୁଁ ଆଦୌ ଜାଣିପାରିନଥିଲି । ଆପଣଙ୍କୁ ନିର୍ମମଭାବେ ହତ୍ୟା କରିବା ସଙ୍ଗେ ସଙ୍ଗେ ବିନୋଦ ଓ ମୁଁ ଗୁପ୍ତ ପଥ ଦେଇ ରାଜପ୍ରାସାଦରୁ ପଳାୟନ କରିବୁ ବୋଲି ସ୍ଥିର କରିସାରିଥିଲୁ । ମାତ୍ର ଆପଣଙ୍କୁ ହତ୍ୟାକରିବା ପୂର୍ବରୁ ଆମେ ଦୁହେଁ ହଠାତ୍‍ ଗ୍ରେପ୍ତାର ହୋଇଗଲୁ । ମାତ୍ର ଭଗବାନଙ୍କର ବରାଦ ଦେଖନ୍ତୁ, ଯେଉଁ କକ୍ଷରେ ଆମ୍ଭମାନଙ୍କୁ ବନ୍ଦୀ ରଖାଗଲା ସେହି ପ୍ରକୋଷ୍ଠର ଚଟାଣରେହିଁ ଗୁପ୍ତପଥର ଦ୍ୱାର ଥିଲା । ତେଣୁ ଆମ୍ଭେମାନେ ଅନାୟାସରେ ପଳାଇ ଯାଇପାରିଲୁ । ଆପଣମାନେ ଆସି ସନ୍ଧାନ କଲେ ଦେଖିପାରିବେ ସୁବର୍ଣ୍ଣଗଡ଼ର ବହୁ କକ୍ଷରେ ଏପରି ଗୁପ୍ତ ପଥରେ ପଳାୟନ କରିବାର ବ୍ୟବସ୍ଥା ରହିଛି । ମାତ୍ର ଆପଣମାନଙ୍କର ଅତର୍କିତ ଆକ୍ରମଣ ଫଳରେ ମହାରାଜା, ମହାମନ୍ତ୍ରୀ କେହି ଜଣେହେଲେ ପଳାୟନ କରି ଆତ୍ମରକ୍ଷା କରିପାରିଲେ ନାହିଁ ।’’

 

ବରୁଣା ମୁହୂର୍ତ୍ତେ ନୀରବ ରହି କହିଲା, ‘‘ମୁଁ ବଡ଼ ତୃଷାର୍ତ୍ତ, ମୋତେ ଗ୍ଲାସେ ପାଣି ଦେବେ କି ?’’

 

ଶଶାଙ୍କ ସଙ୍ଗେ ସଙ୍ଗେ ପାଣି ଆଣି ଦେଲା, ବରୁଣା ପିଇ ଗ୍ଲାସଟା ଟେବୁଲ ଉପରେ ରଖି ପୁନର୍ବାର ନିଜର ବକ୍ତବ୍ୟ ଆରମ୍ଭ କଲା । ‘‘ବିନୋଦ ଓ ମୁଁ ଏଠାରୁ ପଳାୟନ କରିବା ପରେ ଆତ୍ମଗୋପନ କରି ନିଷ୍କ୍ରିୟଭାବେ ଭାରତର ବିଭିନ୍ନ ସ୍ଥାନ ଇତସ୍ତତଃ ଭ୍ରମଣ କରିବା ଉତ୍ତାରେ ପରିଶେଷରେ କଲିକତାରେ ଆସି ଉପସ୍ଥିତ ହେଲୁ । କାରଣ କଲିକତାହିଁ ଥିଲା ମୋର ଲକ୍ଷ୍ୟସ୍ଥଳ ଓ ଆପଣ ଥିଲେ ମୋର ପ୍ରଧାନ ଲକ୍ଷ୍ୟ । ଅଥଚ ଆପଣଙ୍କ ପ୍ରତି ମୋ ଅନ୍ତରର ଗୋପନତମ ଦୁର୍ବଳତାର କଥା ବିନୋଦ ଘୃଣାକ୍ଷରରେ କିଛିହେଲେ ଜାଣିପାରିନଥିଲା । ସତରେ ଶଶାଙ୍କବାବୁ ମଣିଷର ଏ ମନ ବଡ଼ ବିଚିତ୍ର । ଯେଉଁ ମନ ଆପଣଙ୍କୁ ହତ୍ୟାକରିବା ଲାଗି ଏତେଦୂର ହିଂସ୍ର ହୋଇଉଠିଥିଲା, ସେଇ ମନରେ ଆକସ୍ମିକଭାବେ ଦୁର୍ବଳତାର ସ୍ପର୍ଶ ପୁଣି ଲାଗିଲା କିପରି । ଆପଣଙ୍କର ବୀରତ୍ୱ, ସାହସିକତା ଏବଂ ନିର୍ଭୟତ୍ୱ ମୋ ମନ ତଳେ ହଠାତ୍ ଏକ ଆଲୋଡ଼ନ ସୃଷ୍ଟି କରିଥିଲା । ମୋର କାହିଁକି କେବଳ ମନେ ହେବାକୁ ଲାଗିଲା ମୋର ଆପଣାର ହେବାକୁ ଆପଣହିଁ ଏକମାତ୍ର ଉପଯୁକ୍ତ ବ୍ୟକ୍ତି । ବିନୋଦକୁ ସହଯୋଗୀଭାବେ ସିନା ଗ୍ରହଣ କରିଥିଲି, ତା’ ପ୍ରତି ତ ମୋର ଅନ୍ୟ କୌଣସି ଆକର୍ଷଣ ନ ଥିଲା ।

 

ଆଗରୁ କହିଛି ହିଂସ୍ରତାହିଁ ଯେପରି ଥିଲା ମୋ ଜୀବନର ଧର୍ମ । ପ୍ରାୟ ଅର୍ଦ୍ଧବର୍ଷାଧିକ କାଳ ନିଷ୍କ୍ରିୟ ଜୀବନ ଯାପନ କଲା ଉତ୍ତାରେ କଲିକତାରେ ଉପସ୍ଥିତ ହେବା ପରେ, ଆପଣଙ୍କ ପ୍ରତି ମୋ ମନର ମଧୁର ଆସକ୍ତି ସତ୍ତ୍ୱେ, ଚଞ୍ଚଳଗଡ଼ର ପ୍ରିନ୍ସ ରୁଦ୍ରନାରାୟଣଙ୍କର ଏକମାତ୍ର ପୁତ୍ର ସୁରଥକୁ କେନ୍ଦ୍ର କରି ଏକ ରକ୍ତର ଖେଳ ଖେଳିବାର ଲୋଭ କୌଣସି ପ୍ରକାରେ ସମ୍ବରଣ କରିପାରିଲିନାହିଁ । ମନେହେଲା ମୋର ସ୍ଥାଣୁ ଜୀବନକୁ ପୁନର୍ବାର ଚଞ୍ଚଳ କରି ତୋଳିବାର ଏହା ଯେପରି ଏକ ପ୍ରକୃଷ୍ଟ ମାଧ୍ୟମ । ନିଷ୍ପ୍ରଭ ବିନୋଦ ମୋ ପ୍ରସ୍ତାବରେ ହଠାତ୍‍ ଉଦ୍ଦୀପ୍ତ ହୋଇଉଠିଲା । ତା’ର ମୁମୂର୍ଷୁ ପ୍ରାଣରେ ନବଜୀବନର ସଞ୍ଚାର ହେଲା । ମ୍ଳାନ ତା’ର ଦୁଇନେତ୍ର ଅକସ୍ମାତ ଔଜଲ୍ୟରେ ଭରିଗଲା ।

 

ସୁରଥକୁ ହତ୍ୟାକରିବା ଲାଗି ଯାଦୁକରର ଯେଉଁ ଅଭିନୟ ଆମ୍ଭମାନଙ୍କୁ କରିବାକୁ ପଡ଼ିଥିଲା ଆପଣ ତା’ ଜାଣନ୍ତି । ପୋଲିସ୍‍କୁ ଚ୍ୟାଲେଞ୍ଜ ଦେଇ ମୁଁ ମୋ ଜୀବନକୁ ଯେପରି ଆହୁରି ରୁଦ୍ର ଚଞ୍ଚଳ କରି ତୋଳିଲି; ଯେଉଁ ଜୀବନରେ ପ୍ରତିଦ୍ୱନ୍ଦ୍ୱିତା ନାହିଁ ସେ ପୁଣି କି ଜୀବନ ।’’

 

ବରୁଣା କିୟତ୍‍କ୍ଷଣ ନୀରବ ରହିବା ଉତ୍ତାରେ ନିଜର ଅସମାପ୍ତ ବକ୍ତବ୍ୟ ପୁନଶ୍ଚ ଆରମ୍ଭ କଲା, ‘‘ପୋଲିସ୍‍ ମଧ୍ୟ ମୋ ଚ୍ୟାଲେଞ୍ଜର ମୁକାବିଲା କରିବା ଲାଗି ବଦ୍ଧପରିକର ହୋଇଉଠିଲା ଓ ଆମ୍ଭମାନଙ୍କ ସନ୍ଧାନ ପାଇବା ପାଇଁ ଗୁପ୍ତଚରମାନେ ଯେ ପ୍ରାଣପାତ କରି ଲାଗି ପଡ଼ିଛନ୍ତି ଏ ଗୋପନ ସମ୍ବାଦ ମୋର ଅଗୋଚର ରହିଲା ନାହିଁ । ହୋଟେଲ ‘ସୁଜାତା’ରେ ଛଦ୍ମବେଶ ଧାରଣ କରି ରହିବା ଉତ୍ତାରେ ଶେଠ ଶଙ୍କରଲାଲଙ୍କର ଅଷ୍ଟିନ୍‍ କାର୍‍ଖଣ୍ଡି ଅପହରଣ କରି ନେଇ ତା’ର ସଦ୍‍ବ୍ୟବହାର କରିଥିଲୁ । ସେ କାରରେ ବିନୋଦ ଓ ମୁଁ ଆପଣଙ୍କ ଦୋକାନ ସାମ୍‍ନାରେ ଯାଇ ଉପସ୍ଥିତ ହେବା ଉତ୍ତାରେ ଆପଣଙ୍କ ସମ୍ବନ୍ଧରେ ସମ୍ବାଦ ସଂଗ୍ରହ ନିମିତ୍ତ ବିନୋଦ ଦୋକାନ ମଧ୍ୟରେ ପ୍ରବେଶ କରିଥିଲା’ ମାତ୍ର ପ୍ରବେଶର କିଛିକ୍ଷଣ ଉତ୍ତାରେ ସେ ଯେତେବେଳେ ଜାଣିପାରିଲା ଯେ ଆପଣ ତାକୁ ସଂଶୟାଚ୍ଛନ୍ନ ନେତ୍ରରେ ବାରମ୍ବାର ନିରୀକ୍ଷଣ କରୁଛନ୍ତି, ସେତେବେଳେ ସେ ଦୋକାନ ଛାଡ଼ି ଅବିଳମ୍ବେ ଚାଲି ଆସିଲା କାର୍ ମଧ୍ୟକୁ ଓ ପଲକ ମଧ୍ୟରେ ଆମ୍ଭେମାନେ କାର୍‍ ନେଇ ଅନ୍ତର୍ହିତ ହୋଇଗଲୁ ।

 

ଯେତେବେଳେ ଆମ୍ଭେମାନେ ଜାଣିପାରିଲୁ ହୋଟେଲ ‘ସୁଜାତା’ ଉପରେ ପୋଲିସ୍‍ କଠୋର ଦୃଷ୍ଟି ରଖିଲାଣି ଓ ଆମ୍ଭମାନଙ୍କର କାର୍‍ ଅପହରଣର ସମ୍ବାଦ ପ୍ରକାଶ ପାଇଗଲାଣି ଏବଂ ଗୁପ୍ତଚର କାନ୍ତିଲାଲ ପ୍ରରୋଚନାରେ ହୋଟେଲ୍‍ର ବୟ ଉଜ୍ଜ୍ୱଳ ଆମ୍ଭମାନଙ୍କ ବିରୁଦ୍ଧରେ ଗୁପ୍ତଚରଗିରୀ କରୁଛି, ସେତେବେଳେ ତାକୁ ହତ୍ୟାକରି ହୋଟେଲ ସୁଜାତା ଅବିଳମ୍ବେ ତ୍ୟାଗକରିବା ବ୍ୟତୀତ ଅନ୍ୟଉପାୟ ଆଉ ନ ଥିଲା । ବିଚାରା ଉଜ୍ଜ୍ୱଳ ପ୍ରଚୁର ଅର୍ଥ ପ୍ରଲୋଭନର ବଶବର୍ତ୍ତୀ ହୋଇ ନିଜର ତରୁଣ ପ୍ରାଣକୁ ଅସମୟରେ ବିସର୍ଜ୍ଜନ ଦେଲା ସିନା ।

 

‘‘ଆହା, ସୁତପାର ହତ୍ୟା ସମ୍ବନ୍ଧରେ ଚିନ୍ତାକଲେ ସତରେ ଆଖିରେ ମୋର ଲୁହ ଚାଲି ଆସୁଛି । ଆପଣଙ୍କ ବିବାହ ଶୋଭାଯାତ୍ରା ଗୃହର ସମୀପବର୍ତ୍ତୀ ହୁଅନ୍ତେ ସୁତପାକୁ ଛାଡ଼ିଦେଇ ଶୋଭାଯାତ୍ରା ଦେଖିବାର କୌତୂହଳରେ କକ୍ଷସ୍ଥ ମହିଳାଗଣ ସମସ୍ତେ ପ୍ରକୋଷ୍ଠ ତ୍ୟାଗକରି ଦ୍ରୁତ ପ୍ରସ୍ଥାନ କଲେ । ସେଇ ସୁଯୋଗର ତ ମୁଁ ଅପେକ୍ଷା କରୁଥିଲି । ସଙ୍ଗେ ସଙ୍ଗେ କକ୍ଷ ଦରଜା ଭିତରୁ ବନ୍ଦ କରିଦେଇ ମୁଁ ଅବିଳମ୍ବେ ସୁତପାକୁ ଆକ୍ରମଣ କଲି । ଗୋଟିଏ ମୁହୂର୍ତ୍ତ ଆଉ ଡେରି କରିବାର ଯେ ଉପାୟ ନାହିଁ ।

 

ମୋର ହଠାତ୍ ଆକ୍ରମଣ ପାଇଁ ସୁତପା ଆଦୌ ପ୍ରସ୍ତୁତ ନ ଥିଲା । ସହସା ମୋର ପରିଚୟ ପାଇ ସେ ଆତ୍ମରକ୍ଷା କରିବାକୁ ଉଦ୍ୟତ ହେବା ପୂର୍ବରୁ ମୋର ବଳିଷ୍ଠ ବାହୁଯୁଗଳ ତାକୁ ଦୃଢ଼ଭାବେ କରାୟତ୍ତ କରିନେଇଥିଲା ଓ ତା’ର ଗଳା ନିକଟରେ ମୋର ଦୁଇ ବୃଦ୍ଧାଙ୍ଗୁଷ୍ଠିର ନିର୍ମମ ଚାପ କଠୋରରୁ କଠୋରତର ହୋଇଉଠୁଥିଲା । ତା’ କଣ୍ଠର କରୁଣ ଗଁ ଗଁ ଶବ୍ଦ ମାତ୍ର ମୁହୂର୍ତ୍ତ କେତେକ ପରେ ନିସ୍ତବ୍ଧ ହୋଇଯାଇଥିଲା । ଆଖି ଦୁଇଟି ତା’ର ବିସ୍ଫାରିତ ହୋଇଯାଇଥିଲା ବଡ଼ କରୁଣଭାବେ ଓ ଆଖିର ଦୁଇପାଖେ ଦୁଇଧାର ଲୁହ ତା’ର ଗଡ଼ି ପଡ଼ିଥିଲା । ମୋର ମନେହେଲା ସେଇ ଲୁହରେ ଯେପରି ମୋତେ ସେ ଅଭିସମ୍ପାତ ଦେଇଗଲା । ‘‘ମୋ ମିଳନର ଏତେବଡ଼ ପ୍ରତୀକ୍ଷାକୁ ତୁ ପରିଶେଷରେ ବ୍ୟର୍ଥ କରିଦେଲୁ, ଭଗବାନ କରନ୍ତୁ, ମୋର ଏଇ କରୁଣ ବ୍ୟର୍ଥତା ଓ ବୁକୁଫଟା ହାହାକାର ତୋର ଭବିଷ୍ୟତ ରାକ୍ଷସୀ ଜୀବନର ଚିର ଭୂଷଣ ହୋଇରହୁ ।’’

 

ସୁତପାର ଅନ୍ତିମ କାରୁଣ୍ୟରେ ଭୟଙ୍କର ବିଚଳିତ ହୋଇପଡ଼ିଥିବା ସତ୍ତ୍ଵେ ଓ ଅରିନ୍ଦମଜୀଙ୍କ ନିକଟକୁ କେତେଧାଡ଼ି ପତ୍ର ଲେଖିବାର ଲୋଭ ସମ୍ବରଣ କିନ୍ତୁ କରିପାରିନଥିଲି । ମୋର ଅହଙ୍କାର, ମୋର ଦର୍ପ ଯେ ମୋତେ ଅନ୍ଧ କରି ରଖିଥିଲା । ମୋର ଏତେ ବଡ଼ ବିଜୟର ଉଲ୍ଲାସ ମୁଁ ଲିପିବଦ୍ଧ କରିନଥା’ନ୍ତି କିପରି ?

 

ସେଠାରୁ ପଲାଇ ଆସିବା ପରେ ମୋର କାହିଁକି କେବଳ ମନେହେବାକୁ ଲାଗିଲା ମୁଁ ସୁତପାର ଅଶ୍ରୁଳ ଆତ୍ମା କବଳରୁ ମୁକ୍ତି ପାଇପାରିନି । ଦିନ ଯେତିକି ଯାଉଛି, ସେ ଯେପରି କ୍ରମଶଃ ମୋ ହୃଦୟ ମଧ୍ୟରେ ପ୍ରବେଶ କରୁଛି ଓ ମୋ ଆତ୍ମା ସଙ୍ଗେ ଏକୀଭୂତ ହୋଇ ଆପଣଙ୍କୁ ଏକାନ୍ତଭାବେ ପାଇବା ପାଇଁ କ୍ରମେ ବ୍ୟାକୁଳ ହୋଇଉଠିଛି । ଶଶାଙ୍କବାବୁ, ସେଇଦିନରୁ ଆପଣଙ୍କୁ ପାଇବାର ଆକୁଳତା ମୋର ହୃଦୟରେ ଏପରି ଘନୀଭୂତ ହେବାକୁ ଲାଗିଲା ଯେ ମୋର ମନେହେଲା ଆପଣଙ୍କୁ ନ ପାଇପାରିଲେ ମୁଁ ଯେପରି ଉନ୍ମାଦିନୀ ହୋଇଯିବି ।

 

ଆପଣଙ୍କର ଖଣ୍ଡିଏ ଫଟୋ ଚିରଦିନ ମୋ ନିକଟରେ ଥିଲା । ମଧ୍ୟେ ମଧ୍ୟେ ସେ ଫଟୋ ଖଣ୍ଡି ଦେଖିବାର ପ୍ରଲୋଭନ କେଜାଣି କାହିଁକି ମୁଁ ଆଦୌ ସମ୍ବରଣ କରିପାରେନାହିଁ । ମାତ୍ର ସୁତପାକୁ ହତ୍ୟାକଲାପରେ ଆପଣଙ୍କ ଫଟୋ ସନ୍ଦର୍ଶନ କରିବାର ପିପାସା ଯେପରି ଶତଗୁଣିତ ହୋଇଗଲା ଓ ବିନୋଦ ମନରେ ଈର୍ଷା ଉଦ୍ରେକ ହେବାର ଏହାହିଁ ହେଲା ଅସଲ କାରଣ । ବିନୋଦ କେବେହେଲେ ମୋତେ କଳୁଷିତ ଦୃଷ୍ଟିରେ ଚାହିଁ ନାହିଁ । ମାତ୍ର ମୋର ମନ ଆପଣଙ୍କ ପ୍ରତି ଆସକ୍ତ ହୋଇପଡ଼ିଥିବାର କଥା ସେ ଉପଲବ୍ଧି କରିବା ପରେ କେଜାଣି କାହିଁକି ତା’ର ଆଚରଣରେ ବହୁ ଗ୍ଳାନି ଦେଖାଦେଲା । ତା’ର କଥା କହିବା ଭଙ୍ଗୀ ଓ ମୋ ପ୍ରତି ତା’ର ବ୍ୟବହାରରେ କିପରି ପ୍ରଚ୍ଛନ୍ନ ଅଶ୍ଳୀଳତା କ୍ରମେ ପ୍ରକାଶ ପାଇଲା ଓ ତା’ କ୍ରମେ ଏପରି ଉଗ୍ର ହେବାକୁ ଲାଗିଲା ଯେ ବିନୋଦ ସଙ୍ଗେ ଏକାକୀ ବାସ କରିବା ମୁଁ ଆଉ ନିରାପଦ ମନେ କଲିନାହିଁ-

 

ଗ୍ରାଣ୍ଡ ହୋଟେଲ୍‍ର ତ୍ରିତଳସ୍ଥ ସାତନମ୍ବର କୋଠରୀରେ ମି. ଓ ମିସେସ୍ ଗୋଖଲେଙ୍କର ଛଦ୍ମବେଶ ଅନ୍ତରାଳରେ ଆମ୍ଭେମାନେ ଆତ୍ମଗୋପନ କରିଥିବା ସମୟରେ ବିନୋଦର ପାଶବିକତାର ଚରମ ପ୍ରକାଶ ଘଟିଲା । ତା’ ମୋ ମଧ୍ୟରେ ଆପଣଙ୍କ ଫଟୋକୁ କେନ୍ଦ୍ରକରି ମନାନ୍ତର ଅତି ଭୀଷଣ ଆକାର ଧାରଣ କରିଥିଲା । ସବୁବେଳେ ସେ ମୋତେ ଧମକାଇବାକୁ ଲାଗିଲା ଯେ ତା’ର ସାହଚର୍ଯ୍ୟ ବ୍ୟତୀତ ମୋର ସ୍ଥିତି ଆଦୌ ନିରାପଦ ନୁହେଁ ଓ ଏହି ଧମକ ଅନ୍ତରାଳରେ ତା’ ବିଭତ୍ସମନର ଯେ କି ପ୍ରଚ୍ଛନ୍ନ ଇଙ୍ଗିତ ଥିଲା ତା’ ମୋର ଆଉ ବୁଝିବାକୁ ବାକି ରହିଲା ନାହିଁ । ପୁରୁଷ ଥରେ ହିଂସ୍ର ହେଲେ ନାରୀର ଆତ୍ମରକ୍ଷା ଯେ କେଡ଼େ ଦୁଃସାଧ୍ୟ ତା’ ମୁଁ ମନେ ମନେ କଳ୍ପନା କରି ଆତଙ୍କରେ ଶିହରି ଉଠିଥିଲି । ମାତ୍ର ମୋ ନିଜର ଶକ୍ତି ଉପରେ ପ୍ରଚଣ୍ଡ ବିଶ୍ୱାସ ଥିବା ହେତୁ ମୁଁ ବିଶେଷ କାତର ହୋଇ ପଡ଼ିନଥିଲି ।

 

ହୋଟେଲ ଚତୁଃପାର୍ଶ୍ୱରେ ପୋଲିସ୍‍ ଘେରାଉ କରି ରହି ଗଲେଣି, ଅତଏବ ଆମ୍ଭେମାନେ କିପରି ଆତ୍ମରକ୍ଷା କରିବା ଏହି ସମ୍ବନ୍ଧରେ ମୁଁ ବିନୋଦ ସହିତ ପରାମର୍ଶ କରିବାକୁ ଉଦ୍ୟତ ହୋଇ ଆଶ୍ଚର୍ଯ୍ୟର ସହ ଲକ୍ଷ୍ୟ କଲି ତା’ର ଦି’ଆଖି ପ୍ରଚଣ୍ଡ ପାଶବିକ କ୍ଷୁଦାରେ ଦୀପ୍ତ ହୋଇଉଠିଛି । ମୁଁ କିଛି ଚିନ୍ତାକରିବା ପୂର୍ବରୁ ତା’ର ଭୟଙ୍କରତାର ହଠାତ୍‍ ବିସ୍ଫୋରଣ ଘଟିଲା । ଅକସ୍ମାତ ସେ ମୋ ଉପରକୁ ଝାମ୍ପିପଡ଼ି ମୋତେ ଆକ୍ରମଣ କଲା । ଶଯ୍ୟା ଉପରେ ଭୀଷଣ ଧସ୍ତାଧସ୍ତି ମଧ୍ୟରେ ମୁଁ ମୋର ପ୍ରଚଣ୍ଡ ଶାରୀରିକ ଓ ମାନସିକ ଶକ୍ତି ପ୍ରୟୋଗ କରି ତାକୁ ଧକ୍‍କା ମାରି ତା’ କବଳରୁ କୌଣସି ପ୍ରକାରେ ଖସି ଆସିଲି ଓ ସେ ପୁନର୍ବାର ମୋତେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେବା ପୂର୍ବରୁ ମୋର ଶବ୍ଦହୀନ ରିଭଲ୍‍ଭର୍‍ର ତୀବ୍ର କଟାକ୍ଷରେ ସେ ଚିତ୍କାର କରିଉଠିଲା । ବୁଲେଟ୍‍ ତା’ର ବକ୍ଷ ଭେଦ କରିଥିଲା । ମୁହୂର୍ତ୍ତ କେତେକର ଛଟପଟରେ ସେ ମୃତ୍ୟୁ ସ୍ପର୍ଶରେ ସମ୍ପୂର୍ଣ୍ଣ ନିଶ୍ଚଳ ହୋଇଗଲା ।

 

ବିନୋଦ କବଳରୁ ଆତ୍ମରକ୍ଷା କଲି ସତ ମାତ୍ର ଏଠାରୁ ପଳାୟନର ଉପାୟ କ’ଣ ? ପୋଲିସ୍‍ ଯେ ଚତୁର୍ଦ୍ଦିଗରୁ ହୋଟେଲ ଅବରୋଧ କରିଛି ।

 

ହିଂସ୍ରତାର ଅନ୍ୟଏକ ବିଭତ୍ସ କଳ୍ପନା ମୋ ଚିନ୍ତା ରାଜ୍ୟରେ ଉଦୀପ୍ତ ହୋଇଉଠିଲା, ଆପଣ ଇତି ମଧ୍ୟରେ ମୋର ପରବର୍ତ୍ତୀ ଅଭିନୟ ବ୍ୟାପାର ସମ୍ବନ୍ଧରେ ନିଶ୍ଚୟ ଅବଗତ ହୋଇସାରିଥିବେ । ମିସ୍ ମଲ୍ଲିକା ଗରମ ଦୁଧ ନେଇ କକ୍ଷ ମଧ୍ୟକୁ ପ୍ରବେଶ କରିବା ସଙ୍ଗେ ସଙ୍ଗେ ମୁଁ ଭିତରୁ ଦରଜା ବନ୍ଦ କରିଦେଇ ତାକୁ ଅକସ୍ମାତ ଆକ୍ରମଣ କଲି ଓ ସୁତପାକୁ ଯେଉଁଭାବେ ହତ୍ୟା କରିଥିଲି ଠିକ୍‍ ସେହି ଉପାୟ ଅବଲମ୍ବନ କରି ମଲ୍ଲିକାକୁ ନିର୍ମମଭାବେ ହତ୍ୟା କଲି । ଉଜ୍ଜ୍ୱଳ ଭଳି ସେ ମଧ୍ୟ ଆମ ବିରୁଦ୍ଧରେ ଗୁପ୍ତଚରଗିରୀ କରୁଥିଲା ।

 

ମୁଁ ତାକୁ ଅତ୍ୟନ୍ତ ବିଶ୍ୱାସ କରିଥିଲି । କିନ୍ତୁ ସେ ମୋ ବିଶ୍ୱାସରେ ବିଷ ଦେଲା । ଫଳରେ ବିଶ୍ୱାସଘାତିନୀ ନିଜ ଅପକର୍ମର ପରିଣତି ଭୋଗ କଲା । ମୁଁ ମୋ ଚିନ୍ତାରେ ସବୁକିଛି ପ୍ରସ୍ତୁତ କରି ରଖିଥିଲି । ଅବିଳମ୍ବେ ମୃତ ମଲ୍ଲିକା ଦେହରୁ ତା’ର ଆବରଣ ସମସ୍ତ କାଢ଼ି ଆଣି ନିଜେ ପିନ୍ଧିନେଲି ଓ ସମସ୍ତ ସତର୍କତାର ସହ ହୋଟେଲ ଛାଡ଼ି ପଳାୟନ କଲି । ଧଳା ଗାଉନ୍‍ ପରିହିତା ଜଣେ ପରିଚାରିକାର ହୋଟେଲ ବାହାରକୁ ପ୍ରସ୍ଥାନ ଅନ୍ୟ ମନରେ କାହିଁକି ବା ସନ୍ଦେହ ଉଦ୍ରେକ କରନ୍ତା । ତେଣୁ ଦରଓ୍ୱାନ ମୋତେ ହୋଟେଲ ବାହାରକୁ ଚାଲିଯାଉଥିବାର ଲକ୍ଷ୍ୟକରି ମଧ୍ୟ ବାଧା ପ୍ରଦାନ କରିନଥିଲା ।’’

 

ବରୁଣା ଏକ ନିଶ୍ୱାସରେ ନିଜର ବକ୍ତବ୍ୟ ଶେଷକରି ଘର୍ମାକ୍ତ ହୋଇ ଉଠିଥିଲା ତେଣୁ ବସ୍ତ୍ରାଞ୍ଚଳରେ ନିଜର ମୁହଁ ପୋଛିନେଇ କରୁଣ କଣ୍ଠରେ କହିଲା, ‘‘ଏତେବେଳ ଯାଏ ମୁଁ ନିଜର କୃତିତ୍ୱ ସମ୍ବନ୍ଧରେ ଯାହାକିଛି ବ୍ୟକ୍ତ କଲି ତା’ କେବଳ ଆପଣଙ୍କର ଗୋଚର ନିମିତ୍ତ, ସେଥିଲାଗି ମୁଁ ଗର୍ବରେ ସ୍ଫୀତ ହେଉନାହିଁ, କି ଦର୍ପରେ ଧରାକୁ ସରା ଜ୍ଞାନ ମନେକରୁନାହିଁ । ଅଧିକନ୍ତୁ ଅତୀତର ବରୁଣାକୁ ମୁଁ ଅଭିସମ୍ପାତ ଦେଇ ତାକୁ ହତ୍ୟା କରିଛି । ଶଶାଙ୍କବାବୁ ଆପଣ ଥରେ ମୋର ବର୍ତ୍ତମାନର ଏ ହୃଦୟ ବିଦୀର୍ଣ୍ଣ କରି ଦେଖନ୍ତୁ, ସେଠାରେ ରାକ୍ଷସୀ ବରୁଣା ଆଉ ବଞ୍ଚି ନାହିଁ । ତା’ର ମୃତ୍ୟୁ ଘଟିଛି ।’’

 

‘‘ସମ୍ଭବତଃ ଆପଣଙ୍କ ଗଳାର ସେ ବାଘନଖ ସଂଯୁକ୍ତ ଚେନ୍‍ର ଅପସୃତିର ଠିକ୍‍ ପରେ ପରେ ଆପଣ ନିଜର ଶକ୍ତି, ସମ୍ବନ୍ଧରେ ସଂଶୟାଚ୍ଛନ୍ନ ହୋଇଉଠି ହଠାତ୍ ପ୍ରେମମୟୀ ଓ କଲ୍ୟାଣମୟୀ ନାରୀରୂପ ପରିଗ୍ରହ କରିବାକୁ ବ୍ୟଗ୍ର ହୋଇଉଠିଛନ୍ତି, ନୁହେଁ ?’’ ଶଶାଙ୍କର କଣ୍ଠରେ ବିଦ୍ରୂପର ଇଙ୍ଗିତ ।

 

ସହସା ବଜ୍ରପାତ ହୋଇଥିଲେ ସମ୍ଭବତଃ ଏତେଦୂର ଚମକି ଉଠିନଥା’ନ୍ତା ବରୁଣା । ଦୁଇନେତ୍ର ତା’ର ବିସ୍ମୟରେ ବିସ୍ଫାରିତ ହୋଇଯାଇଛି, ‘‘ବାଘନଖ ସଂଯୁକ୍ତ ସୁନାଚେନ୍ ରହସ୍ୟ ସମ୍ପର୍କରେ ଆପଣ ସବୁକଥା ଜାଣନ୍ତି ନା କ’ଣ ?’’

 

‘‘ସେଇ ପାର୍ବତୀହିଁ ଅଜିତ୍‍ବାବୁ ପାଖକୁ ପତ୍ରରେ ସବୁ ଲେଖି ଜଣାଇଥିଲା । କାପାଳିକ ପ୍ରଦତ୍ତ ସେଇ ବାଘ ନଖ ଆଜିଯାଏ ତୁମକୁ ପ୍ରକୃତରେ ତ ସବୁ ବିପଦରୁ ରକ୍ଷା କରିଆସିଥିଲା, ମାତ୍ର ତା’ ତୁମ ନିକଟରୁ ବିଚ୍ଛିନ୍ନ ହୋଇଯିବା ପରେ ମୋର ମନେହୁଏ ତୁମେ ବଡ଼ ନିଃସହାୟ ହୋଇପଡ଼ିଛ ।’’ ଶଶାଙ୍କ କଣ୍ଠରେ କଠୋରତାର ପ୍ରକାଶ ।

 

ବରୁଣା କିପରି ଏକ ନିଃସହାୟ ଦୃଷ୍ଟି ମେଲି ପ୍ରଶ୍ନବାଚକ ଦୃଷ୍ଟିରେ ଅନାଇ ରହିଛି ଶଶାଙ୍କ ମୁହଁକୁ ।

 

ଶଶାଙ୍କ ବରୁଣାର ସେଇ ନୀରବ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଲା, ‘‘ବିନୋଦ ଓ ତୁମ ମଧ୍ୟରେ ଧସ୍ତାଧସ୍ତି ସମୟରେ ସମ୍ଭବତଃ ବିନୋଦ ତୁମକୁ ଶକ୍ତି ଶୂନ୍ୟ କରିଦେଇ ନିଜର ପାଶବିକ ପ୍ରବୃତ୍ତି ଚରମ ଭାବରେ ଚରିତାର୍ଥ କରିନେବା ଉଦ୍ଦେଶ୍ୟରେ ତୁମ ଗଳାରୁ ସେ ଚେନ୍‍ଟି ଛିଣ୍ଡାଇ ନେଇଛି । ଛିଣ୍ଡାଇ ନେଇ ସେଇ ସାତନମ୍ବର କକ୍ଷ ମଧ୍ୟରେ ହିଁ ଫୋପାଡ଼ି ଦେଇଥିଲା । ସେ ଚେନ୍ ମିଳିଛି ।’’

 

‘‘ମିଳିଛି ? ବରୁଣା ହଠାତ୍ ଯେପରି ଆନନ୍ଦରେ ଉତ୍‍ଫୁଲ୍ଲ ହୋଇଉଠିଲା ।

 

‘‘ମିଳିଲେ ମଧ୍ୟ ତୁମେ ତ ତା’ ପାଇପାରୁନାହଁ । ତୁମର ଅପହୃତ ଶକ୍ତିକୁ ତୁମକୁ ପୁନର୍ବାର ଫେରାଇ ଦେବା ଶ୍ରେୟସ୍କର ହେବ କି ?’’ ଶଶାଙ୍କର ପ୍ରଶ୍ନରେ ଉପହାସର ଇଙ୍ଗିତ ।

 

ବରୁଣା କିପରି ଏକ ମ୍ଳାନ ହସ ହସି କହିଲା, ‘‘ଉକ୍ତ ଚେନ୍‍ଟି ମିଳିଛି ଶୁଣି ମୁଁ ଯେ ଖୁବ୍‍ ଖୁସି ହୋଇଉଠିଲି, ସେଥିରୁ ଆପଣ ଭାବିଲେ ବୋଧେ ମୁଁ ତା’ ଫେରି ପାଇବାର ଆଶା ରଖିଛି । ତା’ ଆଦୌ ନୁହେଁ । ଯେଉଁ ବରୁଣା ଏଠାକୁ ନିଶ୍ଚିତ ମୃତ୍ୟୁ ନିମିତ୍ତ ପ୍ରସ୍ତୁତ ହୋଇଆସିଛି, ସେ ଆଉ ଏ ସଂସାରରେ ଲାଭ କ୍ଷତି ନେଇ ଚିନ୍ତିତ ନୁହେଁ । ଖୁସି ହେଲି କାହିଁକି ଜାଣନ୍ତି, ଉକ୍ତ ବାଘନଖଟି ମନ୍ତ୍ରପୂତ ଅତ୍ୟନ୍ତ କଲ୍ୟାଣକର । ଯାହା ନିକଟରେ ତା’ ରହିବ, ତା’ର ସେ ମଙ୍ଗଳ କରିବ । ପଦାର୍ଥଟି ମିଳିଗଲା, ଏତିକି ଜାଣି ମୁଁ ସତରେ ଆନନ୍ଦରେ ଉନ୍ମତ୍ତ ହୋଇଉଠିଛି । ଏ ଆନନ୍ଦରେ ମୋର ଅନ୍ୟାୟ ରହିଲା କେଉଁଠି ?

 

ଶଶାଙ୍କ ବରୁଣାର ଏ ଯୁକ୍ତି ନିକଟରେ ନୀରବ ହୋଇଗଲା । କୌଣସି ଉତ୍ତର ଦେଇପାରିଲା ନାହିଁ । ସେ କେବଳ ବରୁଣାକୁ ବିଚିତ୍ର ଦୃଷ୍ଟିରେ ଅନାଇ ରହିଥିଲା ।

 

ବରୁଣା ଚେୟାର ଛାଡ଼ି ଉଠି ଠିଆ ହେଲା ଓ ସାମାନ୍ୟ ଆଗେଇ ଯାଇ ବସ୍ତ୍ରାନ୍ତରାଳରୁ ରିଭଲ୍‍ଭର୍‍ଟା ବାହାର କରି ଆଣି ଶଶାଙ୍କ ପାଦ ପାଖେ ରଖି ଦେଉ ଦେଉ ଶଶାଙ୍କ ନିଜ ଆସନ ଛାଡ଼ି, ଆତଙ୍କରେ ପଛକୁ ଘୁଞ୍ଚିଗଲା ।

 

‘‘ଭୟ କରିବେ ନାହିଁ । ରିଭଲ୍‍ଭର୍‍ଟା ଆପଣଙ୍କ ପାଦ ପାଖେ ସମର୍ପଣ କରି ମୁଁ ଆତ୍ମସମର୍ପଣର ମନୋବୃତ୍ତିହିଁ ପ୍ରକାଶ କରୁଛି । ଶଶାଙ୍କବାବୁ, ଆଜି ଥରେ ଯଦି ଏ ବରୁଣାର ହୃଦୟ ଦ୍ୱିଧାକରି ଦେଖନ୍ତେ ତେବେ ସେଠାରେ ଆପଣଙ୍କର ଅବିଚଳିତ ସ୍ଥିତି ଆପଣ ସ୍ପଷ୍ଟ ଲକ୍ଷ୍ୟ କରିପାରନ୍ତେ । ହନୁମାନ ପରା ତା’ର ବକ୍ଷ ଚିରି ଦେଖାଇ ଦେଇଥିଲା, ତା’ର ହୃଦୟରେ ସୀତାରାମଙ୍କ ବ୍ୟତୀତ ଅନ୍ୟକାହାରି ସ୍ଥାନ ନାହିଁ । ମୋ ବୁକୁତଳେ ଆପଣଙ୍କ ପ୍ରେମର ଯେଉଁ ମନ୍ଦାକିନୀ ପ୍ରବାହିତ ହେଉଛି ତା’ର ଶୀତଳତା ଓ ସ୍ୱଚ୍ଛତା ସମ୍ବନ୍ଧରେ ଆପଣଙ୍କୁ ବୁଝାଇ କହିଲେ ବି ଆପଣ ବିଶ୍ୱାସ କରିବେ ନାହିଁ । ଏକମାତ୍ର ଭଗବାନ୍‍ ଅନ୍ତର୍ଯ୍ୟାମୀ, ମୋର ଆପଣଙ୍କ ପ୍ରତି ଅନାବିଳ ପ୍ରେମର ସେ ଏକମାତ୍ର ସାକ୍ଷୀ ।’’

 

‘‘ବରୁଣାର ଦି’ ଆଖିରୁ ଧାର ଧାର ଲୁହ ଗଡ଼ି ଯାଉଛି ।’’ ହିଂସ୍ରତାର ଅବସାନ ପରେ ମୋ ହୃଦୟ ଯେତେବେଳେ ଆଜି ମଧୁର ପ୍ରେମରେ ମଧୁମୟ ହୋଇଉଠିଛି, ସେତେବେଳେ ମୁଁ ନିଃସହାୟ ଦୃଷ୍ଟି ମେଲି ଲକ୍ଷ୍ୟକରି ଦେଖୁଛି ମୋର ପରିବର୍ତ୍ତନକୁ ସତ୍ୟ ବୋଲି ଗ୍ରହଣ କରିବାକୁ ପୃଥିବୀରେ କେହି ରାଜି ନୁହଁନ୍ତି । ଆପଣ ମଧ୍ୟ ମୋ ପରିବର୍ତ୍ତନରେ ଯେ ଆସ୍ଥା ରଖିପାରିନାହାଁନ୍ତି ତା’ ମଧ୍ୟ ମୁଁ ପ୍ରାଣେ ପ୍ରାଣେ ଉପଲବ୍ଧି କରିପାରୁଛି । ତେଣୁ ମୋ ହୃଦୟସ୍ଥ ଅବ୍ୟକ୍ତ ପ୍ରେମର ଦାନର ପ୍ରତିଦାନ ଆପଣଙ୍କ ନିକଟରୁ ଭିକ୍ଷା କରୁନାହିଁ । କେବଳ ଭଗବାନଙ୍କ ନିକଟରେ ଏତିକି ପ୍ରାର୍ଥନା କରୁଛି ଆର ଜନ୍ମରେ ମୁଁ ଯେପରି ଆପଣଙ୍କୁ ମୋ ହୃଦୟର ଆରାଧ୍ୟ ଦେବତାରୂପେ ଲାଭ କରିପାରେ ।’’

 

ବରୁଣା କଇଁ କଇଁ କାନ୍ଦି ଉଠିଲା ।

 

ମାତ୍ର ଏ କ’ଣ, ବରୁଣା ଏପରି ଟଳୁଛି କାହିଁକି ? ତା’ର ସମସ୍ତ ଦେହ ଏପରି ଥର ଥର କାହିଁକି ଥରୁଛି ।

 

ଶଶାଙ୍କ ହତଭମ୍ବ ହୋଇଯାଇଛି । ସେ କିଂକର୍ତ୍ତବ୍ୟବିମୂଢ଼ ହୋଇ ଠିଆ ହୋଇ ରହିଛି କେବଳ ।

 

ବରୁଣା ନିଜର ଅଶ୍ରୁ ସମ୍ବରଣ କରି ନେଇ ଶଶାଙ୍କକୁ କରୁଣ ନେତ୍ରରେ ଚାହିଁ ବାଷ୍ପାଚ୍ଛନ୍ନ କଣ୍ଠରେ କହିଲା, ‘‘ମୋ ଅଧର ତଳେ ଲୁକ୍‍କାୟିତ ବିଷ ମୋର ଶରୀରରେ ସଞ୍ଚରି ଗଲାଣି । ମୋର ମୃତ୍ୟୁ ତେଣୁ ଆଉ ବିଳମ୍ବ ନାହିଁ । ଅରିନ୍ଦମଜୀଙ୍କୁ ମୋର ଏ ଶେଷ ବାଣୀ ଶୁଣାଇ ଦେବେ, କହିବେ ବରୁଣା ପୃଥିବୀରୁ ଅପରାଜିତାର ଗୌରବ ନେଇ ପ୍ରସ୍ଥାନ କରିଛି । ତା’ ଆତ୍ମାର ଶାନ୍ତି ଲାଗି ଏହି ସାନ୍ତ୍ୱନା ହିଁ ଯଥେଷ୍ଟ । ଆଉ, ଆଉ.... ।’’

 

ବରୁଣା ହୁଏତ ଆଉ କିଛି କହିବ ବୋଲି ଚେଷ୍ଟା କରୁଥିଲା, ମାତ୍ର ସେ ତା’ର ଶେଷ ବାକ୍ୟ ଉଚ୍ଚାରଣ କରିବା ପୂର୍ବରୁ ଚ୍ଛିନ୍ନମୂଳ ତରୁପ୍ରାୟ ଶଶାଙ୍କର ପାଦ ପାଖେ ଅଜାଡ଼ି ହୋଇପଡ଼ିଲା-

 

ବରୁଣା ଲାଗି ଚିର କଠୋର ଶଶାଙ୍କର ହୃଦୟ ସହସା ଯେପରି ବିଗଳିତ ହୋଇଉଠିଲା, ସେ ଚିତ୍କାର କରି ଉଠିଲା, ‘‘ବରୁଣା ବରୁଣା ।’’

 

ଶଶାଙ୍କ ହୃଦୟର ଏ ଆହ୍ୱାନ ଶୁଣିବା ନିମିତ୍ତ ବରୁଣା ତା’ର ମୃତଦେହ ଅନ୍ତରାଳରେ ଆଉ ଉପସ୍ଥିତ ନ ଥିଲା ।

 

ରୁଦ୍ଧ ଦ୍ୱାର ଉପରେ ଘନ ଘନ କରାଘାତ ଚାଲିଛି । ଅରିନ୍ଦମ ଚିତ୍କାର କରୁଛନ୍ତି, ‘‘ଶଶାଙ୍କବାବୁ ଦରଜା ଖୋଲନ୍ତୁ, ଦରଜା ଖୋଲନ୍ତୁ ଶୀଘ୍ର ଶଶାଙ୍କବାବୁ.... ।’’

Image